Unknown

 

 

 

 

 

 

 

ବାନ୍ଧବୀ

ଲେଖକ

କେନ୍ଦ୍ର ସାହିତ୍ୟ ଏକାଡେମୀ ଓ ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ

ଶ୍ରୀ ଅକିଲନ୍

 

ଅନୁବାଦକ

ଶ୍ରୀ ପ୍ରସନ୍ନ କୁମାର ରଥ

 

 

 

 

 

 

 

 

 

 

 

 

ସାଗରିକା,

ତୁମ ହାତରେ ଦେଲି...

 

ଅତି ସୁଖର କଥା ଯେ ଦକ୍ଷିଣଭାରତୀୟ ଆଞ୍ଚଳିକ ଭାଷାକେନ୍ଦ୍ରରେ ତାମିଲ୍‍ଭାଷାରେ ଶିକ୍ଷା ପାଇଥିବା ଶିକ୍ଷକ ଶ୍ରୀ ପ୍ରସନ୍ନକୁମାର ରଥ ଶ୍ରୀ ଅକିଲନ୍‌ଙ୍କର ‘ସ୍ନେହିଦୀ ଉପନ୍ୟାସଟିକୁ ଓଡ଼ିଆରେ ଅନୁବାଦ କରିଛନ୍ତି । ଶ୍ରୀ ଅକିଲନ୍ ଭାରତୀୟ ଜ୍ଞାନପୀଠ ପୁରସ୍କାର ପାଇଛନ୍ତି । ସେ ତାମିଲ୍‌ନାଡୁର ସର୍ବଶ୍ରେଷ୍ଠ ଔପନ୍ୟାସିକ ନୋହିଲେ ସୁଦ୍ଧା, ଭାରତୀୟ ଔପନ୍ୟାସିକ ମହଲର ଉପର ମହଲରେ ତାଙ୍କର ସ୍ଥାନ, ସନ୍ଦେହ ନାହିଁ ।

ଅନେକ ଅନୁବାଦକୁ ସହଜ କାମ ବୋଲି ଭାବିଥାନ୍ତି । କେବଳ ଶବ୍ଦର ଅର୍ଥ ଜାଣିଲେ, ବାକ୍ୟର ଅନ୍ୱୟ ଜାଣିଲେ ଅନୁବାଦ ହେବନାହିଁ । ପୁଣି ଯାର୍ଥାଥ ଅନୁବାଦ ଓ ସୁନ୍ଦର ଅନୁବାଦ ଭିତରେ ମଧ୍ୟ ପାର୍ଥକ୍ୟ ଅଛି । କଥାରେ ଅଛି, ଯାହା ଯର୍ଥାଥ ଅନୁବାଦ ତାହା କ୍ୱଚିତ୍ ସୁନ୍ଦର ଓ ଯାହା ସୁନ୍ଦର ଅନୁବାଦ ତାହା କ୍ଵଚିତ୍ ଯର୍ଥାଥ । ଶିଳ୍ପୀଗୁରୁ ନନ୍ଦଲାଲ ତାଙ୍କର ଶିଳ୍ପଚର୍ଚ୍ଚା ବହିରେ ସିଂହ ଆଙ୍କିବା ବିଷୟରେ କହିଛନ୍ତି—ଜଣେ ସିଂହର ଆକୃତିଗତ ସାଦୃଶ୍ୟ ଆଙ୍କିଲେ ମଧ୍ୟ ତହିଁରେ ସିଂହତ୍ଵ ନଥାଇପାରେ । ଆଉଜଣେ ସିଂହତ୍ୱ ଫୁଟାଇ ପାରିଥିଲାବେଳେ ଆକୃତିଗତ ସାମ୍ୟ ହୁଏତ ରଖିଥାଇପାରନ୍ତି । ଏହି ଉଦାହରଣରେ ରୂପାତ୍ମକ ଓ ଗୁଣାତ୍ମକ ବିରୋଧକଥା ସୁନ୍ଦର ଭାବରେ କୁହାଯାଇଛି । ଯେକୌଣସି ଭଲ ଅନୁବାଦକ ପକ୍ଷରେ ଏଇ ଦୁଇଟି ଭିତରେ ସମନ୍ୱୟ ଆଣିବା ହିଁ ସବୁଠାରୁ ବଡ଼ ସମସ୍ୟା ।

ଅନୁବାଦକ କେବଳ ଦୁଇ ଭାଷାରେ ପ୍ରବୀଣ ହେଲେ ହେବନାହିଁ; ଦୁଇ ସଂସ୍କୃତିର ମଧ୍ୟ ସେ ରସଗ୍ରାହୀ ହେବା ପ୍ରୟୋଜନ । ନୋହିଲେ ଗୋଟିଏ ସମାଜର ଚଳଣିକୁ ଠିକ୍‌ଭାବରେ ବୁଝି ଅନ୍ୟସମାଜର ପାଠକଙ୍କୁ ବୁଝାଇବା ତାଙ୍କ ପକ୍ଷରେ ସହଜକଥା ହେବନାହିଁ । ସେଥିପାଇଁ ବିଜ୍ଞାନର ଅନୁବାଦ ଅପେକ୍ଷା ସାହିତ୍ୟର ଅନୁବାଦ ସାଧାରଣତଃ କଠିନ ହୋଇଥାଏ । ଆମ ଦେଶ କେବଳ ବହୁଭାଷାଭାଷୀ ନୁହେଁ, ବହୁ ସଂସ୍କୃତିର ସମନ୍ଵୟ କ୍ଷେତ୍ର । ଏଠି ଗୋଟିଏ ସମସ୍ୟାକୁ ବହୁଭାବରେ ଦେଖିବା ଏକ ସ୍ଵାଭାବିକ ପ୍ରକ୍ରିୟା । ତେଣୁ ଭାରତ ପରି ଦେଶରେ ଅନୁବାଦକର ଏକ ସ୍ଵତନ୍ତ୍ର ଭୂମିକା ରହିଛି । ଦୀର୍ଘ ତିନିହଜାର ବର୍ଷର ସାଂସ୍କୃତିକ ଆଦାନ ପ୍ରଦାନ ଫଳରେ ଦେଶରେ ଯେଉଁ ସାଂକୃତିକ ଏକତାର ସୂତ୍ର ମଜଭୁତ ହୋଇଛି, ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଭାଷାରେ ତାର ପରିପ୍ରକାଶ ସହିତ କେବଳ ଅନୁବାଦକ ହଁ ପରିଚୟ କରାଇଦେଇପାରିବେ ।

ଭାରତୀୟ ଭାଷାସଂସ୍ଥାନର ପାଞ୍ଚଟି କେନ୍ଦ୍ରରେ ମୁଖ୍ୟତଃ ତ୍ରିଭାଷା ସୂତ୍ରକୁ କାର୍ଯ୍ୟକାରୀ କରିବାପାଇଁ ଶିକ୍ଷକମାନଙ୍କୁ ସେମାନଙ୍କ ମାତୃଭାଷା ବ୍ୟତିରେକ ଅନ୍ୟ ଗୋଟିଏ ଭାଷାରେ ତାଲିମ୍ ଦିଆଯାଇଥାଏ । ଦଶମାସର ଗହନ ପାଠ୍ୟକ୍ରମ ଭିତରେ ପ୍ରାୟ ଆଠବର୍ଷର ପାଠ୍ୟ ଦେବାପରେ ସେମାନେ ପ୍ରାଥମିକ ଚାରିବର୍ଷ ଭାଷା ଶିଖାଇବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଥାନ୍ତି । ଏହି ଶିକ୍ଷଣର ଏକ ସୁଫଳରୂପେ ବିଭିନ୍ନ ଭାଷାରେ ବର୍ତ୍ତମାନ ଅନୁବାଦମାନ ପ୍ରକାଶ ପାଇବା ଆରମ୍ଭ ହେଲାଣି । ଶ୍ରୀମାନ୍ ପ୍ରସନ୍ନ ଏ ଦିଗରେ ସାହସିକ ପଦକ୍ଷେପ ନେଇଥିବାରୁ ଆମର ଧନ୍ୟବାଦର ପାତ୍ର ।

ତାଙ୍କର ଅନୁବାଦ ଉତ୍ତରୋତ୍ତର ସମୃଦ୍ଧ ହେଉ ଓ ଓଡ଼ିଆ ପାଠକଙ୍କର ଆଦର ଲାଭକରୁ, ଏହାହିଁ କାମନା ।

ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ

ଡିରେକ୍ଟର, ଭାରତୀୟ ଭାଷା ସଂସ୍ଥାନ,

ମହୀଶୂର

Image

 

ପଦେ ପ୍ରତିକ୍ରିୟା

 

‘ବାନ୍ଧବୀ’ଙ୍କ ଆତ୍ମପ୍ରକାଶ ବହୁଆଗରୁ ହେଇଥାନ୍ତା; କିନ୍ତୁ ସେ ଆତ୍ମପ୍ରକାଶ କରୁ କରୁ ଆତ୍ମଗୋପନ କରିଗଲେ । ମୁଁ ଜାଣେ ସେ ଅଭିମାନିନୀ, ତେବେ ଅଭିମାନ ୟା’ର କାରଣ ନଥିଲା-। ମୁଁ ଜାଣେ ସେ ସରମୀ, ହେଲେ ସରମ ୟା’ର କାରଣ ନଥିଲା । କାରଣ ଆଉ କିଛି—ଯାହାକୁ ଖୋଲି କୁହାଯାଇପାରେନା । ବାନ୍ଧବୀ ଅଭିମାନ କରନ୍ତୁ କିମ୍ବା ସରମ କରନ୍ତୁ, ନୋହିଲେ ଅଭିମାନ ଆଉ ସରମରେ ଆତ୍ମଗୋପନ କରନ୍ତୁ—ସେ ଯେ ବାନ୍ଧବୀ, ଏହା ସ୍ୱୀକାର୍ଯ୍ୟ । ଅତଏବ ତାଙ୍କପାଇଁ ଏଇ ଦୀର୍ଘ ପ୍ରତୀକ୍ଷା ମୋତେ ନିରାଶ କରିନି; ବରଂ ଦେଇଚି ଅପାର ଆନନ୍ଦ । ସେ ଯେଉଁ ଭଙ୍ଗୀରେ ନତୁବା ଯେତେ ବିଳମ୍ବରେ ଆବିର୍ଭାବ ହୁଅନ୍ତୁନା କାହିଁକି, ସେଥିରେ ହିଁ ମୋର ପରିତୃପ୍ତି; ସେଥିରେ ହିଁ ମୋର ଗର୍ବ, ଗୌରବ । ବାନ୍ଧବୀଙ୍କ ହୃଦୟକୁ ମୁଁ ଖୋଲି ଦେଖିଚି । ତାହା ଦରଦଭରା–ଅଥଚ ମହାନ୍ ତାଙ୍କ ହୃଦତଳର ଅଲିଭା ଦରଦପାଇଁ ମୁଁ ଅନୁତାପ କରେ; କଳ୍ପନାତୀତ ମହନୀୟତା ପାଇଁ ଆକାଶଛୁଆଁ ପ୍ରଶଂସା କରେ । ମଦ୍ୟପ ମଦ୍ୟପାନ କରି ନିଜ ଦୁଃଖକୁ ଭୁଲିଥାଏ, ମାନସିକ ଗ୍ଳାନିକୁ ପାସୋରିଥାଏ ସତ; କିନ୍ତୁ ତା’ର ସଂଜ୍ଞାହୀନତା ଯୋଗୁଁ ସମାଜରୂପୀ ପରିବାରର ଅନ୍ୟାନ୍ୟଙ୍କ ପାଇଁ ସମସ୍ୟା ହୋଇଉଠେ ସେ । ଅନ୍ୟମାନଙ୍କୁ କଷ୍ଟଦେଇ ଦୁଃଖଯନ୍ତ୍ରଣାକୁ ଏପରି ସାମୟିକ ଭୁଲିବାରେ କି ପ୍ରୟୋଜନ ? ବରଂ ନିଜକୁ ନିଷ୍ପେଷିତ କରି, ନିଜ ଆଶା ଆକାଙ୍‌କ୍ଷାକୁ ଚୂର୍ଣ୍ଣବିଚୂର୍ଣ୍ଣ କରି, ରୁଚିଅରୁଚିକୁ ଅନ୍ତରରେ ଦବେଇ ରଖି ଅନ୍ୟର ମନରେ ଶାନ୍ତି ଦେବା ଶ୍ରେୟସ୍କର । ‘ବାନ୍ଧବୀ’ ଏଇ ପର୍ଯ୍ୟାୟଭୁକ୍ତ । ସେଥିପାଇଁ ତାଙ୍କପ୍ରତି ମୋ ଆସକ୍ତି ବେଶି, ଆକର୍ଷଣ ବେଶି । ଆଉ, ସମ୍ମାନ ବି କିଛି କମ୍ ନୁହେଁ । ତାଙ୍କର ଏଇ ଗୁଣରେ ସମସ୍ତଙ୍କୁ ସେ ଆସକ୍ତ କରନ୍ତୁ, ଆକର୍ଷଣ କରନ୍ତୁ । ତାଙ୍କର ଏଇ ଅଭିମାନ–ଦରଦ–ଗାମ୍ଭୀର୍ଯ୍ୟ ଭରା ହୃଦୟକୁ କେହି ଭୁଲ୍ ନ ବୁଝନ୍ତୁ ।

 

ସୁଦୂର ତାମିଲନାଡୁରୁ ଓଡ଼ିଶାରେ ଆଣି ତାଙ୍କୁ ଥୋଇବାକୁ ଅନୁମତି ଦେଇଚନ୍ତି ଶ୍ରୀ ଅକିଲନ୍ । ତାଙ୍କଠାରେ ମୁଁ କୃତଜ୍ଞ । ବନ୍ଧୁ ଶିବରାମବାବୁ, ସତ୍ୟମହାପାତ୍ରେ ଯେଉଁଭଳି ଉତ୍ସାହିତ କରିଚନ୍ତି କେବେହେଁ ଭୁଲିବାର ନୁହେଁ । ଯେଉଁ ପ୍ରକାଶକ ବନ୍ଧୁ ଅଭିରାମବାବୁଙ୍କ ପ୍ରଚେଷ୍ଟାରେ ଆଜି ‘ବାନ୍ଧବୀ’ଙ୍କ ଆତ୍ମଗୋପନ ପର୍ବରେ ପୂର୍ଣ୍ଣଛେଦ ପଡ଼ିଚି ଏବଂ ପ୍ରିୟ ପାଠକ ବନ୍ଧୁଙ୍କ ସମ୍ମୁଖରେ ସେ ଉଭା ହେବାପାଇଁ ସମର୍ଥ ହେଇଚନ୍ତି, ତାଙ୍କୁ ଜଣାଉଚି ମୋର ହାର୍ଦ୍ଦିକ ନନ୍‌ରି (ତାମିଲ୍‌ଭାଷାରେ ଧନ୍ୟବାଦ) । ‘ବାନ୍ଧବୀ’ଙ୍କ ପାଣ୍ଡୁଲିପିରୂପ ପ୍ରତିମୂର୍ତ୍ତି ଗଢ଼ିବାରେ ଯଥେଷ୍ଟ ସାହାଯ୍ୟ କରିଚି କୁନା—ମୋର ଅନୁଜ । ତାକୁ ଧନ୍ୟବାଦ ଜଣେଇବା ସମୀଚୀନ ହେବନି, ସୁତରାଂ ଆନ୍ତରିକ ମମତା ପ୍ରଦାନ କରୁଚି ।

 

ପ୍ରସନ୍ନ କୁମାର ରଥ

Image

 

ବଡ଼ିସକାଳରୁ ହିଁ ଲେଖାଲେଖି କରିବା ମୋ ଅଭ୍ୟାସ । ପ୍ରେସ୍‌ରେ ମୋ ନିଜ କୋଠରିରେ ସକାଳ ପାଞ୍ଚଟାରୁ ବସି ‘ସ୍ଵର୍ଣ୍ଣପଦ୍ମ’ର ଆଗାମୀ ସଂଖ୍ୟାପାଇଁ ଲେଖୁଥିଲି । ଗପଟିର ଅଧାରୁ ବେଶି ଲେଖା ସରିଥିଲା । ଲେଖିଲାବେଳେ ଯଦି କିଛି ବାଧାବିଘ୍ନ ନ ଉପୁଜେ, ତେବେ ନଅଟା ବାଜିବା ପୂର୍ବରୁ ଗପଲେଖା ସମ୍ପୁର୍ଣ୍ଣ ହେବବୋଲି ଭାବିଥିଲି । ଦଶଟା ବା ଏଗାରଟା ବାଜିବା ପରେ ପ୍ରେସ୍‌ର ଦୈନନ୍ଦିନ କାମ ଆରମ୍ଭ ହୁଏ । ମୁଖ୍ୟ କାମଗୁଡ଼ିକ ହେଲା ଡାକ ଦେଖିବା, ଆସିଥିବା ଗଳ୍ପଗୁଡ଼ିକୁ ପଢ଼ିବା ଏବଂ ସାକ୍ଷାତ କରିବା ନିମନ୍ତେ ଆସିଥିବା ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରିବା; ମଝିରେ ମଝିରେ ମୁଦ୍ରଣକାର୍ଯ୍ୟ ଠିକ୍ ଚାଲିଛି କି ନା ଦେଖିବା, ମୁଦ୍ରଣ ସଂକ୍ରାନ୍ତୀୟ ଭୁଲଭ୍ରାନ୍ତି ସଂଶୋଧନ କରିବା ଇତ୍ୟାଦି ।

 

ବିଛଣାରୁ ଉଠିବାକ୍ଷଣି ପ୍ରଥମ କଫିପିଆ ସରିଥିଲା । ବର୍ତ୍ତମାନ ସମୟ ସାଢ଼େନଅ । ନିକଟସ୍ଥ ହୋଟେଲରୁ ଆଉ କପେ କଫି ଆଣିବାପାଇଁ ଜାନକୀରାମ ଯାଇଛି । ପ୍ରେସ୍‌ଟା ମୋ’ପାଇଁ ଏବଂ ତା’ପାଇଁ ଘର ଓ ଅଫିସ ଉଭୟ । ମୁଁ ପତ୍ରିକାର ସମ୍ପାଦକ; ସେ ଅଫିସ ପିଅନ୍ । ସେ ଚାକିରି କରିବାର ବେଶିଦିନ ହେଇନଥାଏ ।

 

କିଏ ଜଣେ ଆସ୍ତେ ଆସ୍ତେ କବାଟରେ ବାଡ଼େଇବା ଶବ୍‌ଦ ଶୁଭିଲା । ଜାନକୀରାମ କେବେଠୁଁ ଏଭଳି ଭଦ୍ରାମି ଶିଖିଲାଣି ଭାବି ଆଶ୍ଚର୍ଯ୍ୟହେଲି । ମୁଁ ଗପଲେଖାରେ ମନଧ୍ୟାନ ଦେଇଥିଲି ବୋଲି ଭିତରକୁ ଆସ ବୋଲି ହଠାତ୍ ତାକୁ କହିପାରିନଥିଲି ।

 

“କବାଟରେ ଖଟ୍ ଖଟ୍ ଆହୁରି ବଢ଼ିଲା । କହିଲି—‘‘ଜାନକୀ, ଭିତରକୁ ଆ ।”

 

ଶବ୍‌ଦ ବନ୍ଦହେଲା । କିନ୍ତୁ ଜାନକୀ ଟୋକାଟା ଭିତରକୁ ଆସିଲାନାହିଁ ।

“କିରେ, ଏ କ’ଣ ରେ ! ଥାଉ ଥାଉ, ସାହେବୀ କାଇଦାରେ ଭଦ୍ରତା ଦେଖାଇବା ଆମର ଦରକାର ନାହିଁ । ଭିତରକୁ ଆ’’—ମୁଁ କହିଲି ।

ସେ ଭିତରକୁ ଆସିଲାନାହିଁ । ତା’ ସ୍ୱର ପରିବର୍ତ୍ତେ ଗୋଟିଏ ଝିଅର ସ୍ୱର ଶୁଭିଲା ।

“ଜାନକୀ ! ...ହଉ ! ଆଚ୍ଛା ! ଠିକ୍ ଅଛି !”

ବିସ୍ମିତ ହେଲି । ଝିଅଟି ଅସ୍ଵାଭାବିକ ସ୍ଵରରେ କଥା କହିଥିଲା । ତେଣୁ ସେ କିଏ ମୁଁ ଜାଣି ପାରିନଥିଲି । ଟିକିଏ ରହି ପଚାରିଲି—“କିଏ କି ସେ ?”

“ମୁଁ...”

“ମୁଁ ମାନେ ?”

“ମୁଁ ଆପଣଙ୍କ ଜାନକୀ ନୁହେଁ, ଆଉ ଜଣେ ଝିଅ ।”

‘ଆପଣଙ୍କ’ ପଦଟି ଉଚ୍ଚାରଣ କରିଥିଲା ଟିକିଏ ଜୋର୍‍ ଦେଇ । ବର୍ତ୍ତମାନ ସ୍ୱରରୁ ଜାଣିପାରିଲେ ସେ କିଏ ହେଇଥିବେ ।

କହିଲି—‘‘ଓଃ ଆପଣ, ଆସନ୍ତୁ ।”

“ମୁଁ ଭିତରକୁ ଆସିପାରେ ? ଆପଣଙ୍କର କିଛି...”

ପୂରା ନକହି କବାଟ ଖୋଲି ଭିତରକୁ ଆସିଲା । ତା ଚାହାଣିରେ ଥିଲା ସନ୍ଦେହର ଚିହ୍ନ-। ସେ ତାହା ଲୁଚେଇପାରିନଥିଲା ।

“ଆପଣଙ୍କ ଆସିବାଦ୍ୱାରା ମୋର କିଛି ଅସୁବିଧା ହୋଇନାହିଁ । ଗପ ଲେଖୁଥିଲି ବୋଲି ଆପଣ ବୋଧେ ଏମିତି କହିଲେ ?”

“ଗପଲେଖାରେ ଅସୁବିଧା ହେଲେ କିଛି ଯାଏଆସେ ନାହିଁ । କିନ୍ତୁ...”

“କିନ୍ତୁ କଣ ?”

“ଆପଣ ଆଉ କାହାକୁ ଅପେକ୍ଷା କରିଥିଲାବେଳେ ମୁଁ ଆସି ଏଠି...ମୁଁ ଏବେ ଯାଇ ପରେ ଯଦି ଆସେ ?”

ତା’ର ଚିନ୍ତାଧାରା ସହିତ ମୁଁ ଟିକିଏ ଖେଳିବାକୁ ଇଚ୍ଛାକଲି । କହିଲି—‘‘ଓ, ଜାନକୀ ବିଷୟରେ କହୁଛନ୍ତି ତ ? ତା’ ଆସିବା ସମୟ ହେଲାଣି ।”

“କିଏ ସେହି ଜାନକୀ ? ...ହଁ, ମୋର ଏହା ପଚାରିବାରେ ବା କି ଆବଶ୍ୟକତା ଅଛି ! କେତେ ଯେ ଆପଣଙ୍କର ଫେନସ (fans) ଥିବେ ।”

ମୁଁ ହସିଲି । ତା’ ମୁହଁକୁ ଭଲକରି ଲକ୍ଷ୍ୟକଲି । ମୁହଁ ଶୁଖିଯାଇଥିଲା । ମନ ଭିତରର ଆବେଗକୁ ସେ ଢାଙ୍କିବାକୁ ଶିଖିନଥିଲା । ମୋ ହସ ଶୁଣି ସେ ଖୁବ୍ ରାଗିଗଲା ବୋଧହୁଏ ।

“ଆଚ୍ଛା, ତାହାହେଲେ ମୁଁ ଯାଏ; ପରେ ଆସିବି...” କହି, ମୋ’ଠାରୁ ଉତ୍ତର ପାଇଁ ଅପେକ୍ଷା ନ କରି ତମତମ ହୋଇ ଚାଲିଗଲା । କବାଟକୁ ଫଟ୍‌କିନା ଜୋର୍‌ରେ ଠେଲି ବାହାରକୁ ଯିବାବେଳେ କପ୍ ତଳେପଡ଼ିବା ଶବ୍‌ଦ ଶୁଭିଲା । ମୁଁ ଚଉକିରୁ ଉଠି ଆସ୍ତେ ସେ ଆଡ଼କୁ ଗଲି । ଜାନକୀ କିଛି ନବୁଝି ବଲବଲ ଚାହୁଁଥାଏ । କଫି ତଳେ ପଡ଼ି ଚାରିଆଡ଼େ ଖେଳେଇ ହୋଇଯାଇଥିଲା ।

 

“ପରବାୟ ନାହିଁ ଜାନକୀ, ଆଉ ଥରେ ଯା,—ଦୁଇକପ୍ କଫି ନେଇଆସିବୁ ।” କହିଲି । ସେ ଦୌଡ଼ି ଦୌଡ଼ି ଚାଲିଗଲା । ଏଣେ କାନ୍ତାର ମୁହଁ ନାଲିପଡ଼ିଗଲା—ସରମରେ କି ଆନନ୍ଦରେ ଜାଣିପାରିଲି ନାହିଁ ।

 

“ଜାନକୀ କିଏ ଜାଣିପାରିଲେ ତ କାନ୍ତା ଦେବୀ ! ଅଫିସ ପିଅନ୍ ।” —କହିଲି ।

 

“ଏହି ଲେଖକମାନେହିଁ ଏମିତି—ଭାରି ଚଗଲା ।”

 

“ଏଇ ଝିଅମାନେ ମଧ୍ୟ ଏମିତି, ସବୁବେଳେ ସନ୍ଦେହୀ ।”

 

କାନ୍ତା ଯେଉଁ ବେଗରେ କୋଠରି ବାହାରକୁ ଚାଲିଯାଇଥିଲା ସେତିକି ବେଗରେ ଫେରିଆସି ସାମନାରେ ଥିବା ଚୌକିରେ ଲଥ୍‌କିନା ବସିପଡ଼ିଲା । ଅଧାଲେଖା ସେହି ଗପ ଉଭୟଙ୍କ ମଧ୍ୟରେ ରହିଥାଏ ।

 

“ଆଚ୍ଛା ସାର୍, କି ଗପ ଲେଖୁଥିଲେ ? ଗପଟିର ନାଁ କ’ଣ ?”

 

“ପ୍ରେମ ଗଳ୍ପ—‘ଗୋଟାଏ ଗୋଲାପ’ !”

 

“ଗୋଲାପଫୁଲ ମୋତେ ଖୁବ୍ ଭଲଲାଗେ । ସେଥିରେ ପୁଣି ଗୋଟାଏ ପତ୍ର ଲାଗିଥିବା ଗୋଟାଏ ବୋଲି ଗୋଲାପଫୁଲ ମୁଣ୍ଡରେ ପିନ୍ଧିବାକୁ ଭାରି ଭଲଲାଗେ ।”

 

ମୁଁ ସେମିତି ବସିଥାଏ ।

 

“ଆପଣଙ୍କ ଲେଖାଗୁଡ଼ିକ ମୁଁ ଖୁବ୍ ପସନ୍ଦ କରେ । କେବଳ ମୁଁ କାହିଁକି ମ—ଅନେକେ-।”

 

“ପସନ୍ଦ କରନ୍ତି ବୋଲିତ ମୁଁ ଲେଖେ !”

 

“ତା’ ମାନେ ?”

 

“କଳା ଏବଂ ସୌନ୍ଦର୍ଯ୍ୟ ଯେଉଁମାନେ ସୃଷ୍ଟି କରନ୍ତି, ସେମାନେ ଚାହାନ୍ତି ଯେ ଅନ୍ୟମାନେ ସେଥିରୁ ପାଆନ୍ତୁ ଆନନ୍ଦ । ଫୁଲମାଳ ଯିଏ ଗୁନ୍ଥେ ସେ ଏକମନ ଏକଧ୍ୟାନରେ ଗୁନ୍ଥିଥାଏ । ଝିଅମାନଙ୍କ ପାଇଁ ଯେଉଁ ଚୁଡ଼ି ତିଆରି କରାଯାଏ, ସତରେ ତା’ ଭିତରେ କେତେ ପ୍ରକାରର ରଙ୍ଗ ଢଳାଯାଇନଥାଏ । ଭଗବାନଙ୍କ ସୃଷ୍ଟିରେ ଯାହା ଯାହା ଆମେ ଦେଖୁ ସବୁ କେବଳ ସେମାନଙ୍କ ପାଇଁ, ଯେଉଁମାନେ ଉଚିତ ଭାବେ ଉପଭୋଗ କରିଜାଣନ୍ତି ।”

 

“ଆମ ସହିତ କଲେଜରେ ଜଣେ ଝିଅ ପଢ଼ୁଥିଲା । କେବଳ ତାକୁ କୁଆଡ଼େ ଆପଣଙ୍କ ଲେଖା ଭଲଲାଗେନି ।”

 

“କେବଳ ସେ କାହିଁକି, ସେମିତି ଆହୁରି ଅନେକ ଥାଇପାରନ୍ତି ।”

 

“ସେ ଇଣ୍ଟରମେଡ଼ିଏଟ୍ ପଢ଼ି ପଢ଼ା ଛାଡ଼ିଦେଲା । ଆପଣଙ୍କ ଗପଲାଗି ତା’ର ମୋର ସବୁବେଳେ ଝଗଡ଼ା ।”

 

“ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଯିଏ ଚାହେନାହିଁ କିମ୍ବା ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଅବସ୍ଥାରେ ଯିଏନାହିଁ, ତା’ପାଇଁ ମୁଁ ଗପ ଲେଖେନାହିଁ । ସାମାଜିକ ବ୍ୟାଧି ଦୂରକରିବା ପାଇଁ ଡାକ୍ତର ମୁଁ ନୁହେ । ରୋଗ ଚିକିତ୍ସା କରିବା ଡାକ୍ତର ଓ ମନର ବେଦନା କମେଇ ପାରିବା ଲେଖକ–ଏମାନେ ଭିନ୍ନ ।”

 

“ସେହି ଝିଅଟିର ନାଁ ଲଳିତା । ସବୁବେଳେ ବଡ଼ବଡ଼ କଥା କହେ । ଦେବତାମାନେ କୁଆଡ଼େ ଭୂମିରେ ପାଦ ନରଖି ଚାଲନ୍ତି, ଠିକ୍ ସେମିତି ପୃଥିବୀରେ ଯେତେସବୁ ଅସମ୍ଭବ କଥା ଅଛି, ସେ ଝିଅର ସେସବୁ ଭାରି ପ୍ରିୟ । ସେ କହେ—ସମାଜରେ ଏତେ ଦୋଷ ଦୁର୍ବଳତା ଥାଉଁ ଥାଉଁ କାହିଁକି ସବୁବେଳେ ପ୍ରେମ ବିଷୟରେ ଲେଖନ୍ତି !”

 

“ସେ ଯାହା କହିଛି ଗୋଟାଏ ଦୃଷ୍ଟିରୁ ଠିକ୍ । ଭବିଷ୍ୟତରେ ସବୁ ବିଷୟରେ ଲେଖିବା ମୋର ଉଚିତ ହେବ ।”

 

“ସେ କହିଲା ବୋଲି ଆପଣ ମାନିଯିବେ ନା କ’ଣ ?”

 

କାନ୍ତାର ମୁହଁରେ ସରସତା ନଥିଲା । ଅପ୍ରତ୍ୟାଶିତ ଭାବେ କହିଲା—‘‘ମୁଁ କିଛି ସାହାର୍ଯ୍ୟ ପାଇଁ ଆପଣଙ୍କ ନିକଟକୁ ଆସିଛି ।”

 

“କି ପ୍ରକାର ସାହାର୍ଯ୍ୟ ?”

 

“ନିଶ୍ଚୟ ଦେବେ ତ ?”

 

“ଯଦି ସମ୍ଭବ ହୁଏ ଏବଂ ଯଦି ଦେବା ଉଚିତ ମନେହୁଏ, ନିଶ୍ଚୟ ଦେବି ।”

 

“ଆମ କଲେଜରେ ଗୋଟିଏ ସାହିତ୍ୟସଭା ଅନୁଷ୍ଠିତ ହେବ—ଆପଣ ଆସିବେ ?”

 

“ନିଶ୍ଚୟ ଯିବି—କଫି ଦେବେ ତ ?”

 

ଜାନକୀରାମ ଆଣିଥିବା କଫି ତାକୁ ବଢ଼େଇଦେଲି । ମୁଁ ମଧ୍ୟ ପିଇଲି ।

 

“ଆମେ ଆପଣଙ୍କୁ କଫି ଦବୁଁ; ଗୋଟାଏ ବଡ଼ ଗୋଲାପ ଫୁଲମାଳ ପକେଇଦବୁଁ; ଖୁବ୍ ତାଳି ମାରିବୁ । କିନ୍ତୁ ଆପଣ ସଭାରେ କହିବେ ।”

 

“ସେଇଟା ହେଇପାରିବନାହିଁ ।”

 

“କାହିଁକି ?”

 

“ମୋତେ ଭାଷଣ ଦେଇ ଆସେନାହିଁ ।”

 

“ଆପଣ ନିଶ୍ଚୟ କହିବେ—ନଚେତ୍‌ ମୁଁ ଆପଣଙ୍କୁ ଛାଡ଼ିବିନି ।”

 

“ମାତ୍ର ଜଣେ ଝିଅ ସାମ୍ନାରେ ତ ମୁଁ କଥା କହିପାରୁନାହିଁ, ଆଉ ଏତେ ଝିଅଙ୍କ ସାମନାରେ କଣ ହାସ୍ୟାସ୍ପଦ ହେବାପାଇଁ ମୁହଁ ଖୋଲିବି ?”

 

କାନ୍ତା କିନ୍ତୁ ଛାଡ଼ିବାର ନୁହେଁ; ଯୁକ୍ତିକରି କହିଲା—‘‘ଚାରିପଦ କହିଲେ ଯଥେଷ୍ଟ । କଣ କହିବାକୁ ହେବ ଯଦି ଜାଣିନାହାନ୍ତି ତେବେ ମୁଁ ଆପଣଙ୍କ ପାଇଁ ଲେଖିଦଉଚି ।”

 

“ସଭାପତି କିଏ ?”

 

“ଶ୍ରୀ କେ.ସି. ନାରାୟଣସ୍ଵାମୀ ।”

 

ନାରାୟଣସ୍ଵାମୀଙ୍କ ବିଷୟରେ ଆଗରୁ କିଛି କିଛି ଜାଣିଥିଲି । ଏହି ଅଞ୍ଚଳର ସେ ଅତି ପ୍ରଭାବଶାଳୀ ବ୍ୟକ୍ତି । ଖୁବ୍ ଧନୀ, ଲୋକେ ଖୁବ୍ ସମ୍ମାନ ଦିଅନ୍ତି । ସୁନାମ ଅଛି । ଧର୍ମ ସମ୍ପର୍କରେ ଗଭୀର ଞ୍ଜାନ । ବୟସ ହୋଇଯିବାରୁ ଆଗଭଳି କୌଣସି କାର୍ଯ୍ୟକ୍ରମରେ ସେତେଟା ସକ୍ରିୟ ଅଂଶଗ୍ରହଣ ନକରି ଜୀବନର ଅବଶିଷ୍ଟ ସମୟ ଟିକିଏ ଶାନ୍ତିରେ କଟେଇବା ତାଙ୍କର ଇଚ୍ଛା ।

 

“ତାଙ୍କୁ କାହିଁକି ନିମନ୍ତ୍ରଣ କଲ ?”—ପଚାରିଲି ।

 

“ଭାରି ଧନୀ । ମସ୍ତବଡ଼ ଲାଇବ୍ରେରୀ ତାଙ୍କର ଅଛି । ସଭାପତିତ୍ଵ କରିବାପାଇଁ ନିମନ୍ତ୍ରଣ କରି ପରେ କେବେ ତାଙ୍କ ନିକଟକୁ ଗଲେ ଯଥେଷ୍ଟ ବହି ମିଳିବାର ଆଶା ରହିଛି ।”

 

“ମୋତେ କାହିଁକି ନିମନ୍ତ୍ରଣ କରୁଛ ? ମୁଁ ତ ଧନୀ କିମ୍ବା ନେତା ନୁହେଁ ।”

 

“ଆପଣ ଲେଖକ ବୋଲି ।”

 

“ମାନେ ?”

 

“ଆପଣଙ୍କୁ ଖାସ୍‌ ଦେଖିବାପାଇଁ...ଲେଖା ଯେଉଁମାନେ ପଢ଼ନ୍ତି, ଲେଖକଙ୍କୁ ବି ଦେଖିବାପାଇଁ ଇଚ୍ଛା କରିଥାନ୍ତି ।” କହି ହସିଲା ।

 

ଚିଡ଼ିଆଖାନାକୁ ଆସିଥିବା ନୂଆ ପ୍ରାଣୀ ଭଳି କିମ୍ବା ପ୍ରଦର୍ଶନୀରେ ରଖାଯାଇଥିବା କଣ୍ଢେଇ ଭଳି ମୁଁ କେବେହେଁ ଧରାପଡ଼ି ନିଜକୁ ଅସୁବିଧାରେ ପକେଇବାକୁ ଚାହେଁନା । ଅନ୍ୟପକ୍ଷରେ କାନ୍ତାର ମୁହଁ ରାଗରେ ନାଲି ପଡ଼ୁ—ଏହା ମଧ୍ୟ ମୁଁ ଚାହୁଁନଥିଲି । ସେ ଗୋଟାଏ ଝିଅ—କଲେଜ ଝିଅ—ସେଥିରେ ପୁଣି ପ୍ରେସ୍‌ ମାଲିକଙ୍କ ଝିଅ । ମୁଁ ସମ୍ମତି ଜଣେଇଲି ।

 

“ଆଉ ମାତ୍ର ଗୋଟାଏ......” କହି ସେ ରହିଗଲା ।

 

“ସାହାଯ୍ୟ ? ଅନୁରୋଧ ? ନା, ଉପଦେଶ ?” —ପଚାରିଲି ।

 

“ଗୋଟାଏ ଆଦେଶ; ବଡ଼ ଆଦେଶ ।”

 

“ପ୍ରେସ ମାଲିକଙ୍କ ଝିଅନା ! ଆପଣଙ୍କ ଘର ବିରାଡ଼ିଛୁଆର ମଧ୍ୟ ଆଦେଶ ଦେବା ଅଧିକାର ଅଛି ।”

 

“ଦରକାର ନାହିଁ...ମୁଁ ଆପଣଙ୍କୁ କିଛି କହିବିନି ।” —କହି ମୁହଁଟାକୁ ଲମ୍ବେଇଦେଇ ଉଠିପଡ଼ିଲା ।

 

“ବସନ୍ତୁ କାନ୍ତା ଦେବୀ ! ଆପଣଙ୍କ ଆଦେଶରେ ପରେ ହୁଏତ ଖୋଜି ଖୋଜି ଆପଣଙ୍କ ଘରକୁ ଯିବାକୁ ପଡ଼ିପାରେ ।”

 

“ମୋତେ ‘ଆପଣ’ ବୋଲି ସଂବୋଧନ କରିବେନି ।”

 

“ଆଉ କ’ଣ ବୋଲି ମା’ ସମ୍ବୋଧନ କରନ୍ତି ?”

 

“ମୁଁ କ’ଣ ଆପଣଙ୍କ ମା’ ?”

 

“ଆଚ୍ଛା ‘ତୁ’ ବୋଲି ସମ୍ବୋଧନ କରିପାରିବ ତ ? ତାହାହେଲେ ମୋତେ ମଧ୍ୟ ତୁ ସାର୍ ବୋଲି ସମ୍ବୋଧନ କରିବୁନି ।”

 

“ହେ ଲେଖକ ମହାଶୟ’ ବୋଲି କହିବି ?”

 

“ମୁଁ ମଧ୍ୟ ତୋତେ ‘ଗୋ କାନ୍ତା ଦେବୀ’ ଯଦି କୁହେଁ...”

 

“ବଡ଼ଭାଇ ବୋଲିତ ବେଶ୍ ସହଜରେ ଡାକିପାରନ୍ତୁ ।”

 

ସେ ଏହା ମୋଟେ ଆଶା କରିନଥିଲା । ସେ ଟିକିଏ ବିଚଳିତ ହେବା ଲକ୍ଷ୍ୟକଲି । ତାହା କିନ୍ତୁ ଲୁଚେଇବାର ଅପଚେଷ୍ଟା କରି ସେ ହସିଲା । କହିଲା—“ଉତ୍ତରଭାରତୀୟ ଭାଷାର ଗଳ୍ପଗୁଡ଼ାକରେ ପ୍ରଥମେ ପ୍ରଥମେ ଝିଅମାନେ ପୁଅମାନଙ୍କୁ ଏପରି ସମ୍ବୋଧନ କରିଥାନ୍ତି ।”

 

“ଦକ୍ଷିଣଭାରତରେ ମଧ୍ୟ ଏହି ସତ୍ ପ୍ରଥା ଯଦି ପ୍ରଚଳିତ ହୁଅନ୍ତା ?” —ପଚାରିଲି ।

 

କିନ୍ତୁ ବଡ଼ଭାଇ ବୋଲି ଯାହାକୁ ଡାକନ୍ତି, ପରବର୍ତ୍ତୀ କାଳରେ ତାକୁ ହିଁ ସ୍ଵାମୀ ରୂପେ ବରଣ କରିଥାନ୍ତି ।”

 

ମୁଁ ଏକବାରକେ ମୌନବ୍ରତ ଅବଲମ୍ବନ କରି ବସିଥାଏ । ସେ ମୋତେ ଥରୁଟିଏ ଚାହିଁଦେଇ ମୁଣ୍ଡ ପୋତିଦେଇ ବସିଲା । ସେତିକିବେଳେ ତା’ର ହାତ ଦୁଇଟା ରହିଥାଏ ବେକରୁ ଲମ୍ବିଥିବା ସୁନାଚେନ୍‌ର ଲକେଟ୍ ଉପରେ । ପରମୁହୂର୍ତ୍ତରେ ଚେନ୍‌ଟିକୁ ବେକର ପଛକୁ ଫିଙ୍ଗିଦେଲା-। ପରେ ଦୁଇଟା କଳା କଳା ବେଣୀରୁ ଗୋଟାକୁ ଖୋଲିଲା; ପୁଣି ପକେଇଲା ।

 

“ମୁଁ ତେବେ ଆସେଁ ।” —ଖୁବ୍ କ୍ଷୀଣ ସ୍ଵରରେ କହିଲା ।

 

“ହଁ ।”

 

“ଆପଣଙ୍କ ଗପଲେଖାରେ ବାଧାଦେଲି—କ୍ଷମା କରିବେ ।”

 

ଦରଜା ପାଖକୁ ଯାଇ ହାତ ଉଠାଇ ନମସ୍କାର କଲା । ମୋ ମୁହଁରୁ ସେ କିଛି ଖୋଜିବାକୁ ଚେଷ୍ଟା କରୁଥିଲା ବୋଧହୁଏ । ସତେ ଯେମିତି ସେ ଜାଣେନା କ’ଣଟା ସେ ଖୋଜିବାକୁ ଚେଷ୍ଟାକରୁଛି । କ୍ଷିପ୍ରଗତିରେ ବାହାରକୁ ଚାଲିଗଲା ।

 

କାନ୍ତା ମୋ ପ୍ରେସ୍‌ମାଲିକଙ୍କ ସୁନାନାକୀ ଗେହ୍ଲାଝିଅ । ବୟସ ତୁଳନାରେ ଶରୀର ଟିକିଏ ପୃଥୁଳ । ସେଇଥିପାଇଁ ସେ ଦେଖଯାଉଥାଏ ସୁନ୍ଦର । ନଈହୁଡ଼ାରେ ବଢ଼ିଥିବା ହୃଷ୍ଟପୃଷ୍ଟ ଗଛଭଳି ତା’ର ମାଂସଳ ସ୍ଵାସ୍ଥ୍ୟ । ଅମାପ ଧନସମ୍ପତ୍ତି ତଥା ବାଲ୍ୟକାଳରୁ ବଢ଼ି ଆସିଥିବା ସମ୍ଭ୍ରାନ୍ତ ପରିବେଷ୍ଟନୀ ତାକୁ ଶିଖେଇପାରିଥିଲା—ସୌଖୀନ୍‌ କ’ଣ, ସୋନ୍ଦର୍ଯ୍ୟ କ’ଣ, ଆଉ କଳା କ’ଣ । ଅନ୍ୟମାନଙ୍କ ଦୃଷ୍ଟି ଆକୃଷ୍ଟ ହେବା ଠାଣିରେ ନିଜ ଚେହେରା ବାଗେଇବାକୁ ଦିନକପାଇଁ ମଧ୍ୟ ସେ ଭୁଲେନାହିଁ ।

 

ତା’ପାଇଁ ଦୀର୍ଘନିଶ୍ଵାସ ଛାଡ଼ି ଗପଲେଖା ଆରମ୍ଭକଲି ।

 

ପାଞ୍ଚମିନିଟ୍‍ କହିବି ବୋଲି ସିନା ସ୍ୱୀକୃତି ଦେଲି; ହେଲେ ଯେଉଁ ସଂକଟମୟ ପରିସ୍ଥିତି ଦେଇ ଗତିକଲି, ତାହା ମୁଁ ଜାଣେ ଏବଂ ଭଗବାନ ଜାଣନ୍ତି । କ’ଣ କହିବି ତାହା ପରିକଳ୍ପନା କରିବାକୁ ପାଞ୍ଚଘଣ୍ଟା ଲାଗିଲା । ପାଞ୍ଚଖଣ୍ଡ ବହି ଓଲଟାଇଲି । ପାଞ୍ଚପୃଷ୍ଠା-ସମ୍ବଳିତ ଟିପ୍‍ପଣୀ ଲେଖିଲି । ପାଞ୍ଚଥର କଫି ପିଇଲି—ଠିକ୍‍ ପାଞ୍ଚଟାରେ ସଭାକୁ ଗଲି ।

 

ଗହଳି ବେଶ୍‍ ଜମିଥିଲା । ପୁଷ୍ପ ପ୍ରଦର୍ଶନୀରେ ପର୍ବତାକାରରେ ଥିବା କୁଢ଼ କୁଢ଼ ରଙ୍ଗବେରଙ୍ଗର ବିଭିନ୍ନ ଫୁଲ ଭଳି ଝିଅପିଲାମାନେ ବସିଥାଆନ୍ତି ଚିତ୍ତାକର୍ଷଣ କରୁଥିବା ବିଭିନ୍ନ ରଙ୍ଗର ପୋଷାକ-ପରିଚ୍ଛଦ ପିନ୍ଧି । ନନ୍ଦନକାନନର ସୁଗନ୍ଧ ସେଠି ଅନୁଭୂତ ହେଉଥିଲା ।

 

ସକାଳର ମୃଦୁମନ୍ଦ ପବନରେ ଖେଳି ହସୁଥିବା ଫୁଲସବୁ ମଉଳିପଡ଼ିଥିଲେ ସୁଦ୍ଧା ସେମାନଙ୍କ ମୁଣ୍ଡରେ ରହି ଶୋଭାବର୍ଦ୍ଧନ କରୁଥିଲା ।

 

ସେହି ସଭାର ପରିଚାଳନା ଦାୟିତ୍ଵରେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା ଭଳି କାନ୍ତା ବାରମ୍ବାର ଏପଟ ସେପଟ ଯିବା–ଆସିବା କରୁଥାଏ । ନିମନ୍ତ୍ରିତ ଅତିଥିଙ୍କ ନିକଟକୁ ଯାଇ ଖୁବ୍ ଭଦ୍ରତା ତଥା ନମ୍ରତାର ସହିତ କଥାବାର୍ତ୍ତା କରୁଥାଏ । ବେଳେବେଳେ ମୋ ଆଡ଼େ ଦୃଷ୍ଟିନିକ୍ଷେପ କରି ହସିଦଉଥାଏ । ଥରେ ମୋ ନିକଟକୁ ଆସି, ‘‘ଭାଷଣ ଦେଲାବେଳେ ଆପଣ କ’ଣ ପିଇବେ–ସୋଡ଼ା ? କଫି ? ପାଣି ?” ବୋଲି ପଚାରିଥିଲା ।

 

“ଏଠି ମଧ୍ୟ ଥଟ୍ଟା ପରିହାସ ?” —କହିଲି ।

 

ପରମୁହୁର୍ତ୍ତରେ ଦେଖିଲି କାନ୍ତା ହାତରେ ଥିଲା ପୁରା ଏକ ପ୍ଲେଟ୍ ଚକୋଲେଟ୍, ଅନ୍ୟ ଜଣେ ଝିଅ ସେଗୁଡ଼ାକ ବାଣ୍ଟୁଥିଲା । ତା’ଠାରୁ କାନ୍ତା ଚଟପଟ୍ ଛଡ଼େଇଆଣି ନିଜେ ବାଣ୍ଟିବାରେ ଲାଗିଲା । ମୁଁ ପାଇଲି ଦୁଇଟା । ମୋତେ ଚକୋଲେଟ୍ ଭଲ ଲାଗେନାହିଁ । ଝିଅମାନେ କିନ୍ତୁ, ସେମାନଙ୍କୁ ଯାହା ଭଲଲାଗେ ତାହା ଅନ୍ୟର ନାଁରେ ଆଣି ନିଜେ ବ୍ୟବହାର କରନ୍ତି—ଏହା ଯେ ଏକ ସତକଥା, ବେଶ୍ ପ୍ରମାଣିତ ହେଲା ।

 

ସଭାପତିତ୍ଵ କରିବା ନିମନ୍ତେ ଆସିଥିବା ନାରାୟଣସ୍ଵାମୀଙ୍କ ବୟସ ଷାଠିଏରୁ କିଛି ବେଶି ହେବ । ଦେହର ରଙ୍ଗ ଈଷତ୍‌ ଗହମୀ । ମଧ୍ୟମ ଧରଣର ସ୍ୱାସ୍ଥ୍ୟ । ଉଚ୍ଚତା ମଧ୍ୟ ସେମିତି । ମୁହଁରେ ଥିଲା ସୁନାଫ୍ରେମ୍‍ଦିଆ ଚଷମା । ଇସ୍ତ୍ରୀକରା ଧଳାପୋଷାକ ପିନ୍ଧିଥିଲେ । ହସ ହସ ମୁହଁରେ ଆସି ମୋ ପାଖରେ ବସିଲେ । ଯୁବକଙ୍କ ଭଳି ଖୁବ୍ ଉତ୍ସାହର ସହିତ କଥାବାର୍ତ୍ତା କଲେ । ଷାଠିଏବର୍ଷ ବୟସ ଅତିକ୍ରମ କରିପାରିଥିବା ତାଙ୍କରି ଭଳି ଜଣେ ବୃଦ୍ଧ ଯେ ମୋ ମନକୁ ସୁହାଇଲା ଭଳି ହାସ୍ୟରସପୂର୍ଣ୍ଣ କିଛି ଉପୋଭୋଗ୍ୟ କଥା କହିବେ—ଏଇଟା ମୋ କଳ୍ପନାର ବାହାରେ ଥିଲା ।

 

ବୟସ୍କ ଲୋକଙ୍କ ସଂପର୍କରେ ଆସି ଦୁଇ ପ୍ରକାରର ଅନୁଭୂତି ମୁଁ ପାଇସାରିଥାଏ । କେତେକ ମୋ ଗପଗୁଡ଼ିକୁ ମୋଟେ ନ ପଢ଼ି ସୀମା ଟପି ମୋର ଅଯଥା ପ୍ରଶଂସା କରିଥାନ୍ତି, ପୁଣି ଆଉ କେତେକ ମୋ ଗପରୁ ଗୋଟାଏ ବି ବାଦ୍‌ ନଦେଇ ସବୁ ପଢ଼ନ୍ତି—ଉପଭୋଗ କରନ୍ତି—ପ୍ରଶଂସା କରନ୍ତି; କିନ୍ତୁ ମୋ ସାମନାରେ ସିଧାସଳଖ ମୋର ପ୍ରଶଂସା କରିବା ସେମାନେ ଚାହାଁନ୍ତିନାହିଁ । କାରଣ ସେମାନେ ଭାବନ୍ତି ଯେ ସେମାନଙ୍କ ପାହ୍ୟା ଓ ବୟସ ଦୃଷ୍ଟିରୁ ଏହା କରଣୀୟ ନୁହେଁ । ଏହି ନାରାୟଣସ୍ଵାମୀ କିନ୍ତୁ ସେମାନଙ୍କଠାରୁ ସଂପୂର୍ଣ୍ଣ ସ୍ଵତନ୍ତ୍ର । ଗପଗୁଡ଼ିକର ନାମ, ବିଭିନ୍ନ ଚରିତ୍ର, ବିଷୟବସ୍ତ୍ର ଓ ଘଟଣାବଳୀ ପ୍ରଭୃତି ଉପରେ ଖୁବ୍ ବିନମ୍ରତାର ସହିତ ନିଜର ମନ୍ତବ୍ୟ ବ୍ୟକ୍ତକରନ୍ତି । ଯେକୌଣସି ଲେଖା ହେଉନା କାହିଁକି, ତା’ର ଅସଲ ରୂପ ଏତାଦୃଶ ମନ୍ତବ୍ୟରେ ଲୁକ୍‌କାୟିତ ରହିଥାଏ । ସେଥିରୁ ଲେଖକ ପାଏ ଅପାର ଆନନ୍ଦ ।

 

ସଭା ଆରମ୍ଭ ହେଲା । ଆଗରୁ ତ ବହୁତଥର ଅଭ୍ୟାସ କରିଥିଲି । ଯାହାସବୁ ପ୍ରସ୍ତୁତ ହୋଇଥିଲି ପାଞ୍ଚମିନିଟ୍‌ ଭିତରେ ସବୁ କହିପକେଇ ଆସନ ଗ୍ରହଣକଲି । ନାରାୟଣସ୍ଵାମୀ ଅଧଘଣ୍ଟାକାଳ ସୁନ୍ଦର ଭାଷଣ ଦେଇଥିଲେ । ସ୍ପଷ୍ଟ ଉଚ୍ଚାରଣ କରୁଥାଆନ୍ତି; ମଝିରେ ମଝିରେ ଶ୍ଳୋକ ମଧ୍ୟ ବୋଲୁଥାଆନ୍ତି । ଭାରତୀୟର୍‍ଙ୍କ କବିତାରୁ କିଛିଧାଡ଼ି ଆବୃତ୍ତି କରୁଥାଆନ୍ତି । ଅଧଘଣ୍ଟା କିମିତି ଯେ ବିତିଗଲା ଜାଣିପାରିଲିନି । ମନେହେଲା ସତେ ଯେମିତି ବଗିଚାର ସବୁଜ ଗାଲିଚା ଉପରେ ବସି ମନ୍ଦମଳୟ ଉପଭୋଗ କରୁଥିଲି ।

 

ଧନ୍ୟବାଦାର୍ପଣ ପାଇଁ ଆସିଥିବା ଝିଅ ମିଛଟାରେ ପ୍ରଶଂସାକରି କହିଥିଲା ଯେ, ମୁଁ କୁଆଡ଼େ ଭଲ କହିଥିଲି । ନାରାୟଣସ୍ଵାମୀଙ୍କୁ ଦାନବୀର କର୍ଣ୍ଣଙ୍କ ସହିତ ତୁଳନା କରି କହିଥିଲା, ଏ ଦେଶରେ କର୍ଣ୍ଣଙ୍କ ପରେ ନାରାୟଣସ୍ୱାମୀ ହେଉଛନ୍ତି ଏ ଯୁଗର କେବଳ କର୍ଣ୍ଣ ଏବଂ ଏକମାତ୍ର ଦାନବୀର । ସଭା ସାଂଗହେଲା । କିଛି ସମୟ ମୁଁ ଏବଂ ସେ ଗପିଲୁ ।

 

“ଆପଣଙ୍କ ଗପସବୁ ମୋ ସ୍ତ୍ରୀ ମଧ୍ୟ ପଢ଼ି ବେଶ୍‍ ଉପଭୋଗ କରେ । ତା’ର ସମାଲୋଚନା ଏବଂ ଚିନ୍ତାଧାରା ଆଧୁନିକ ଧରଣର । ଖୁସିରେ ସମୟ ଅତିବାହିତ କରିବାକୁ ହେଲେ କବିତା ଏବଂ ଗଳ୍ପ ପ୍ରକୃତ ବନ୍ଧୁ; ନୁହେଁ ?” —କହିଲେ ।

 

“ଗଳ୍ପ ଯୋଗୁଁ ମୁଁ ଅନେକ ବନ୍ଧୁ ପାଇପାରିଛି । ଆପଣମାନଙ୍କ ଭଳି ଆଗ୍ରହୀ ପାଠକଙ୍କ ସଂସ୍ପର୍ଶରେ ଆସି ଲେଖାଲେଖି କରିବା ନିମନ୍ତେ ମୁଁ ଯଥେଷ୍ଟ ପ୍ରେରଣା ପାଏ ।”

 

“ସେ ମଧ୍ୟ ଆପଣଙ୍କୁ ଦେଖିଲେ ଭାରି ଖୁସି ହୁଅନ୍ତା ।” କହି କ୍ଷଣକପାଇଁ କିଛି ଭାବିଲେ-। ମୁଁ ମଧ୍ୟ ଭାବିଲି । ଗପବହି ପଢ଼ିବାରେ ତାମିଲ୍‌‌ନାଡ଼ୁ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀମାନଙ୍କର ବେଶି ଆଗ୍ରହ ରହିଛି । ସେମାନେ ହିଁ ପଢ଼ିବା ନିମନ୍ତେ ବେଶିସମୟ ପାଆନ୍ତି । ଆଉ ନାରାୟଣସ୍ଵାମୀଙ୍କ ସ୍ତ୍ରୀ ସେଥିରୁ ବା କିପରି ବାଦ୍ ଯାଆନ୍ତେ ? ଏମିତିକା ଜରାଜୀର୍ଣ୍ଣ ଅବସ୍ଥାରେ, ସଂସାରର ସମସ୍ତ ଜଞ୍ଜାଳଦେଇ ଗତିକରି ମଧ୍ୟ ଗପଗୁଡ଼ିକୁ ପଢ଼ି ସେଗୁଡ଼ିକର ସମାଲୋଚନା କରିବାପାଇଁ ତାଙ୍କର ଯେଉଁପ୍ରକାର ଶ୍ରଦ୍ଧା ରହିଛି, ସେଥିପାଇଁ ମୁଁ କଅଣ ଗର୍ବ କରିବା ଅନୁଚିତ ?

 

“ଆପଣଙ୍କର ବର୍ତ୍ତମାନ ଅନ୍ୟତ୍ର କିଛି କାମନାହିଁ । ସନ୍ଧ୍ୟା ସମୟ ତ—ମୋ ସହିତ ଆମ ଘରଆଡ଼େ ଯିବାପାଇଁ କିଛି ଅସୁବିଧା ହେବ କି ?”

 

“ଆଉ ଦିନେ କେବେ ଯିବି ।”

 

“କାମ୍‌ଦାମ୍ ଯଦି କିଛିନାହିଁ ବର୍ତ୍ତମାନ ଚାଲୁନାହାନ୍ତି; ଶୀଘ୍ର ଫେରିଆସିବେ । ସେଠି ବଗିଚାରେ ଥଣ୍ଡା ପବନ ବହୁଥିବ ।”

 

“ଆଚ୍ଛା, ଚାଲନ୍ତୁ ।”

 

ବୁଲି ପଛକୁ ଚାହିଁଲି । କବାଟ ନିକଟରେ କାନ୍ତା ଠିଆହୋଇଥିଲା । ଉଠି ତା ପାଖକୁ ଗଲି ।

 

“ଆସନ୍ତୁ ଯିବା; ବାହାରେ ଗାଡ଼ି ଅଛି ।” —କହିଲା ।

 

“ନାରାୟଣସ୍ଵାମୀ ତାଙ୍କ ଘରକୁ ଯିବାପାଇଁ କହୁଛନ୍ତି ।”

 

“ଆଉ ଦିନେ ସେଠାକୁ ଯିବେ । ଆପଣଙ୍କ ପାଇଁ ତ ମୁଁ ଅପେକ୍ଷା କରିଛି । ଯଦି ନିହାତି ଦରକାର, ଏଠି ଦି’ପଦ କଥାବାର୍ତ୍ତା କରି ଆସିଯାଆନ୍ତୁ ।”

 

“ନା, ତାଙ୍କ ସହିତ ଯିବାପାଇଁ କଥା ଦେଇସାରିଛି ।”

 

କାନ୍ତା ରାଗିଯାଇ, ଆଖିଡ଼ୋଳା ବୁଲେଇ ବୁଲେଇ, ତରାଟି ତରାଟି ଚାହିଁ କାର୍‌ରେ ଯାଇ ବସିଲା । ଧଡ଼‌୍‌କିନା ଦରଜା ବନ୍ଦ କରିଦେଲା ।

 

“ଝିଅଟି କିଏ ?” —ପଚାରିଲେ ନାରାୟଣସ୍ଵାମୀ ।

 

“ପ୍ରେସ୍ ମାଲିକ ରାମଲିଙ୍ଗମ୍ ବାବୁଙ୍କ ଝିଅ ।”

 

ନାରାୟଣସ୍ଵାମୀଙ୍କ ଘରର ବାହାର ଫାଟକ ଖୋଲିଥିଲା ତାଙ୍କ ବଗିଚାର ମାଳୀ । ଭିତରର କବାଟ ଖୋଲିଥିଲେ ଜଣେ ପୌଢ଼ା । ବୟସ ଚାଳିଶିରୁ ବେଶିହେବ । ଧଡ଼ିରେ ଜରି ପଡ଼ିଥିବା ପାଟଶାଢ଼ି ପିନ୍ଧିଥିଲେ । କପାଳରେ ବଡ଼ ଗୋଲ ସିନ୍ଦୁରଟୋପା । ମୁଣ୍ତରେ ମୁଣ୍ଡେ ଫୁଲ । ମୁଁ ସେଠି ଟିକିଏ ରହିଲି । ତାଙ୍କ ସହିତ ମୋତେ ନାରାୟଣସ୍ଵାମୀ ପରିଚୟ କରେଇଦେବେ ବୋଲି ଆଶା କରୁଥିଲି; କିନ୍ତୁ ସେ ଶୀଘ୍ର ଶୀଘ୍ର ଭିତରକୁ ଯିବାରୁ ମୁଁ ମଧ୍ୟ ତାଙ୍କ ପଛେପଛେ ଚାଲିଲି । ବଗିଚାଟିରେ ବିଭିନ୍ନ ପ୍ରକାରର ଫଳ, ଫୁଲ ଏବଂ ପରିବା ଗଛ ଲାଗିଥାଏ । ସବୁ ବେଶ୍ ହୃଷ୍ଟପୁଷ୍ଟ । ବାଇଗଣ, ଭେଣ୍ଡି ପ୍ରଭୃତି ପରିବା ଗଛଗୁଡ଼ିକରେ ଫୁଲ ଧରିଥାଏ । ରାସ୍ତାର ଦୁଇପାଖେ ବିଭିନ୍ନ ଜାତିର ଗୋଲାପ ଗଛ ବଗିଚାର ଶୋଭାବର୍ଦ୍ଧନ କରୁଥିଲା । ବଗିଚାର ଠିକ୍ ମଝିରେ ସିମେଣ୍ଟ ତିଆରି ବୃତ୍ତାକାର ମଣ୍ତପ । ଛାତ କିନ୍ତୁ ସାଦା ଛଣ ତିଆରି । ମଣ୍ଡପରେ ପଡ଼ିଥାଏ କେତେଟା କୁସନ୍‌ ଗଦି ଏବଂ ସାଦା ଚୌକି । ମଝିରେ ଟେବୁଲ୍‍ । ଗୋଟାଏ କରରେ ପ୍ରାୟ କୋଡ଼ିଏ ବର୍ଷ ବୟସ୍କା ଝିଅଟିଏ ବସିଥିଲା । ପଢ଼ୁଥିଲା ‘ସ୍ଵର୍ଣ୍ଣପଦ୍ମ’ ।

 

“ଇଏ ହେଉଛି ଲଳିତା । ମୁଁ ଆପଣଙ୍କୁ କହିନଥିଲି—ଗପ ପଢ଼ିବା ପାଇଁ ଏକ୍‌ବାରକେ ପାଗଳୀ । ପ୍ରଶଂସା ତଥା ସମାଲୋଚନା କରିବାରେ ଭାରି ଚତୁର ।” ତା’ପରେ ମୋ ପରିଚୟ ଦେଇ କହିଲେ—‘‘ଇଏ ହେଉଛନ୍ତି ଶ୍ରୀ ଦୁରେଇ ବାବୁ, ‘ସ୍ୱର୍ଣ୍ଣପଦ୍ମ’ ପତ୍ରିକାର ସମ୍ପାଦକ ।”

 

ସେ ଉଠିଲେ । ହାତଯୋଡ଼ି ପ୍ରଣାମ କରି ପୁଣି ବସିପଡ଼ିଲେ । ବାସ୍‌ ସେତିକି । ମୁଁ କିନ୍ତୁ ଦ୍ଵନ୍ଦ୍ଵରେ ପଡ଼ିଲି ଇଏ କଅଣ ତାଙ୍କ ସ୍ତ୍ରୀ !

 

“ଆଚ୍ଛା ଆପଣମାନେ କଥାବାର୍ତ୍ତା କରୁଥାଆନ୍ତୁ; ଦୁଇ ମିନିଟ୍‌ରେ ମୁଁ ଆସୁଛି ।” —କହି ନାରାୟଣ ସ୍ୱାମୀ ଭିତରକୁ ଗଲେ । ମୋ ମନର ଦ୍ଵନ୍ଦ୍ଵ କିନ୍ତୁ ସେମିତି ରହିଥାଏ । ଝିଅଜଣକ ତାଙ୍କର ଝିଅ—ନା, ସ୍ତ୍ରୀ !

 

“ଆପଣ ତାଙ୍କର...”

 

“ସ୍ତ୍ରୀ” ବୋଲି ଚୁମ୍ବକରେ କହିଲେ ।

 

ମୋତେ କେମିତି କେମିତି ଲାଗିଲା । ଏତେ ସୁନ୍ଦର ମନଭୁଲାଣିଆ ପବନକୁ ମୁଁ ମୋଟେ ଉପଭୋଗ କରିପାରିଲିନି । ଟେବୁଲ୍‌ ଉପରେ ବିଛେଇହେଇ ପତ୍ରିକା କେତେଟୋ ପଡ଼ିଥାଏ । ଗୋଟାଏ ବାହାରକଲି । ମୋ ଅଜାଣତରେ ବିଞ୍ଚିହେଇ ଭାବିଲି—ସତରେ କଅଣ ସ୍ତ୍ରୀ-! ଏହି ଅଳ୍ପବୟସ୍କା ଝିଅ କ’ଣ ତାଙ୍କ ସ୍ତ୍ରୀ !

 

ମୋ ଭାବନାରେ ପୂର୍ଣ୍ଣଛେଦ ପକେଇ ସେ କହିଲା—“ଆପଣଙ୍କ ଗପଗୁଡ଼ିକୁ ମୁଁ ଧାରାବାହିକ ପଢ଼ିଆସୁଛି ।”

 

“ଧନ୍ୟବାଦ ।”

 

“ଆଜି ମୁଁ ମଧ୍ୟ କଲେଜକୁ ଯିବି ଭାବିଥିଲି ।”

 

“ଆସିଲେନି କାହିଁକି ? ସଭା ବେଶ୍ ଭଲ ଜମିଥିଲା ।”

 

“ମୁଁ ସେଠି ପଢ଼ୁଥିଲି, ବର୍ତ୍ତମାନ ସୁଦ୍ଧା ମୋ ସାଙ୍ଗସାଥୀ ସେଠି ପଢ଼ୁଛନ୍ତି । ମୋତେ ଦେଖି ସେମାନେ ମୋଟେ ଛାଡ଼ନ୍ତେନି । ସେଇଥିପାଇଁ...”

 

“ସତେ ?”

 

“କାନ୍ତା ମଧ୍ୟ ମୋ ସହିତ ଇଣ୍ଟରମେଡ଼ିଏଟ୍ ପଢ଼ୁଥିଲା ।”

 

ବର୍ତ୍ତମାନ ମୁଁ ସ୍ପଷ୍ଟ ଜାଣିପାରିଲି, ମୋ ପାଖରେ ବସିଥିବା ଲଳିତା କିଏ । ଗତକାଲି ସକାଳେ କାନ୍ତା ଯେ କହିଥିଲା ଭୂମିଉପରେ ପାଦ ନରଖି ଚାଲିବା ଯେଉଁମାନଙ୍କର ଜୀବନର ଲକ୍ଷ୍ୟ, ସେମାନଙ୍କ ଭଳି ଲଳିତା ମଧ୍ୟ ଚାହେଁ ଆକାଶରେ ପୃଥିବୀର ମାଛ ସବୁ ବିଛେଇଦେଇ ଖେଳିବା—ଇଏ ସେହି ଲଳିତା ।

 

“ମୋ ଗପଗୁଡ଼ାକ ଆପଣଙ୍କୁ ଭଲଲାଗେନି ବୋଲି କାନ୍ତା ଥରେ କହୁଥିଲା ।”

 

“ଯଦି ଭଲ ନ ଲାଗନ୍ତା ପଢ଼ନ୍ତି କାହିଁକି ? ......ପ୍ରେମ ବିଷୟରେ ତ ଆପଣ ବେଶ୍ ସୁନ୍ଦର ଲେଖିପାରନ୍ତି । ଆଉ ସାଧାରଣ ଲୋକଙ୍କ ଦୁଃଖ–ଯନ୍ତ୍ରଣାକୁ ମଧ୍ୟ ମର୍ମସ୍ପର୍ଶୀ ଭାଷାରେ ଲେଖିବା ଦରକାର ।”

 

‘ତାହା ମୁଁ ଭୁଲିଯାଇନି । ତେବେ ସ୍ନେହ, ପ୍ରେମ କ’ଣ ମନୁଷ୍ୟକୁ ତା’ର ଉନ୍ନତିପଥରେ ଗତିକରିବାକୁ ଦିଏନି ?”

 

ଏତିକିବେଳେ ନାରାୟଣସ୍ୱାମୀ ଆସି ପହଞ୍ଚିଲେ ।

 

“ଅଧିକା ଉତ୍ପାଦନ ସକାଶେ ଉନ୍ନତ ଧରଣର ଚାଷ କରିବା ଆନ୍ଦୋଳନ ପାଇଁ ଲଳିତାର କେତେ ଅବଦାନ ରହିଛି, ଜାଣନ୍ତି ? ସେ ଆସିବାପରେ ହିଁ ବଗିଚାସାରା ନାନଜାତିର ପରିବା ଗଛ ଦେଖିବାକୁ ମିଳିଲା । ମୋର ଯଦି କ୍ଷମତା ଥାଆନ୍ତା, ତେବେ ଲଳିତାକୁ ହିଁ ଏ ଦେଶର ଖାଦ୍ୟମନ୍ତ୍ରୀ କରିଦେଇଥାଆନ୍ତି ।” —କହିଲେ ନାରାୟଣସ୍ୱାମୀ ।

 

“ପଡ଼ିଆ ଜମି ସବୁ ଚାଷଜମିରେ ପରିଣତ କରିବା ଦରକାର । ସେଥିପାଇଁ ଲେଖକମାନେ ମଧ୍ୟ କଲମ ପରିବର୍ତ୍ତେ ଲଙ୍ଗଳ ଧରିବା ଆବଶ୍ୟକ ବୋଲି ଆଦେଶ ଜାରୀ କରିଥିଲେ ଆମେ ସବୁ ଲଙ୍ଗଳ ଧରିଥାଆନ୍ତୁ ।” —କହିଲି ।

 

ନାରାୟଣସ୍ୱାମୀ ଟିକିଏ ହସିଲେ, ତାଙ୍କ ମୁଖମଣ୍ଡଳ ଟିକିଏ ନାଲି ପଡ଼ିଗଲା ।

 

ଯେଉଁ କେତେକ ପୃଥିବୀବିଖ୍ୟାତ ସାହିତ୍ୟିକଙ୍କୁ ଆମେ ଜାଣିଥିଲୁ ସେମାନଙ୍କ ବିଷୟରେ ଚର୍ଚ୍ଚା କଲୁ । ତା’ପରେ ନାରାୟଣସ୍ୱାମୀ ନିଜ ଲାଇବ୍ରେରୀକୁ ଡାକିନେଲେ । ଲଳିତା ମଧ୍ୟ ଆମ ସହିତ ଆସିଲା । ସେଥିରେ ଥିଲା ହଜାରେ ବହି । ସବୁ ତାମିଲ ଏବଂ ଇଂରାଜୀ । ସେଗୁଡ଼ିକୁ ଦେଖି ମୁଁ ଅତ୍ୟନ୍ତ ପ୍ରୀତ ହେଲି । ଶ୍ରୀଶ୍ରୀଙ୍କଦ୍ଵାରା ଅନୂଦିତ ଖଣ୍ଡେକର୍‍ଙ୍କ ଗୋଟିଏ ଉପନ୍ୟାସ ବାହାରକରି ଲଳିତା ହାତରେ ଧରିଥିଲା ।

 

“ଖଣ୍ଡେକର୍‍ଙ୍କ ବିଷୟରେ ଆପଣ କଅଣ ଭାବୁଛନ୍ତି ?” ପଚାରିଲା ଲଳିତା ।

 

“ତାଙ୍କ କବିତାରେ ଦେଖିବାକୁ ମିଳେ ସୁନ୍ଦର ଶୈଳୀ, ଆକର୍ଷଣୀୟ ଉପମା ଏବଂ ହୃଦୟସ୍ପର୍ଶୀ ବିଷୟବସ୍ତୁ ।” —କହିଲି ।

 

“କିନ୍ତୁ ତାଙ୍କର ଅନେକ ଗପ ଏକା ଢାଞ୍ଚାର, ଲେଖା ଶୈଳୀ ବଦଳେଇଦେଲେ କ’ଣ ଯଥେଷ୍ଟ ?”

 

“ସତକଥା, ଗଳ୍ପଗୁଡ଼ିକର ବିଷୟବସ୍ତୁର ସେତେଟା ନୂତନତା ପରିଲକ୍ଷିତ ହୁଏନା ।”

 

ମୁଁ ଯିବାପାଇଁ କହିଲି ।

 

“ସବୁବେଳେ ଆସି ଗପସପ କରନ୍ତୁ । ଏହି ଘରେ କାମବୋଲି ମୋର କିଛିନାହିଁ । ଆପଣ ଯେତେବେଳେ ଇଚ୍ଛା କରିବେ, ଆସିପାରିବେ । ଆପଣଙ୍କ ଆଗମନ ଆମକୁ ବିଶେଷ ଆନନ୍ଦ ପ୍ରଦାନ କରିବ ।” —କହିଲେ ନାରାୟଣସ୍ୱାମୀ ।

 

ହସି ହସି ଲଳିତା ପ୍ରଣାମ କଲା ।

 

ବନ୍ଧୁଙ୍କୁ ଅତି ଆପଣାର କରିପାରିବାଭଳି ହୃଦୟ ଯେଉଁ ଗୃହର ଦୁଇଟା ଅଳସୁଆ ସ୍ୱାମୀ ସ୍ତ୍ରୀଙ୍କ ନିକଟରେ ନିହିତ; ଯେଉଁ ଗୃହରେ ଏକ ବଡ଼ ପାଠାଗାର ସନ୍ନିବିଷ୍ଟ, ସବୁଠାରୁ ବଳି ଯେଉଁ ଗୃହର ସୁନ୍ଦର ବଗିଚା ଦେଖି ବାଟର ବାଟୋଇ ସୁଦ୍ଧା ଟିକିଏ ଅଟକିଯାଏ, ସେହି ଗୃହ ପ୍ରତି କେଉଁ ଲେଖକର ଚିତ୍ତ ଆକୃଷ୍ଟ ନହେବ ?

 

‘ସ୍ତ୍ରୀମାନଙ୍କୁ ଅଳଙ୍କୃତ କରିବାପାଇଁ ଭଗବାନ ଯେତେବେଳେ ପ୍ରତ୍ୟହ ଅସଂଖ୍ୟ ରଙ୍ଗିନ ପୁଷ୍ପ ସୃଷ୍ଟି କରୁଛନ୍ତି ସୁନା, ରୂପା, ମଣି, ହୀରା, ମୁକ୍ତା ସେମାନଙ୍କର କ’ଣ ହେବ ? କାହିଁକି ସେମାନେ କୃତ୍ରିମ ଉପାୟରେ ନିଜ ରୂପସଜ୍ଜାରେ ବ୍ୟସ୍ତ ?’ —କବି ଦାସୁର୍‌ଙ୍କ କୌଣସି ଏକ ଲେଖାର ଏହି ମତାମତ, ଲଳିତା ସମ୍ପର୍କରେ ଚିନ୍ତା କଲାବେଳେ ଆଜି ମୋର ମନେପଡ଼ିଯାଏ—ମୁକ୍ତାର ଗୋଟାଏ ଛୋଟ ମାଳି ଏବଂ ସୁନାର ଏକ ଲମ୍ବାହାର ବେକରେ ପିନ୍ଧିଥିଲା । ହାତରେ ଥିଲା ଦୁଇଟା ସାଦା ଚୁଡ଼ି । କାନରେ ହଳେ ହୀରାବସା ରିଙ୍ଗ୍ ।

 

କମଳା ରଙ୍ଗର ସୂତା ଶାଢ଼ି ଏବଂ ଏକା କନାରେ ତିଆରି ବ୍ଲାଉଜ୍ ପିନ୍ଧି ସେ ବସିଥିଲା । ଉତ୍ତରଭାରତରେ ଦେଖିଥିବା କୌଣସି ଏକ ଆଶ୍ରମବାସୀ ଝିଅ ଭଳି ଦେଖାଯାଉଥିଲା । ମୁଣ୍ଡ ଟେକି ମୋତେ ଚାହିଁଲାବେଳେ ଆଖିରେ ତା’ର ନଥିଲା ଆକର୍ଷଣର ଚିହ୍ନ; କିନ୍ତୁ ସେଗୁଡ଼ିକ ଦେଖୁଥା’ନ୍ତି ଦିବା-ସ୍ଵପ୍ନ । ତା’ ଚାହାଁଣିରେ ଥିଲା ସ୍ମୃତି ଏବଂ କଳ୍ପନା । କବିତାର ସରସତା ଫୁଟେଇ ବଲବଲ ଚାହିଁଥିଲା ସେ । ଦିଗ୍‌ବଳୟକୁ ଛୁଇଁଥିବା ସଂଧ୍ୟାବେଳର ଶାନ୍ତ ସମୁଦ୍ର ଭଳି ତା ଚାହାଣି ମୋତେ ଲାଗିଥିଲା ସେତେବେଳେ ।

 

ବୃଦ୍ଧ ନାରାୟଣସ୍ଵାମୀ—ସର୍ବପ୍ରଥମେ କଲେଜରେ ତାଙ୍କ ସହିତ ମୋର ଯେତେବେଳେ ସାକ୍ଷାତ ହୁଏ, ତାଙ୍କ ପ୍ରତି ମୋ ମନରେ ଜାଗ୍ରତ ହୋଇଥିବା ଭକ୍ତି ଓ ସ୍ନେହ ଯେ ନ କମି ସେମିତି ରହିଛି କହିପାରୁନି । ମନୁଷ୍ୟର ବିଚିତ୍ର ଧରଣର ବିଭିନ୍ନ ଆଶା ଓ ତଜ୍ଜନିତ ହିଂସା ସମ୍ପର୍କରେ ଭାବିଲି । ମିଠାକଥା କହି ଖୁବ୍‍ ଭଦ୍ର ବ୍ୟବହାର ଦେଖାଉଥିବା ବ୍ୟକ୍ତିର ବାହ୍ୟ ଚେହେରା, ତା’ର ମନ ଭିତରେ କି ପ୍ରକାର ଚିନ୍ତାଧାରାର ଚିତ୍ର ପ୍ରତିଫଳିତ କରାଏ ତାହା ଆମେ ଯଦି ଜାଣିପାରନ୍ତୁ...

 

ନାରାୟଣସ୍ଵାମୀଙ୍କୁ ମୁଁ ଘୃଣା କରିଥିଲେହେଁ ତାଙ୍କୁ ପରିତ୍ୟାଗ କରିପାରିନଥିଲି । କେଉଁ ଶକ୍ତିବଳରେ କେଜାଣି ମାତ୍ର ଦୁଇଘଣ୍ଟାର ସଂସ୍ପର୍ଶରେ ସେ ମୋତେ ଅତି ଆପଣାର କରିନେଇଥିଲେ-। ତାଙ୍କ ସ୍ଵର ଏବଂ ଚାହାଣି ତାଙ୍କ ପ୍ରତି ମୋତେ ସହାନୁଭୂତିଶୀଳ କରିଥିଲା ।

 

ତା’ ପରଦିନ ସକାଳ ଆଠଟାରେ କାନ୍ତା କଲେଜ ଯିବା ପୋଷାକରେ ଆସି ମୋ କୋଠରିରେ ହାଜର । ହାତରେ ଥିଲା ଗୋଟାଏ ବଡ଼ ଫ୍ଲାସ୍କ ।

 

‘‘ଆପଣ ତ ଭାରି ବଡ଼ଲୋକ ହେଇଗଲେଣି”—ରାଗମିଶା ସ୍ଵରରେ କହିଲା ।

 

“ହେବା ଦରକାର ତ ! ତୋତେ ମୁଁ କିମିତି ଦେଖାଯାଉଛି ? ଷାଠିଏ ବର୍ଷର ମଣିଷ ଭଳି ଦେଖାଯାଉଛି ନା କ’ଣ ?”

 

“ଷାଠିଏ ବର୍ଷ ବୟସ ମାନେ...ଆପଣ ମଧ୍ୟ ଜଣେ ଯୁବତୀ ଝିଅକୁ ବାହାହେଇପଡ଼ନ୍ତୁ ।”

 

ମୁଁ ଖାଲି ସେମିତି ଚାହିଁରହିଥାଏ ।

 

“ଆଚ୍ଛା, ସେ ବୁଢ଼ାଠାରେ ଆପଣଙ୍କର କି କାମ ଥିଲା ?”

 

‘‘ତମମାନଙ୍କର ତାଙ୍କଠି କି କାମ ଥିଲା ଶୁଣେ ? ବକ୍ତୃତା ଦେବାପାଇଁ ତାଙ୍କୁ କାହିଁକି ଡାକିଥିଲ ?” —ପଚାରିଲି ।

 

“ତାଙ୍କଠାରୁ ବହି ଆଣିବା ପାଇଁ ।”

 

‘‘ମୁଁ ମଧ୍ୟ ସେଇଥିପାଇଁ ଯାଇଥିଲି ।”

 

“ଆପଣଙ୍କର କି କି ବହି ଦରକାର କୁହନ୍ତୁ; ମୁଁ ମୋ ନିଜ ପଇସାରେ କିଣିଆଣି ଦେବି-।”

 

ମୋତେ ହସମାଡ଼ିଲା । କହିଲି—“ଯେତେ ଯେତେ ଜିନିଷ ଇଚ୍ଛା କରୁଁ, ସବୁ କିଣିବାକୁ ମିଳେନା, କାନ୍ତା !”

 

ସେ ଟିକିଏ କ’ଣ ଚିନ୍ତା କଲା । ଫ୍ଲାସ୍କରୁ କଫି ବାହାରକରି ମୋ ସାମନାରେ ଥୋଇଲା-

 

“କାଲି ଆପଣଙ୍କ ହୋଟେଲ୍ କଫି ପିଇବାପରେ ମୋ ମୁଣ୍ଡ ବିନ୍ଧିଥିଲା । ମୁଁ ନିଜେ ଏହା ତିଆରକରି ଆଣିଛି, ପିଅନ୍ତୁ ! ଭଲ କଫି ପିଇଲେ, ଭଲ ଲେଖିପାରିବେ, ନୁହେଁ ?

 

‘‘ତା ହେଲେ ଆଜିପର୍ଯ୍ୟନ୍ତ ଲେଖିଥିବା ଗପସବୁ ?”

 

‘‘ଦେଖିଲେ...ଜାଣିଶୁଣି ଆପଣ ମୋ ସହିତ କଜିଆ କରିବାକୁ ଯାଉଛନ୍ତି ।”

 

କଫି ପିଇଲି, ଭଲଲାଗିଲା । ସେଥିପାଇଁ ତାହା ସେ ତିଆରି କରିଥିବା କଫି ନୁହଁ ବୋଲି ଜାଣିପାରିଥିଲି । ରୋଷେଇରେ ତା’ର ଦକ୍ଷତା ସମ୍ପର୍କରେ ତା’ର ବାପା ଆଗରୁ ଥରେ‌ ମୋତେ କହିଥିଲେ । ଏକ ଗ୍ୟାଲନ୍ କିରୋସିନ୍ ଓ ତିନିଟି ଦିଆସିଲି ପେଡ଼ିର ସଦ୍‌ବ୍ୟବହାର କରି ତିରିଶ୍ ମିନିଟ୍‌ରେ କୁଆଡ଼େ ସେ ଚୁଲି ଲଗେଇଦେଇପାରେ ।

 

‘‘ଲଳିତା ମଧ୍ୟ ତୋ ବିଷୟରେ କହୁଥିଲା ।” —କହିଲି ।

 

‘‘ତା ସହିତ ମଧ୍ୟ ଦେଖାହେଇଥିଲା ? କ’ଣ ସବୁ କହୁଥିଲା ?”

 

‘‘କହୁଥିଲା—କାନ୍ତା ଭାରି ଭଲ ଝିଅଟିଏ ।”

 

“ମିଛ ।”

 

ମିଛ ମିଛ ରାଗରେ କାନ୍ତା ମୋତେ ଚାହିଁ କଲେଜରେ ଲଳିତା ସହିତ ତା’ର ଦିନଗୁଡ଼ାକ କିମିତି କଟିଥିଲା, କହିଲା । ପାଠପଢ଼ା ତଥା ଦୁଷ୍ଠାମିରେ ଲଳିତା କୁଆଡ଼େ ଥିଲା ଭାରି ଆଗୁଆ, ପ୍ରତିକଥାରେ କୁଆଡ଼େ ରାଗିଯାଏ—ଯୁକ୍ତିକରେ । ତା’ ନେତୃତ୍ଵରେ ଦଶବାର ଝିଅ ସଦାସର୍ବଦା ଶ୍ରେଣୀରେ ହୋ–ହଲ୍ଲା କରନ୍ତି ।

 

‘‘ସେ ଯେ ଏମିତି ଥିଲା—ମୁଁ ତାହା କଳ୍ପନା ମଧ୍ୟ କରିପାରୁନି ।” —କହିଲି ।

 

“ଅଧଘଣ୍ଟାକ ଭିତରେ ଆପଣ କିମିତି ଜଣେ ଝିଅର ସବୁତକ ଗୁଣ ଆବିଷ୍କାର କରିପାରନ୍ତେ ? ପୁଣି ଆପଣଙ୍କ ଭଳି ଗାଳ୍ପିକଙ୍କ ନିକଟରେ ସମସ୍ତେ ହୁସିଆର ରହିବା ସ୍ଵାଭାବିକ ।”

 

ମୋତେ ଥରେ ଭଲକରି ଚାହିଁ କାନ୍ତା ପୁଣି କହିଲା—“ହଁ, ହୁଏତ ତା’ର ସବୁଗୁଣ ବଦଳିଯାଇଥାଇପାରେ । ଜଣେ ବୁଢ଼ାକୁ ବାହାହେଲେ କେଉଁ ଝିଅ ଅବା ଖୁସିରେ ରହିପାରିବ ?”

 

‘‘କାହିଁକି ବାହାହେଲା ?”

 

‘‘ଇଏ ଗରିବ—ସେ ଧନୀ ।”

 

‘‘ଗରିବଙ୍କ ସ୍ନେହ–ମମତାକୁ ଧନୀମାନେ କିଣିବାକୁ ଚାହାନ୍ତି ।” —କହିଲି, ‘‘ମୁଁ ଗରିବ ବୋଲି କାନ୍ତା ଜାଣେ ।”

 

‘‘କ’ଣ କହିଲେ ?”—ପଚାରିଲା ।

 

‘‘ମୁଁ ନାରାୟଣସ୍ଵାମୀଙ୍କ ପ୍ରସଙ୍ଗରେ କହୁଥିଲି ।”

 

“ମୁଁ ତ ତାହାହିଁ ପଚାରିଥିଲି । ଆପଣ ତ ଭାରି ଉତ୍ତମ ମଣିଷ ହେଇଗଲେଣି !”

 

“ଦୟାକରି ମୋତେ ଉତ୍ତମ ବୋଲି କୁହନା । ଯେଉଁମାନେ ସବୁ ମୋତେ ଠକନ୍ତି ଏମିତି କହିଥା’ନ୍ତି ।”

 

ସେ ଟିକିଏ କଡ଼ାସ୍ଵରରେ କହିଲା—“ଆପଣ ହିଁ ମୋତେ ଠକିବାକୁ ଚାହାନ୍ତି । ଦୁଇମାସ ହେଲାଣି ଠକି ଠକି ଆସୁଛନ୍ତି ।”

 

“ମୁଁ ?”

 

“ହଁ”

 

“ମୁଁ କିଛି ବୁଝିପାରୁନି, କାନ୍ତା !”

 

“ଆପଣ ଯଦି ବୁଝିପାରୁନାହାନ୍ତି, ଆଉ ବୁଝିପାରିବ କିଏ ? ମୁଁ ତ ଛୋଟ ଛୁଆ ନୁହଁ !”

 

“ଛୋଟ ଛୁଆ ନୁହଁ ସତ—କିନ୍ତୁ ବି.ଏ. ପଢ଼ୁଥିବା ଗୋଲାପୀ ଛୁଆ ।”

 

ଭ୍ରୂଲତା ତା’ର କୁଞ୍ଚିତ ନହେଇ ସେମିତି ଥିଲା; ଓଠ କିନ୍ତୁ ଥରିଉଠିଲା—“ଆପଣ ହିଁ କିଛିଟା ଜାଣିନଥିବା ଛୁଆଙ୍କ ଭଳି ଅଭିନୟ କରିବାକୁ ଚାହାଁନ୍ତି ।” —କହିସାରି ମଥାକୁ ଉପରକୁ ନ ଉଠେଇ ପୋତିରଖି ବସିଥାଏ । ଏକ୍‌ବାରକେ ଚୁପ୍‌ଚାପ୍ ।

 

“କାନ୍ତା !”

 

ମୁଣ୍ଡ ଉପରକୁ କରି ଚାହିଁଲା । ତାକୁ କ’ଣ କହିବି ବୁଝିପାରିଲିନି ।

 

“ମୁଁ ଆସୁଛି ।” —କହି ଉଠିଲା ସେ ।

 

“ବଡ଼ଭାଇ ବୋଲି ଡାକିବାପାଇଁ କହିଥିଲି—କାହିଁ ଥରେ ସୁଦ୍ଧା ସେମିତି ଡାକିନୁ ତ ।”

 

ବେଖାତିରିରେ, “ସେମିତି ଡାକିବାକୁ ମୋତେ ଭଲଲାଗୁନି” କହିଦେଇ ଫ୍ଳାସ୍କ ଧରି ବାହାରିପଡ଼ିଲା । ସେ ଗଲାବେଳେ ତା’ର ବେଣୀ ଦି’ଟାକୁ ସଂଯୋଗ କରିଥିବା ମଲ୍ଲିଫୁଲ ମାଳଟା ତଳେ ଖସିପଡ଼ିଥିଲା । ତଳୁ ତାହା ଉଠାଇ କହିଲି “କାନ୍ତା, ଫୁଲମାଳଟା ତଳେ ପଡ଼ିଗଲା ।”

 

ସେ ଫେରିଆସିଲା । ଠିଆହେଲା ଟିକିଏ । ଚଟ୍‌କିନା ବୁଲିପଡ଼ି ପଚାରିଲା—“ପିନ୍ଧେଇ ଦେବେ ?”

 

“ମାଲିକଙ୍କ ଝିଅ—ଏହା ଜାଣି ସୁଦ୍ଧା ମୁଁ ଯଦି ନ ପିନ୍ଧାଏ, ତେବେ...” ବୋଲି କହି ଫୁଲମାଳଟିକୁ ତା’ ମୁଣ୍ଡ ପାଖକୁ ନେଲି ।

 

“ସେଥିପାଇଁ ଯଦି ପିନ୍ଧେଇବାକୁ ଆସୁଛନ୍ତି, ତେବେ ଦରକାର ନାହିଁ ।” ମୋ ହାତରୁ ଫୁଲମାଳଟା ଝାମ୍ପିନେଇ, ନିଜେ ମୁଣ୍ଡରେ ତା’ର ଖୋସିପକେଇ ବାହାରକୁ ଚାଲିଗଲା । ସ୍ନେହ ଏବଂ ପ୍ରେମ ମଧ୍ୟରେ ପାର୍ଥକ୍ୟ କ’ଣ ସେ ଜାଣେନା । ଆଉ ମୁଁ ବା ତା’ଠାରେ କିମିତି ମନଖୋଲି କହିଥା’ନ୍ତି ।

 

ସମୟ ପ୍ରାୟ ଏଗାରଟା, ଅଫିସ ଡାକଗୁଡ଼ାକୁ ଖୋଲି ଦେଖିଥାଏ । ଜାନକୀ ଖଣ୍ଡିଏ ଭିଜିଟିଙ୍ଗ୍ କାର୍ଡ ଧରି ଭିତରକୁ ଆସିଲା । ସେଥିରେ ଲେଖାଥିଲା ‘ସେଦୁରାମ—ଲେଖକ’ । ଡାକିଦେବାକୁ କହିଲି । ଲେଖକ ହେଲେ ଏମିତି ରହିବା ଉଚିତ ବୋଲି କେହି କେହି କହିଥାଆନ୍ତି, ନୁହେଁ ? ଠିକ୍ ସେମିତିକା ବେଶଭୂଷାବିଶିଷ୍ଟ ଜଣେ ଯୁବକ ପ୍ରଣାମ ଜଣେଇ ଭିତରକୁ ଆସିଲେ । ପାଟିରେ ଥାଏ ପାନ । ଦାନ୍ତ ଓଠ ନାଲି ପଡ଼ିଯାଇଥାଏ । ପିନ୍ଧିଥା’ନ୍ତି ଧଡ଼ି ନଥିବା ଧୋତି ଓ ହଳଦୀବର୍ଣ୍ଣର ପଞ୍ଜାବି, ଡାହାଣ ହାତରେ ଥାଏ ଚିକ୍ ଚିକ୍ କରୁଥିବା ଗୋଟାଏ ଚମଡ଼ା ବ୍ୟାଗ୍ । ନିଜ ଲେଖାଗୁଡ଼ିକୁ ଯେଉଁ ଯେଉଁ ପତ୍ରିକାକୁ ପଠ‌ଉଥାଆନ୍ତି ତା’ର ଗୋଟାଏ ତାଲିକା ଗାଇଗଲେ; କିନ୍ତୁ ସେଥିରେ ନଥିଲା ଗୋଟାଏ ସୁଦ୍ଧା ନାଁଡାକର ପତ୍ରିକା ।

 

“ଏହି ଗପଗୁଡ଼ିକୁ ଟିକିଏ ଦେଖନ୍ତୁ । ମୁଁ ସଂଧ୍ୟାରେ ଆପଣଙ୍କୁ ଦେଖାକରିବି ।” —ସେ ଚାରୋଟି ଗପ ମୋତେ ଏକାଥରକେ ଦେଇଦେଲେ ।

 

“ଆପଣ ଆସିବା ଦରକାର ନାହିଁ; ସେଗୁଡ଼ିକୁ ପଢ଼ିସାରି ମନ୍ତବ୍ୟ ଦେବାପାଇଁ ସହକାରୀ ସମ୍ପାଦକଙ୍କୁ କହିବି ।”

 

“ଆଜି ମୁଁ ଗୋଟିଏ ଜରୁରୀ କାମରେ ବାହାରକୁ ଯାଉଛି । ମୋ ପାଇଁ ଟିକିଏ ଶୀଘ୍ର ଦେଖିବାକୁ କୁହନ୍ତୁ । ଆପଣଙ୍କର ଯଦି ମନୋନୀତ ନହୁଏ, ତେବେ ଅନ୍ୟ ପ୍ରେସ୍‌ରେ ଦେବାକୁ ପଡ଼ିବ; ନା କ’ଣ ?”

 

ଇଚ୍ଛା ହେଉଥାଏ, କହିଦିଅନ୍ତି, “ତରବରରେ ଆମଦେଇ କାମ ହୁଏନାହିଁ; ଆମେ ଧୀରସ୍ଥିର ଭାବେ କରୁଁ ।” କିନ୍ତୁ ଏହାରି ଭିତରେ ସେ ଉଠିସାରିଥିଲେ । ଯିବାବେଳେ କହିଗଲେ, “ଏଇ ଯେଉଁ ନାରାୟଣସ୍ଵାମୀ ଅଛନ୍ତି, ତାଙ୍କର ମୁଁ ଜଣେ ନିକଟ–ସମ୍ପର୍କୀୟ ଆତ୍ମୀୟ ।” ଏତକ କହିଦେଇ ସେ ଚାଲିଗଲେ ।

 

ଗପଗୁଡ଼ିକୁ ପଢ଼ି ଯଥାଶୀଘ୍ର ନିଜର ମନ୍ତବ୍ୟ ଦିଅନ୍ତୁ ବୋଲି ଲେଖିଦେଇ ସେଗୁଡ଼ିକୁ ମୁଁ ପତ୍ରିକାର ସହସମ୍ପାଦକ ଶଙ୍କରଙ୍କ ନିକଟକୁ ପଠାଇଦେଲି । ତାକୁ ପଢ଼ିସାରି ଘଣ୍ଟାକପରେ ସେ ମୋ କୋଠରିକୁ ଆସିଲେ । କହିଲେ—“ଏଗୁଡ଼ିକୁ କ’ଣ ଗପ କୁହାଯାଏ ? କଳ୍ପନା ନାହିଁ, ଶୈଳୀ ନାହିଁ, ଏ ଲେଖାର କିଛି ମାନେ ବି ନାହିଁ । ତୃତୀୟ ଶ୍ରେଣୀର ବାଜେ ଭାଷା ପ୍ରୟୋଗ କରି ଗୋପନୀୟତା ବୋଲି କିଛି ନରଖି ସବୁକଥା ସେ ଉଲଗ୍ନ ଭାବେ ବର୍ଣ୍ଣନା କରିଛନ୍ତି ।”

 

ଗପଗୁଡ଼ିକ ମୋତେ ସେ ଫେରାଇଦେଲେ । ସେଥିରୁ ଗୋଟିଏ ନେଇ ପଢ଼ି ଦେଖିଲି, ସେ ଯାହା କହିଛନ୍ତି ସବୁ ଠିକ୍‍ ବୋଲି ଲାଗିଲା ।

 

ସଂଧ୍ୟାବେଳେ ସେ ଯୁବକଜଣକ ପୁଣି ଆସିଲେ । ଶଙ୍କରବାବୁ ମଧ୍ୟ ମୋ ପାଖରେ ଥାଆନ୍ତି । “ଗପଗୁଡ଼ିକୁ ପଢ଼ିଲୁ; ଆମ ପତ୍ରିକା ପାଇଁ ଏ ଉପଯୁକ୍ତ ନୁହେଁ—ଏଇ ନିଅନ୍ତୁ ।” କହି ଗପଗୁଡ଼ିକୁ ତାଙ୍କୁ ଫେରାଇଦେଲେ ଶଙ୍କରବାବୁ ।

 

“କାହିଁକି ?” —ଯୁବକ ପଚାରିଲେ ।

 

“ଆମ ପତ୍ରିକା ଯେଉଁ ସ୍ତରର, ଆପଣଙ୍କ ଗଳ୍ପ ତା ପାଇଁ ଗ୍ରହଣଯୋଗ୍ୟ ନୁହେଁ ।”

 

“ଏମିତି କହିଦେଲେ କ’ଣ ଯଥେଷ୍ଟ ? କେଉଁ ଦୃଷ୍ଟିରୁ ଏଗୁଡ଼ା ଠିକ୍‍ ନୁହଁ ଲେଖକର କ’ଣ ଜାଣିବା ଅନୁଚିତ ? ଆପଣ ତ ପୁଣି ନିଜେ ପ୍ରେମକାହାଣୀ ପ୍ରକାଶ କରୁଛନ୍ତି ?”

 

“ତୁମେ ଯାହା ଲେଖିଛ ସେଗୁଡ଼ାକ କଣ ପ୍ରେମକାହାଣୀ ?” ଶଙ୍କରବାବୁ ପଚାରିଲେ ।

 

“ତେବେ ସେଗୁଡ଼ା କି ପ୍ରକାର ଗପ ?”

 

“ଖଣ୍ଡାଧାରରେ ଚାଲିବା ଯାହା, ପ୍ରେମ ସମ୍ୱନ୍ଧରେ ଲେଖିବା ତାହା । ସେଥିପାଇଁ ଦରକାର ଉନ୍ନତ ଚିନ୍ତାଧାରା, ପରିପ୍ରକାଶ କରିବାପାଇଁ ଶକ୍ତି, ଆଭିଜାତ୍ୟ ଓ ଦାୟିତ୍ଵବୋଧ—ବୁଝିଲ ?” କହିସାରି ଶଙ୍କରବାବୁ ତା’ଙ୍କୁ ଏଡ଼େ ଏଡ଼େ ଆଖିରେ ଚାହିଁଲେ ।

 

ଯୁବକ କିଛି କହିବାକୁ ଯାଉଥିଲେ—କିନ୍ତୁ ଚୁପ୍ ରହିଲେ ।

 

“ଏଣିକି ଗପଗୁଡ଼ିକୁ ଡାକରେ ପଠେଇବେ ।” ଶଙ୍କରବାବୁ କହିଲେ ।

 

“ମୋଟେ ପଠେଇବି ନାହିଁ ।”

 

“ଅଶେଷ ଧନ୍ୟବାଦ ।” ଶଙ୍କରବାବୁ କହିଲେ ।

 

ସଂଧ୍ୟା ସମୟ । ଛଅଟା ବାଜିସାରିଥାଏ । ଅଫିସରେ କେହି ନଥାଆନ୍ତି; ସମସ୍ତେ ସାଢ଼େପାଞ୍ଚରୁ ହିଁ ଚାଲିଯାଇଥାନ୍ତି । କଳ ନିକଟକୁ ଯାଇ ମୁହଁ ହାତ ଗୋଡ଼ ଧୋଇ, ଲୁଗା ବଦଳେଇ ଯେକୌଣସି ଗୋଟାଏ ସିନେମା ଦେଖିବା ସକାଶେ ବାହାରିଲି । ରୁମ୍‌ରେ ତାକୁ ବନ୍ଦକରୁଥାଏ, କାନ୍ତାର ଚପଲ ଶବ୍ଦ ଶୁଭିଲା ।

 

“କୁଆଡ଼େ ବାହାରିଛନ୍ତି ବୋଧେ !”

 

“ସିନେମା ।”

 

“ମୁଁ ଯିବି ?”

 

ଟିକିଏ ରହିଲି ।

 

“ଆପଣଙ୍କ ଏକୁଟିଆ ଯିବା ଉପରେ ଆଞ୍ଚ ଆସିବ ବୋଧହୁଏ ।”

 

“ନା, ନା, ସେଇୟା ନୁହଁ; ବିନା ଦ୍ଵିଧାରେ ଆସିପାରୁ; କିନ୍ତୁ ଘରେ କହିଦେଇ ଆସେ ।”

 

ତାଙ୍କ ଘରଟା ପ୍ରେସ୍‌‌କୁ ଲାଗି । କହିଆସିବା ପାଇଁ ବାହାରିଲା ସେ; କିନ୍ତୁ ବାହାର ଗେଟ୍ ନିକଟରେ କାର୍ ଠିଆହେଇଥିବା ଦେଖି ମୋ ପାଖକୁ ପୁଣି ଫେରିଆସିଲା । ମୋ କାନରେ ଆସ୍ତେ କିନା କହିଲା—“ସେହି ବୁଢ଼ା ତା ଯୁବତୀ ସ୍ତ୍ରୀ ସହିତ ଆସିଛି ।”

 

ମୁଁ ବାହାରକୁ ଯିବା ପୂର୍ବରୁ ନାରାୟଣସ୍ଵାମୀ ଭିତରକୁ ଆସିଯାଇଥାନ୍ତି । ଲଳିତା ଆନନ୍ଦରେ ଗଦ୍‌ଗଦ ହେଇ, “କାନ୍ତା !” ବୋଲି ଡାକି ଧାଇଁଆସି ତାକୁ କୁଣ୍ଢେଇ ପକେଇଲା । ଉଭୟେ କିଛି ସମୟ କଥାବାର୍ତ୍ତା କଲେ ।

 

“କୁଆଡ଼େ ବାହାରିଛନ୍ତି ବୋଲି ଲାଗୁଛି !” ନାରାୟଣସ୍ଵାମୀ ପଚାରିଲେ ।

 

“କୁଆଡ଼େ ନୁହଁ; ବିରକ୍ତ ଲାଗିଲା ଯେ; ସିନେମାଆଡ଼େ ଟିକିଏ ଗଲେ ହୁଅନ୍ତା ବୋଲି ଭାବୁଥିଲି ।”

 

“ଆମେ ମଧ୍ୟ ସିନେମା ବାହାରିଛୁ; ଆସନ୍ତୁ ଯିବା ।”

 

ଲଳିତା ଓ କାନ୍ତା ଉଭୟେ ଆମ ପାଖ ଚୌକିରେ ବସିଥାଆନ୍ତି । ନାରାୟଣସ୍ଵାମୀ ମୋତେ ସିନେମା ଯିବାକୁ ଡାକିବା ପରେ ମୁଁ କାନ୍ତାର ଦି’ ଆଖିକୁ ନିଘାକଲି । ଗତକାଲି କଲେଜରୁ ତାଙ୍କ ଘରକୁ ଯିବାପାଇଁ ମନାକରି କହିଲାବେଳେ ମୋତେ ସେ ଯେମିତି ଚାହିଁଥିଲା, ଠିକ୍ ସେମିତି ଚାହିଁଲା ।

 

“ଆସନ୍ତୁ ସମସ୍ତେ ଯିବା ।” —କହିଲା ଲଳିତା ।

 

“ଠିକ୍ ଅଛି, ଯିବା ।” —କହିଲି ।

 

“ଆପଣ ଯା’ନ୍ତୁ; ମୁଁ ଯିବିନାହିଁ ।” —କାନ୍ତା କହିଲା ।

 

“ଚାଲେ କାନ୍ତା ! ବହୁତ ଦିନପରେ ତ ଆମର ସାକ୍ଷାତ ହେଲା, ନୁହେଁ ?” —ଲଳିତା କହିଲା ।

 

“ନା, ଘରେ କାମ ଅଛି ।”

 

ଚପଲ ପିନ୍ଧିବା ପାଇଁ ମୁଁ ମୋ କୋଠରି ପାଖକୁ ଆସିଲି । କାନ୍ତା ମଧ୍ୟ ମୋ ପଛେ ପଛେ ଉଠିଆସିଲା ।

 

“ଯିବୁ ବୋଲି ତ କହୁଥିଲୁ—ଆଉ ଏବେ କାହିଁକି ମନାକରୁଛୁ ?”

 

“ଆପଣ ଏକୁଟିଆ ଗଲେ ମୁଁ ଆପଣଙ୍କ ସହିତ ଯିବି ।”

 

“ଆଜି ସମସ୍ତେ କାହିଁକି ନଯିବା ?”

 

“ତା ହୋଇପାରିବ ନାହିଁ ।”

 

“ମୁଁ ପରା ସେମାନଙ୍କୁ ହଁ କହିସାରିଛି ।”

 

“ଗତକାଲି ମଧ୍ୟ ଠିକ୍ ଏମିତି କହିଥିଲେ ।”

 

କାର୍ ଭିତରେ ବସି କାନ୍ତାର ମୁହଁକୁ ମୁଁ ଚାହିଁଲି । ସେ ଜାଣିଶୁଣି ମୁହଁଟାକୁ ଆରପଟକୁ ବୁଲେଇଦେଲା । ଆମେ ତିନିଜଣ ମାତ୍ର ସିନେମା ଗଲୁ ।

 

ଗୋଟିଏ ମାସ ବିତିସାରିଥାଏ, ଏହାରି ଭିତରେ ଚାରି ପାଞ୍ଚଟା ସନ୍ଧ୍ୟା ନାରାୟଣସ୍ଵାମୀଙ୍କ ଘରେ କଟିଛି । ପ୍ରଥମଥର ପାଇଁ ଯେତେବେଳେ ଯାଇଥିଲି, ତାଙ୍କ ଘରେ ଦୁଇଜଣ ଅଳସୁଆ ଅଛନ୍ତି ବୋଲି ଆଗରୁ କହିଛି, ନୁହଁ କି ? ତାହା ସଂପୂର୍ଣ୍ଣ ଭୁଲ । ସେଠି କେବଳ ଜଣେ ମାତ୍ର ଅଳସୁଆ ଥାଆନ୍ତି । ସେ ହେଉଛନ୍ତି ବୃଦ୍ଧ ନାରାୟଣସ୍ଵାମୀ ।

 

ଏହି ଏକମାସ ସେମାନଙ୍କ ସଂସ୍ପର୍ଶରେ ଆସି ପ୍ରଥମେ ପ୍ରଥମେ ତାଙ୍କର ଯାହା ସବୁ ତ୍ରୁଟି ଦେଖିଥିଲି, ସେ ସବୁ ସଂପୂର୍ଣ୍ଣ ଭୁଲିଗଲି । ତାଙ୍କର ଗୁଣାବଳୀ ଆଶାତୀତ ଭାବେ ଭଲଲାଗିଲା-। ହସି ହସି କଥା ବାର୍ତ୍ତା କରନ୍ତି—ସତ୍କାର କରନ୍ତି—ଯୁବକ ବନ୍ଧୁଙ୍କ ଭଳି ବ୍ୟବହାର କରନ୍ତି-

 

ଲଳିତା ଅଳସୁଆ ନୁହଁ । ଘରର ସବୁ ଦାୟିତ୍ୱ ସେ ବହନ କରିଥାଏ । ବଗିଚାର ମାଳୀ ସୁବନ୍‍ଠାରୁ ଆରମ୍ଭକରି ଘରର ମୁରବୀ ନାରାୟଣସ୍ଵାମୀଙ୍କ ପର୍ଯ୍ୟନ୍ତ ସମସ୍ତେ ତା’ ପରାମର୍ଶ ନେଇ ପ୍ରତ୍ୟେକ କାମକରନ୍ତି । ନାରାୟଣସ୍ଵାମୀ ଲଳିତାଠାରୁ କି ପ୍ରକାର ପରାମର୍ଶ ଲୋଡ଼ନ୍ତି ବୋଲି ଆପଣମାନେ ଭାବୁଛନ୍ତି, ନା ?

 

‘କଲେକ୍ଟରଙ୍କର ବଦଳିହୋଇଗଲା । ଥରେ ଖାଇବାପାଇଁ ନିମନ୍ତ୍ରଣ କଲେ ହୁଅନ୍ତା; ସେଦିନ କେଉଁ ପୋଷାକ ପିନ୍ଧିବା ମୋର ଉଚିତ୍ ହେବ ?’ —ବୋଲି ପଚାରନ୍ତି । ‘ନଚେତ୍ ‘ହିନ୍ଦୁ’ ଖବରକାଗଜରେ ମହିଳାମାନଙ୍କ ଅଧିକାରକୁ କ୍ଷୁଣ୍ଣକରି ଏକ ପ୍ରବନ୍ଧ ପ୍ରକାଶପାଇଛି, ତା’ର ପ୍ରତିବାଦ କରି ଅନ୍ୟ ଲେଖାଟିଏ ପଠାଇବା କି ?’ —ବୋଲି ପରାମର୍ଶ ଲୋଡ଼ନ୍ତି । ନ ହେଲା–‘ନିକଟରେ ଆସିଥିବା ନୂଆ ମଡେଲ୍ ‘ମରିସ୍’ ଗାଡ଼ି ଭାରି ସୌଖୀନ୍ । ଆଉ ଗୋଟାଏ କାର୍ ତ ଆମର ଦରକାର; ସେଥିରୁ ଗୋଟାଏ କିଣିଲେ କ’ଣ ଭଲହୁଅନ୍ତା ନାହିଁ ? ’ ବୋଲି ପଚାରନ୍ତି । ସବୁକ୍ଷେତ୍ରରେ ଲଳିତାର ମତାମତ ହିଁ ଶେଷ ନିଷ୍ପତ୍ତି ।

 

ତାଙ୍କ ଘର ସମ୍ପର୍କରେ ଆଉରି ଅଧିକ ବିବରଣୀ ଜାଣିପାରିଥିଲି । ଲଳିତାକୁ ପିଲାଦିନରୁ ଲାଳନପାଳନ କରିଆସିଥିବା ତା’ ମାମୁ ମାଇଁ ସେହି ଘରେ ରହୁଥାନ୍ତି । ମାମୁଁ ରାମେୟା ସବୁବେଳେ ପ୍ରାୟ ବାହାରେ । ତାଙ୍କର ଅନେକ କାମ ରହିଥାଏ । ଚାରିପଟେ ଖେଳେଇ ହୋଇଥିବା ଚାଷ ଜମିର ତତ୍ତ୍ୱାବଧାନ ସେ କରନ୍ତି । ଯେତେବେଳେ ଘରେ ରହନ୍ତି, ଚୁପ୍‍ହୋଇ ବସନ୍ତିନାହିଁ । ଘରୋଇ ହିସାବପତ୍ର ଯାଞ୍ଚକରିବା, କିମ୍ୱା ଜମିଜମା ସଂକ୍ରାନ୍ତୀୟ ଆୟ–ବ୍ୟୟର ହିସାବ ରଖିବା କିମ୍ୱା ମାସିକ ଦୋକାନ ଖର୍ଚ୍ଚର ହିସାବ କିତାବ ରଖିବା ଇତ୍ୟାଦି ବ୍ୟତୀତ ଅନ୍ୟ କୌଣସିଟାରେ ସେ ମନଦିଅନ୍ତି ବୋଲି ଜଣାଯାଏନାହିଁ । ବହୁ ବର୍ଷ ଧରି ସେ ଏ ଘରର ଏକାଉଣ୍ଟାଣ୍ଟ୍ । ଏ ପ୍ରକାର ସମ୍ପର୍କ ଯୋଗୁ କୁଆଡ଼େ ଲଳିତା ନାରାୟଣସ୍ଵାମୀଙ୍କ ବାହାଘର ସମ୍ଭବପର ହୋଇପାରିଥିଲା । ଲଳିତାକୁ ତାଙ୍କ ସହିତ ବାହାଦେଇ, ରାମେୟା ମଧ୍ୟ ନାରାୟଣସ୍ଵାମୀଙ୍କ ଘରେ ରହିଲେ । କିନ୍ତୁ ସେ ସେହି ପୁରୁଣା କାମ ଛାଡ଼ିନଥାଆନ୍ତି ।

 

ତା’ପରେ ତାଙ୍କ ସ୍ତ୍ରୀ ନାଗାମ୍ମା । ମୁଁ ସେଠାକୁ ଯିବା ପ୍ରଥମଦିନ ଯିଏ କବାଟ ଖୋଲିଥିଲେ, ସେହି ଅପୂର୍ବ ନାରୀ । ମୁଁ ତାଙ୍କୁ ଯେତେଥର ଦେଖିଛି ସବୁଥର ପିନ୍ଧିଥା’ନ୍ତି ଜରି ପଡ଼ିଥିବା ସିଲ୍‍କ ଶାଢ଼ୀ ; କପାଳରେ ବଡ଼ ଏକ ସିନ୍ଦୂର ଟିପା; ମୁଣ୍ଡରେ ବୋଝେହେବ ଫୁଲ । ପ୍ରଭୂତ୍ଵ ଜାରିକରୁଥିବା ତାଙ୍କର ସେହି ମାଲିକାଣୀସୁଲଭ ସ୍ୱର ସର୍ବଦା ଶୁଣିବାକୁ ମିଳେ । କେତେବେଳେ ଚାକରବାକର ନିକଟରେ ତ, କେତେବେଳେ ରୋଷେଇଶାଳରେ, କେତେବେଳେ ବଗିଚାରେ ତ, କେତେବେଳେ ଘରର ଅନ୍ୟ କେଉଁ ଅଂଶରେ । ସେହି ପ୍ରଭୂତ୍ୱପୁର୍ଣ୍ଣ ସ୍ଵରରେ ସ୍ୱାମୀ ରାମେୟାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରନ୍ତି ।

 

ତାଙ୍କ ଦୃଷ୍ଟି ମୋ ଉପରେ ଯେବେ ପଡ଼େ, ମୋତେ କିମିତି ଏକପ୍ରକାର ଖାପ୍‌ଛଡ଼ା ଖାପ୍‌ଛଡ଼ା ଲାଗେ । ଅନିମନ୍ତ୍ରିତ ଅତିଥିଙ୍କ ଉପରେ ଘରର ମୁରବୀଙ୍କ ବ୍ୟବହାର ଯିମିତି, ମୋ ପ୍ରତି ତାଙ୍କ ବ୍ୟବହାର ଠିକ୍ ସିମିତି ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।

 

ତାଙ୍କର ଗୋଟିଏ ବୋଲି ଝିଅ, ବୟସ ଛଅ କିମ୍ଵା ସାତ । ନାଁ ଲକ୍ଷ୍ମୀ । ସ୍କୁଲରେ ପଢ଼ା ହୋଇଥିବା ପାଠକୁ ପୂରା ପାଶୋରିପକାଇ ଯେଉଁ ନୃତ୍ୟଗୀତ ଶିଖେଇ ଥାଆନ୍ତି ସେଥିରେ ଘରଦ୍ଵାର କମ୍ପେଇଦିଏ ।

 

ଏକ ସପ୍ତାହ ତଳେ ସନ୍ଧ୍ୟାବେଳେ ତାଙ୍କ ଘରକୁ ଯାଇଥିଲି । ବଗିଚାରେ ଥିବା ସିମେଣ୍ଟ ମଣ୍ଡପ ଉପରେ ବସି ଲଳିତା ସିଲେଇକଳରେ ସିଲାଇ କରୁଥିଲା, ହାତବୁଲା ଛୋଟ ସିଲେଇକଳ ନୁହେଁ ସେଇଟା—ଦୋକାନରେ ଦର୍ଜିମାନେ ଯେଉଁ ବଡ଼ ସିଲେଇକଳ ବ୍ୟବହାର କରନ୍ତି ତା’ ଭଳିଆ ସିଲେଇକଳ । ପାଖ ଟେବୁଲ୍‌ରେ କଟାକନା, ସୂତା, କଇଁଚି ପ୍ରଭୃତି ଥିଲା । ଟେବୁଲ୍ ଆରପଟେ ପଡ଼ିଥିବା ସୋଫାରେ ଆଉଜି କବିମଣି ବିନାୟକ ପିଲାଇଙ୍କ ‘ଏସିଆ ଜ୍ୟୋତି’ ବହିଖଣ୍ଡିକ ପଢ଼ୁଥା’ନ୍ତି ନାରାୟଣସ୍ୱାମୀ ।

 

ମୁଁ ସେଠି ପହଞ୍ଚିବା କ୍ଷଣି ଉଭୟେ ପ୍ରତ୍ୟେକଙ୍କ କାମକୁ ଯେମିତି ଥିଲା ସେହି ଅବସ୍ଥାରେ ବନ୍ଦକରିଦେଲେ । ଚାକରକୁ ଡାକି ସିଲେଇକଳକୁ ଭିତରେ ରଖିଦେବାପାଇଁ ଆଦେଶ ଦେଲା ଲଳିତା । ନାରାୟଣସ୍ଵାମୀ ‘ଏସିଆ ଜ୍ୟୋତି’ କୁ ତଳେ ଥୋଇଦେଇ ଚଷମା ପୋଛି ପୋଛି ମୋତେ ଚାହିଁଲେ ।

 

ଲଳିତା ସିଲାଇ କରିଥିବା ସାର୍ଟଟି ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା । ତା’ ନିଜପାଇଁ ସାୟା କିମ୍ୱା ବ୍ଲାଉଜ୍ ଯଦି ସିଲଉଥାଆନ୍ତା ତେବେ କିଛି ଲାଗନ୍ତା ନାହିଁ । ନାରାୟଣସ୍ୱାମୀଙ୍କ ପାଇଁ ଧଳା ରେଶମ ସୂତାରେ ସାର୍ଟର ଅର୍ଦ୍ଧାଧିକ ସିଲେଇ ସାରିଦେଇଥିଲା ।

 

‘‘ଆଶ୍ଚର୍ଯ୍ୟ ହେଇ ଦେଖୁଛନ୍ତି ଯେ ! ଏଇ ଛଅମାସ ହେଲା ମୋର ଯାବତୀୟ ପୋଷାକପତ୍ର ଲଳିତା ହିଁ ସିଲାଇ କରିଥାଏ । ଏତେ ସୁନ୍ଦର ଆଉ ଏତେ ଠିକ୍ ମାପରେ ସିଲେଇ ହୋଇଥିବା ସାର୍ଟ ମୁଁ ଆଜିପର୍ଯ୍ୟନ୍ତ ମୋଟେ ପିନ୍ଧିନଥିଲି ।” ନାରାୟଣସ୍ଵାମୀ ଗର୍ବାନ୍ଵିତ ହୋଇ କହିଲେ ।

 

“କୌଣସି କଥାରେ ସେ ମୋତେ ନିନ୍ଦା କରିବା ମୁଁ ଜାଣିନାହିଁ; ଆଉ ଏଥିରେ ତାଙ୍କଠୁଁ ପ୍ରଶଂସା ଶୁଣିବା କ’ଣ ବଡ଼ କଥା ?” —ଲଳିତା କହିଲା ।

 

“ବହୁବର୍ଷର ଅଭିଜ୍ଞ ଦର୍ଜି ମଧ୍ୟ ନିକଟରେ ଶିଖିଥିବା ଲଳିତାଠାରୁ ସିଲେଇ ଶିଖିବା ଦରକାର । ଲଳିତାକୁ ଆପଣ କ’ଣ ବୋଲି ଭାବିଛନ୍ତି କି ? ତା’ ହସ୍ତକୌଶଳ ଆପଣ ଜାଣନ୍ତି ନାହିଁ-।”

 

ନାରାୟଣସ୍ଵାମୀ ମୋତେ ବଗିଚା ପାର୍ଶ୍ଵସ୍ଥ କୋଠାକୁ ଡାକିନେଲେ । ଉଭୟେ ସିଡ଼ି ଚଢି ଉପରମହଲାକୁ ଗଲୁଁ । ଉପରମହଲାରେ କେତେଗୁଡ଼ିଏ କୋଠରି । ତଳ ମହଲାଟା ପୂରା ମାର୍ବଲ ପ୍ରସ୍ତରରେ ତିଆରି । ଯୁଆଡ଼ିକି ଚାହିଁଲେ ବି ଦିଶିବ ବିଭିନ୍ନ ଦେଶର ବିଭନ୍ନ ରଙ୍ଗରେ ତିଆରି କଳାଚିତ୍ର । କଳାପ୍ରତି ତାଙ୍କର ଆଗ୍ରହ ଦେଖି ଭାରି ଖୁସିହେଲି ।

 

“ଏଇଟାହିଁ ଲଳିତାର କୋଠରି । କେବଳ ଆମପାଇଁ ବିନାନୁମତିରେ ପ୍ରବେଶ ସମ୍ଭବ-।”-–କହି କହି ଡାହାଣ ପାର୍ଶ୍ଵରେ ଥିବା ଗୋଟାଏ କୋଠରିରେ ପ୍ରବେଶକଲେ ।

 

ଗୋଟାଏ ଟେବୁଲରେ ଖୁବ୍ ଶୃଙ୍ଖଳିତ ଭାବେ ବହିଗୁଡ଼ାକୁ ସଜାଇ ରଖାଯାଇଥାଏ । ବାହାରକରି ଦେଖିଲି— ଅଧିକାଂଶ ବହି କେବଳ ମହିଳାମାନଙ୍କର ଅଗ୍ରସରତା ସମ୍ପର୍କରେ । ମହାତ୍ମା ଗାନ୍ଧୀଙ୍କ ‘ମହିଳାମାନଙ୍କୁ' ଓ ଅନ୍ୟ କେତେକ ଲେଖକଙ୍କ ‘ମହିଳାମାନଙ୍କ ଗର୍ବ’, ‘ତାମିଲନାଡୁର ମହିଳା’, ‘ରୁଷ୍ ମହିଳା’ ପ୍ରଭୃତି ବହି ଥିଲା ।

 

“ଏହି ଘରର ସମସ୍ତଙ୍କ ପୋଷାକପତ୍ର, ଏପରିକି ଚାକରବାକରଙ୍କ ପୁଅଝିଅଙ୍କ ପୋଷକପତ୍ର ମଧ୍ୟ ଲଳିତା ନିଜେ ସିଲାଇ କରେ ।” —ନାରାୟଣସ୍ଵାମୀ କହିଲେ ।

 

କୋଠରିଟିର ଗୋଟାଏ କୋଣରେ ବଡ଼ ବାକ୍ସଟିଏ । ତା’ଉପରେ ସୂତା, କନା ଏବଂ ସୁନ୍ଦର ସୁନ୍ଦର ଫୁଲପକା ତକିଆଖୋଳ ଓ କନା ବ୍ୟାଗ୍ ପ୍ରଭୃତି ଭାଙ୍ଗି ପକାଇ ରଖାଯାଇଥାଏ । ତିରୂକୁରାଲ୍, ସୀତା, ଭାରତୀ ପ୍ରଭୃତି ବହିରୁ ଉପଦେଶପୂର୍ଣ୍ଣ ଧାଡ଼ି କେତେଟା କାନ୍ଥ ଦେହରେ ଚାରିପଟେ ଲେଖାଯାଇଥାଏ । ଯଥା—‘ସ୍ନେହ ଆକାରବିହୀନ; ଯେ କୌଣସି ସମୟରେ କରାଯାଇପାରେ—ଏହା ଅକ୍ଷୟ, ଅମର ।

 

କାହିକିଁ କେଜାଣି ଉକ୍ତ ଧାଡ଼ି ଦୁଇଟି ଉପରେ ଅଧଘଣ୍ଟାରୁ ବେଶି ସମୟ ମୋ ଦୃଷ୍ଟି ଲାଖି ରହିଥିଲା । ମୁଁ ଏବଂ ନାରାୟଣସ୍ୱାମୀ ପାଖାପାଖି ବସିଥିଲୁ । ଟେବୁଲ ଉପରସ୍ଥ ପଙ୍ଖାକୁ ଘୂରାଇଲେ ସେ । ରେଡ଼ିଓ ସ୍ପିକରଟିକୁ ଆସ୍ତେ ଘୂରାଇଲେ । ସମସ୍ତ ଗୃହଟା ପାଇଁ ସେହି ଗୋଟାଏ ବୋଲି ରେଡ଼ିଓ; କିନ୍ତୁ ପ୍ରତ୍ୟେକ କୋଠରିରେ ଗୋଟାଏ ଲେଖାଏଁ ସ୍ପିକର ଖଞ୍ଜା ଯାଇଥାଏ । ରେଡ଼ିଓରୁ ସୁନ୍ଦର ମନୋମୁଗ୍‍ଧକର ହାଲୁକା ସୁର ଆସୁଥିଲା । ପାଖରେ ରେଡ଼ିଓ ଥିଲେ ବି ମନହେଉଥିଲା ସତେ ଯେମିତି ବହୁତ ଦୂରରୁ ସୁର ଭାସିଆସୁଛି ।

 

“ମୋ ପରି ଲଳିତା ମଧ୍ୟ ଭାରି ସଙ୍ଗୀତପ୍ରିୟ । ବିଶେଷକରି ହାଲୁକାସୁର ଶୁଣିବାକୁ ବେଶି ଭଲପାଏ । ନିଜ କୋଠରିରେ ସେ ଏକଲା ରହିଲାବେଳେ ଗୀତ ଗାଇ ସମୟ କଟାଏ, ନଚେତ୍ ରେଡ଼ିଓ ଶୁଣେ ।” ନାରାୟଣସ୍ଵାମୀ କହିଲେ ।

 

ସେତିକିବେଳେ ଲଳିତା ଭିତରକୁ ଆସିଲା । ‘‘କଫି ପିଇବାପାଇଁ ତଳକୁ ଆସିବେ ନା ଏଠିକୁ ଆଣିବାପାଇଁ କହିବି ?” —ଲଳିତା ପଚାରିଲା ।

 

ନାରାୟଣସ୍ଵାମୀ କହିଲେ,‘‘ଏଠିକି ଯଦି କଫି ଆସିଯାଏ, ତେବେ ତଳକୁ ଯିବାପାଇଁ ପରିଶ୍ରମ କରିବାକୁ ପଡ଼ିବନାହିଁ ।”

 

କଫି ଉପରକୁ ଆସିଲା । ତା’ ସହିତ ଜଳଖିଆ, କିଛି ଫଳ ମଧ୍ୟ, ସେ ନିଜେ ସବୁ ଆଣିଥିଲା ।

 

“ଆପଣଙ୍କ ଦୈନଦିନ ହବି କଣ ମୁଁ ଦେଖୁଥିଲି ।” —କହିଲି ।

 

“ହବି ବୋଲି କୁହନ୍ତୁ ନା—କୁହନ୍ତୁ କାମ ବୋଲି । ପ୍ରତ୍ୟେକ ନିଜନିଜର ଜୀବନକୁ ସୁଖମୟ କରିବାପାଇଁ କଠିନ ପରିଶ୍ରମ କରିବା କ’ଣ ଅନୁଚିତ ? ସମସ୍ତେ ଯଦି ଅନ୍ୟର ପରିଶ୍ରମ ଉପରେ ନିର୍ଭର କରନ୍ତି, ତେବେ ଦୁନିଆଟା ହବ କ’ଣ ?”

 

“ମୁଁ କିନ୍ତୁ ପରିଶ୍ରମ କରିପାରିବି ନାହିଁ ।” —ନାରାୟଣସ୍ଵାମୀ କହିଲେ ।

 

“ପରିଶ୍ରମ ନକରି କ’ଣ ତୁମେ ଏତେ ଧନ ସଂପତ୍ତି ଆଉ ଯଶ ଖ୍ୟାତି ଅର୍ଜ୍ଜିପାରିଛ ? ବର୍ତ୍ତମାନ ତୁମର ବିଶ୍ରାମ ନେବା ସମୟ । କଠିନ ପରିଶ୍ରମ କରିବାପାଇଁ ଉପଦେଶ ଦେଇ ଆମମାନଙ୍କପ୍ରତି ଦୃଷ୍ଟି ରଖିଲେ ଯଥେଷ୍ଟ ।” —ଲଳିତା କହିଲା ।

 

“ଧନସମ୍ପତ୍ତି ଯଶଖ୍ୟାତି ମୋର କ’ଣ ହବ ? ତୋତେ ମୁଁ ପାଇଛି—ତାହା ହିଁ ମୋ ଭାଗ୍ୟ ।”

 

ଲଳିତା ଲାଜରେ କିଛି କହିପାରିଲା ନାହିଁ । ମୁଁ ମନେ ମନେ ହସିବାକୁ ଚେଷ୍ଟାକଲି । ପଚିଶି ବର୍ଷର ଯୁବକଟିଏ ଭଳି ସେ ଲଳିତାକୁ ଥଟ୍ଟାକରିନଥିଲେ ? ଲଳିତା ମଧ୍ୟ ଖୁବ୍ ଆନନ୍ଦର ସହିତ ତାହା ଗ୍ରହଣକରିଥିଲା—ଉପଭୋଗ ମଧ୍ୟ କରିଥିଲା । ମୁଁ କିନ୍ତୁ ସେମାନଙ୍କର ଏତାଦୃଶ ‘ଦାମ୍ପତ୍ୟ ଗୋପନତା’ ସହଜରେ ବୁଝିପାରିନଥିଲି ।

 

“କଳାରେ ଯାହାର ଆଗ୍ରହ ରହିଛି, ଶାରୀରିକ ପରିଶ୍ରମରେ ତା’ର ସ୍ପୃହା ରହେନି ବୋଲି ଯାହା କୁହାଯାଏ—ଏହା ଉପରେ ଆପଣଙ୍କ ମତାମତ କ’ଣ ?” —ନାରାୟଣସ୍ଵାମୀ ପଚାରିଲେ ।

 

କହିଲି—“ମୁଁ ତାହା ବିଶ୍ୱାସ କରେନାହିଁ ।”

 

“କଳା ଅଲଗା ଏବଂ ଜୀବନ ଅଲଗା ବୋଲି କହି ଯେଉଁମାନେ ଉଭୟଟିକୁ ପରସ୍ପରଠାରୁ ପୃଥକ୍ କରିଦେଇ ବୁଝିବାକୁ ଚେଷ୍ଟାକରନ୍ତି, ସେହି ପାଗଳମାନଙ୍କ ଉକ୍ତି ହିଁ ଏହା-।”-–ଲଳିତା କହିଲା ।

 

“ଲଳିତାର ନିଷ୍ପତ୍ତିକୁ ମୁଁ ସବୁ କ୍ଷେତ୍ରରେ ଗ୍ରହଣ କରିଆସିଛି ।” —ନାରାୟଣସ୍ଵାମୀ କହିଲେ ।

 

ସେଦିନ ସେମାନଙ୍କ ଘରୁ ଫେରିବାପାଇଁ ଘରଭିତରୁ ବାହାରକୁ ଆସିସାରିବା ପରେ, ଅନ୍ୟ ଏକ କୋଠରିରୁ ଲଳିତାର ମାଇଁ କହିବା ଶୁଣିଲି—“ଉପର ମହଲାରେ ଲଳିତାର ଏତେ ସମୟ ଧରି କଅଣ ବା କାମ ଅଛି ? ତା’ଠି ଟିକିଏ ବି ସଂକୋଚ ନାହିଁ ନା କଅଣ ? ଜଣେ ପରପୁରୁଷ ଥିବାବେଳେ ସେଠି ଯାଇ ଠିଆହେବା କ’ଣ ଉଚିତ ହେଇଛି ?”

 

କାକୁତିମିନତି ହେଇ ରାମେୟା ଉତ୍ତର ଦେଇଥିଲେ, “ତୁ ଟିକିଏ ପାଟିତୁଣ୍ଡ ନ କରି ରହ-।”

 

ଠିକ୍ ସେହି ମୁହୂର୍ତ୍ତରେ, “ଆପଣ ନିଶ୍ଚୟ ମଙ୍ଗଳବାରଦିନ ଆସିବେ”—ବୋଲି ଲଳିତାର ଅନୁରୋଧ ଏବଂ “ଯଦି ନ ଆସନ୍ତି; ଆମେ ସମସ୍ତେ ସେଠି ଯାଇ ହାଜର ହେବୁଁ” ବୋଲି ନାରାୟଣସ୍ଵାମୀଙ୍କର ପିଲାଳିଆ ଉକ୍ତି ମୋର ମନେପଡ଼ିଗଲା ।

 

X X X

 

ମଙ୍ଗଳବାର । ସେଦିନ ସକାଳେ ମୋର ବହୁଦିନର ପୁରୁଣା ବନ୍ଧୁ ସ୍ଵାମୀନାଥ ମୋ ପାଖରେ ଆସି ପହଞ୍ଚିଲା । ତାଞ୍ଜାଭର୍ ସହର ନିକଟବର୍ତ୍ତୀ ଗୋଟାଏ ଗାଁ ତା’ର ଜନ୍ମସ୍ଥାନ । ଦୁଇ ତିନିଜଣ ଭାଇ ଥାଆନ୍ତି । ବିବାହ କରି ଚାକିରି-ବାକିରି କରି ସେମାନେ ବେଶ୍ ଭଲ ଚଳନ୍ତି । ଇଏ କନିଷ୍ଠ ପୁତ୍ର । ବି. ଏ. ପର୍ଯ୍ୟନ୍ତ ପଢ଼ି କୌଣସି ଚାକିରିରେ ନ ପଶି ଆଜି ଏ ଗାଁରେ ତ କାଲି ଅନ୍ୟ ଗାଁରେ—ଏମିତି ବୁଲୁଥାଏ । ଯିଏ ଯେତେ ବୁଝାନ୍ତୁ ପଛେ କାହାରିକୁ ମାନୁନଥାଏ । ଏକା ସ୍କୁଲ କଲେଜରେ ଉଭୟେ ପଢ଼ିଥିଲୁଁ । ପଢ଼ା ଶେଷ ପରେ ଆମର ହେଲା ବିଚ୍ଛେଦ । ଯେଉଁ ଗାଁରେ ପଛେ ସେ ରହିଥାଉ, ମୋ ଗପଗୁଡ଼ିକୁ ପଢ଼ି ଅନ୍ତତଃ ଦୁଇମାସରେ ଥରେ ଗୋଟାଏ ଚିଠି ଲେଖେ । ସେ ଯେଉଁ ଯେଉଁ ଗାଁରୁ ଚିଠିରେ ନିଜର ଠିକଣା ଲେଖୁଥିଲା, ସବୁଥିରେ ଥିଲା ସେହି ଗାଁର ହୋଟେଲ୍ ଠିକଣା ମାତ୍ର । ଗୋଟାଏ ଗାଁରେ ସେ ମୋଟେ ବେଶିଦିନ ରହୁନଥାଏ ।

 

ବିଭିନ୍ନ ଯନ୍ତ୍ରର ଅଂଶ ବିକ୍ରି କରିବା ପାଇଁ ଏଜେନ୍‌ସି ନେଇ ସେଥିରୁ ସେ ବହୁତ ରୋଜଗାର କରିପାରିଥିଲା । କିନ୍ତୁ ସେ ମଧ୍ୟ ଏକ ଯନ୍ତ୍ରପରି ଜୀବନଯାପନ କରୁଥିଲା । ଅର୍ଥ ଉପାର୍ଜନ କରିବା ପନ୍ଥା ଯଦିଓ ସେ ଜାଣିଥିଲା, ତାହା ସଞ୍ଚୟ କରିବା ଉପାୟ ଶିଖିନଥିଲା । ଆୟ ଅପେକ୍ଷା ବ୍ୟୟ ଥିଲା ବେଶି, ପୁଣି ତା ସଦ୍‌ମାର୍ଗରେ ବ୍ୟୟ କରୁଥିଲା ବୋଲି କୁହାଯାଇ ପାରିବନାହିଁ । ତା’ ଚିଠି ସବୁ ଦେଖିଲେ ସେ କଟେଇଥିବା ‘ହୋଟେଲ୍ ଜୀବନ’ ସ୍ମୃତି ମଧ୍ୟକୁ ଆସିଯାଏ, ଫଳରେ ଆସେ ତିକ୍ତତା । ଗଭୀର ଦୁଃଖ ମଧ୍ୟ । କେବଳ ଝିଅଙ୍କ ପିଛା ସେ ବେଶି ବ୍ୟୟ କରୁଥିଲା ବୋଲି ଜାଣିବାକୁ ପାଇଥିଲି ।

 

ସ୍କୁଲରେ ପଢ଼ିଲାବେଳେ ସେ ଏମିତି ନଥିଲା, ଲୋକଙ୍କ ଦୁଃଖକଷ୍ଟ ନେଇ ସେ ବେଶ୍ ଭାବୁଥିଲା । ଗରିବ ଶ୍ରେଣୀର ଲୋକେ ଏବଂ ଝିଅମାନେ କଠିନ ପରିଶ୍ରମ କରିବା ଉଚିତ୍ ବୋଲି କହୁଥିଲା । ଦେଶରେ ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବା ନିମନ୍ତେ ଯୋଜନା କରାଯିବା ଦରକାର ବୋଲି କହୁଥିଲା । ଦିନେ ଯିଏ ଥିଲା ଏତେ ଗୁଡ଼ିଏ ଭଲ ଗୁଣର ଅଧିକାରୀ, ଦିନେ ଯାହାର ଅଭିଳାଷ ଥିଲା ଖୁବ୍ ପବିତ୍ର ସେ ଯେ କାହିଁକି ଏବଂ କିପରି ପଥଚ୍ୟୁତ ହେଲା—ମୁଁ ଜାଣେନାହିଁ ।

 

‘ଗରିବଲୋକଙ୍କ ପେଟ ଚାଖଣ୍ଡକ ପାଇଁ ଯେଉଁ ଅର୍ଥ ଦରକାର, ତାହା ଧନୀଲୋକଙ୍କଠାରୁ ଆଦାୟକରିବା ପନ୍ଥା ନିର୍ଦ୍ଧାରଣ କରି ଦିନେ ମୁଁ ତୋତେ ସାକ୍ଷାତ କରିବି ।’ ବୋଲି ଆଗରୁ କହିରଖିଥିଲା । କିନ୍ତୁ କହିବା ଅନୁସାରେ ଆଜି ସେ ଏଠାକୁ ଆସିନାହିଁ—ତା’କୁ ଦେଖିବାକ୍ଷଣି ବେଶ୍ ଜାଣିପାରିଥିଲି । କାରଣ ଯିଏ ତା’ର ସୁଟ୍‌କେଶ୍ ଓ ବିଛଣାପତ୍ର ବୋହିଆଣିଥିଲା ତା’କୁ ଦେବାପାଇଁ ମୋ ସାର୍ଟପକେଟ୍‌ରେ ହାତ ପୂରାଇ ସେ ପଇସା ବାହାରକରିଥିଲା ।

 

ସେଦିନ ମଧ୍ୟାହ୍ନରେ ସେ କହିଲା—“ଦୁରେଇ ! ଗାଁ ଗାଁ ବୁଲି ମୁଁ କ୍ଳାନ୍ତ ହେଲିଣି । ଏହି ଯାନ୍ତ୍ରିକ ଜୀବନକୁ ମୁଁ ବେଶି ଘୃଣାକରେ । ମୁଁ ଯାହା କହୁଛି ବୁଝିପାରୁଛୁ ତ ? ଶାନ୍ତିରେ କିଛିଦିନ ରହିବା ପାଇଁ ମୋ ଇଚ୍ଛା; ପଇସାପତ୍ର ବିଷୟ ନେଇ ତୁ ବ୍ୟସ୍ତ ହୁଅନା । ଆଜି ଏହି ଗାଁରେ ମୁଁ ରୋଜଗାର କରିପାରିବି ।”

 

“ପଇସାପତ୍ର କଥା ଛାଡ଼୍‍ । ସବୁଦିନ ମୋ ପାଖରେ ତୁ ରହ । ତେବେ ଚରିତ୍ରପ୍ରତି ଟିକିଏ ନଜର ଦେ । ମୋ ବସା, ତୁ ଯେଉଁ ହୋଟେଲଗୁଡ଼ାକରେ ରହୁଥିଲୁ, ସେହି ହୋଟେଲ୍ ବସା ନୁହଁ ।

 

“ମୁଁ ଜାଣେ ଦୁରେଇ ! ସେଇଥିପାଇଁ ତ ମୁଁ ଏଠାକୁ ଆସିଗଲି । ଯାହାସବୁ ଘଟିଯାଇଛି–ମୁଁ ସେ ସବୁ ପାଇଁ ନିଜକୁ କେତେ ଘୃଣାକରେ, ଜାଣୁ ? ତୋ ସୁନାମରେ କଳା ବୋଳିବାପାଇଁ ମୁଁ ଏଠାକୁ ଆସିନାହିଁ ।”

 

“ତାହାହେଲେ ଠିକ୍ ଅଛି ।”

 

ମଙ୍ଗଳବାର ଦିନ ସଂଧ୍ୟାବେଳେ ନାରାୟଣସ୍ଵାମୀଙ୍କ ଘରକୁ ଯିବାପାଇଁ ମୋର କିନ୍ତୁ ସେତେଟା ସ୍ପୃହା ନଥିଲା । ପ୍ରେ‌ସ୍‌ରେ ହିଁ ବସିରହିବି ଭାବିଥିଲି; କିନ୍ତୁ ସେଦିନ କହିବା ଅନୁସାରେ ସେ ନିଶ୍ଚୟ ଲଳିତା ସହିତ ଆସି ପହଁଞ୍ଚିଯିବେ । ଏବେ ପୁଣି ମୋ କୋଠରିରେ ସ୍ଵାମୀନାଥ ରହିଛି । ଅବଶ୍ୟ ତାର ରହିବା ଫଳରେ ଯିବାଆସିବା ବନ୍ଧୁମାନଙ୍କର କିଛି ଅସୁବିଧା ହେବନାହିଁ ସତ; କିନ୍ତୁ କାନ୍ତା ଯଦି ବର୍ତ୍ତମାନ ଏଠାକୁ ଆସିଯାଏ ?

 

ଯଦି କାନ୍ତା ଆସିଯାଏ ? ତା’ର ଆସିବା କେହି ରୋକିପାରିବେ ନାହିଁ । ତା’ର ଥଟ୍ଟା ପରିହାସ କରିବା ଗୁଣକୁ କେହି ବଦଳେଇ ପାରିବେନାହିଁ । କାନ୍ତାର ମୋ ବ୍ୟାପାରରେ ହସ୍ତକ୍ଷେପ ଯେ ମୋତେ ନିଶ୍ଚୟ ଭୀଷଣ ଅସୁବିଧାରେ ପକାଇବ, ଏଥିରେ ସନ୍ଦେହ ନାହିଁ । କାହିଁକି କେଜାଣି ନାରାୟଣସ୍ଵାମୀଙ୍କ ପରିବାର ସହିତ ମୋର ସମ୍ପର୍କ ତା’କୁ ଭଲଲାଗେ ନାହିଁ ।

 

ତେଣୁ ମୁଁ ହିଁ ବନ୍ଧୁଙ୍କ ଘରକୁ ବାହାରିଲି । ବଗିଚାରେ ସେତେବେଳେ ଲଳିତା ଏକୁଟିଆ ବସିଥିଲା । ନାରାୟଣସ୍ଵାମୀ ନଥିଲେ । ମୁଁ ଯିବାକ୍ଷଣି, “ଆସନ୍ତୁ, ଏହିକ୍ଷଣି ମୁଁ ଆପଣଙ୍କ ‘ଗୋଟାଏ ଗୋଲାପ’ ପଢ଼ିଲି । ସେହି ଗୋଲାପରେ ଉଭୟ ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧ ରହିଛି । କିନ୍ତୁ...’’ ଅଧା କହି ବନ୍ଦକରିଦେଲା ଲଳିତା ।

 

“ମୁନିଆ କଣ୍ଟା ମଧ୍ୟ ଅଛି ।” —ମୁଁ କହିଲି ।

 

“ମୁଁ ଯାହା କହିଥାନ୍ତି ଆପଣ ତାହା କହିପକେଇଲେ ।”

 

ଜନ୍ମଦାତା ନିଜ ପିଲାଛୁଆଙ୍କ ସମ୍ପର୍କରେ ଅନ୍ୟଠାରୁ ଶୁଣିଲାବେଳେ ଅନ୍ୟସମସ୍ତଙ୍କୁ ଭୁଲିଯା’ନ୍ତି, ନୁହେଁ ? ମୁଁ ମଧ୍ୟ ସେମିତି । ମୋ ଗପଗୁଡ଼ିକୁ କେହି ପ୍ରଂଶସା କଲାବେଳେ କ୍ଷଣକପାଇଁ ମୁଁ ନିଜକୁ ଭୁଲିଯାଏ । ଆପଣମାନେ ଏଇଟାକୁ ସ୍ୱାଭାବିକ କଥା କିମ୍ବା ଲେଖକର ଦୁର୍ବଳତା ବୋଲି କହିପାରନ୍ତି । ସେତେବେଳେ ନାରାୟଣସ୍ଵାମୀଙ୍କ ସଂପର୍କରେ ଲଳିତାକୁ ପଚାରିବା ପୂରା ଭୁଲିଯାଇଥିଲା ।

 

“ଗୋଟାଏ ଗୋଲାପ’ର ନାୟିକା ଚିନ୍ତା କ’ଣ ତାହା ଜାଣେନାହିଁ । ତା’ ଠି ଥିଲା ଶିଶୁସୁଲଭ ଗୁଣାବଳୀ । ଛୋଟଛୁଆକୁ ଯେଉଁ କଣ୍ଢେଇ ଖୁବ୍ ଆକର୍ଷଣୀୟ ଦେଖାଯାଏ, ତାକୁ ସେ ହଠାତ୍ କେତେ ଭଲନପାଏ ? କେତେ ସ୍ନେହ ନକରେ ? କିନ୍ତୁ ସେହି ଭଲପାଇବା ବା ସ୍ନେହକରିବା ବେଶି ସମୟ ପର୍ଯ୍ୟନ୍ତ ରହେନାହିଁ, କ୍ଷଣସ୍ଥାୟୀ । ଠିକ୍ ଏହିପରି ‘ଗୋଟାଏ ଗୋଲାପ’ର ନାୟିକା ଜଣେ ଯୁବକ ଉପରେ ଅଜସ୍ର ସ୍ନେହ ଢାଳିଛି । ସେହି ସ୍ନେହ ଦେଇ ତାକୁ ସେ କ୍ରୀତଦାସ କରିଦେବା ତା’ର ଇଚ୍ଛା । କିନ୍ତୁ ଯୁବକ ଜଣକ ତାକୁ ଭଲପାଏ ନାହିଁ ।

 

“ଆପଣ ସବୁବେଳେ ନିଜ ବିଷୟରେ ଲେଖନ୍ତି...ନୁହେଁ ?”

 

“ନା, ସବୁବେଳେ ନୁହଁ,....କେତେବେଳେ କିମିତି । ମୋ ଚାରିପଟେ ଥିବା ଲୋକଙ୍କ ବିଷୟରେ, ଏପରିକି ମୁଁ ଯେଉଁମାନଙ୍କୁ ମୋଟେ ଜାଣେନା ସେମାନଙ୍କ ବିଷୟରେ ମଧ୍ୟ ଲେଖେ । ବିଭିନ୍ନ ମଣିଷର ବିଭିନ୍ନ ଚରିତ୍ର ସମ୍ପର୍କରେ ଜାଣିବା ମନୋଭାବ ଯାହାର ରହିଛି, ସେ ଯାହା ବିଷୟରେ ଇଚ୍ଛାକରିବ ତା’ ବିଷୟରେ ଲେଖିପାରିବ...ନୁହେଁ ?”

 

“ଏଇଟା କିନ୍ତୁ ଆପଣଙ୍କ ନିଜ ଗପ ।”

 

ମୁଁ ଚମକିପଡ଼ିଲି ।

 

“ଅନ୍ୟମାନେ ଆପଣଙ୍କ ଗପର ପାଖୁଡା ଏବଂ ସୁଗନ୍ଧ କେବଳ ଜାଣନ୍ତି—ମୁଁ ତା’ ମୁନିଆ କଣ୍ଟାକୁ ମଧ୍ୟ ଜାଣେ; କିନ୍ତୁ କାନ୍ତା...”

 

କାନ୍ତା ନାଁ ଶୁଣିବାକ୍ଷଣି ମୋ ଦେହରେ ଶିହରଣ ଖେଳିଗଲା ।

 

“କାନ୍ତା ଆପଣଙ୍କର ଗପର କେବଳ କଣ୍ଟାକୁ ଜାଣେ ।”

 

କିଛି ସମୟ ପାଇଁ ମୁଁ ଚୁପ୍‌ ରହିଲି ।

 

“ମୁଁ ଏମିତି କହିଲିବୋଲି ଆପଣଙ୍କୁ କଷ୍ଟଲାଗିଲା ?” —ପଚାରିଲା ।

 

“ନା, ମୋ ପରିସ୍ଥିତି ଆପଣ ଜାଣନ୍ତି ବୋଲି ମୁଁ ଭାବୁଛି ।”

 

“କାନ୍ତାକୁ ମୁଁ ବେଶ୍ ଭଲ ଜାଣେ । ସେ ସୁନା ଝିଅଟାଏ ।”

 

“ମୁଁ ତାକୁ ନିନ୍ଦା କରୁନି—କିନ୍ତୁ ମୋତେ ଲେଖାର ଖୋଳଭିତରେ ରହିଥିବା ଜଣେ ସାଧାରଣ ମଣିଷ ବୋଲି ସେ ଚିହ୍ନିପାରେ ନାହିଁ । ମୋ ଲେଖା ଯେଉଁମାନେ ପଢ଼ି ଉପଭୋଗ କରନ୍ତି, ସେମାନଙ୍କ ମଧ୍ୟରୁ କେତେଜଣ ମୋ ମନକଥା ଜାଣିପାରନ୍ତି ?”

 

“ହେଲେ ସୁଦ୍ଧା...”

 

“ଆପଣ କିପରି ଏସବୁ ଜାଣିପାରିଲେ ?”

 

“କାଲି ମଧ୍ୟ କାନ୍ତା ଏଠାକୁ ଆସିଥିଲା । ସବୁକଥା କହିଲା । ସେ ଆପଣଙ୍କୁ...”

 

ଦୀର୍ଘନିଃଶ୍ଵାସ ଛାଡ଼ିଲି ।

 

“ମୋ ଭଳି ଜଣେ ଝିଅ—ଏମିତିକା ବିଷୟବସ୍ତୁ ଆପଣଙ୍କୁ କହିବାକୁ ଅଡ଼ୁଆ ଅନୁଭବ କରୁଛି । ତେବେ ମୋ ସଙ୍ଗିନୀକୁ ମୁଁ ସାହାର୍ଯ୍ୟ କରିବାକୁ ଚାହେଁ । ଆପଣ ମୋତେ ଭୁଲ ବୁଝିବେ ନାହିଁ ବୋଲି ମୋର ବିଶ୍ଵାସ ।”

 

“ମୁଁ ବର୍ତ୍ତମାନ ବାହାହେବାକୁ ଚାହେଁନାହିଁ ।”

 

“ଯଦି ବର୍ତ୍ତମାନ ଚାହାଁନ୍ତିନି, ତେବେ ଆପଣଙ୍କ ପାଇଁ ସେ ଅପେକ୍ଷା କରିବ ।”

 

“ନା, ସେ ପାରିବନାହିଁ; ମୁଁ ମଧ୍ୟ ତା’ଠୁଁ ଏହା ଆଶା କରୁନାହିଁ । ଜଣେ ବଞ୍ଚିରହି ଅନ୍ୟକୁ ସନ୍ତୁଷ୍ଟ କରିବା ସଙ୍ଗେ ସଙ୍ଗେ ତା’ ନିଜର ଲକ୍ଷ୍ୟ ହାସଲ କରିବା ମଧ୍ୟ ଦରକାର ।”

 

“ଆପଣଙ୍କ ଭଳି କଳାକାର ପାଇଁ କ’ଣ ସେ ଉପଯୁକ୍ତ ପାତ୍ରୀ ନୁହେଁ ?”

 

କଳାର ବାହ୍ୟ ସୌନ୍ଦର୍ଯ୍ୟ ଦେଖି ଉପଭୋଗ କରିବା ନିମନ୍ତେ ଅନେକ ଆଗେଇଆସନ୍ତି-। ଆତ୍ମସନ୍ତୋଷ ଏବଂ ଆତ୍ମଗୌରବ ଦୃଷ୍ଟିରୁ କଳାକାର ସହିତ ବନ୍ଧୁତା ସ୍ଥାପନ କରିବାପାଇଁ ଇଚ୍ଛା କରିଥା’ନ୍ତି । କିନ୍ତୁ ସେ ଯେତେବେଳେ ଆଖିରୁ ଲୁହଗଡ଼ାଏ, ସେତେବେଳେ ତା’ପିଠିରେ ପଡ଼େ କିଏ-? ଜନତା ବିରୁଦ୍ଧରେ ମୁଁ କିଛି କହୁନାହିଁ । ପରିବେଷ୍ଟନୀ ସେମାନଙ୍କୁ ପ୍ରଭାବିତ କରିଥାଏ-।”

 

ଏତିକିବେଳେ ଲଳିତାର ମାଇଁଙ୍କ ଝିଅ ଲକ୍ଷ୍ମୀ ଦୌଡ଼ି ଦୌଡ଼ି ଆସି ପହଞ୍ଚିଲା । ଖୁବ୍ ବ୍ୟଗ୍ରତାର ସହିତ ଆମ ଦୁହିଁଙ୍କୁ ବାରମ୍ବାର ଚାହିଁ ଗୋଟାଏ କଡ଼ରେ ଯାଇ ବସିଲା । ତା’ର ସେହି ତୀକ୍ଷ୍‌ଣ ଏବଂ ଆତୁରତାମିଶା ଚାହାଣି ମୋତେ ହସେଇଥିଲା । ଗଛଡ଼ାଳରେ ବସି ଖାଲିଆଖିକୁ ଦେଖାଯାଉନଥିବା କ୍ଷୁଦ୍ରାଦପିକ୍ଷୁଦ୍ର କୀଟପତଙ୍ଗକୁ ଖୁମ୍ପିବାରେ ରତଥିବା କାଠହଣା ନଜର ଭଳି ଥିଲା ତା’ ନଜର ।

 

“କାହାନ୍ତି ସେ, ଦେଖା ଯାଉନାହାନ୍ତି ? କୁଆଡ଼େ ଯାଇଛନ୍ତି ନା କ’ଣ-?”-–ନାରାୟଣସ୍ଵାମୀଙ୍କ ବିଷୟରେ ପଚାରିଲି ।

 

“ଏଇ ଆସିଯିବେଣି—ତରତରହେଇ ଓକିଲଙ୍କ ସହିତ ବାହାରକୁ ଯାଇଛନ୍ତି । ଆପଣଙ୍କୁ ଅପେକ୍ଷା କରିବାପାଇଁ କହିଛନ୍ତି ।”

 

“ସେ ଆସିବା ପର୍ଯ୍ୟନ୍ତ କିଛି ଗୋଟାଏ ପଢ଼ିବା ଭାବି, ସେଠାରେ ଥିବା ପତ୍ରିକାଗୁଡ଼ାକ ଓଲଟାଇଲି ।

 

“ଆପଣ ଜଣେ ଭାବୁକ । ତାଙ୍କ ସମ୍ପର୍କରେ ଆପଣ କ’ଣ ଭାବନ୍ତି ?”

 

କଅଣ ବୋଲି ପ୍ରଶ୍ନଟିର ଉତ୍ତର ଦିଅନ୍ତି ? —‘ସେ ଭାରି ଉତ୍ତମ, କିନ୍ତୁ ଚପଳ ପ୍ରକୃତି—ବିଶିଷ୍ଟ; ତା’ ନହେଲେ ଏମିତିକା ପରିଣତ ବୟସରେ ପୁଣି ବିବାହ କରନ୍ତେ କାହିଁକି ?’—ଏହା କିମିତି କହିପାରନ୍ତି ?

 

ସେହି କଥାକୁ ଅନ୍ୟ ଶୈଳୀରେ କହିଲି—“ଭାରି ଉତ୍ତମ, ଯୁବକସୁଲଭ ମନୋଭାବ । ବନ୍ଧୁତା ସ୍ଥାପନା କରିବାପାଇଁ ତାଙ୍କ ଭଳି ଲୋକ ଖୁବ କ୍ଵଚିତ୍ ମିଳିବେ ।’’

 

“କେବଳ ସେ ବନ୍ଧୁତାପାଇଁ ତା ନୁହେଁ—ଜୀବନପାଇଁ ମଧ୍ୟ ।” ନ ଅଟକି ପୁଣି କହି ଚାଲିଲା—“ଆପଣ ବୁଝିପାରିଲେନି ନା କ’ଣ ? ସେ ମୋତେ ବିବାହ କରିବା ନିମନ୍ତେ ଯେତେବେଳେ ଇଚ୍ଛା ପ୍ରକାଶ କରିଥିଲେ ସେଥିରେ ମୁଁ ସଂପୂର୍ଣ୍ଣ ରାଜିହୋଇଥିଲି । ଆମର ବିବାହିତ ଜୀବନରେ କିଛି ଅଭାବ ଦେଖାଦେଇ ନାହିଁ । ଆମେ ଖୁବ୍ ଆନନ୍ଦରେ ଜୀବନଯାପନ କରୁଛୁଁ । ବିବାହପରେ ମୋର କେତେକ ସାଥୀ ମୋତେ ସାନ୍ତ୍ଵନା ଦେବାପାଇଁ ଆସିଥିଲେ । ମୁଁ ସେମାନଙ୍କୁ ଗାଳିଦେଇ ବାହାରକୁ ତଡ଼ିଦେଇଥିଲି !”

 

“ମୁଁ କିନ୍ତୁ ସେମିତି ଭାବିନାହିଁ; ମୋତେ ଗାଳିଦେଇ ତଡ଼ିଦେବେ ନାହିଁ ତ ?”

 

“ମୋ ପ୍ରତି ଦୟାଶୀଳ ନ ହେଇ ରହିଲେ...” କହି ହସିଲା ।

 

ତା’ ପ୍ରତି କିମିତି ବା ଦୟା ନ ଆସନ୍ତା ? ତା’ ମୁଖମଣ୍ଡଳରେ ଦୁଃଖର ଛାୟା ଦେଖିବା ପରେ ଏବଂ ନିଜେ ସ୍ଵଇଚ୍ଛାରେ ସ୍ପୃହାହୀନ ଜୀବନକୁ ବରଣ କରିଛି ବୋଲି ଅନୁଭବ କରିବା ପରେ ତା’ ପ୍ରତି ଦୟା ନ ଦେଖାଇ ରହିହବ ?

 

“ନିରାଡ଼ମ୍ବର ଜୀବନ ଯାହାକୁ କୁହାଯାଏ, ଆପଣଙ୍କର ସେଥିରେ ହିଁ ଟିକିଏ ବେଶି ସ୍ପୃହା ବୋଧେ ।” —ପଚାରିଲି ।

 

“ସ୍କୁଲରେ ପଢ଼ିଲାବେଳୁ ହିଁ ମୁଁ ଆଡ଼ମ୍ବରପ୍ରିୟ ନଥିଲି । ସେତେବେଳେ ତା’ ପାଇଁ ସୁବିଧା ସୁଯୋଗ ମଧ୍ୟ ନଥିଲା । ଏବେ ସୁବିଧା ସୁଯୋଗ ଅଛି—କିନ୍ତୁ ଆଗ୍ରହ ନାହିଁ ।”

 

ସେତିକିବେଳେ ମୋତେ ଶୋଷହେଲା ।

 

“ପାଣି ଗିଲାସେ ଆଣେ ଲକ୍ଷ୍ମୀ !” —ବୋଲି ପାଖରେ ବସିଥିବା ଝିଅକୁ କହିଲି ।

 

ସେ ଉଠି ଦୌଡ଼ି ଦୌଡ଼ି ଡେଇଁ ଡେଇଁ ଯାଇ ରାସ୍ତାତମାମ୍ ପାଣିପକାଇ ତାର ସେହି କୋମଳ ହାତରେ ମୋତେ ପାଣିଗିଲାସଟା ବଢ଼େଇଦେବ ବୋଲି ଆଶା କରିଥିଲି । କିନ୍ତୁ ବସିବା ଜାଗାରୁ ସେ ଉଠିନଥିଲା । ଉଁ ହୁଁ—କହି ମୁଣ୍ଡ ହଲାଇ ମନାକଲା ।

 

“ଦୁଷ୍ଟପିଲା ! ଯେତେବେଳେ ଯାହା କହିଲେ ତ ଶୁଣେ—ଆଜି ତା’ର କ’ଣ ହେଇଛି କେଜାଣି !’’ କହି ଳଳିତା ନିଜେ ଉଠିଲା ।

 

ଝିଅଟି କହିଲା—‘‘ମାଆ ହିଁ ମୋତେ ଏଠି ବସି ରହିବାପାଇଁ କହିଛି । ତମେମାନେ କ’ଣ କଥାବାର୍ତ୍ତା କରୁଛ, ଶୁଣିବାପାଇଁ ପଠେଇଛି ।”

 

ଲଳିତା ଆଉ ଅଧିକା କହିବାପାଇଁ ତାକୁ ଦେଲାନାହିଁ । ରାଗରେ ତାର ହାତଧରି ଭିତରକୁ ଟାଣି ନେଇଗଲା । ରୋଷେଇଘରୁ ଲଳିତାର ପାଟି ବେଶି ଶୁଭିଲା । କିନ୍ତୁ ପରମୁହୂର୍ତ୍ତରେ ଗିଲାସ ଧରି ହସି ହସି ଆସିଥିଲା ସେ । ପାଣି ପରିବର୍ତ୍ତେ ଆଣିଥିଲା ବରଫପକା ସରବତ୍ ।

 

“ମୁଁ ତ ପାଣି କେବଳ ମାଗିଥିଲି ।”

 

“ଏହି ଦୁଇମିନିଟ୍‌ରେ ଏ ଜାଗାଟା ବେଶି ଗରମ ହେଇଗଲା କି ନା ?”

 

ସେ ହସିବାକୁ ଚେଷ୍ଟାକଲା—ମୁଁ ମଧ୍ୟ—କିନ୍ତୁ କେହି ପାରିନଥିଲୁ ।

 

ଅଧିକ ଉତ୍ସାହର ସହିତ ବିଭିନ୍ନ କବି ତଥା କବିତା ବିଷୟରେ ଗପିବାକୁ ଆରମ୍ଭ କଲା ଲଳିତା । ଗାଳ୍ପିକ, ଚିତ୍ରତାରକା, ରାଜନୀତିଜ୍ଞ, ପୃଥିବୀ ମହାସମର ପ୍ରଭୃତି ବିଷୟରେ ଗପି ଯେକୌଣସି ଗୋଟାକରେ ମୋ ମନକୁ ନିମଜ୍ଜିତ କରିବାପାଇଁ ଚେଷ୍ଟାକଲା । ମୁଁ ମଧ୍ୟ ତା ଶ୍ରମକୁ ଉପଲବ୍‍ଧି କରି ସେ ଯାହା କହୁଥାଏ, ସେଥିରେ ମୋର ସ୍ପୃହା ଯେମିତି ଜନ୍ମିବ, ଚେଷ୍ଟାକଲି । ତଥାପି ଆମର ଏହି ଛୁପାଛୁପି ଖେଳ ଉଭୟଙ୍କ ପାଇଁ ଅଛପା ରହିନଥିଲା ।

 

ସେତେବେଳେ ପଛପଟୁ କାହା ସ୍ଵର ଶୁଭିଲା—“ସଂପାଦକ ମହାଶୟ, ନମସ୍କାର ।”

 

ବୁଲି ଦେଖିଲି । ହାତ ପାପୁଲି ଦୁଇଟା ନମିଶାଇ ନମସ୍କାର କରିଥିଲା । ଆଖିରେ ତା’ର ଥିଲା ଅଟ୍ଟହାସ୍ୟର ଚିହ୍ନ ।

 

“ନମସ୍କାର—ବସନ୍ତୁ ।” କହିଲି ।

 

“ଭାଇଙ୍କି ଆପଣ ଆଗରୁ ଜାଣନ୍ତି ନା କ’ଣ ?” ପଚାରିଲା ଲଳିତା ।

 

“ଜାଣେ—ମାତ୍ର ଦିନକର ସାକ୍ଷାତ ।”

 

“ସହସଂପାଦକ ଭଲଅଛନ୍ତି ?” —ସେଦୁରାମ ପଚାରିଲା । ମୋ ଅପେକ୍ଷା ସହସମ୍ପାଦକଙ୍କ ଉପରେ ତା’ର ଟିକିଏ ବେଶି ରାଗ ।

 

“ଭଲଅଛନ୍ତି ।”

 

“ମୋ ଗପଗୁଡ଼ାକ କେବଳ ୟାଙ୍କରି ପତ୍ରିକା ପାଇଁ କୁଆଡ଼େ ଉପଯୁକ୍ତ ନୁହଁ ।” —କହିଲା ସେ ଲଳିତାକୁ ଚାହିଁ ।

 

“ତୁମେ କ’ଣ ଗପ ମଧ୍ୟ ଲେଖ ଭାଇ ?”

 

“କାହିଁକି—ଲେଖିବା କ’ଣ ଅନୁଚିତ ?”

 

“ପଢ଼ିବାପାଇଁ ତ ପୁଣି ପାଠକ ଦରକାର ।” —କହି ହସିଲା ଲଳିତା ।

 

ପଢ଼ିବାପାଇଁ କେବଳ ପାଠକ ହେଇଗଲେ ଯଥେଷ୍ଟ ନୁହଁ—ପଢ଼ିସାରି ଯେମିତି ହସିବେ ସେ ଭଳିଆ ପାଠକଙ୍କୁ ମୁଁ ଖୋଜୁଛି ।”

 

“ରାଗିଗଲ ଭାଇ ?”

 

“ମୁଁ କାହିଁକି ରାଗିବି ! ମୋ ଗପ ପଢ଼ି ତୁମେ ନରାଗି ରହିଲେ ହେଲା ।”

 

“କିଛି ବୁଝିପାରୁନି ।”

 

“ବର୍ତ୍ତମାନ ବୁଝିପାରିବୁନି । ମୁଁ ୟାଙ୍କ ଭଳି କାଳ୍ପନିକ ଗପ ଲେଖେନି—ବାସ୍ତବ ଘଟଣା ହିଁ ଲେଖିଜାଣେ ।”

 

ମୁଁ ତାକୁ ଭଲଭାବେ ଲକ୍ଷ୍ୟକଲି । ସେ ମଧ୍ୟ ମୋତେ ଚାହିଁଲା । ସେ ଚାହାଁଣିରେ ଥିଲା ପ୍ରବଞ୍ଚନା ।

 

“ଇଏ ମୋର କିମିତି ସମ୍ପର୍କୀୟ କହିନି, ନା ? ମୋ ମାଈଁଙ୍କ ଭଉଣୀଙ୍କ ପୁଅ ।”

 

କାହିଁକି କେଜାଣି ସେଠାରେ ରହିବାପାଇଁ ମୋର ଆଉ ଇଛା ହେଉନାହିଁ । ଫେରିବା ପାଇଁ ଉଠିଲି ।

 

“ସେ ଆସୁଥିବେ—ଆସିସାରିବା ପରେ ଆପଣ ଚାଲିଯିବେ ।” —ଲଳିତା କହିଲା ।

 

ମୁଁ ଆସିବାରୁ ସଂପାଦକ ମହାଶୟଙ୍କର ଯଦି ଅସୁବିଧା ହେଇଛି ତେବେ ମୁଁ ହିଁ ଚାଲିଯାଉଛି ।” —ସେଦୁରାମ କହିଲା ।

 

ୟା’ରି ଭିତରେ ଆଉ ଜଣେ ଝିଅ ଆସି ପହଞ୍ଚିଲା ସେଠାରେ । ଖ୍ରୀଷ୍ଟାବ୍ଦ ୧୦୦୦ ବେଳକୁ ଆମେରିକାର ଅଭିନେତ୍ରୀମାନେ ଯେଉଁ ପୋଷାକ ପିନ୍ଧିଥାଆନ୍ତେ, ତାହା କିମିତି କେଜାଣି ଜାଣିଦେଇପାରି, ଆଗରୁ ସେହି ବେଶଭୂଷା, ସେହି ସଭ୍ୟତାକୁ ସେ ଝିଅଟି ନିମନ୍ତ୍ରଣ କରିଥିଲା ନିଜ ନିକଟକୁ ! ମୁଁ ସେଠାକୁ ଯାଇଥିବା ଶୁଣି ମୋତେ କୁଆଡ଼େ ଦେଖାକରିବା ନିମନ୍ତେ ଆସିଥିଲା ସେ । ଲଳିତାର ସ୍କୁଲ-ସାଥୀ । ବର୍ତ୍ତମାନ କଲେଜରେ ପଢ଼େ । ନାଆଁ ମାଳତୀ ।

 

‘‘ଆପଣ ଖୁବ୍ ବଢ଼ିଆ ଲେଖନ୍ତି ସାର୍ !” ବୋଲି ଆରମ୍ଭକରି ସେ ପଢିଥିବା ଇଂରାଜୀ ଉପନ୍ୟାସ ଏବଂ ଡିଟେକ୍ଟିଭ୍ ଗୁଡ଼ିକର ଏକ ତାଲିକା ଗାଇଗଲା । ତା କଥାରେ ସୁଦ୍ଧା ମୋର କୌଣସି କ୍ଷୁଦ୍ରଗଳ୍ପ କିମ୍ବା ଉପନ୍ୟାସ ସ୍ଥାନ ପାଇନଥିଲା । ଅଧଘଣ୍ଟା ସମୟ ଭିତରେ ଚାରିଆଡ଼େ ତା’ ଆଖି ଯୋଡ଼ିକ ମୋଟ ଉପରେ ପ୍ରାୟ ପଚାଶଥର ଘୂରିଥିବ । ପରିହିତ ପୋଷାକର ଧଡ଼ିଅଂଶକୁ ଦାନ୍ତରେ ଧରି ଚୋବାଉଥାଏ । ଚୌକିରେ ବସିବାବେଳେ ବଦଳେଇ ବଦଳେଇ ପ୍ରାୟ କୋଡ଼ିଏ ପ୍ରକାର ଢଙ୍ଗରେ ବସିଥିବ । ସେଦୁରାମ ଚକ୍ଷୁ ଫେରାଇ ନଆଣି ତାକୁ ହିଁ ଚାହିଁରହିଥିଲା ।

 

ଖୁବ୍ କମ୍ ସମୟ ଭିତରେ ତା’ ପୁଅ ଝିଅ ସାଙ୍ଗ, ବଂଶମର୍ଯ୍ୟାଦା, ଧନସମ୍ପତ୍ତି, ଭବିଷ୍ୟତ କାର୍ଯ୍ୟପନ୍ଥା ପ୍ରଭୃତି ସଂପର୍କରେ ଜାଣିପାରିଥିଲି । ତା’ କଥାରୁ ବାରମ୍ବାର ତା’ର ପୁଅ ସାଙ୍ଗମାନଙ୍କ ବିଷୟରେ ଶୁଣିବାକୁ ପାଇଥିଲି । ସେ କୁଆଡ଼େ ଅନେକ ଅଭିନେତା, ରାଜନୀତିଜ୍ଞ ତଥା ବାଗ୍ମୀଙ୍କ ବିଷୟରେ ଜାଣେ ।

 

ପ୍ରଥମ ପାଞ୍ଚମିନିଟ୍ ତା’ କଥା କମ୍ସେକମ୍‍ ଶୁଣିପାରିଲି । ପରବର୍ତ୍ତୀ ପାଞ୍ଚମିନିଟ୍ ସହ୍ୟକରିପାରିଲି । ତାପରେ ଆରମ୍ଭ ହୋଇଗଲା ମୁଣ୍ଡବ୍ୟଥା । ହେ ଭଗବାନ୍ ! କେଉଁ ହତଭାଗା ୟା’ରି ସ୍ଵାମୀ ହେବା ସୁଯୋଗ ପାଇବ କେଜାଣି ! ଝିଅମାନଙ୍କ ଅଗ୍ରସରତା ପାଇଁ ମୋର ପୂର୍ଣ୍ଣ ସମର୍ଥନ ରହିଛି; ତେବେ ଏମିତିକା ‘ପାଗଳାମିକୁ’ ଯଦି ‘ଅଗ୍ରସରତା’ କୁହାଯାଏ, ତାହା ଧ୍ଵଂସପ୍ରାପ୍ତ ହେବ ।

 

ଠିକ୍ ସମୟରେ ନାରାୟଣସ୍ଵାମୀ ପହଞ୍ଚି ତା’ କବଳରୁ ମୋତେ ରକ୍ଷାକଲେ । ସେ କହିଲେ—“ଫେରିବା ବେଳେ ଆପଣଙ୍କ ଅଫିସ୍ ଦେଇ ହିଁ ଫେରିଲି ।”

 

ତାଙ୍କର ମୋ ପ୍ରତି ଗଭୀର ମମତା ଥିଲା ।

 

କାନ୍ତାର ବାପା ରାମଲିଙ୍ଗମ୍ ବାବୁଙ୍କ ସମ୍ପର୍କରେ କହିବା ପାଇଁ ବର୍ତ୍ତମାନ ସମୟ ଆସିଛି-। କେତେକ ବର୍ଷ ଆଗରୁ ‘ସ୍ଵର୍ଣ୍ଣପଦ୍ମ’ ପତ୍ରିକା ପ୍ରକାଶ କରିବାକୁ ଗଲାବେଳେ ସେ ଯଦିଓ ଖୁବ୍ କମ୍ ସୁବିଧା ପାଇଥିଲେ ତଥାପି ନିଜର ଆତ୍ମବିଶ୍ଵାସବଳରେ ଓ ତାମିଲ୍ ଭାଷୀଙ୍କ ପ୍ରେରଣାରେ ତାହାକୁ ଆରମ୍ଭକରିପାରିଥିଲେ । ଦୁଃଖକଷ୍ଟ ସହ୍ୟକରି ଓ ବହୁଶ୍ରମ ସ୍ଵୀକାରକରି ପତ୍ରିକାକୁ ଭଲ ଅବସ୍ଥାକୁ ଆଣି ପ୍ରତିଷ୍ଠିତ କରିପାରିଥିଲେ । ଯଶଖ୍ୟାତି ତାଙ୍କୁ ଖୋଜି ଖୋଜି ତାଙ୍କ ନିକଟକୁ ଆସିଥିଲା-। କେବଳ ଧନସଂପତ୍ତି ଆତ୍ମଗୋପନ କଲା, ପତ୍ରିକା ଉପରେ ନିର୍ଭର କଲେ ଭୋକ ଉପବାସରେ ହିଁ ରହିବାକୁ ହେବ—ଏହା ଉପଲବ୍‌ଧି କରି ପତ୍ରିକା ଯୋଗୁଁ ସେ ଯେଉଁ ପ୍ରଭାବ ଓ ଖ୍ୟାତି ପାଇଥିଲେ, ତାକୁ ସେ ଅର୍ଥୋପାର୍ଜନ ଦିଗରେ ପରିଚାଳନା କଲେ । ସେ ଅନେକ କମ୍ପାନୀର ଅଂଶୀଦାର ହୋଇ, ସେଗୁଡ଼ିକୁ ଧ୍ୱଂସାଭିମୁଖରେ ପରିଚାଳିତ କରି ନିଜକୁ କୁବେର କରି ଗଢ଼ିଲେ ।

 

ପତ୍ରିକାର ସମ୍ପାଦନା ଦାୟିତ୍ୱ ମୁଁ ଗ୍ରହଣ କରିବା ପରଠାରୁ ମୋ କଥାରେ କେବେହେଲେ ସେ ହସ୍ତକ୍ଷେପ କରିନଥିଲେ । ଲେଖକମାନଙ୍କୁ ଅଧିକା ସମ୍ମାନ ଓ ଅର୍ଥ ଦେବାର ମୁଁ କୁଆଡ଼େ ବେଶି ସପକ୍ଷରେ ବୋଲି ସେ ସବୁବେଳେ ସୁଚାଇଥା’ନ୍ତି । କହନ୍ତି —‘ ଆମ ପତ୍ରିକାର ପାହ୍ୟାପାଇଁ ଏଇତକ କ’ଣ ଯଥେଷ୍ଟ ହେଇନାହିଁ ?’

 

ମୁଁ କହେ—“ଆମ ପତ୍ରିକା ଉଚ୍ଚକୋଟୀର ହେବାପାଇଁ ସେମାନଙ୍କ ଗଳ୍ପ ନିହାତି ଦରକାର । କିନ୍ତୁ ସେମାନଙ୍କୁ ଆମେ ଯାହା ଦେଉଁ ତାହା ନିତାନ୍ତ କମ୍ ।”

 

“ଅନ୍ୟ ପତ୍ରିକାରୁ ତ ସେମାନେ ଢେର୍ କମ୍ ପାଆନ୍ତି ।”

 

“ସେଗୁଡ଼ିକର ଲେଖା ବି ସେହି ସ୍ତରର; ଶୁଖିଲା ଭୂମିରେ କଣ ଉତ୍ତମ ଚାଷ ସମ୍ଭବ ? ଲେଖକମାନଙ୍କୁ ବେଶ୍ ଠକି, ସାହିତ୍ୟର ଉନ୍ନତି ହୋଇପାରିଲା ନାହିଁ ବୋଲି ସ୍ୱର ଉତ୍ତୋଳନ କରିବା ପ୍ରୟୋଜନ କଣ ?”

 

ରାମଲିଙ୍ଗମ୍‍ବାବୁ ଭାବନ୍ତି, ମୁଁ ମଧ୍ୟ ଚିନ୍ତା କରେ । ପ୍ରେସ୍‌ର ତଳିଆ କର୍ମଚାରୀଙ୍କ ମଜୁରି ଯଦି ନିଅଣ୍ଟ ହୁଏ ତେବେ ସେମାନେ ଧର୍ମଘଟ ଆରମ୍ଭ କରିଦିଅନ୍ତି; କାଗଜ ବ୍ୟବସାୟୀ ଯଦି ପଇସା ପାଇନାହିଁ, ସେ ଖୋଦ୍ ମାଲିକଙ୍କୁ ବ୍ୟାଙ୍କ୍‍ରେ ବନ୍ଧକ ପକାଇଦିଏ; କିନ୍ତୁ ଜଣେ ମାତ୍ର—ନା ପ୍ରେସ୍‌ର କ୍ଷତି ଘଟାଇପାରେ ନା ମାଲିକଙ୍କୁ ଅସୁବିଧାରେ ପକେଇପାରେ—ସେ ହେଉଛି ଲେଖକ ବାପୁଡ଼ା ।

 

ଚିତ୍ରକାର ଏକମାସରେ ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିପାରେ; ସଙ୍ଗୀତକାର କେତେଟା ଗୀତକୁ ବିଭିନ୍ନ ମଞ୍ଚରେ ପରିବେଷଣ କରି ଅର୍ଥୋପାର୍ଜନ କରିପାରେ; ଅଭିନେତା ଅଭିନେତ୍ରୀମାନେ—ସେମାନେ କେଉଁ ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି ଜାଣିନଥିଲେ ମଧ୍ୟ ପୋଷାକ-ପରିଚ୍ଛଦ ପରିବର୍ତ୍ତନ କରିଦେଲେ ଯଥେଷ୍ଟ । କିନ୍ତୁ ଲେଖକ ପ୍ରତ୍ୟେକ କ୍ଷୁଦ୍ର ଗଳ୍ପରେ ନୂଆ ନୂଆ ଚିନ୍ତାଧାରା, ଘଟଣାବଳୀ ସନ୍ନିବେଶ କରିବା ନିହାତି ଦରକାର । ଗୋଟାଏ ମାସରେ ଦଶଟି ନୂଆ ଗଳ୍ପ, ନୂଆ ଢାଞ୍ଚାରେ କ’ଣ ସମ୍ଭବ ? ଯଦିବା କିଏ ସେମିତି ଲେଖିପାରେ ତେବେ ସେ ଏ ଦେଶରେ ତା’ ଲେଖାକୁ ନେଇ ଜୀବନ ଧରି ବଞ୍ଚିପାରିବ ତ ?

 

ରାମଲିଙ୍ଗମ୍‌ବାବୁ‌ଙ୍କୁ ଏହିସବୁ କଥା ବୁଝେଇ କହେ । ସେ ଉଁ–ଚୁଁ ନ କରି, “ଠିକ୍ ଅଛି, ଆପଣଙ୍କ ଇଚ୍ଛା” ବୋଲି ଆସ୍ତେ କହି ସେଠୁ ଉଠି ଚାଲିଯାଆନ୍ତି ।

 

ଆଜି ସୁଦ୍ଧା କାନ୍ତାର ମୋ ସହିତ ମିଳାମିଶା ଓ ଢଙ୍ଗଢ଼ାଙ୍ଗ ତାଙ୍କର ଅଜଣା ନଥିବ । କାନ୍ତା ନିଜ ମନର ଆବେଗକୁ ଲୁଚେଇ ପାରେନାହିଁ । ସେ ଏକ ଅମାୟିକ ଝିଅ ବୋଲି ତା’ ବିଷୟରେ ଆଗରୁ କହିଛି । କିଏ ଜାଣିଛି—ହୁଏତ ସେ ନିଜେ ତା’ ବାପାଙ୍କୁ କହିଥିବ—“ମୁଁ ତାଙ୍କୁ ବିବାହ କରିବାକୁ ଯାଉଛି ।” ମୋ ସହିତ ତାର ବାହାଘର ପ୍ରସଙ୍ଗରେ ରାମଲିଙ୍ଗମ୍ ବାବୁ ମୋଟେ ବାଧା ଦେବେନାହିଁ । କେବଳ ଯେ ସେତିକି ତା’ ନୁହେଁ, କାନ୍ତା ଯାହା କହେ ତାହାହିଁ ତାଙ୍କ ଘରର କାନୁନ୍ । ସେ ତା’ କଥାକୁ ଏଡ଼ିଦେଇ ପାରନ୍ତିନାହିଁ । ତା’ଛଡ଼ା ଜ୍ଵାଇଁ କରିନେଲେ ମୋତେ ଦରମା ଦେବା ଶ୍ରମରୁ ସେ ବଞ୍ଚିତ ହେବେ । ଅନ୍ୟ ପକ୍ଷରେ ପତ୍ରିକା ମୋ ନିଜସ୍ଵ ହେଇଯିବା ଫଳରେ ମୁଁ ମଧ୍ୟ ଲେଖକମାନଙ୍କୁ ଯଥେଷ୍ଟ ଅର୍ଥ ଦେଇ ଧନସମ୍ପତ୍ତିର ଅପବ୍ୟବହାର କରିବିନାହିଁ—ଏଇଆ ସେ ଭାବିଥାଇପାରନ୍ତି ।

 

ସକାଳଟାରେ ମୁଁ ମୋ କୋଠରିରେ ଏକୁଟିଆ ବସିଥିଲି । ସ୍ଵାମୀନାଥ କୁଆଡ଼େ କେଜାଣି ଯାଇଥିଲା । ବିନା ଶବ୍ଦରେ କବାଟ ଖୋଲିଗଲା । କାନ୍ତା କୁଣ୍ଠାର ସହିତ ଠିଆହୋଇ ରହିଥାଏ । ତାକୁ ଡାକି ବସିବାକୁ କହିଲି । ସାମନା ଚୌକିରେ ବସିଲା ସେ ।

 

“ଆପଣଙ୍କୁ ଗୋଟାଏ କଥା ପଚାରିବି, ଠିକ୍ ଉତ୍ତର ଦେବେ ତ ?”

 

ହଠାତ୍ ଏମିତି ପଚାରିବାରୁ ଚମକିପଡ଼ିଲି । ମୋତେ ସେ ପ୍ରଶ୍ନବାଣରେ ବିଦ୍ଧ କରିବାକୁ ଆସିଛି ବୋଲି ବୁଝିପାରିଲି । ନିରୁତ୍ତର ରହି ତା’ ମୁହଁକୁ ଭଲଭାବେ ଲକ୍ଷ୍ୟକଲି ।

 

“ଆପଣ ଅନ୍ୟ କାହାକୁ ସ୍ନେହ କରନ୍ତି କି ?”

 

“ସ୍ନେହ ଏପରି ଏକ ଜିନିଷ ଯେ ତାହାକୁ ନିର୍ଦ୍ଧିଷ୍ଟ ସୀମା ଭିତରେ ବାନ୍ଧି ରଖି ହୁଏନାହିଁ । ମୁଁ ଅନେକଙ୍କୁ ସ୍ନେହକରେ । ତେବେ ତୁ ପଚାରିବା ଢଙ୍ଗରେ—ମୁଁ କାହାକୁ ହେଲେ ପ୍ରେମ କରୁନାହିଁ-।”

 

“ସତେ ନା ?”

 

“ହଁ ।”

 

“ମିଛ । ମୋତେ ଲୁଚାଉଛନ୍ତି କାହିଁକି ? ଆପଣଙ୍କ ସ୍ନେହ ବିଚିତ୍ର ଧରଣର—ମୁଁ ଜାଣେ-। ମାନସମ୍ମାନକୁ ତ ଭୁଲିଛନ୍ତି, ମୋ ସ୍ନେହକୁ ବା ଆପଣ କିପରି ହୃଦୟଙ୍ଗମ କରିପାରନ୍ତେ ? ଆପଣ ସେହି ଲଳିତାକୁ....’’

 

“ଚାଲିଯା ବାହାରକୁ”—ବୋଲି ଚିତ୍କାର କଲି । କିନ୍ତୁ ସେ ଗଲାନାହିଁ ।

 

ପାଞ୍ଚମିନିଟ ବିତିଲା । ରାଗରେ ଜଳୁଥିବା ମୋ ମନ ତା’ର ଲୁହଧାର ଦେଖି ଥଣ୍ଡା ପଡ଼ିଲା ।

 

“କାନ୍ତା ! ତୋ ନିକଟରେ ମୁଁ ବିଶ୍ଵାସ ଜନ୍ମେଇ ପାରୁନାହିଁ । କିନ୍ତୁ ଗୋଟାଏ କଥା ତୋର ଭଲରୂପେ ବୁଝିବା ଦରକାର । ସ୍ନେହ ଗୋଟାଏ ଜିନିଷ ଏବଂ ଆଶା ଅନ୍ୟ ଏକ ଅଲଗା ଜିନିଷ ।”

 

“ମୋତେ କ୍ଷମା କରନ୍ତୁ । ଏହା କିନ୍ତୁ ନିହାତି ସତ ଯେ ଆପଣ ହୃଦୟହୀନ । ଆପଣ ଯାହାସବୁ ଲେଖନ୍ତି, ଅନ୍ୟମାନଙ୍କୁ କେବଳ ଠକିବାପାଇଁ ।”

 

“କଳାକାର କିମ୍ବା କୌଣସି ଆଦର୍ଶବାନ୍ ପୁରୁଷକୁ ବିବାହ କଲେ ତୋ ଭଳି ଝିଅ ଆଶାନୁରୂପ ତୃପ୍ତି ପାଇପାରିବ ନାହିଁ । ମୋ ବାହାଘର ମୁଁ କିଛିଦିନ ଘୁଞ୍ଚାଇ ଦେବାକୁ ଚାହେଁ ।”

 

“ଦାୟିତ୍ଵ ବହନ କରିବାପାଇଁ ଆପଣଙ୍କର ସାହାସ ନାହିଁ, ଆପଣ କାପୁରୁଷ !”

 

“କାପୁରୁଷ କହ କିମ୍ବା କଳାପାଇଁ ପାଗଳ କହ—ଠିକ୍ କଥା ।”

 

“ଭବିଷ୍ୟତରେ ଆପଣ କ’ଣ କରିବାକୁ ଯାଉଛନ୍ତି ?”

“ଲୋକଙ୍କ ଦୁଃଖ–କଷ୍ଟ ଦୂର କରିବାପାଇଁ ମୋ ଲେଖାକୁ ଅସ୍ତ୍ରରୂପେ ପ୍ରସ୍ତୁତ କରିବି । ସାମାଜିକ ବିପ୍ଳବ ସୃଷ୍ଟି କରିବାପାଇଁ ହୁଏତ ମୋ ଲେଖା ଅସମର୍ଥ ହୋଇପାରେ; ତେବେ ସମାଜରେ ଥିବା ଏହି ଉତ୍ତପ୍ତ ବାତାବରଣକୁ ଅନ୍ତତଃ ଶାନ୍ତ କରିପାରିବ ତ ! ଛୋଟ ଛୋଟ ଗଳ୍ପ ମାଧ୍ୟମରେ କର୍ମଠ ହେବାପାଇଁ ଲୋକଙ୍କ ମନରେ ଯଦି ପ୍ରୋତ୍ସାହ ତଥା ଚେତନା ଜନ୍ମେଇପାରିଲି ତାହା କ’ଣ ଜନସେବା ନୁହଁ ?’’

 

“ଲେଖନ୍ତୁ ନାହିଁ ବୋଲି ମୁଁ କଅଣ ଆପଣଙ୍କ ହାତ ଧରିପକେଇବି ?”

 

“ପ୍ରଥମ ଦେଖାରେ ହିଁ ମୁଁ ତୋତେ ଭଉଣୀ ବୋଲି ଭାବିନେଇଛି । ଏହା ବ୍ୟତୀତ ଅନ୍ୟ କୌଣସି ଦୃଷ୍ଟିକୋଣରେ ତୋତେ ମୁଁ ଯଦି ଗ୍ରହଣକରେ ତେବେ ତାହା ମୋ ପକ୍ଷେ ଦୋଷାବହ ହେବ ।”

 

“ଆପଣ ସ୍ୱାର୍ଥପର ।”

 

“ପ୍ରେମ କରିବା କଅଣ ସ୍ୱାର୍ଥପରତା ?”

 

“ସତ କହନ୍ତୁ—ଆଗରୁ ଆପଣ ଆଉ କହାକୁ ପ୍ରେମକରି ତାକୁ ହରେଇଛନ୍ତି କି ?”

 

ସେ ନିଜ ମନକୁ ପରିବର୍ତ୍ତନ କରିବାକୁ ଯାଉଥିବା ଅନୁଭବ କଲି । ସେ ତାହା ପୂରା ପରିବର୍ତ୍ତନ କରିବାପାଇଁ ହେଲେ ମୋତେ ସେହିଭଳିଆ କିଛି ନା କିଛି କହିବାକୁ ହିଁ ପଡ଼ିବ । ‘ଆଜିସୁଦ୍ଧା ମୁଁ କାହାକୁ ପ୍ରେମ କରିନାହିଁ, ‘କାହାକୁ ହରେଇ ବସିନି’, ‘ପ୍ରଥମ ଦେଖାରେ ପ୍ରେମ’, ‘ନ ଦେଖି ମଧ୍ୟ ପ୍ରେମ’, ‘ପ୍ରଥମ ପ୍ରେମ’ ପ୍ରଭୃତି ଆକର୍ଷଣପୂର୍ଣ୍ଣ ଉକ୍ତିରେ ମୋର ମୋଟେ ବିଶ୍ୱାସ ନାହିଁ । ପ୍ରେମ ଯଦି ଏତେ ଶସ୍ତା ହୋଇଯାଏ, ତେବେ ପୃଥିବୀରେ କିଏ ଅନ୍ୟ କାହାକୁ ପ୍ରେମ କରିବେନାହିଁ-। ଏହା ଯଦି ସହଜଲଭ୍ୟ ହୁଅନ୍ତା, ତେବେ କିଏବା କାହିଁକି ଏଥିରେ ଏତେ ସ୍ପୃହା ଦେଖାନ୍ତା ? ମୁଁ ତ ପ୍ରେମମୂଳକ ଗପ ଲେଖେ—ତାକୁ ସନ୍ତୁଷ୍ଟ କରିବାପାଇଁ ସେହିକ୍ଷଣି ଦୁଇଟା ମିଛ ଗପ କଳ୍ପନା କଲି-। କଥାରେ ଅଛି—‘ହଜାରେ ମିଛ ଗୋଟିଏ ବାହାଘର ସଂଘଟିତ କରିବା ଉଚିତ-।’ ତେଣୁ ‘ଦଶହଜାର ମିଛ କହି ଗୋଟାଏ ବହାଘରୁ ଖସିବା ମଧ୍ୟ ଉଚିତ’—ଏହା ବି ଯେ ଏକ ସତ୍ୟ, କାହିଁକି ନ ଭାବିବି ?

 

ଗପଟିକୁ କହିଲି—

 

“ସର୍ବପ୍ରଥମେ ମୁଁ ଜଣେ ଜମିଦାରଙ୍କ ଝିଅକୁ ଭଲପାଇଥିଲି । ଠିକଣା ସମୟରେ ଜମିଦାର ଜାଣିବା ପୂର୍ବରୁ ଆମର ପ୍ରେମ ସମ୍ପର୍କ ଭାଙ୍ଗିଗଲା । ଯଦି ସେ ଜାଣି ପାରନ୍ତେ ତେବେ ମୋ ମୁଣ୍ତ କାଟି ତାଙ୍କ ଶିକାରୀ କୁକୁର ମୁହଁରେ ଫିଙ୍ଗି ଦେଇଥାନ୍ତେ ।’’

 

“କିମିତି ତାହା ଭାଙ୍ଗିଗଲା ?”

 

“ମୋତେ ସେ କୋଟ୍‌ସୁଟ୍ ପିନ୍ଧିବାକୁ କହିଲା । ମୁଁ କହିଲି, ସାର୍ଟ ଓ ଧୋତି କେବଳ; ଏତିକିମାତ୍ର ଘଟଣା ।”

 

“ତା’ ପାଇଁ ବୋଲି ଆପଣଙ୍କ ଜୀବନ ଯାଇଥାନ୍ତା; ଠିକ୍ ସମୟରେ ଖସିଗଲେ ।”

 

ତାହା ଭାବିଲେ ହସମାଡ଼େ । କେତେକ ବଡ଼ବଡ଼ିଆଙ୍କ ଘରେ ପୋଷକ-ପରିଚ୍ଛଦକୁ ଯେଉଁ ପାହ୍ୟା ଦେଇଥାନ୍ତି, ପ୍ରେମକୁ ମଧ୍ୟ ସେହି ପାହ୍ୟା, ସେହି ମୂଲ୍ୟ, ସେହି ସମ୍ମାନ ଦେଇଥାନ୍ତି । ଇସ୍ତ୍ରୀକରା ପୋଷାକ ଚକ୍‌ଚକ୍ କରେ; ପରେ ତା’ ଉପରେ ଭାଙ୍ଗ ବସିଯାଏ; ମଇଳା ହୁଏ, ଚିରିଯାଏ ବି—ତା’ପରେ ତାକୁ ଫିଙ୍ଗି ଅନ୍ୟ ପୋଷାକ ପିନ୍ଧୁ ।

 

“ହଁ, ତା ପରେ ?” —କାନ୍ତା ଆତୁର ଭାବେ ପଚାରିଲା । ବୁଢ଼ୀ ଜେଜେମା’ଙ୍କଠୁଁ ଗପ ଶୁଣୁଥିବା ଛୋଟ ଛୁଆର ସ୍ପୃହା ତା’ ଠି ସେତେବେଳେ ଦେଖିଥିଲି ।”

 

“ପରେ ଅନ୍ୟ ଧର୍ମର ଜଣେ ଝିଅକୁ ବିବାହ କରିବାପାଇଁ ମନସ୍ତ କଲି । ତା’ ବାପ ମା’ ଏହା ଜାଣିପାରି ଦିନେ ସମସ୍ତେ ଗାଁ ଛାଡ଼ି ଅନ୍ୟତ୍ର ଚାଲିଗଲେ ।”

 

“ଗାଁ ଛାଡ଼ିଦେବାର କାରଣ ?”

 

“ମନ ବଦଳିଗଲା । ଦୁଇମାସ ପରେ ତାକୁ ଯେତେବେଳେ ଦେଖିଲି, କହିଥିଲା—‘ଗାଁ ଛାଡ଼ିବା ତିନିଦିନ ପର୍ଯ୍ୟନ୍ତ ପାଗଳୀଙ୍କଭଳି ଦିନ କଟେଇଲି; ପରେ ପରେ ସବୁ ଠିକ୍ ହେଇଗଲା । ଆସନ୍ତା ମାସରେ ମୋ ବାହାଘର ନିମନ୍ତ୍ରଣପତ୍ର ପଠଉଛି ।”

 

“ସତେ ?”

 

କିଛି ସମୟ ମୌନତା ବିରାଜିଲା ।

 

“କାନ୍ତା ! ମୋତେ ସବୁବେଳେ ବଡ଼ଭାଇ ବୋଲି ଡାକିବାକୁ ତ ? ବଡ଼ଭାଇ ମାନେ କ’ଣ ବୋଲି ତୁ ଭାବିଛୁ କି ?

 

ସେ ହସିଲା । ତାକୁ ହସେଇ ମନେ ମନେ ମୁଁ କାନ୍ଦିଲି ।

 

“ତୁମେ ମୋ ବଡ଼ଭାଇ, ତେବେ ଉତ୍ତରଭାରତୀୟ ଗପ ଗୁଡ଼ିକର ବଡ଼ଭାଇ ପରି ନୁହେଁ-।”

 

ମୋତେ ଟିକିଏ ହାଲୁକା ଲାଗିଲା । ଦୀର୍ଘ ନିଃଶ୍ୱାସ ଛାଡ଼ି ଚୌକିରେ ଆଉଜିଲି । କଫି ମଗେଇବା ପାଇଁ ଦ୍ୱାରମୁଁହରେ ବସିଥିବା ଚାକର ଟୋକାକୁ ଡାକିଲାବେଳକୁ, ସ୍ୱାମୀନାଥ ବାହାରୁ ଆସି କଣେଇ ଚାହିଁଦେଇ ତରବରରେ ଫେରିଗଲା । ଭିତରକୁ ଆସିନଥିଲା ।

 

“ଇଏ କିଏ ସେ ?” କାନ୍ତା ପଚାରିଲା ।

 

“ମୋ ସାଙ୍ଗ—ସ୍ୱାମୀନାଥ ।”

 

“ଆପଣଙ୍କ ପରି ବୋଧହୁଏ, ଝିଅଙ୍କ ଗନ୍ଧ ତାଙ୍କୁ ଭଲଲାଗେନାହିଁ !’’

 

“ତାକୁ ତ ଭାରି ଭଲଲାଗେ !’’

 

“ତାହାହେଲେ ଗତ କାଲି ସେ କାହିଁକି ମୋତେ ଏଠାରୁ ତଡ଼ିଦେଲେ ?”

 

“ଗତ କାଲି ?”

 

“କଥାଟା ଶୁଣନ୍ତୁ—ଗତ କାଲି ସନ୍ଧ୍ୟାରେ ଆପଣଙ୍କୁ ଖୋଜି ଆସିଥିଲି; ଆପଣ କିଏ ବୋଲି ସେ ପଚାରିଲେ । ମୁଁ କହିଲି—ମୁଁ ଗପ ଲେଖେ; ସମ୍ପାଦକଙ୍କ ସହିତ ଦେଖା କରିବାପାଇଁ ଆସିଛି । ସେ କହିଲେ—ଏହା ଠିକ୍ ସମୟ ନୁହେଁ; ଦେଖା କରିବା ପାଇଁ ଉଚିତ ସ୍ଥାନ ମଧ୍ୟ ନୁହେଁ; ଏହା ତାଙ୍କ ବ୍ୟକ୍ତିଗତ କୋଠରି । ମୁଁ କହିଲି—ସେ ହିଁ ଆସିବା ପାଇଁ କହିଥିଲେ । ମୋତେ ଚାରିଥର ଖଣ୍ଡେ ତଳୁ ଉପର ଚାହିଁ କହିଲେ—ଯଦି ସେଇଆ ହୋଇଥାଏ, ଆସନ୍ତା କାଲି ଅଫିସ ସମୟରେ ଆସି ଦେଖାକରନ୍ତୁ ।

 

“ହଁ ହଁ, ସେ ନିଶ୍ଚୟ ଚାହିଁଥିବ ।”—ମୁଁ କହିଲି ।

 

“ଭାରି ଚଗଲା ।”

 

“ହଁ, ଭାରି ଚଗଲା ।”

 

ଆନନ୍ଦରେ ଗଦଗଦ ହେଇ କାନ୍ତା ଚୌକିରୁ ଉଠିଲା । ତା’ର ସୁନ୍ଦର ଦନ୍ତପଙକ୍ତିକୁ ଦେଖେଇ, ହସି ହସି, “ତାହାହେଲେ ମୁଁ ଆସେ ଭାଇ ?” କହି ବାହାରକୁ ଚାଲିଗଲା ।

 

ସେ ଯିବା ପରେ କିଛି ସମୟ ଟେବୁଲ୍ ଉପରେ ମୁଣ୍ଡ ରଖି ବସିରହିଲି । ସନ୍ଧ୍ୟା ସମୟରେ, ଅନ୍ଧକାର ଘୋଟିଆସିବା ପରେ ଏକୁଟିଆ ସମୁଦ୍ରକୂଳର ବାଲିବେଳାରେ ବସିଲେ ଯେଉଁ ଭାବନାରାଶି ଆସେ, ମୋତେ ସେତେବେଳେ ସେମିତି ଲାଗୁଥାଏ । ଭୂମିକଂପ ତଥା ଏହାର ଭୟାନକ ଫଳାଫଳର ଶିକାର ହେବି ବୋଲି ଭାରି ଭୟ ହେଉଥିଲା, କାନ୍ତାର ସମସ୍ୟାରୁ ଏତେ ସହଜରେ ସେ ସମାଧାନ ହେଇଯିବ—ମୁଁ ମୋଟେ କଳ୍ପନା କରିନଥିଲି । ଆଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ ଆଶ୍ଚର୍ଯ୍ୟ । ଝିଅ ପିଲାଏ କି ବିଚିତ୍ର ପ୍ରାଣୀ ସତେ ?

 

“ଚିନ୍ତା ତ ବହୁତ ବେଶି ହେଲାଣି !”—ସ୍ଵାମୀନାଥ ଚିଗୁଲେଇଲାଭଳି ହସିଲା ।

 

“ମୋଟେ ଚିନ୍ତା କରୁନି ।”

 

“ହେ ଗାଳ୍ପିକ—ମୁଁ ଗୋଟାଏ କଥା କହିବି, ଶୁଣିବ.....”

 

‘କି କଥା’—ବୋଲି ପଚାରିବା ଢଙ୍ଗରେ ମୁଁ ତାକୁ ଚାହିଁଲି ।

 

“ଜଣେ ଯୁବକ ସନ୍ନ୍ୟାସୀ ହେବା ଇଚ୍ଛାକରି ଗୁରୁଙ୍କ ଅନ୍ଵେଷଣରେ ବାହାରିଲା; ଯେଉଁ ଗୁରୁଶ୍ରେଷ୍ଠଙ୍କୁ ସେ ଭେଟିଥିଲା, ସେ କୁଆଡ଼େ ତାଙ୍କର ପଞ୍ଚମ ପତ୍ନୀଙ୍କ ସହିତ ବେଦୀରେ ବସିଥିଲେ-।”

 

ସ୍ଵାମୀନାଥ ଶହେଟଙ୍କିଆ ନୋଟଟିଏ ମୋତେ ବଢ଼େଇଦେଲା । ସେ କହିବା କମିଶନ୍ ବ୍ୟବସାୟର ଏହା ପ୍ରଥମ ଅଗ୍ରିମ । ଆଉ ବକେୟା ପଇସା କୁଆଡ଼େ ଦୁଇଦିନ ଭିତରେ ମିଳିଯିବ ।

 

“ଗତକାଲି ଏହି ଝିଅକୁ ଆସିବାକୁ କହିଦେଇ କୁଆଡ଼େ ଚାଲିଗଲୁ ?” —ସ୍ଵାମୀନାଥ ପଚାରିଲା ।

 

“କାହିଁ ମୁଁ ତ ତାକୁ ଆସିବାକୁ କହିନଥିଲି ।”

 

‘‘ଗୋଟାଏ ଜାଗାରେ ତୁ ଯଦି ରୁହନ୍ତୁ, ତୋର ମନେପଡ଼ନ୍ତା; ତୋର କେତେ ବନ୍ଧୁ, କେତେ ଜାଗା, କେତେ ସ୍ମୃତି...”

 

“ସ୍ଵାମୀନାଥ !” —ମୁଁ ରାଗିଗଲି ।

 

“ଦୁରେଇ, ମୁଁ ଆଖିରେ ଯାହା ଦେଖୁଛି, କାନରେ ଯାହା ଶୁଣୁଛି କହୁଛି ।”

 

“ଏ ଝିଅଟା ଗପ ଲେଖେନାହିଁ; ପ୍ରେସ୍‌ମାଲିକଙ୍କ ଝିଅ; ମୋ ଭଉଣୀଭଳି....ତୋତେ ଗତକାଲି ସେ ଠକିଦେଇଛି ।”

 

“ଭଉଣୀ !” —ବୋଲି ସେ ଆଉଥରେ ଉଚ୍ଚାରଣ କରି ଖୁବ୍ ଆନନ୍ଦରେ ମୋତେ ଚାହିଁଲା । କହିଲା—‘‘ଭାରି ଚଗଲା ତ !”

 

ସେତେବେଳେ ୟା’ ସମ୍ପର୍କରେ କାନ୍ତା ଦେଇଥିବା ମନ୍ତବ୍ୟ ‘ଭାରି ଚଗଲା ତ !’ ମୋର ମନେପଡ଼ିଗଲା ।

 

“ତା’ କଥା ଛାଡ଼, କାନରେ କ’ଣ ଶୁଣୁଛୁ ବର୍ତ୍ତମାନ କହ ।”

 

“ମୁଁ ବିଶ୍ଵାସ କଲିନାହିଁ; ଅତି ବାଜେ କଥା; ବିଶ୍ଵାସ ନକରି ମଧ୍ୟ ରହିପାରିଲିନାହିଁ ।”

 

‘‘କିଏ କହିଲା, କ’ଣ କହିଲା ଠିକ୍‍ ଠିକ୍‍ କହୁନୁ ।”

 

“ମୁଁ ସେଦୂରାମକୁ ଜାଣେ ।” —କହିଲା ।

 

“ସେ ଗୋଟେ ଅଭଦ୍ର ।’’

 

‘‘ଭଦ୍ରବୋଲି ବେଶ୍ ଯଶ ଅର୍ଜନ କରିଥିବା ବ୍ୟକ୍ତିର ଅଭଦ୍ରାମି ଏବଂ ଅଭଦ୍ର ବୋଲି ପ୍ରମାଣିତ ହେଇସାରିଥିବା ବ୍ୟକ୍ତିର ଅଭଦ୍ରାମି ମଧ୍ୟରେ କିଛି ପାର୍ଥକ୍ୟ ଅଛି ? ଦୁରେଇ , ତୋ’ ଭଳିଆ ଜଣେ ଲୋକ ଝିଅଙ୍କଠାରେ କରୁଣା ଦେଖେଇବା ଉଚିତ ନୁହେଁ ।”

 

“ମୁଁ ତ କାହାଠି ସୁଦ୍ଧା କରୁଣା ଦେଖେଇନି ।”

 

‘‘ମୁଁ ଯେ ଖରାପ ହୋଇଗଲି—କେବଳ ଏହି କରୁଣା ଦେଖେଇବା ଗୁଣ ଯୋଗୁଁ । ଗରିବ ଝିଅଙ୍କୁ ସାହାଯ୍ୟ କରିବାକୁ ଭାବିଥିଲି । ପ୍ରତ୍ୟାଶା ନରଖି ସାହାଯ୍ୟ କରିବା କ’ଣ ସହଜସାଧ୍ୟ କାମ ?”

 

ତା’ କଥା ମୋତେ ଭଲଲାଗିନଥିଲା । ସେ ମଧ୍ୟ କହିବା ବନ୍ଦକରିନଥିଲା । ପୁଣି କହଲା, “ତୁ ମୋ ସ୍ତରର ନୋହୁ; ଚାରିଜଣ ତୋତେ ଭଲ ଜାଣନ୍ତି । ଅନେକେ ଗଭୀର ଆଦରରେ ତୋତେ ପ୍ରଶଂସା କରନ୍ତି । ସବୁଠି ତୋର ସୁନାମ ଅଛି । ସେହି ସୁନାମକୁ ବଜାୟ ରଖିବା ତୋର କ’ଣ କର୍ତ୍ତବ୍ୟ ନୁହେଁ ?”

 

“ତୁ ଯାହା ଯାହା ଭାବିଛୁ ସବୁ ଭୁଲ ।”

 

‘‘ତୋ ଅପେକ୍ଷା ନାରାୟଣସ୍ୱାମୀଙ୍କ ସମ୍ପର୍କରେ ମୁଁ ଟିକିଏ ଅଧିକା ଜାଣେ ।” —କହିଲା ସେ ।

 

ମୁଁ ରାଗରେ ଜଳିଗଲି ।

 

“ନାରାୟଣସ୍ୱାମୀଙ୍କ ପ୍ରଥମ ପତ୍ନୀ ମରି ଦଶବାର ବର୍ଷରୁ ଅଧିକା ହେବ । ତାଙ୍କର ସନ୍ତାନସନ୍ତତି କେହିନଥିଲେ । ଲଳିତାର ଗୁଣ ତାଙ୍କୁ ଆକୃଷ୍ଟ କରିପାରିଥିଲା, ଉଭୟଙ୍କ ସମ୍ମତିରେ ବାହାଘର ହେଇଥିଲା ।”

 

‘‘ହେଇଥାଇପାରେ—ତେବେ ହେଲା କ’ଣ ?”

 

‘‘ସେ ଏବଂ ଲଳିତା ବାପଝିଅ ଭଳି ପରଷ୍ପରକୁ ବ୍ୟବହାର କରନ୍ତି—ଭବିଷ୍ୟତରେ ସେମିତ ହଁ ପରସ୍ପରକୁ ବ୍ୟବହାର କରିବେ ମଧ୍ୟ ।”

 

“... ... ... ... ...”

 

“ଦୁରେଇ ! ନିଜ ଧନସମ୍ପତ୍ତିର ସୁରକ୍ଷା ନିମିତ୍ତ ହେଉ କିମ୍ବା ଜୀବନର ସୁଖଶାନ୍ତି ନିମିତ୍ତ ଜଣେ ସ୍ତ୍ରୀ ପାଇଁ ହେଉ, ସେ ଲଳିତାକୁ ବାହାହେଲେ । ବିବାହର ପରଦିନ ହିଁ, ସେ କାର୍ ଦୁର୍ଘଟଣାର ସମ୍ମୁଖୀନ ହେଲେ । ତାପରେ ସେହିଦିନରୁ ସେ ନିଜର ପୁରୁଷତ୍ଵ ହରେଇ ବସିଲେ । ଏବେ ମଧ୍ୟ ସେଇ ଅବସ୍ଥା ।”

 

ମୋ ମନ ଆଉପାଉଟ ହେଲା । ଖୁବ୍ ବେଗରେ ମସ୍ତିଷ୍କ ଘୂରିଲା । ବିବାହ ପରେ ଘଟିଥିବା ଦୁର୍ଘଟଣା ତ ମୋତେ ଲଳିତା କହିଥା’ନ୍ତା । କିନ୍ତୁ..... !

 

‘‘ସେଥିପାଇଁ ଧୂର୍ତ୍ତଙ୍କ କଥାରେ ମାତିଯାଇ ତୁ ନିଜକୁ ନଷ୍ଟ କରନା ବୋଲି ତତେ ସତର୍କ କରିଦେଉଛି ।”

 

କେବଳ ମନ ନୁହେଁ, ମଥା ବି ଘୂରିଲା । କୋଠରି, ଟେବୁଲ୍, ଚୌକି, ଫଟୋ, ବହିପତ୍ର ସବୁ ଘୂରିବାଭଳି ଲାଗିଲା । କିଏ ଧୂର୍ତ୍ତ ? ନାରାୟଣସ୍ୱାମୀ ନା ଲଳିତା ? ମୋର କ’ଣ ଏହା ବିଶ୍ଵାସ କରିବା ଉଚିତ ? ନା, ମୋଟେ ନୁହେଁ...ନା, ଏହା ହୋଇପାରେନା । ମୋ ସମ୍ମୁଖରେ ସ୍ଵାମୀନାଥ ପରିବର୍ତ୍ତେ ଯଦି ସେହି ସେଦୁରାମ ବସିଥାନ୍ତା....

 

‘‘ବେଶି କହିଗଲୁ, ଏବେ ବନ୍ଦ୍‍କର !” —ଚିତ୍କାର କଲି ।

 

ସନ୍ଧ୍ୟା ସମୟ କଟେଇବାପାଇଁ ମାଡ୍ରାସ୍ ସହରର ସମୁଦ୍ର କୂଳ ଉପଭୋଗ୍ୟ ହେଲାପରି ତ୍ରୀ ଚିନ୍ନାପଲ୍ଲୀର କାବେରୀ ନଦୀକୂଳ ନୁହେଁ । ସାନ୍ଧ୍ୟଭ୍ରମଣ ପାଇଁ ଏଠି ପାର୍କ ନାହିଁ । ମୁଁ ଅଫିସ୍‌ରେ ଯୋଗଦେବାପରେ ଅଫିସ୍‌ରେ ବ୍ୟାଡମିଣ୍ଟନ୍ ଖେଳିବାପାଇଁ ଖଣ୍ଡିଏ ଜାଗା ଠିକ୍ କଲି । କିନ୍ତୁ ସାଙ୍ଗରେ ଖେଳିବାପାଇଁ କେହିନାହାନ୍ତି । ଅଫିସ୍ ଛୁଟି ହେବାପରେ ସମସ୍ତେ ଯେ ଯାହା ଘରକୁ ଯାଇ ନିଜ ନିଜ ଘରସଂସାର ଜଞ୍ଜାଳରେ ଲିପ୍ତରହନ୍ତି ।

 

ପ୍ରଥମେ ପ୍ରଥମେ ବଲ୍ ଖେଳିବା ନିମନ୍ତେ କାନ୍ତା ଭାରି ଜିଦ୍ ଧରି ବସିଥିଲା । ସେ ଟିକିଏ ସୁଦ୍ଧା ଖେଳି ଶିଖିନଥିଲା । ଅଧିକାଂଶଥର ଖୁବ୍ ଜୋର୍‍ରେ ମାରି ଅଫିସ୍ ପାଚେରି ଆରପଟକୁ ବଲ୍ ପଠେଇଦଉଥାଏ । ପ୍ରତ୍ୟେକଥର ପାଚେରି ଡେଇଁ ବଲ୍ ଆଣି ମୁଁ ଭାବେ—ଖେଳ ଯଥେଷ୍ଟ ହେଲାଣି; ଆଉ ମୋର ଖେଳିବା ଦରକାର ନାହିଁ । ତେଣୁ ଦିନେ ତା ଅଜ୍ଞାତରେ ଖେଳ ସରଞ୍ଜାମ ଯାହା ସବୁ କିଣାହେଇଥିଲା ପଡ଼ୋଶୀ ସାଇର ଛାତ୍ରମାନଙ୍କୁ ଦାନ କରିଦେଲି ।

 

ସାଇକେଲ ଧରି ବୁଲି ବାହାରିଲି । ରାସ୍ତାକଡ଼ରେ ଏକ କ୍ୟାବିନ୍ ଦୋକାନ ସାମନାରେ ସ୍ଵାମୀନାଥ ଓ ସେଦୁରାମ ଠିଆହୋଇଥିଲେ । ମୋତେ ସେମାନେ ଲକ୍ଷ୍ୟ କରିନଥିଲେ । ମୁଁ ମଧ୍ୟ ସେମାନଙ୍କପାଇଁ ଠିଆନହୋଇ ସହର ଅତିକ୍ରମ କରି କରୁର୍‍ ଗାଁ ରାସ୍ତାର ପାର୍ଶ୍ଵ ଦେଇ ବହିଯାଉଥିବା କାବେରୀ କୂଳକୁ ଗଲି । କାବେରୀ ଉଭୟ କୂଳକୁ ଛୁଇଁ କୁଳୁ କୁଳୁ ଶବ୍ଦକରି ବହିଚାଲିଥାଏ ।

 

ଲଳିତା ଓ ନାରାୟଣସ୍ଵାମୀଙ୍କ ଏ ସମ୍ପର୍କରେ ଯାହା ଶୁଣିଲି, ମୋତେ ତାହା ଖୁବ୍ ଆଘାତ ଦେଇଥିଲା । ଯେକୌଣସି ଲୋକର ଚରିତ୍ର ସକ୍ରାଂନ୍ତରେ ହଠାତ୍‍ ଏକ ସିଦ୍ଧାନ୍ତରେ ପହଞ୍ଚିବା ସେତେ ସହଜସାଧ୍ୟ ବ୍ୟାପାର ନୁହେଁ । ଅନ୍ତରର ସୌନ୍ଦର୍ଯ୍ୟକୁ ମୂଖଭଙ୍ଗୀରେ ଲକ୍ଷ୍ୟକରି ବ୍ୟକ୍ତିକୁ ଚିତ୍ରଣ କଲେ ତାହା କେବେହେଁ ବ୍ୟକ୍ତି ସମ୍ପର୍କରେ ଠିକ୍ ଧାରଣା ଦେବନାହିଁ । ସବୁ ମଇଳାକୁ ମୁହଁର ବାହ୍ୟ ଚାକଚକ୍ୟ ଆଢ଼ୁଆଳରେ ଗୋପନ ରଖି ଆଗେଇବା ଯୁଗ ଇଏ । କିନ୍ତୁ ନାରାୟଣସ୍ଵାମୀ, ଯୁଗର ଏହି ରୀତି ପାଖରେ ଦାସତ୍ୱ ସ୍ଵୀକାର କରିବା ମଣିଷ ନୁହନ୍ତି । ଛୋଟ ଛୁଆଁଙ୍କ ନିଷ୍କପଟ ହୃଦୟ ଭଳି ତାଙ୍କ ହୃଦୟ । ତାଙ୍କଭଳି ଉତ୍ସାହୀ ଲୋକ ବିରଳ । ଧନସମ୍ପତି ମନୁଷ୍ୟର ସଂସ୍କୃତିକୁ ତେଜୀୟାନ୍ କରିଥାଏ; ସ୍ଥଳ ବିଶେଷରେ ମିଳନ ମଧ୍ୟ କରିଥାଏ । କିଛିଦିନ ତାଙ୍କ ସହିତ ଯିଏ ବନ୍ଧୁତା ସ୍ଥାପନ କରିଛି, କେବଳ ସେ ତାଙ୍କର ସଦ୍‌ଗୁଣାବଳୀ ଜାଣିପାରିବ ।

 

ତା’ ପରେ ବାନ୍ଧବୀ ଲଳିତା;

 

“ଆମ ଦାମ୍ପତ୍ୟଜୀବନ ମୋ ପାଇଁ ସୁମଧୁର । ମୋ ପ୍ରତି କରୁଣା ପ୍ରଦର୍ଶନ କରିବା ଅନାବଶ୍ୟକ ବୋଲି ଦିନେ ସନ୍ଧ୍ୟାରେ କହିଥିବା କେଇଟା ପଦ ମୋ କାନରେ ପ୍ରତିଧ୍ୱନିତ ହେବାକୁ ଲାଗିଲା । ମୋର ଖୁବ୍ ନିକଟରେ ରହି ମୋ ସହିତ ବନ୍ଧୁତା ସ୍ଥାପନ କରିଥିଲେହେଁ, କାହିଁକି କେଜାଣି ମୋର ମନେହୁଏ, ସେ ଖୁବ୍ ଦୂରରେ ଥିବା ସୁଗନ୍ଧଯୁକ୍ତ ଏକ ଚମ୍ପାଫୁଲ ଭଳି । ଆଜି ସୁଦ୍ଧା ତା’ କଥାବାର୍ତ୍ତାରେ କିମ୍ବା କାର୍ଯ୍ୟକଳାପରେ କିମ୍ବା ଆଚାର–ବ୍ୟବହାରରେ କିମ୍ବା ଦୃଷ୍ଟିଭଙ୍ଗୀରେ ଲେଶମାତ୍ର ବିଚଳନ ଲକ୍ଷ୍ୟ କରିପାରିନାହିଁ । ତେବେ ସିଏ କଣ ଧୂର୍ତ୍ତ ?

 

ତା’ ହୃଦୟକୁ ମୁଁ ବେଶ୍ ଭଲକରି ଚିହ୍ନିଛି । ତାହା ସ୍ନେହମମତାରେ ପୂର୍ଣ୍ଣ । କଳ୍ପନାପ୍ରିୟ, କଳାପ୍ରିୟ, ଦୟାଳୁ । ଲୋକଙ୍କ ଦୁଃଖ–ଯନ୍ତ୍ରଣାରେ କାତର ହୋଇ ସେମାନଙ୍କ ଜୀବନର ବିଭିନ୍ନ ସମସ୍ୟାକୁ ସେ ବର୍ଣ୍ଣନା କରି ଯାଉଥିବାବେଳେ ତା’, ହୃଦୟର ବେଦନା ମୁଁ ବେଶ୍ ବୁଝିପାରେ ।

 

ଥରେ ମୋତେ ପଚାରିଥିଲା—“ଅଧିକାଂଶତଃ ସ୍ତ୍ରୀମାନେ ପୁରୁଷଙ୍କ କଠିନ ପରିଶ୍ରମ ଉପରେ ହିଁ ନିର୍ଭର କରନ୍ତି । ସେମାନେ ପରଜୀବୀ । ସେମାନଙ୍କ ପାଇଁ ଅନ୍ୟ କିଛି ଉପାୟ ନାହିଁ-?”

 

“ପରିଶ୍ରମ ମାନେ କ’ଣ ଉପାର୍ଜନ ? ସେମାନେ ଘରେ ଯେଉଁ କାମଦାମ କରନ୍ତି ତାହା କ’ଣ ପରିଶ୍ରମ ନୁହେଁ ?”

 

ଯେଉଁମାନେ ପରିଶ୍ରମ କରନ୍ତି ସେମାନଙ୍କ ସମ୍ପର୍କରେ ମୁଁ କିଛି କହୁନାହିଁ । ଅନେକ ଜାଗାରେ ଦେଖିଛି—ମାତ୍ର ଜଣକର ଉପାର୍ଜନ ଉପରେ ନିର୍ଭର କରି ନଅ ଦଶଜଣ ପର୍ଯ୍ୟନ୍ତ ସ୍ତ୍ରୀଲୋକ ଚଳନ୍ତି । କେବଳ ଯେ ଶୋଷଣ କରନ୍ତି ତା ନୁହେଁ—ଉପାର୍ଜନକାରୀକୁ ସେମାନେ ଅଶେଷ କଷ୍ଟ ମଧ୍ୟ ଦେଇଥାନ୍ତି—ଏଥିପାଇଁ ଉପାୟ ?”

 

“ସବୁ ସ୍ତ୍ରୀ ନିଜ ଆତ୍ମସମ୍ମାନ ଉପରେ ଆଞ୍ଚ ଆଣୁନଥିବା କିଛି କିଛି କାମ କରି ଅର୍ଥ ଉପାର୍ଜନକ୍ଷମ ହେବା ଉଚିତ । ଯଦି ଦରକାର ହୁଏ—ପୁରୁଷଙ୍କ ଉପରେ ମୋଟେ ନିର୍ଭର ନକରି ନିଜ ଗୋଡ଼ରେ ନିଜେ ଯେମିତି ଠିଆହୋଇପାରିବେ ! ଶିକ୍ଷା ଏବଂ କାର୍ଯ୍ୟ ହିଁ ସ୍ତ୍ରୀମାନଙ୍କ ଏକମାତ୍ର ସହାଭରସା ।

 

ମୁଁ ଗୋଟାଏ କଥା ଭାବିଛି, ତା’ପାଇଁ ମଧ୍ୟ ସବୁ ସୁବିଧା କରୁଛି;—ଅଶିକ୍ଷିତା ଏବଂ ଅଳ୍ପ ଶିକ୍ଷିତ ସ୍ତ୍ରୀମାନେ କ’ଣ ସିଲେଇ କାମ କରିପାରିବେ ନାହିଁ କହୁଛନ୍ତି ? ମୁଁ ସେମାନଙ୍କ ପାଇଁ ଗୋଟାଏ ସିଲେଇ ବିଦ୍ୟାଳୟ ଖୋଲିବାକୁ ଯାଉଛି । ଆବଶ୍ୟକୀୟ ଯନ୍ତ୍ରପାତି କିଣିଦେବି । ସ୍ତ୍ରୀମାନଙ୍କର ଦରକାରୀ ପୋଷାକ ସେମାନେ ନିଜେ ତ ସିଲେଇ କରିପାରିବେ !”

 

ଏହା ଗୋଟାଏ ଉତ୍ତମ ଯୋଜନା ଭଳି ମୋର ମନେହେଲା । ତଥାପି ଥଟ୍ଟା ପରିହାସ ଛଳରେ କହିଥିଲି—‘‘ତେବେ ଏ ସହରର ଯେତେ ଦର୍ଜି, ଆପଣଙ୍କ ଗୃହ ସମ୍ମୁଖରେ ଧର୍ମଘଟ କରିବେ ।”

 

“ପୁରୁଷମାନେ ବଞ୍ଚିବାପାଇଁ କ’ଣ ରାସ୍ତା ପାଇବେନି ? ଏହା ଅତି ମାମୁଲି କଥା—ଆମ ଦେଶର ସ୍ତ୍ରୀମାନେ କେତେକ ଜାଗାରେ ସିଲେଇ କାମ କରନ୍ତି ।”

 

ଏହିପରି ଲଳିତାର କେତେ କେତେ ଯୋଜନା ! କେତେ ପରିକଳ୍ପନା ! କେତେ ଆଶା ଓ ସ୍ଵପ୍ନ ! —ସବୁକିଛି ପରୋପକାରରେ ଲାଗିବ, ଅନ୍ୟମାନଙ୍କୁ ସାହାଯ୍ୟ କରିବ । ନିଜର ସୁଖ ଦୁଃଖ, ନିଜର ପରିଶ୍ରମ, ନିଜର କ’ଣ ଦରକାର ଅଦରକାର–ସେ ଦିନେ ସୁଦ୍ଧା ପ୍ରକାଶ କରିନାହିଁ; ତେବେ ସେ କଣ ଧୂର୍ତ୍ତ ?

 

ସମାଜରେ ସ୍ତ୍ରୀ ପୁରୁଷ ମିଳିମିଶି ଚଳିବା ଉଚିତ । ଏଥିପାଇଁ ଆମେସବୁ ଏହି ଦେଶର ସନ୍ତାନସନ୍ତତି ବୋଲି ପ୍ରଥମଃ ଭାବିବା ଦରକାର । କିମ୍ବା ସ୍ଵାମୀ ଏବଂ ସ୍ତ୍ରୀ ହୋଇ ରହିବା ଉଚିତ । ଏହି ଦୁଇଟା ସମ୍ପର୍କ ବ୍ୟତୀତ ମଣିଷ ଅନ୍ୟ କୌଣସି ସମ୍ପର୍କକୁ ଉପଯୁକ୍ତ ବୋଲି ଗ୍ରହଣ କରିବନାହିଁ-। ଏହି ଦୁଇ ମୌଳିକ ସମ୍ପର୍କ, ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀକୁ କ’ଣ ମମତା-ଡୋରିରେ ବାନ୍ଧି ରଖେନାହିଁ ? ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ସ୍ନେହ ମମତା ଗୋଟାଏ ସେତୁ ଭଳି ରହିବା କ’ଣ ଅନୁଚିତ-?

 

ପିଲାଦିନର ସଙ୍ଗିନୀ କସ୍ତୁରୀ କଥା ମୋର ମନେପଡ଼ିଲା; ମୁଁ ଯେତେବେଳେ ପାଞ୍ଚ ଛଅବର୍ଷର ଛୁଆ ହୋଇଥାଏ, ଖେଳାଖେଳି କରିବା ପାଇଁ ମୋର ପୁଅ ସାଙ୍ଗ କେହିନଥା’ନ୍ତି । ଆମ ଘର ଚାରିପାଖରେ ଯେତେ ଘର ଥିଲା, ଅଧିକାଂଶରେ ଝିଅପିଲା ହିଁ ଥା’ନ୍ତି । ଅଧିକାଂଶ ସମୟ ସେମାନେ ଆମ ଘରକୁ ଆସନ୍ତୁ; ଡିଅନ୍ତି, ଖେଳନ୍ତି । ଚାରିଟା ଛୋଟ ଝିଅଙ୍କ ମେଳରେ ଗୋଟାଏ କାଠ କଣ୍ଢେଇର ଅବସ୍ଥା ଯାହା, ମୋ ଅବସ୍ଥା ଥିଲା ଠିକ୍ ସେମିତି ।

 

ଅନ୍ୟମାନଙ୍କ ଅପେକ୍ଷା କେବଳ ଜଣେମାତ୍ର ଝିଅ ମୋତେ ବେଶି ସ୍ନେହ କରୁଥିଲା; ସେ ହେଉଛି କସ୍ତୁରୀ । ଅନ୍ୟମାନେ ମଧ୍ୟ କସ୍ତୁରୀର ମୋ ପ୍ରତି ସ୍ନେହକୁ ସ୍ଵୀକାର କରିଥିଲେ । ଏଥିପାଇଁ କାରଣ କ’ଣ ଥିଲା କେଜାଣି !

 

କସ୍ତୁରୀ ମୋ ଅପେକ୍ଷା ତିନିବର୍ଷ ବଡ଼ ଥିଲା । ସ୍କୁଲରେ ଉପର ଶ୍ରେଣୀରେ ପଢ଼ୁଥାଏ । ଆମେ ଦୁହେଁ ଅଲଗା ହେଇ ରହିବା ସମୟ ଖୁବ୍ କମ୍ ।

 

ଦଶମ ଶ୍ରେଣୀ ପାସ୍‌କରି ସେ ଆଉ ପଢ଼ିନଥିଲା । ପଢ଼ିକରି ଯେଉଁ ଭୁଲ କରିପକେଇଥିଲା ସେଥିପାଇଁ ଉପଯୁକ୍ତ ବରପାତ୍ର ମିଳୁନଥାଆନ୍ତି । ପାଠୁଆ ବରପାତ୍ର ଜଣକୁ ପାଇବା ତା’ ବାପା ମା’ଙ୍କ ପାଇଁ ଥିଲା ଘୋଡ଼ାଇ ଶିଙ୍ଘ ଭଳି ଏକ ଅପୂର୍ବ ପଦାର୍ଥ । ବର୍ଷେ ଦୁଇବର୍ଷ ଘରେ ସେମିତି ଅଭିଆଡ଼ୀ ରହିଥିଲା ।

 

ସେତେବେଳକୁ ମୁଁ ନବମ ଶ୍ରେଣୀ ପାସ୍ କରିସାରିଥାଏ । ଦିନେ ମୋ ବାପା ମା’ଙ୍କ ଠାରୁ ତା’ ବାହାଘର ଠିକ୍‍ ହେଲା ବୋଲି ଶୁଣି ଆନନ୍ଦରେ ଦୌଡ଼ି ଦୌଡ଼ି ତା’ ପାଖକୁ ଗଲି । ଝିଅ ଅଭିଆଡ଼ୀ ରହିଥିବା ଯୋଗୁଁ ତାଙ୍କ ଘରେ ସମସ୍ତଙ୍କ ମନରେ ଯେଉଁ ଚିନ୍ତା—ତାହା ଯେନତେନ ପ୍ରକାରେ ଦୂର ହେଉ—ଏହା ଥିଲା ମୋ ଅନ୍ତରର କାମନା ।

 

“ତୋ ବାହାଘର କେବେ କସ୍ତୁରୀ ?”

 

କିଛି ଉତ୍ତର ନ ଦେଇ ଖଟର ଏକ କଣରେ ସେମିତି ବସି ରହିଥାଏ ସେ ।

 

“କହିବୁନି କସ୍ତୁରୀ ?”

 

“ଶୀଘ୍ର ।”

 

“ଭିଣୋଇ କିଏ ?”

 

“କିଏ ଜଣେ ମୋଟେ ପାଠ ପଢ଼ିନାହାନ୍ତି । ମୋତେ ହିଁ ଲେଖାପଢ଼ା ଶିଖେଇବାକୁ ହେବ ।”

 

“ବାହାଘର ପାଇଁ ବ୍ୟାଣ୍ଡ୍ ବାଜା ଆସିବନା ?”

 

ସେ ମୋ ବାହୁ ଦି’ଟାକୁ ଧରିପକେଇଲା, ଦେଖିଲି ତା’ ଆଖିରେ ଲୁହ ଜମିଯାଇଥିଲା ।

 

“ଦୁରେଇ, ତୁ କାହିଁକି ଏତେ ଛୋଟପିଲା ହୋଇଛୁ ? —ହୁଁ, ଆମେ ଦିହେଁ କ’ଣ ଏମିତି ସବୁଦିନ ପାଇଁ ଛୋଟଛୁଆ ହେଇ ରହିଥିଲେ ହୁଅନ୍ତାନି ?”

 

ବାହାଘର କଥା ଉଠେଇବାରୁ ଆଖିରେ ତା’ର ଲୁହ କାହିଁକି ଯେ ଜମିଯାଇଥିଲା—ଦେଖି ଆଶ୍ଚର୍ଯ୍ୟ ହୋଇଥିଲି ।

 

ତା’ପରେ ଯେତେବେଳେ ସେ ଗାଁକୁ ଆସିଥିଲା, ଥରେ ଦୁଇଥର ଦେଖିଥିଲି । ପ୍ରତ୍ୟେକ ଥର କିନ୍ତୁ ପ୍ରସବ ନିମନ୍ତେ ଆସିଥିଲା । ବର୍ତ୍ତମାନ ସେ ତିନି ଚାରିଟି ଛୁଆର ମା’ ।

 

ସେମାନେ (ତା’ ପରିବାର) ବର୍ତ୍ତମାନ ମୁଁ ରହୁଥିବା ଏହି ସହରରେ ରହୁଛନ୍ତି । ସେମାନଙ୍କ ଠିକଣା ମଧ୍ୟ ମୁଁ ଖୋଜି ବାହାର କରିଛି । ଝିଅକୁ ବାହାଦେଇ ବାପା ମା’ ଆଖି ବୁଜିଦେଇଥିଲେ । ତାକୁ ଦେଖିବା ପାଇଁ ଅନେକ ଥର ଇଚ୍ଛା କରିଛି; ବର୍ତ୍ତମାନ ତା’ ଜୀବନ କି ସ୍ତରର କେଜାଣି ! ଉଭୟେ ଉଭୟଙ୍କୁ ଦୀର୍ଘ ଦଶ ବାରବର୍ଷ ଧରି ସ୍ନେହକରି ସାଥୀ ରୂପେ ଚଳିଆସିଥିଲୁ ମାନେ—କ’ଣ ମାମୁଲି କଥା ?

 

କିନ୍ତୁ କ’ଣ ବୋଲି ତାକୁ ସାକ୍ଷାତ କରିବି ? ଏହି ପ୍ରଶ୍ନହେତୁ ସାକ୍ଷାତ କରିବା ନିମନ୍ତେ ଯେଉଁ କୁଣ୍ଠା ଜାତ ହେଇଥିଲା, ସେଇଥିପାଇଁ ତା’ ଘରକୁ ନଯାଇ କେତେମାସ ବିତେଇ ଦେଇଥିଲି-। ଦିନେ କିନ୍ତୁ କିମିତି କେଜାଣି ହଠାତ୍ ବାହାରିପଡ଼ିଲି । ସାଙ୍ଗରେ ନେଇଥିଲି ମୁଁ ଲେଖିଥିବା କେତେଖଣ୍ଡ ବହି ଏବଂ ପିଲା ଛୁଆଙ୍କ ପାଇଁ ଦୋକାନରୁ କିଛି ମିଠା । ବହୁ ଶ୍ରମ ପରେ ଘର ଖୋଜି ପାଇଲି । ମୋର କଳ୍ପନା ଅନୁଯାୟୀ ସେମାନେ ଭଲଘରେ ନଥିଲେ । ଗୋଟାଏ ବଡ଼ ଘର । ସେଥିରେ ଆଗରୁ ପାଞ୍ଚଟି ପରିବାର ଭିନ୍ନ ଭିନ୍ନ କୋଠରିରେ ରହିଥାନ୍ତି । ଏମାନେ ହେଉଛନ୍ତି ଷଷ୍ଠ ପରିବାର । ସେହି ଘର ତଥା ସେମାନଙ୍କ ଜୀବନଧାରଣ ସ୍ତର ଏବଂ ଚେହେରା ଦେଖିଲେ ମନରେ ପ୍ରଶ୍ନ ଜାତହୁଏ—ଏହାକୁ କ’ଣ କୁହାଯାଏ ଜୀବନ ? ସେ ଦେବା କଫି ମୋ ଅନ୍ତନାଳୀକୁ ଘାଣ୍ଟିଚକଟି ପକେଇଥିଲା । ତଥାପି ହସି ହସି ହିଁ ପିଇଥିଲି ।

 

ସେ ମୋତେ ସେଠି ରହିବାପାଇଁ କହିନଥିଲା; କିମ୍ବା ଗୁଣ୍ଡାଏ ଖାଇ ଯିବାପାଇଁ ମଧ୍ୟ କହିନଥିଲା । ଭାତ ତରକାରିର ସ୍ୱାଦୁ କିମିତି ଲାଗନ୍ତା କେଜାଣି ? ହୁଏତ ରହିବା ପାଇଁ କିମ୍ବା ଖାଇବାପାଇଁ କହି ଅତିଥି ସତ୍କାର କରିଥିଲେ ତା’ ସ୍ଵାମୀ ପସନ୍ଦ କରିନଥାନ୍ତେ ବୋଧହୁଏ ! ସେ କୁଆଡ଼େ ଗୋଟାଏ ଦୋକାନରେ କାମ କରନ୍ତି । ଖାଇବାକୁ ମଧ୍ୟାହ୍ନରେ ଘରକୁ ଆସନ୍ତି‌ ।

 

ମୁଁ ନେଇଥିବା ବହିରୁ ଖଣ୍ଡିଏ ବି କାହାରିକୁ ଦେଇନଥିଲି । ବ୍ୟାଗ୍‍ରୁ ବାହାର କରିବାର ଆବଶ୍ୟକତାକୁ ମୋଟେ ଅନୁଭବ କରିନଥିଲି । ତା’ ପୁଅଝିଅ ଚିରା ପୋଷାକ ପିନ୍ଧିଥାଆନ୍ତି । ମୁଁ ଖୁସିରେ ସେମାନଙ୍କୁ କିଛି ପଇସା ଦେବାରୁ ସେମାନେ ମନାକରି ଦେଇଥିଲେ ।

 

ପଡ଼ୋଶୀ ଗୃହିଣୀ ତାକୁ ମୋ ବିଷୟରେ ପଚାରିଥିଲେ । ‘ମୋର ଇଏ ଭାଇ’ ବୋଲି କହିଥିଲା କସ୍ତୁରୀ ।

 

ମୁଁ ସେଠାରୁ ବାହାରିଲାବେଳେ, “ଶୀଘ୍ର ବାହା ହେଇପଡ଼ି ଉଭୟେ ଏଠାକୁ ଥରେ ଆସ-। ତା’ ପରେ ମୁଁ ତମ ଘରକୁ ଯିବି ।” —ବୋଲି ସେ କହିଥିଲା ।

 

ହଁ ସତକଥା—ସେତିକିବେଳ ପର୍ଯ୍ୟନ୍ତ ମୋର ତା’ ଘରକୁ ଯିବା ଅନୁଚିତ ହେବ । ଯିବିନାହିଁ ମଧ୍ୟ; ସେ ବି ମୋର ସେଠାକୁ ଯିବାଟା ଚାହିଁନଥିଲା । ସତରେ କ’ଣ ଚାହିଁନଥିଲା ?

 

କିଛିଦନର ବିଚ୍ଛେଦ ପରେ ଆମେ ଆମର ପୁରୁଣା ସାଙ୍ଗସାଥୀଙ୍କୁ ଭେଟୁ । ପୁଣି ପୂର୍ବର ସ୍ନେହଶ୍ରଦ୍ଧା ପରସ୍ପରଙ୍କ ମଧ୍ୟରେ ବିନିମୟ ହୁଏ । ଆମକୁ ଆମ ସାଙ୍ଗସାଥୀ ସାହାଯ୍ୟ କରିଥାଆନ୍ତି । ତାହା ଯଦି ନହୁଅନ୍ତା, କେତେଜଣ ଆମକୁ ଅସୁବିଧାରେ ପକେଇ ନଥାଆନ୍ତେ: ସହଜରେ ଦୁନିଆରେ ଚଳି ହୁଅନ୍ତାନାହିଁ । ଏମିତି କିଛି ଗୋଟାଏ କାରଣ ଯୋଗୁଁ ଆମ ସାଙ୍ଗସାଥୀ ଏବଂ ଆମ ମଧ୍ୟରେ ବହୁଦିନ ପର୍ଯ୍ୟନ୍ତ ସୁସମ୍ପର୍କ ତିଷ୍ଟିପାରେ । କିନ୍ତୁ ସଙ୍ଗିନୀଙ୍କ ସହ.... ?

 

ଅନ୍ଧାର ହେବାପରେ କାବେରୀ କୂଳରୁ ଫେରିଲି । କୋଠରିରେ ବତି ଜାଳିଲି । ଆନନ୍ଦରେ ମଜ୍ଜିଯାଇ ସ୍ଵାମୀନାଥ ଗୋଟାଏ ସିନେମାଗୀତ ଗାଉଥିଲା । ତାକୁ ଦେଖିବାକ୍ଷଣି ମୋତେ ଭୀଷଣ ରାଗଲାଗିଲା ।

 

“ତୁ ସେହି ସେଦୁଗମ ସହିତ କଥାବାର୍ତ୍ତା ବନ୍ଦକରିବୁ କି ନା ?” —ପଚାରିଲି ।

 

ସେ ବ୍ୟଙ୍ଗାତ୍ମକ ହସଟିଏ ହସିଥିଲା । ଓଲଟି ମୋତେ ପଚାରିଥିଲା—”ତୁ ସେହି ଲଳିତା ସହିତ କଥାବାର୍ତ୍ତା ବନ୍ଦକରିବୁ କି ନାହିଁ ?”

 

ଘୃଣାରେ ତା’କୁ ଚାହିଁଲି ।

 

“ତୁ ରାଗନା ଦୁରେଇ ! ମୁଁ ଧନୀଲୋକଙ୍କ ସହିତ ବନ୍ଧୁତା ସ୍ଥାପନ କରୁଛି...”

 

“ଭୂତ ରାକ୍ଷସଙ୍କ ସହିତ ମଧ୍ୟ ବନ୍ଧୁତା ସ୍ଥାପନ କର ।”

 

“କେବଳ ଧନୀମାନେ ଜାଣନ୍ତି କାହାକୁ କେତେଦିନ ଅସ୍ତ୍ରରୂପେ ବ୍ୟବହାର କରାଯାଇପାରିବ । କାମ ହାସଲ କରିସାରିବା ପରେ ତା’ ତଣ୍ଟି ଚିପି ମାରିଦେବାପାଇଁ ମଧ୍ୟ କୁଣ୍ଠାବୋଧ କରନ୍ତିନି । ତୋର ମଙ୍ଗଳ ପାଇଁ, ତୋର ଲାଭ ପାଇଁ ହିଁ ମୁଁ ସେଦୁରାମ ସହିତ ମିଳାମିଶା କରେ ।”

 

“ମୋ ବିଷୟନେଇ ତୁ ବେଶି ଧନ୍ଦିହୁଅନା । ତା’ ଠାରୁ ମୁଁ କୌଣସି ସାହାର୍ଯ୍ୟ ଚାହେଁନା-। ତୁ କିମ୍ବା ସେ ମୋ ବ୍ୟକ୍ତିଗତ ବ୍ୟାପାରରେ ହସ୍ତକ୍ଷେପ ନକରି ରହିଲେ ହେଲା—ସେତିକି ମୋ’ ପାଇଁ ଯଥେଷ୍ଟ ।”

 

ସେଦିନ ସଂଧ୍ୟାରେ ଆସିଥିବା ଡାକ ଟେବୁଲ ଉପରେ ଥୁଆହୋଇଥିଲା । ଖୋଲି ପଢ଼ିଲି । ମାଡ୍ରାସରୁ ମୋର ପରିଚିତ ଏକ ସିନେମା କମ୍ପାନୀରୁ—ସିନେମା ପାଇଁ ଗଳ୍ପ ଦରକାର ବୋଲି ଗୋଟାଏ ଚିଠି ଆସିଥିଲା । ଖୁବ୍ ଶୀଘ୍ର ଚଳଚ୍ଚିତ୍ର ପ୍ରସ୍ତୁତ ଶେଷ କରିଦେବା ଇଚ୍ଛାକରି କମ୍ପାନୀ କର୍ତ୍ତୃପକ୍ଷ ମୋତେ ସେଠାରେ ଅବିଳମ୍ବେ ପହଞ୍ଚିବାକୁ ଲେଖିଛନ୍ତି । ଆଉ ମଧ୍ୟ ଲେଖିଛନ୍ତି–‘ଏଠାକୁ ଆସି ଏକମାସ ଯଦି ରହନ୍ତି ତା’ହେଲେ ଖୁବ୍ ଭଲହୁଅନ୍ତା ।’

 

ଚିଠିଗୁଡ଼ିକ ମୁଁ ପଢ଼ି ବନ୍ଦ କରିସାରିବା ପରେ, ସ୍ଵାମୀନାଥ କିଛିନା କିଛି ଭାବି ଭାବି, ‘ଦୁରେଇ’ ବୋଲି ଥରୁଟିଏ ଡାକିଲା । ପଚାରିଲା—“ଏହି ଅଫିସରେ ମୋ ପାଇଁ ଖଣ୍ଡେ ଚାକିରିର ବନ୍ଦୋବସ୍ତ କରିଦେବୁନି ?”

 

କହିଲି—“ଖେଳୁଛୁ ନା କ’ଣ ମୋ ସହିତ ?”

 

“ନା, ସତରେ କହୁଛି; ଭାବୁଛି କିଛି ଗୋଟାଏ ଚାକିରି କଲେ ଭଲହୁଅନ୍ତା ।”

 

“ଚାକିରିବାକିରି କିଛି ନକରି ତ ବହୁତ ଉପାର୍ଜନା କରୁଛୁ ! ଏଠି ଯେଉଁ ଦରମା ପାଇବୁ ତାହା ତୋ ପାଇଁ ଯଥେଷ୍ଟ ହେବ ତ ?”

 

“ମୋର ଦରମା ମୋଟେ ଦରକାର ନାହିଁ—ସମୟ କଟିଲେ ଯଥେଷ୍ଟ ।”

 

ଛାପାକାମ ଠିକ୍ ଚାଲିଛି କି ନା ତନଖି କରିବାପାଇଁ ସେତେବେଳେ ଜଣେ ଲୋକର ଆବଶ୍ୟକତା ଥିଲା । ରାମଲିଙ୍ଗମ୍ ବାବୁଙ୍କଠାରେ ପ୍ରସ୍ତାବଟି ଉପସ୍ଥାପିତ କରି ଆବଶ୍ୟକୀୟ ପଦକ୍ଷେପ ନେବି ବୋଲି ତା’ ନିକଟରେ ପ୍ରତିଜ୍ଞାକଲି । ସ୍ଵାମୀନାଥ ଖୁବ୍ ଦକ୍ଷତା ସହକାରେ କାମ କରେ—ଏହା ମୁଁ ଭଲ ଜାଣେ ।

 

ତା ଆରଦିନ ଚାକିରିରେ ସେ ଯୋଗଦେଲା । ଅଫିସ୍‌କାମ ନିୟମିତ କରି କମିଶନ୍ ବ୍ୟବସାୟ ମଧ୍ୟ ଦେଖିବା ଛାଡ଼ିନଥିଲା ।

 

ଦୁଇଦିନ ବିତିଲା । ୟାରିଭିତରେ ମୋ କୋଠରିରେ ଦେଖିବାକୁ ମିଳିଲା ନୂଆ ବ୍ୟାଡ଼୍‌ମିଣ୍ଟନ୍ ନେଟ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଖେଳସରଞ୍ଜାମ । ଖେଳିବା ନିମନ୍ତେ ସ୍ଵାମୀନାଥ ମୋତେ ଡାକିଲା । ମୁଁ ମନାକଲି । ସାନ୍ଧ୍ୟ ଭ୍ରମଣପାଇଁ ସହରକୁ ଚାଲିଗଲି । ଫେରିବା ପରେ ଦେଖିଲି ବଲ୍‌ଖେଳ ଖୁବ୍ ସରଗରମ ଚାଲିଛି । ସ୍ଵଭାବବଶତଃ କାନ୍ତା ଦାନ୍ତ କାମୁଡ଼ି ଖୁବ୍ ଜୋର୍‌ରେ ମାରି ବଲ୍‌କୁ ଅଫିସ ସୀମା ବାହାରକୁ ପଠେଇଦେଉଥାଏ । ଅନେକଥର ଅଫିସ ପାଚେରି ଆରପଟେ ଥିବା ବଙ୍ଗଳା ଭିତରକୁ ବଲ୍ ଚାଲିଯାଇଥିଲା । ସ୍ଵାମୀନାଥ ପାଚେରି ଅତିକ୍ରମ କରି ବଙ୍ଗଳାରୁ ବଲ୍ ଫିଙ୍ଗୁଥାଏ ।

 

ସେ ଅଫିସରେ ଚାକିରି କରିବାର ଅସଲ ଉଦ୍ଦେଶ୍ୟ ବର୍ତ୍ତମାନ ମତେ ଜଣାଗଲା ।

 

ସକାଳ ଆଠଟାବେଳେ ନାରାୟଣସ୍ୱାମୀ ଆସି ମୋ ବସାରେ ହାଜର । ଅସମୟରେ ତାଙ୍କୁ ଦେଖି ବିସ୍ମିତ ହେଲି । ଏତେମାସ ପରେ ଆଜି ହିଁ ପ୍ରଥମଥର ପାଇଁ ମୋ କୋଠରି ଭିତରକୁ ଆସିଛନ୍ତି । ଆଗରୁ ଅଧିକାଂଶ ଥର ସନ୍ଧ୍ୟାରେ ହିଁ ଆସିଥିଲେ । ଅଫିସ ବାରଣ୍ଡାରେ କିମ୍ୱା ଅଫିସ ପଛ ବଗିଚାରେ ବସି କଥାବାର୍ତ୍ତା କରିବା ଥିଲା ଆମ ଅଭ୍ୟାସ । ତେବେ ପାଞ୍ଚମିନିଟ୍‌ରୁ ବେଶି କେବେ ରହନ୍ତିନାହିଁ । ‘‘ଆସନ୍ତୁ, ଘରକୁ ଯିବା” ବୋଲି ବାଧ୍ୟକରି ଡାକି ସାଥିରେ ନେଇ ଚାଲିଯାଆନ୍ତି ।

 

କିଛି ସମୟ ଚୌକିରେ ବସି, ଧୀରେ ଉଠି କୋଠରିର ଚାରିପଟ ବୁଲି ଦେଖିଲେ । ଆଲମାରିରୁ ବହିପତ୍ର ବାହାରକରି ଆଖି ବୁଲେଇଲେ । କୋଠରିଟିର କୋଣରେ ଷ୍ଟାଣ୍ଡ୍‍ ଉପରେ ଥିବା ମାର୍ବଲ୍‍ ପଥର ତିଆରି ବୁଦ୍ଧମୂର୍ତ୍ତିକୁ ଦେଖି କିଛି ସମୟ ଠିଆହେଲେ । ସେଠାରେ ମୂର୍ତ୍ତିଟିର ଟିକିଏ ଉପରକୁ ତାଣ୍ଡବ ନୃତ୍ୟରତ ନଟରାଜଙ୍କ ଏକ ଫଟୋ କାନ୍ଥରେ ଟଙ୍ଗା ହେଇଥିଲା ।

 

“ସମାନ ମନୋଭାବର କେତେକ ମଣିଷ ଅନେକ ଜାଗାରେ ଦେଖାଯା’ନ୍ତି ।” —କହିଥିଲେ ।

 

ସେତେବେଳେ ତାଙ୍କର ସେହି ବଡ଼ ପାଠାଗାରଟି ଏବଂ ତା’ର କେନ୍ଦ୍ରରେ ରଖାଯାଇଥିବା ବୁଦ୍ଧମୂର୍ତ୍ତି ମୋର ମନେପଡ଼ିଲା । ଗୋଟାଏ ଆଲମାରିରେ କେବଳ ବୁଦ୍ଧଦେବଙ୍କ ସମ୍ପର୍କରେ ଲେଖା ବହି ରଖାଯାଇଥିଲା । ଶ୍ରୀଲଙ୍କା, ବ୍ରହ୍ମଦେଶ, ଚିନ୍ ପ୍ରଭୃତି ଦେଶରୁ ସେଗୁଡ଼ିକୁ ସେ ମଗେଇଥିଲେ ।

 

“ଭଗବାନଙ୍କ ଅସ୍ତିତ୍ୱକୁ ବୁଦ୍ଧଦେବ ଯଦି ଗ୍ରହଣ କରିଥା’ନ୍ତେ, ତେବେ...” ଅଧାରେ ବନ୍ଦ କରିଥିଲେ ନାରାୟଣସ୍ୱାମୀ ।

 

ପୂରଣକରି ମୁଁ କହିଲି, “ଭାରତରେ ସେହି ଧର୍ମର ମୂଳ ଖୁବ୍ ଭିତରକୁ ଭେଦି ଯାଇଥାଆନ୍ତା । ବର୍ତ୍ତମାନ ମଧ୍ୟ ତାହା ପୂରା ଲୋପ ପାଇନାହିଁ । ହିନ୍ଦୁଧର୍ମର କୁସଂସ୍କାରମାନ ଲୋପ କରିବା ନିମନ୍ତେ ପ୍ରଚେଷ୍ଟା କରି ଏବଂ ସେଥିରେ କିଛି ସଫଳତା ହାସଲକରି ତାହା ସହିତ ଲୀନହୋଇଗଲା ।”

 

“ଠିକ୍ କଥା । ଆପଣଙ୍କର ଭଗବାନଙ୍କଠାରେ ବିଶ୍ଵାସ ଅଛି ?”

 

“ଅଛି; ଭକ୍ତି ଓ ଧ୍ୟାନ ପ୍ରତି ମୋର ଯଥେଷ୍ଟ ଶ୍ରଦ୍ଧା ।”

 

“ଯେଉଁମାନଙ୍କର ଭଗବାନଙ୍କଠାରେ ବିଶ୍ଵାସ ରହିଛି ସେମାନଙ୍କଠାରେ ସାଧୁତାର ଅଭାବ ପରିଲକ୍ଷିତ ହୁଏ ।” ସେ କହିଲେ ।

 

“ଯେଉଁମାନେ କହନ୍ତି ଯେ ସେମାନଙ୍କର ବିଶ୍ଵାସ ଅଛି ବୋଲି—କିପରି ବିଶ୍ଵାସ କରିବାକୁ ହୁଏ ସେମାନେ ଜାଣନ୍ତି ବୋଲି କୁହାଯାଇନପାରେ । ଅନୀତିକୁ ପ୍ରଶୟ ଦେବାର ଅଧିକାରୀ ନୁହନ୍ତି ଭଗବାନ । ଭଗବାନଙ୍କଠାରେ ଯେଉଁ ମାନଙ୍କର ବିଶ୍ଵାସ ନାହିଁ ସେମାନଙ୍କଠାରେ କଣ ସାଧୁତା ପରିଲକ୍ଷିତ ହୁଏ ନାହିଁ ?”

 

“ଆପଣ କ’ଣ ଭାବୁଛନ୍ତି ?”

 

“ସ୍ନେହମମତାପୂର୍ଣ୍ଣ ହୃଦୟ, ଦୟାଶୀଳତା ତଥା ସୌନ୍ଦର୍ଯ୍ୟବୋଧ—ଏଗୁଡ଼ିକ ଯାହାଠାରେ ରହିଛି, ତା’ର ଏକ ସ୍ଵତନ୍ତ୍ର ଶକ୍ତି ଉପରେ ବିଶ୍ଵାସ ନଥିଲେ ସୁଦ୍ଧା ଭଗବାନଙ୍କ ଉପରେ ବିଶ୍ଵାସ ନଥିଲେ ସୁଦ୍ଧା ଭଗବାନଙ୍କ ଉପରେ ଅଛି ବୋଲି କହିପାରିବା ନିଶ୍ଚୟ ।”

 

ନାରାୟଣସ୍ୱାମୀ ବୁଲିଆସି ମୋ ପାର୍ଶ୍ଵରେ ବସିଲେ । ହାତ ବାଡ଼ିଟିକୁ ଟେବୁଲ୍ ଉପରେ ଥୋଇଲେ । ଚଷମା ପୋଛି ପୁଣି ପିନ୍ଧିଲେ ।

 

ଆଜି ଆପଣ ମାଡ୍ରାସ୍ ଯାଉଛନ୍ତି ନା !

 

“ହଁ...”

 

“ଆଜି ଆମ ଘରେ ଆପଣଙ୍କର ଭୋଜନ—ଏହା କହିବାପାଇଁ ହିଁ ଆସିଥିଲି ।”

 

“କାହିଁ—ଆଜି ସେମିତି କିଛି ବିଶେଷତ୍ଵ ନାହିଁ ତ !”

 

“ଆପଣଙ୍କ ସହିତ ଭୋଜନ କରିବା କଅଣ ଏକ ବିଶେଷତ୍ଵ ନୁହେଁ କି ? ଏକମାସ ପରେ ତ ଫେରିବେ । ଏହାଛଡ଼ା ଲଳିତାର ଆଜି ଜନ୍ମଦିନ ।”

 

“ଓହୋ !”

 

“ଏହି ବର୍ଷ ହିଁ ତାହା ପାଳନ କରିବା ନିମନ୍ତେ ସେ ରାଜିହେଇଛି; ଗତବର୍ଷ ସେ ମୋଟେ ରାଜିନଥିଲା । ବାରଟାବେଳେ କାର୍ ପଠାଇବି, ଆସିବେ ! ସଂଧ୍ୟା ସୁଦ୍ଧା ଆମସହିତ ରହି ତା’ପରେ ଫେରିବେ ।”

 

“କାର୍ ପଠାନ୍ତୁନାହିଁ—ମୁଁ ନିଶ୍ଚୟ ଯିବି ।”

 

କିନ୍ତୁ ଠିକ୍ ସମୟରେ କାର୍ ଆସି ପହଞ୍ଚିଲା । ଘରେ ଯାଇ ପହଞ୍ଚୁ ପହଞ୍ଚୁ ‘ଆସନ୍ତୁ’ ବୋଲି ହସି ହସି କହି ଦରଜା ଫିଟାଇଲା ଲଳିତା । ମୁଁ ଭ୍ରମରେ ପଡ଼ିଲି । ମୋ ନିଜ ଚକ୍ଷୁକୁ ମୁଁ ବିଶ୍ଵାସ କରିପାରିଲି ନାହିଁ । ଇଏ ଲଳିତା’ତ ! କ୍ଷଣକ ପାଇଁ ପାଦ ସେଠାରୁ ଘୁଞ୍ଚିନଥିଲା । ସେ ମଧ୍ୟ ସୁନାର କଣ୍ଢେଇଟିଏ ଭଳି ସାମନାରେ ଠିଆହୋଇଥିଲା । ପରେ ମୋତେ ଲକ୍ଷ୍ୟ କରୁଥିବା ତାର ଚକ୍ଷୁଦୁଇଟି ତଳକୁ ନଇଁଆସିଲା । ମୁହଁ ନାଲିପଡ଼ିଗଲା । ଟିକିଏ ବିଚଳିତ ହୋଇ ମୋତେ ରାସ୍ତା ଛାଡ଼ିଦେଲା । ପାଦ ଠିକ୍ ନପଡ଼ିଲେ ମଧ୍ୟ ମୁଁ ଟିକିଏ ଇତସ୍ତତଃ ହୋଇ ଭିତରକୁ ଚାଲିଲି । “ଲଳିତା-! ଏଇ କଅଣ ?” —ପଚାରିଲି ।

 

ଲଳିତା ଦିନେ କେବେ ନିଜକୁ ଏମିତି ରୂପରେ ସଜାଇ ମୋ ସମ୍ମୁଖରେ ଠିଆ ହେବବୋଲି ମୁଁ ସ୍ଵପ୍ନରେ ସୁଦ୍ଧା ଭାବିନଥିଲି । କବି ଭାରତୀୟର୍ ତାଙ୍କ ‘ଜ୍ଞାନରଥ’ରେ ବର୍ଣ୍ଣନା କରିଥିବା ସ୍ଵପ୍ନର ଉଦ୍ୟାନ ତଥା ଗନ୍ଧର୍ବଲୋକରେ ମୁଁ ପରିଭ୍ରମଣ କରିଛି । କବି ସେକ୍‌ସପିଅରଙ୍କ A Mid Summer Night Dream ରେ ବର୍ଣ୍ଣିତ ମନୋହର ଉଦ୍ୟାନରେ ପରିଭ୍ରମଣ କରିଛି । ସେ ସବୁଠି ମଧ୍ୟ ଲଳିତାଭଳି ଝିଅକୁ ଦେଖିବାକୁ ପାଇନଥିଲି । ଗାଢ଼ ନୀଳରଙ୍ଗର ଚକ୍ ଚକ୍ କରୁଥିବା ଶିଲ୍‍କ ଶାଢ଼ୀ ପିନ୍ଧିଥିଲା ସେ । ଅମାବାସ୍ୟା ରାତିରେ ଆକାଶରେ ଦେଖାଯାଉଥିବା ଉଜ୍ଜ୍ଵଳ ନକ୍ଷତ୍ରପୁଞ୍ଜି ଭଳି ଶାଢ଼ୀସାରା ଧଳା ଧଳା ଛୋଟ ଛୋଟ ଟୋପି ଦାଗ ଫୁଟିଥିଲା । ଶାଗୁଆ ରଙ୍ଗରେ ବ୍ଲାଉଜ ତାର ଦେହକୁ ଆବୃତ୍ତ କରିଥିଲା । ପିଠିପଟେ ଆମ୍ବକଷି ରଙ୍ଗର ଫିତା ବ୍ଲାଉଜକୁ ଭିଡ଼ି ରଖିଥିଲା । ଢିଲାରେ ପକେଇଥିବା ବେଣୀକୁ ହଲେଇ ହଲେଇ ମୋ ସାମନାଦେଇ ଚଞ୍ଚଳ ଚାଲିଗଲା ସେ । ମୁଣ୍ଡରେ ପିନ୍ଧିଥିଲା ଗୋଲାପୀ ରଙ୍ଗର ଇଟଳା ଫୁଲରୁ ଏକ ସୋରା—ତା’ ସାଙ୍ଗକୁ ଥିଲା ଧଳା ମଲ୍ଲୀଫୁଲର ଅନ୍ୟ ଏକ ସୋରା ।

 

ପାଖ କୋଠରି ଭିତରକୁ ପଶି ସେ ଆଉ ଦେଖାନଯିବା ପରେ ମୁହଁ ଉପରକୁ ଉଠେଇ ମୁଁ ଚାଲିଲି । ସେତେବେଳେ ମୋ’ ମନ ମୋଠାରେ ନଥାଏ । ଲଳିତା ପାଖରେ ମଧ୍ୟନଥିଲା । ଜ୍ଞାନଶୂନ୍ୟ ପରିବେଷ୍ଟନୀ ଯାହାକୁ କୁହାଯାଏ—ସେମିତିକା ଏକ ପରିସ୍ଥିତି ମଧ୍ୟଦେଇ ଗତିକରି କଅଣ କରୁଥିଲି କିଛି ସୁଦ୍ଧା ଜାଣିନପାରି ବଗିଚା ଭିତରେ ଥିବା ମଣ୍ଡପ ଉପରେ ଯାଇ ବସିଲି । ମୁହଁରେ ଝାଳ ।

 

“ଆରେ ବାପ୍‌ରେ ! ଅସହ୍ୟ ଗରମ !” ବୋଲି କହି କହି ନାରାୟଣସ୍ଵାମୀ ଆସି ପହଞ୍ଚିଲେ । ପାଖରେ ଥିବା ଟେବୁଲ୍ ପଙ୍ଖା ମୋ ପଟେ ଘୂରେଇ ସୁଇଚ୍ ଟିପିଲେ । ବିଦ୍ୟୁତ୍ ପଙ୍ଖା କ’ଣ ମନର ଜ୍ଵାଳା କମେଇପାରିବ ? ମମତାର ମଳୟ କ’ଣ ବୁହାଇପାରିବ ?

 

ଖିଆ ଚାଲିଥାଏ ।

 

“ଆଜି ଲଳିତା ନିଜେ ରୋଷେଇଘରେ ରହି ସବୁ ନିର୍ଦ୍ଦେଶ ଦେଇଥିଲା ।” —ନାରାୟଣସ୍ଵାମୀ କହିଲେ ।

 

ସବୁ କିମିତି ରୋଷେଇ ହୋଇଥିଲା ମୁଁ ଜାଣେନା । କୌଣସିଟାବି ମୁଁ ରୁଚିକର ବୋଧ କରିପାରିନଥିଲି । ସମ୍ବର୍, ରସମ୍, ପାମ୍ପଡ଼, ପାୟସ......ସବୁର ସ୍ଵାଦୁ ଏକାଭଳି ମନେହେଲା ।

 

“ଆଉ ଅଳ୍ପ ପାୟସ୍ ଖାଆନ୍ତୁ ।” ଲଳିତା କହିଲା ।

 

ସେତିକିବେଳେ ହିଁ ମୁଁ ପାୟସ୍ ଖାଇବାପାଇଁ ହାତ ବଢ଼ଉଥିଲି ।

 

“ନା, ଆଉ ଦରକାର ନାହିଁ—ଏତିକି ଯଥେଷ୍ଟ ।”

 

ଖାଆନ୍ତୁ ଦୁରେଇ ବାବୁ, ଆଜି ଖୁବ୍ ବଢ଼ିଆ ହେଇଛି ।” —ନାରାୟଣସ୍ଵାମୀ କହିଲେ ।

 

“ଟିକିଏ ଖାଆନ୍ତୁ ।” —କହି ଲଳିତା ଆଉ କିଛି ଢାଳିଦେଲା ।

 

ଦୁରେଇ ବାବୁଙ୍କୁ ଏହିକ୍ଷଣି ମାଡ୍ରାସ୍ କଥା ମନେପଡ଼ିଗଲା ବୋଧହୁଏ । ଚଳଚ୍ଚିତ୍ର ପାଇଁ କଥାବସ୍ତୁ ଏଇ ହିଁ ଠିକ୍ କରିଦେବେ କି କଅଣ ! ସେଥିପାଇଁ ବୋଧହୁଏ ଭଲକରି କଥା ବି ହଉନାହାନ୍ତି, ଲଳିତା !” —ନାରାୟଣସ୍ଵାମୀ ହସି ହସି କହିଲେ ।

 

ମୋର ଭୁଲ ମୁଁ ବୁଝିପାରିଲି । ଯେଉଁମାନେ କଳ୍ପନାପ୍ରିୟ ଏବଂ ଭାବୁକ ସେମାନେ କେତେ ଶ୍ରମସ୍ଵୀକାର କରନ୍ତି ଜାଣନ୍ତି ? ଗୋଟାଏ ଛୋଟ ଘଟଣାକୁ କେନ୍ଦ୍ରକରି ଏତେଦୂର ପର୍ଯ୍ୟନ୍ତ ଭବିବା ନିମନ୍ତେ ମନକୁ ପଠେଇଦେଇଥିଲି !

 

‘ନା, କଥାବସ୍ତୁ ସଂପର୍କରେ ଭାବୁନି । ଖାନା ଖୁବ୍ ଭଲହୋଇଛି—ବସି ବସି ଯଥେଷ୍ଟ ଖାଇଛି ।” —କହିଲି ।

 

“ଗତକାଲି ମୁଁ ଆଉ ଲଳିତା ଲୁଗାଦୋକାନକୁ ଯାଇଥିଲୁ । ଲଳିତାର ମଧ୍ୟ ଶାଢ଼ୀ କଣିବାରେ ଏତେ ଆଗ୍ରହଥିବା କାଲି ହିଁ ଠଉରେଇପାରିଲି । ପ୍ରାୟ କୋଡ଼ିଏଟା ଦୋକାନକୁ ନେଇ ମୋତେ ବୁଲେଇଥିବ ! ପରିଶ୍ରମ କିନ୍ତୁ ବୃଥାହେଇନି । “ଆପଣ ହିଁ ଦେଖନ୍ତୁ—ଆଜିର ଜନ୍ମଦିନ ପୋଷାକ ଯେମିତି ଲଳିତାକୁ ଠିକ୍ ସାଜୁଛି, ଅନ୍ୟ ପୋଷାକ ସେମିତି ପାରିବ କି ?”

Unknown

 

ମୁଣ୍ଡ ଟେକି ଲଳିତାକୁ ନ ଦେଖି “ଖୁବ୍ ସୁନ୍ଦର ଦେଖାଯାଉଛି” ବୋଲି କହିବାକୁ ଭାବିଲି-। କିନ୍ତୁ ନାରାୟଣସ୍ଵାମୀ ଟିକିଏ ଥଟ୍ଟାକରି, “ପତ୍ରିକାର ଜଣେ ସମ୍ପାଦକ ବୋଲି ଠିକ୍ ପ୍ରମାଣିତ କରନ୍ତୁ ତ ! ବହି ନ ପଢ଼ି ଲେଖା ଭଲଅଛି ବୋଲି ମୁଖବନ୍ଧରେ ମନ୍ତବ୍ୟ ଦେଲାଭଳି କହିବେନି ତ-!” —ବୋଲି ବିନା କୁଣ୍ଠାରେ ସେ କହିଲେ ।

 

ସେଥିପାଇଁ ସମ୍ମୁଖରେ ଠିଆହେଇଥିବା ଲଳିତାକୁ ଚାହିଁଲି ।

 

“ଭଲ ହୋଇଛି ।” କହିଲି ।

 

ସେ ମନେ ମନେ ହସିଲା ।

 

“ଇନ୍ଦ୍ରଧନୁ ରଙ୍ଗର ଶାଢ଼ୀ ନେବାପାଇଁ କହିଲି । ସେ ‘ନୀଳ ରଙ୍ଗର ଶାଢ଼ୀ ହିଁ ମୋତେ ଭଲଲାଗେ’ ବୋଲି କହିଥିଲା । ସ୍ତ୍ରୀମାନଙ୍କର ବି କଳାପାଇଁ କେତେ ଭାବନା ଦେଖନ୍ତୁ ! କଳାମାନେ ଏଠାରେ ଶାଢ଼ି ଅର୍ଥରେ କହୁଛି । ସେମାନଙ୍କ ସୌନ୍ଦର୍ଯ୍ୟ କେଉଁ ଶାଢ଼ି ଦୋକାନରେ, କେଉଁ ଗହଣାଦୋକାନରେ, କେଉଁ ପାଉଡ଼ର ଡବା ଭିତରେ ଲୁକ୍‌କାୟିତ ରହିଛି ନିର୍ଭୁଲ ଅନ୍ଵେଷଣକରି ବାହାର କରିବାପାଇଁ ସେମାନେ କି ତତ୍ପର !”

 

ସେଦିନ ନାରାୟଣସ୍ଵାମୀଙ୍କ ଉତ୍ସାହ ଓ ଆନନ୍ଦର ମାତ୍ରା ଅନ୍ୟାନ୍ୟ ଦିନ ଅପେକ୍ଷା ବେଶିଥିଲା । ପୁଣି ଆରମ୍ଭ କଲେ ସେ—‘ଲଳିତାକୁ ଏମିତି ନୂଆ ରୂପରେ ଦେଖିବି ବୋଲି ଆଜିପର୍ଯ୍ୟନ୍ତ ଭାବିନଥିଲି । ଯେତେ କହିଲେ ବି ନିଜ ବେଶଭୂଷା ପ୍ରତି ମୋଟେ ନଜର ଦିଏନାହିଁ ସେ । ଏହି ଜନ୍ମତିଥିରେ ତା’ର ଦୀର୍ଘଜୀବନ କାମନା କରେ । ପ୍ରତିମାସରେ ତା’ ଜନ୍ମଦିନ ପଡ଼ନ୍ତା କି—ଖୁବ୍ ଭଲ ଖାନା ମିଳନ୍ତା; ଚକ୍ଷୁର ଲାଳସା ମଧ୍ୟ...କଅଣ କହୁଚୁ ଲଳିତା ?”

 

ଖାଇସାରିବା ପରେ ପାନ ଖଣ୍ଡିଏ ଖଣ୍ଡିଏ ଧରି ଉପରମହଲାରେ ଥଣ୍ଡା ପବନରେ ଯାଇବସିଲୁ । ତାହା ଥିଲା ନାରାୟଣସ୍ଵାମୀଙ୍କ କୋଠରି । ଭିତରଟା ପୂରା ଘମ ଘମ ବାସୁଥାଏ । ଚମ୍ପାଫୁଲର ଅତର ବ୍ୟବହାର କରିବା ତାଙ୍କ ଅଭ୍ୟାସ । ଜଣାଯାଉଥାଏ ସତେ ଯେମିତି ସେଠିଥିବା ପ୍ରତ୍ୟେକ ଜିନିଷରେ ସେହି ସୁଗନ୍ଧ ଲାଖିରହିଛି ।

 

“କଳା କେବଳ କଳାପାଇଁ—ବୋଲି ଯାହା କୁହାଯାଏ—ତା’ ଉପରେ ଆପଣଙ୍କ ମତାମତ କ’ଣ ?

 

“ସେମିତି କହିବା ଲୋକ ଆଜିକାଲି ଆଉ କେହି ନଥିବେ ବୋଧହୁଏ ।” —କହିଲି ।

 

“ତାହେଲେ ଆପଣ ଆମ ଦଳର ! ଜୀବନପାଇଁ ତ କଳା ରହିଛି ।”

 

“ହଁ...”

 

“ଟିକିଏ ରୁହନ୍ତୁ, ଏଇ ଆସୁଛି ।” କହି କ୍ଷିପ୍ରଗତିରେ ତଳକୁ ଚାଲିଲେ ।

 

ଲଳିତା ପିନ୍ଧିଥିବା ଶାଢ଼ି କଥା ମୋର ସେତେବେଳେ ମନେପଡ଼ିଲା । ତା ସଙ୍ଗେ ସଙ୍ଗେ ଭାରତୀୟଙ୍କ ପଦ୍ୟାବଳୀରୁ କିଛି ଅଂଶ ବି ମନେପଡ଼ିଲା—

 

‘ତମର ରେଶମୀ ଘନକୃଷ୍ଣ ଶାଢ଼ି ଦେହେ

ହୀରକ ଶୁଭ୍ରଦାଗ ପଂକ୍ତି ଦେଖି

ପ୍ରତ୍ୟୟ ହୁଏ

ଅମାରାତ୍ର ନକ୍ଷତ୍ରପୁଞ୍ଜ

ସତେ ଆଉ ଖଞ୍ଜିହେଇଛି କି

ଗୋ ସଖୀ !’

 

“ସେ କାହାନ୍ତି ?”

 

ବୁଲି ଚାହିଁଲି । ଲଳିତା କବାଟ କରରେ ଠିଆହୋଇଥିଲା ।

 

“ଏଇ ଆସିବେ ।” —କହିଲି ।

 

“ଚଳଚ୍ଚିତ୍ର ଜଗତକୁ କୁଆଡ଼େ ଆପଣ ଯାଉଛନ୍ତି ।” ବୋଲି ପଚାରିବା ଉଦ୍ଦେଶ୍ୟ ନେଇ ପାଖ ସୋଫାରେ ଆଉଜି, ବସିଯାଇ ଫେରିଆସିବା ପାଇଁ ମାସେ ଖଣ୍ଡେ ଲାଗିଯିବ ବୋଧହୁଏ !” ପଚାରିଲା ।

 

“ହୋଇପାରେ ।”

 

“ଚଳଚ୍ଚିତ୍ର ଜଗତ ଭାରି ଚାକଚକ୍ୟପୂର୍ଣ୍ଣ । ଚକ୍‍ଚକ୍ କରୁଥିବା ତାରକାଙ୍କ ସଂଖ୍ୟା ସେଠାରେ ଅନେକ ।” କହି ଟିକିଏ ହସିଲା ।

 

“ହେଲେ କ’ଣ ହେଲା—ତାରକାଙ୍କ ସହିତ ମୋର ମୋଟେ ସଂପର୍କ ରହିବନି ଯେ ନିର୍ଜନ ସ୍ଥାନ ଏବଂ ପୁଳାଏ ଧଳା କାଗଜ ପରା ମୋର ଦରକାରୀ ଜିନିଷ ।”

 

“ତଥାପି କଳା ଜଗତ...”

 

“ଅବଶ୍ୟ ସତର୍କତା ଅବଲମ୍ୱନକରି ରହିବାର ଜଗତ ।”

 

ତା’ପରେ ସେ ଆଉ କିଛି କହିନଥିଲା । ଡାହାଣ ଗୋଡ଼ ବୁଢ଼ା ଆଙ୍ଗୁଠିରେ ତଳେ ରେଖାଟାଣି ତାହାକୁ ଦେଖୁଥାଏ । କିଛିସମୟ ପରେ ସିଧାହୋଇ ବସିଲା । ମଥାଟେକି ମୋତେ ଖୁବ୍ ଭଲରୂପେ ଲକ୍ଷ୍ୟକରି ପୁଣି ତଳକୁ ମୁଣ୍ଡ ପୋତିଦେଲା । ଆଜି ସୁଦ୍ଧା ତା ଚାହାଁଣିରେ ନଥିଲା ଏମିତିକା ଚପଳତା । କିନ୍ତୁ ଆଜି କାହିଁକି ?

 

ମୋତେ ସେହି କୋଠରିରେ ରହିବାପାଇଁ ଆଉ ଭଲଲାଗିଲା ନାହିଁ । ହୁଏତ ମୋର ବାହାରକୁ ଚାଲିଯିବା ଉଚିତ୍ କିମ୍ବା ତା’ର ଚାଲିଯିବା ଉଚିତ । ସେ ପିନ୍ଧିଥିବା ମଲ୍ଲୀଫୁଲର ସୁଗନ୍ଧ ମୋତେ କ’ଣ ନା କ’ଣ କରିଦେଇଥାଏ । ଯାହାହେଉ ଠିକ୍ ସମୟରେ ଗଦାଏ ବହିଧରି ନାରାୟଣସ୍ଵାମୀ ଆସି ପହଞ୍ଚିଲେ ।

 

“ଚଳଚ୍ଚିତ୍ର ଯୁଗର ପ୍ରାରମ୍ଭ ପୂର୍ବରୁ ପୁରାଣପାଠ ଯୁଗ ଥିଲା । ପୁରାଣପାଠ ପ୍ରସାର ଲାଭ କରିଥିଲା, ଆଜି ରାଜନୀତି ପ୍ରସାର ଲାଭକରୁଛି । ଏହାପରେ ସେହ୍ନମମତା ପ୍ରସାର ଲାଭ କରିବ ତ-! ଆପଣ ଏହାର ପ୍ରସାର ଘଟାନ୍ତୁ ।”

 

“ନିଶ୍ଚୟ ।”

 

“ଅଶୋକଙ୍କ ରାଜତ୍ଵରେ ଦେଶର ଅବସ୍ଥା ଖୁବ୍ ଭଲଥିଲା । ଏହାର ଏକମାତ୍ର କାରଣ ବୁଦ୍ଧଙ୍କ ବାଣୀ ଓ ନୀତି । ଏହି ବହିଗୁଡ଼ିକ ଆପଣ ସାଥିରେ ମାଡ୍ରାସ୍ ନେଇଯାଆନ୍ତୁ । ପଢ଼ିବା ପରେ ଠିକ୍ ଠିକ୍ ଜାଗାରେ ବୁଦ୍ଧଙ୍କ ବାଣୀ ଏବଂ ନୀତିକୁ ପ୍ରୟୋଗକରି ଏହାର ପ୍ରସାର ଘଟାନ୍ତୁ ।”

 

ସେ ଦେଇଥିବା ନଅଖଣ୍ଡ ବହି ଖୁବ୍ ହୁସିଆରରେ ଆଣିଲି । ସେଥିରୁ ମାତ୍ର ଖଣ୍ଡିଏ ନିୟମିତ ପଢିବାପାଇଁ ଏକମାସ ମଧ୍ୟ ଯଥେଷ୍ଟ ହେବନାହିଁ । କିଛି ସମୟ କଥାବାର୍ତ୍ତା କରି ଘରକୁ ଫେରିଲି । ସ୍ୱାମୀ ସ୍ତ୍ରୀ ଉଭୟେ ଫାଟକ ପର୍ଯ୍ୟନ୍ତ ଆସି ବିଦାୟଦେଲେ ।

 

“ଆସୁଛି !”

 

“ଆଚ୍ଛା, ଯାଇଆସନ୍ତୁ ।” —ଉଭୟଙ୍କ ସ୍ୱର ଏକାହେଇ ଶୁଭିଥିଲା ।

 

ଫେରିବାବେଳେ ଲଳିତାର ମୁହଁକୁ ଚାହିଁବାପାଇଁ ମୋର ସାହସ ନଥାଏ । କିନ୍ତୁ କିଛିଦୂର ଗଲାପରେ ବୁଲି ପଛକୁ ଚାହିଁଲି । ନାରାୟଣସ୍ୱାମୀ ନଥିଲେ—କେବଳ ଲଳିତା ହିଁ ଠିଆହୋଇ ଚାହିଁରହିଥିଲା । ତା’ ଆଖିରେ କାହିଁକି ଏ ପ୍ରକାର ଲାଳସା ?

 

ମାଡ୍ରାସ୍‌ରେ କାମ ବହୁତ ବେଶି । ବିଶ୍ରାମ ନ ନେଇ ଦଶଦିନ କାଳ ଲେଖି ଲେଖି ଚଳଚ୍ଚିତ୍ର ପାଇଁ କଥାବସ୍ତୁର କିଛି ଅଂଶ ସାରିଦେଇଥାଏ । ଏହାରି ଭିତରେ ସେହି ମାସର ‘ସ୍ଵର୍ଣ୍ଣପଦ୍ମ’ ସଂଖ୍ୟା ପାଇଁ ମଧ୍ୟ କ୍ଷୁଦ୍ରଗଳ୍ପଟିଏ ଲେଖିବାକୁ ପଡ଼ିଲା । ତ୍ରିଚିନ୍ନାପଲ୍ଲୀରୁ ଯାତ୍ରାରମ୍ଭ ବେଳେ ଭାବିଥିଲି ଯେ ମାଡ୍ରାସ୍‌ରେ ବିଶ୍ରାମପାଇଁ ଯେଉଁ ସମୟ ପାଇବି ତାରି ଭିତରେ ଲେଖି ପଠେଇ ହେବବୋଲି । କିନ୍ତୁ ନୂଆ କଥା ଭାବିବାପାଇଁ ମଧ୍ୟ ସମୟ ମିଳିନଥିଲା । ରାତିସାରା ଆଖିପତା ନ ପକେଇ କାମକରିବାକୁ ହେଲା । ଏଣେ ପତ୍ରିକା ପାଇଁ କ୍ଷୁଦ୍ରଗଳ୍ପ ମଧ୍ୟ ନଲେଖି ରହିହେଲାନାହିଁ । ସହ ସମ୍ପାଦକ ଶଙ୍କରବାବୁଙ୍କଠାରୁ ଦୁଇଖଣ୍ଡ ପତ୍ର ଆସି ପହଞ୍ଚିସାରିଥାଏ । ଲେଖିଥାଆନ୍ତି—‘ପ୍ରେସ ଆପଣଙ୍କ ଗଳ୍ପ ଅପେକ୍ଷାରେ ।’

 

ଯେଉଁ ଗଳ୍ପ ଲେଖିବା ଅନୁଚିତ ବୋଲି ଭାବି ଆଜି ସୁଦ୍ଧା ଗଡ଼େଇ ଗଡ଼େଇ ଆସୁଥିଲି, ଅନ୍ୟ ଉପାୟ ନପାଇ ତାକୁ ହିଁ ଶୀଘ୍ରଲେଖି ପଠେଇଦେଲି । ଆଗରୁ ମୁଁ ଉଲ୍ଲେଖ କରିଥିବା ମୋର ପିଲାଦିନର ସଙ୍ଗିନୀ କସ୍ତୁରୀକୁ କେନ୍ଦ୍ରକରି ଲେଖିଥାଏ । ବିଶେଷ କିଛି ପରିବର୍ତ୍ତନ ନକରି ଗଳ୍ପଟିରେ ପ୍ରକୃତ ଘଟଣାବଳୀକୁ ସ୍ଥାନ ଦେଇଥିଲି । ଗପଟିର ନାମ ‘ସ୍ମୃତି’ । ଯଥାଶୀଘ୍ର ଡାକରେ ତ୍ରିଚିନ୍ନାପଲ୍ଲୀ ପଠେଇଦେଲି ।

ଏହି ଦଶଦିନ ମଧ୍ୟରେ ସମସ୍ତଙ୍କଠାରୁ ଚିଠି ଆସିସାରିଥାଏ । ପ୍ରଥମଟି ଆସିଥିଲା କାନ୍ତାଠାରୁ :

ସ୍ନେହର ବଡ଼ଭାଇ,

ନମସ୍କାର । ଆପଣଙ୍କ ବନ୍ଧୁ ସ୍ଵାମୀନାଥ ବାବୁଙ୍କ ସମ୍ପର୍କରେ ମୁଁ ପାଇଥିବା ଚିଠି ଏହାସହ ପଠେଇଛି । ଏହି ଚିଠି ଖଣ୍ଡିକ ଦେଖିବା ପରେ ପରେ ମୋର ମାନସିକ ଅବସ୍ଥା ଯେ କି ଆକାର ଧାରଣ କରିଥିବ, ତାହା ମୁଁ ଲେଖିବାକୁ ଯାଉନାହିଁ । ଏହା ମୁଁ ପାଇଥିବା ସେ ଜାଣନ୍ତି ନାହିଁ । ଆପଣ ଏଠି ଥିଲାବେଳେ ଏବଂ ଏପରିକି ମାଡ୍ରାସ୍ ଗଲାପରେ ମଧ୍ୟ ମୋ ସହିତ ତା’ଙ୍କ ମିଳାମିଶା ବେଶ୍ ଭଦ୍ରୋଚିତ । ଯେହେତୁ ସେ ଆପଣଙ୍କର ଜଣେ ଘନିଷ୍ଠ ବନ୍ଧୁ, ସେଥିପାଇଁ ମୁଁ ମଧ୍ୟ ତାଙ୍କ ସହିତ ମିଳାମିଶାକରେ । ମୋତେ ସେ ବାହାହେବାପାଇଁ ଇଚ୍ଛା କରନ୍ତି । ତା’ଙ୍କର ପୂର୍ବ ଇତିହାସ ସମ୍ପର୍କରେ ଆପଣ ବେଶ୍ ଅବଗତ ଥିବେ । ଦୟାକରି ତାଙ୍କ ବିଷୟରେ ଆପଣଙ୍କ ମତାମତ ଜଣେଇବେ । ଆପଣଙ୍କ ବ୍ୟତୀତ ଆଉ କିଏ ମୋତେ ଏ ସମ୍ପର୍କରେ ସାହାଯ୍ୟ କରିପାରିବ ?

ରହିଲି ।

ଇତି,

ଆପଣଙ୍କ ସ୍ନେହାଧୀନା ଭଉଣୀ,

କାନ୍ତା !

 

ସେ ତା’ ଚିଠି ସହିତ ପଠେଇଥିବା ଅନ୍ୟଏକ ଚିଠି ମଧ୍ୟ ପଢ଼ିଲି–

 

ସ୍ନେହର ଭଉଣୀ କାନ୍ତା,

 

ସ୍ଵାମୀନାଥ ନାମକ ଜଣେ ଯୁବକ ସହିତ ତୁମେ ବୁଲିବା କେତେକ ଜାଗାରେ ଦେଖିଛି । ତାଙ୍କ ସମ୍ବନ୍ଧରେ ତୁମେ ଜାଣିପାରିଲେ, ତାହା ତୁମକୁ ଭବିଷ୍ୟତରେ ବହୁତ ସାହାଯ୍ୟ କରିବ । ତାଙ୍କୁ ବିଶ୍ଵାସକରି ଦାଣ୍ଡ ମଝିରେ ବୁଲୁଥିବା କେତେକ ଅବଳାଙ୍କ ମଧ୍ୟରୁ ମୁଁ ଜଣେ । ମୋ ଭଳି ଯେ ଆହୁରି କେତେକ ଝିଅ ଅଛନ୍ତି—ଏହା ମୁଁ ପରେ ଜାଣିପାରିଲି ।

 

ତୁମେ ଧନୀଘର ଝିଅ । ସେଥିପାଇଁ ହୁଏତ ସେ ତୁମକୁ ବାହା ହେବାପାଇଁ ଇଚ୍ଛା କରିପାରେ; କିନ୍ତୁ ବିବାହ ପରେ ତୁମର ପାରିବାରିକ ସୁଖଶାନ୍ତି ନେଇ ମୁଁ ସନ୍ଦିହାନ । ମୋ ଭଳି ଜଣେ ଭଉଣୀ କେବଳ ତୁମକୁ ସାହାଯ୍ୟ କରିବା ଉଦ୍ଦଶ୍ୟରେ ହିଁ ଏହା ଲେଖୁଛି; କିନ୍ତୁ ତୁମ ଇଚ୍ଛା ଉପରେ ସବୁ ।

 

ଇତି,

ତୁମର ଆଦରର

ଜଣେ ଅନାଥା ଭଉଣୀ ।

 

ଚିଠିଟିକୁ ଭଲରୂପେ ନିରୀକ୍ଷଣ କଲି । ସେହି ଅକ୍ଷରଗୁଡ଼ାକ ଆଗରୁ କେଉଁଠି ଦେଖିଲାଭଳି ମନେହେଲା । ଶାଗୁଆ କାଳିରେ ଲେଖା ଅକ୍ଷର । ନାରାୟଣ ସ୍ଵାମୀଙ୍କ ଘରେ ଥିବା ଠିକଣା ବିହୀନ ‘ଲେଟର ପ୍ୟାଡ୍’ର କମଳା ବର୍ଣ୍ଣର କାଗଜ । ମୁଁ ବୁଝିପାରିଲି, ହସ ମାଡ଼ିଲା । ସେଦୁରାମ ତା’ ସାଙ୍ଗକୁ ଏ ପ୍ରକାର ସାହାଯ୍ୟ କରିବ ବୋଲି ମୁଁ ମୋଟେ ଆଶା କରିନଥିଲି ।

ଅନ୍ୟଟା ସ୍ଵାମୀନାଥର ଚିଠି—

ଦୁରେଇ,

କାନ୍ତା ପ୍ରତି ମୋ ସ୍ନେହ ତୋର ଅଜଣା ନଥିବ । ମୁଁ ତାକୁ କେତେ ଭଲପାଏ ଜାଣୁ ? ମୋ ବିଷୟରେ ତୁ ଖୁବ୍ କମ୍ ଭାବୁ—ମୁଁ ଜାଣେ । ଅବଶ୍ୟ ମୋତେ ତୁ ଯାହା ଭାବିଛୁ କିଛି କିଛି ଠିକ୍; କିନ୍ତୁ ତୁ ଭାବିବା ଅନୁସାରେ ମୁଁ ଝିଅଙ୍କ ବ୍ୟାପାରରେ ସେତେ ଅଭଦ୍ର ନୁହଁ । ଆଜି ସୁଦ୍ଧା କାହାରିକୁ ହେଲେ ପ୍ରେମ କରିନାହିଁ କିମ୍ବା ନିରାଶ ବି କରିନାହିଁ ।

ପ୍ରେମ ଅଲଗା; ଶାରୀରିକ ସମ୍ଭୋଗ ଅଲଗା । ଏହି ମତକୁ ତୁ ଗ୍ରହଣ କରୁଛୁ ତ ? ବିଗତ ଦୁଇବର୍ଷର ପରିବେଷ୍ଟନୀ ଏବଂ ବାତାବରଣ ମୋତେ ଠିକ୍ ରାସ୍ତାରେ ଚାଲିବାକୁ ଦେଇନଥିଲା । ପେଟଚାଖଣ୍ଡକ ପାଇଁ ନିଜକୁ ବିକ୍ରି କରିସାରିଥିବା ଜଣେ ଦୁଇଜଣ ଝିଅଙ୍କୁ ମୁଁ ସାହାଯ୍ୟ କରିଥିଲି । କଠିନ ପରିଶ୍ରମ କରି ଅନ୍ୟ ପନ୍ଥାରେ ସେମାନେ ବଞ୍ଚିବାକୁ ଚେଷ୍ଟା କରିଥିଲେ ଭଲହୁଅନ୍ତା—ମୁଁ ଭାବୁଥାଏ । କିନ୍ତୁ କ’ଣ ହେବ; ନିଜକୁ ସଂଶୋଧନ କରିପାରିନଥିଲେ ସେମାନେ-। ମୁଁ ମଧ୍ୟ ତା’ ପାଇଁ ସେମାନଙ୍କୁ ସୁଯୋଗ ଦେଇନଥିଲି ।

ମଦ୍ୟପ ସୁରାପାନରୁ ତୃପ୍ତି ପାଇଲାପରି ମୁଁ ମୋର ବିଗତ ଭ୍ରଷ୍ଟ ଜୀବନରୁ ତୃପ୍ତି ପାଉଥିଲି । ସେହି ଜୀବନକୁ ବଳିଦେଇସାରି ପୁଣି ମଣିଷଭଳି ବଞ୍ଚି ରହିବାପାଇଁ ତୋ ନିକଟକୁ ଆସିଗଲି । ଆସିବା ପରେ ଜୀବନର ଅଗ୍ରସରତାରେ ଅଧିକା ବିଶ୍ୱାସ ଜନ୍ମିଲା ।

ମୁଁ କାହିଁକି ଏ ସବୁ ଲେଖୁଛି ଜାଣୁ ? ତୁ ହିଁ କେବଳ ଏତିକିବେଳେ ମୋତେ ସାହାଯ୍ୟ କରିପାରିବୁ;—ଏହି ଦୁଇଦିନ ଭିତରେ ମୋ ପ୍ରତି କାନ୍ତାର ବ୍ୟବହାରରେ ହଠାତ୍ ପରିବର୍ତ୍ତନ ଘଟିଛି-। ମୋତେ ସେ ଖୁବ୍ ସନ୍ଦେହ କରୁଛି । ତା’ ବାକ୍ୟବାଣ ମୁଁ ସହ୍ୟ କରିପାରୁନାହିଁ । କୌଣସି ଏକ ଅସମର୍ଥିତ ସୂତ୍ରରୁ ମୋ ବିଷୟରେ ସେ ଜାଣିପାରିଲା ବୋଧହୁଏ । ଘଟିଯାଇଥିବା ସମସ୍ତ କଥା ଜାଣିଶୁଣି ଜଣେ ଝିଅ ମୋତେ ବିଶ୍ଵାସ କରିବ ବା କିପରି ? ମୁଁ ତାକୁ କ’ଣ କହି ବୁଝେଇବି–ଜାଣିପାରୁନାହିଁ ।

 

ତା’ ସ୍ନେହକୁ ମୁଁ କସ୍ମିନ୍ କାଳେ ହରେଇବାକୁ ଚାହେଁନାହିଁ । ତାକୁ ମୁଁ ଜୀବନସଙ୍ଗିନୀ ରୂପେ ପାଇଲେ, ଏକଥା ନିଶ୍ଚିତ, ମୋ ଜୀବନ ଠିକ୍ ରାସ୍ତାରେ ପରିଚାଳିତ ହେବ-। ମୁଁ ଯେତେସବୁ ଅପରାଧ କରିଛି, ସ୍ୱପ୍ନରେ ମଧ୍ୟ ପୁଣିଥରେ ତା’ର ପୁନରାବୃତ୍ତି କରିବାପାଇଁ ଇଚ୍ଛା ପ୍ରକାଶ କରିବିନାହିଁ । ଦୁରେଇ ! ସେ ସବୁକଥା ଭାବି ଭାବି ମୁଁ ଆଜି ଖୁବ୍ ଅନୁତପ୍ତ ।

 

ଯଦି ସମ୍ଭବ ହୁଏ, ଥରେ ଏଠାକୁ ଆସି ଚାଲିଯା’ । ନଚେତ୍ ମୋ ସଂପର୍କରେ କାନ୍ତା ନିକଟକୁ ଚିଠି ଲେଖେ । ଅତୀତର ସବୁ ଅପରାଧ ପାଇଁ ମୁଁ ତୋ ନିକଟରେ କ୍ଷମାପ୍ରାର୍ଥୀ । ଶପଥ କରି କହୁଛି—ଆଜିଠୁଁ କଦାଚିତ୍ ସେଭଳି ଜୀବନଯାପନ କରିବିନାହିଁ ।

 

ଇତି,

ତୋର ସ୍ନେହାଧୀନ

ସ୍ୱାମୀନାଥ ।

 

ମନେହେଲା ସମସ୍ୟାଟିର ସମାଧାନ ସୁବିଧା ଉପାୟରେ ସମ୍ଭବପର ହୋଇପାରିବ । ସ୍ଵାମୀନାଥ ଲେଖିଥିବା ଚିଠି ସେମିତି କାନ୍ତା ନିକଟକୁ ପଠେଇଦେଲି । ତା ସହିତ ସେଦୁରାମର ବେନାମୀ ଚିଠି ସଂପର୍କରେ ମଧ୍ୟ ଲେଖିପଠେଇଲି ।

 

କଲ୍ୟାଣୀୟା ଭଉଣୀ କାନ୍ତା,

 

ଏହା ସହିତ ସ୍ୱାମୀନାଥ ମୋ ନିକଟକୁ ଲେଖି ପଠେଇଥିବା ଚିଠି ପଠେଇଲି । ସେଥିରେ ଯାହା ସେ ଲେଖିଛି, ତାହା ମୁଁ ପୂରା ବିଶ୍ଵାସ କରୁଛି; କିନ୍ତୁ ବିବାହ ବିଷୟ ତୋର ବ୍ୟକ୍ତିଗତ ବ୍ୟାପାର । ଭଲରୂପେ ଭାବିଚିନ୍ତି ଏକ ଉତ୍ତମ ନିଷ୍ପତ୍ତିରେ ପହଞ୍ଚିବା ଉଚିତ । ଭୁଲ୍ ଯିଏ କରିଥାଏ ତାକୁ ସେ ଦିନେ ସଂଶୋଧନ କରିବା ଏବଂ ଭୁଲ ଯିଏ କରିନଥାଏ ଭବିଷ୍ୟତରେ ଭୁଲ କରିବାର ସମ୍ଭାବନା ରହିବା—ଏହା ସାଧାରଣ ଘଟଣା । ତୁ ସେହି ଭଉଣୀ ନିକଟରୁ ପାଇଥିବା ବେନାମୀ ଚିଠିରେ ମୋର ବିଶ୍ଵାସ ଜନ୍ମୁନାହିଁ । ଅନ୍ୟର ଜୀବନଧାରଣ ପ୍ରଣାଳୀରେ ହସ୍ତକ୍ଷେପ କରିବା ସମାଜରେ ଅନେକଙ୍କର ଅଭ୍ୟାସ । ସେମାନଙ୍କ ମଧ୍ୟରୁ ଜଣେ ଲେଖିଥିବା ଚିଠି ତାହା । ତୋ ମନରେ ଭୁଲଧାରଣା ଜନ୍ମେଇବା ପାଇଁ ତାହା ଲେଖା ହୋଇଥିଲେ ସୁଦ୍ଧା ସ୍ଵାମୀନାଥ ସଂପର୍କରେ ଅଧିକା ବିବରଣୀ ଜାଣିବାରେ ତୋତେ ତାହା ସାହାଯ୍ୟ କରିପାରିଲା । ବିବାହ ପୂର୍ବରୁ ଉଭୟେ ଉଭୟଙ୍କୁ ଠିକ୍ ବୁଝିଛ ମାନେ ଏହା ଅପେକ୍ଷା ଆଉକିଛି ବଡ଼କଥା ନାହିଁ ।

 

ଇତି

ତୋର ଶୁଭାକାଂକ୍ଷୀ ଦୁରେଇ ।

 

ନାରାୟଣସ୍ୱାମୀ ମଧ୍ୟ ଏକ ଲମ୍ବାଚଉଡ଼ା ଚିଠି ଲେଖିଥିଲେ । ସେ ମୋତେ ଦେଇଥିବା ବହି ସଂପର୍କରେ, ମୁଁ ଲେଖୁଥିବା ସାମାଜିକ ଗଳ୍ପଗୁଡ଼ିକରେ କେତେଦୂର ଭଗବାନ ବୁଦ୍ଧ ସ୍ଥାନପାଇଛନ୍ତି, ମୋର ସ୍ୱାସ୍ଥ୍ୟ, ଖାଦ୍ୟପେୟ, ମୁଁ କିପରି ସମୟ ଅତିବାହିତ କରେ ପ୍ରଭୃତି ବିଷୟରେ ବିଶଦ ବିବରଣୀ ଦେବାପାଇଁ ଲେଖିଥିଲେ । ତା ସହିତ—‘ଆପଣ ଥିବା ଷ୍ଟୁଡ଼ିଓରେ ଗୋଟାଏ ଭଲ ଚଳଚ୍ଚିତ୍ରର ପ୍ରସ୍ତୁତି ଚାଲିଛି ବୋଲି ଶୁଣିବାକୁ ପାଇଲି । ଲଳିତା ନିଜେ ଚଳଚ୍ଚିତ୍ରଟିର ପ୍ରସ୍ତୁତି ଦେଖିବାକୁ ଚାହେଁ । ମୁଁ ମଧ୍ୟ କେବେ ସୁଟିଂ ଦେଖିନାହିଁ । ଅତଏବ ଯଦି ନିକଟ ଭବିଷ୍ୟତରେ କୌଣସି ଭୁଲ ଦୃଶ୍ୟର ସୁଟିଂ ହୁଏ ତେବେ ଜଣେଇବେ । ଦିନେ ଓଳିଏ ମାଡ୍ରାସ୍‌ରେ ଆପଣଙ୍କ ଗହଣରେ ରହି ଖୁସିରେ କ’ଣ ସମୟ ଅତିବାହିତ କରିହୁଅନ୍ତାନି ?’ —ଲେଖିଥିଲେ ।

 

ମାସ ଶେଷରେ ଚଳଚ୍ଚିତ୍ରଟିର ମୁଖ୍ୟଅଂଶ ସୁଟିଂ ହେବବୋଲି ନିର୍ଦ୍ଦେଶକ ବନ୍ଧୁ କହିଲେ-। ନାରାୟଣସ୍ଵାମୀଙ୍କ ନିକଟକୁ ଉକ୍ତ ତାରିଖ ଲେଖି ପଠେଇଦେଲି । ଏହା ଭିତରେ ମୋର ଚଳଚ୍ଚିତ୍ର କଥାବସ୍ତୁ ଲେଖା ମଧ୍ୟ ସମାପ୍ତ ହେଲା । ମୁଁ ଲେଖି ପଠେଇଥିବା ତାରିଖ ଅନୁଯାୟୀ ସେଦିନ ପୂର୍ବାହ୍‌ଣ ଦଶଟାରେ କାର୍‌ରେ ନାରାୟଣସ୍ଵାମୀ ଏବଂ ଲଳିତା, ମୁଁ ରହୁଥିବା ହୋଟେଲରେ ଆସି ପହଞ୍ଚିଲେ । ସେମାନଙ୍କ ପାଇଁ ସବୁପ୍ରକାର ସୁବିଧାଥିବା ଏକ କୋଠରିର ବ୍ୟବସ୍ଥା କରିଦେଇଥାଏ ମୁଁ । ପହଞ୍ଚିବାର ପାଞ୍ଚମିନିଟ୍ ପରେ ଲୁଗା ବଦଳେଇ ମୋ କୋଠରିକୁ ଆସିଗଲେ ନାରାୟଣସ୍ଵାମୀ-। ଲେଖିସାରି ଟେବୁଲ ଉପରେ ରଖିଥିବା ଚଳଚ୍ଚିତ୍ର କଥାବସ୍ତୁର ପୃଷ୍ଠା ଓଲଟାଇଲେ । ମୋ ମନ ମଧ୍ୟ ଓଲଟପାଲଟ ହେବାକୁ ବସିଲା । ଭୁଲରେ ସୁଦ୍ଧା କଥାବସ୍ତୁର କୌଣସି ଅଂଶରେ ବୁଦ୍ଧଦେବଙ୍କ ବିଷୟରେ ମୁଁ ମୋଟେକିଛି ଲେଖିପାରିନଥାଏ ।

 

ତାଙ୍କ ବହିଗୁଡ଼ିକରୁ ମାତ୍ର ଦୁଇଟି ପଢ଼ି ପାରିଥିଲି; କିନ୍ତୁ ଚଳଚ୍ଚିତ୍ର କଥାବସ୍ତୁ ପାଇଁ ଆବଶ୍ୟକୀୟ ତଥା ପ୍ରଯୁଜ୍ୟ ଉପାଦାନ ସେଥିରୁ ନପାଇ ସେମିତି ଥୋଇଦେଇଥିଲି । ବର୍ତ୍ତମାନ ତାଙ୍କୁ କ’ଣ ଉତ୍ତରଦେବି କିଛି ଠିକ୍‍ କରିପାରିଲି ନାହିଁ ।

 

ଆହା ! ଚମତ୍କାର ! ଖୁବ୍ ଚମତ୍କାର ! କଅଣ ଦୁରେଇ ବାବୁ ! ପ୍ରତି ଦୃଶ୍ୟରେ ବଛା ବଛା ପଦଗୁଡ଼ିକୁ କି ସୁନ୍ଦର ଆପଣ ବ୍ୟବହାର ନ କରିଛନ୍ତି ! ବୁଦ୍ଧଦେବଙ୍କ ବାଣୀ, କଥାବସ୍ତୁର ପଦେ ପଦେ ନିହିତ ରହିଛି ।”

 

“ମୁଁ...”

 

“ମୋ ପାଇଁ ଆପଣ ଏତେ ଶ୍ରମ ସ୍ଵୀକାର କରି ବହିସବୁ ପଢ଼ିଲେ !”

 

“ମୁଁ କିନ୍ତୁ...”

 

“ସେଇ ତ ଜାଣିହଉଛି ! ସ୍ନେହ, ମମତା ଓ ପ୍ରେମର ମୂଳତତ୍ତ୍ୱ ଉପରେ ଗପଟି ଆଧାରିତ ।”

 

ମୁଁ କିଛି ବୁଝିପାରିଲି ନାହିଁ ।

 

“ପ୍ରେମ, ସ୍ନେହ, ସତ୍ୟ, ଅହିଂସା, ଐକ୍ୟ...ବାପ୍‌ରେ ! ସବୁତକ ଜୀବନ୍ତ ଶବ୍ଦ ଠିକ୍ ଠିକ୍ ଜାଗାରେ ଯୋଡ଼ିଛନ୍ତି ! ଶବ୍ଦବିନ୍ୟାସ ନବରତ୍ନ ପରି ଝଟକୁଛି ।”

 

ମନେହେଲା ସତେ ଯେପରି ଚାଲିଯାଇଥିବା ପ୍ରାଣଟିକକ ବର୍ତ୍ତମାନ ଫେରିପାଇଲି । ପ୍ରେମ, ସତ୍ୟ ଇତ୍ୟାଦି ଶବ୍ଦକୁ ବ୍ୟବହାର ନକରି ହତ୍ୟା ଡକାୟତିରେ ଭରପୂର ଆଜିକାଲିର ସାମାଜିକର ଚଳଚ୍ଚିତ୍ର କଥାବସ୍ତୁ କିପରି ବା ଲେଖିହୁଅନ୍ତା ? ଅସଲ ଘଡ଼ିସନ୍ଧି ସମୟରେ ସାହାଯ୍ୟ କରିଥିବାରୁ ଭଗବାନ ବୁଦ୍ଧଦେବଙ୍କୁ କୃତଜ୍ଞତା ଜ୍ଞାପନକଲି ।

 

ସେଦିନ ରାତ୍ର ‘ସ୍ଵାମୀ’ ନାମକ ଏକ ତାମିଲ୍ ଚଳଚ୍ଚିତ୍ରର ସୁଟିଂ ନିମନ୍ତେ ଷ୍ଟୁଡ଼ିଓରେ ଯାବତୀୟ ବ୍ୟବସ୍ଥା କରାଯାଉଥାଏ । ସେଥିରେ ଅଭିନୟ କରୁଥିବା ବିଖ୍ୟାତ କେରଳୀ ନାୟିକା ଭାରତୀ ଶେଷ ମୁହୂର୍ତ୍ତରେ ଆସି ପହଞ୍ଚି ତରବରରେ ଗ୍ରୀନ୍‌ରୁମ୍ ଭିତରକୁ ଚାଲିଗଲେ । ଅନ୍ୟ ଏକ ଚଳଚ୍ଚିତ୍ରରେ ସୁଟିଂସାରି ଆସୁ ଆସୁ ଟିକିଏ ଡେରିହୋଇଗଲା ବୋଲି କହିଲେ ତାଙ୍କ ସେକ୍ରେଟାରୀ-। ନିର୍ଦ୍ଦେଶକ କିନ୍ତୁ ରାଗ ସମ୍ବରଣ କରିପାରିନଥିଲେ । କିନ୍ତୁ ବିଚରା କରନ୍ତେ ବା କ’ଣ ? ଗ୍ରୀନ୍‌ରୁମ୍‌ରୁ ଆବଶ୍ୟକୀୟ ବେଶଭୂଷାରେ ମଣ୍ଡିତାହୋଇ ଆସିବା ପରେ କୃତ୍ରିମ ହସ ହସି ତାଙ୍କ ସହିତ କଥାବାର୍ତ୍ତା କରିବାକୁ ବାଧ୍ୟହେଲେ । ନଚେତ୍ ନାୟିକାଙ୍କ ‘ମୁଡ଼୍’ ଖରାପ ହୋଇଯିବ ଯେ-! ସେଥିରେ ପୁଣି ସେ ପ୍ରେମ ଦୃଶ୍ୟରେ ଅଭିନୟ କରିବାକୁ ଯାଉଛନ୍ତି !

 

ପରିଶେଷରେ ରିହର୍‌ସାଲ୍ ଆରମ୍ଭହେଲା । ସିଗାରେଟ୍ ପୋଡ଼ି ସୋଫାରେ ଆଉଜି ବସିଥାନ୍ତି ନାୟକ । ନାୟିକା ଭାରତୀ ତାଙ୍କୁ ନିରେଖି ନିରେଖି ପାଖରେ ଯାଇବସିଲେ । ମୁହଁଟାକୁ ଆରପଟକୁ ବଙ୍କେଇନେଇ କହିଲେ—

 

“ବାଇ ? ମୁଁ ସହିପାରୁନି ବାଇ !”

 

ମୋ ପାଖରେ ବସିଥିବା ନାରାୟଣସ୍ଵାମୀଙ୍କୁ ହସମାଡ଼ିଲା । ଧୀରସ୍ଵରରେ ମାତ୍ର ମୋତେ ଏବଂ ଲଳିତାକୁ ଶୁଣେଇ କହିଲେ, “ଏହି କେରଳୀମାନେ ତାମିଲ୍ ଭାଷାକୁ ଏମିତି ହତ୍ୟାକଲେ ମୁଁ ସହିପାରେନାହିଁ !”

 

“ବର୍ତ୍ତମାନ କେବଳ ଫଟୋ ଉଠାହେଉଛି । ପରେ ଆଉ ଜଣେ ଝିଅଦ୍ଵାରା ଏହି ସବୁ କୁହାଇ ଶବ୍ଦ ଗ୍ରହଣ କରାହେବ ।” —କହିଲି ।

 

ଏହାରି ଭିତରେ ସେଠି ସେହି ‘ସେଟ୍’ରେ ଗୋଟାଏ ମଜା ଘଟଣା ଘଟିଗଲା । ନାୟକ ସିଗାରେଟ୍ ହାତରେ ଧରି ପାଗଳଙ୍କ ଭଳି ନାୟିକାଙ୍କୁ ଚାହିଁଲେ । ନିର୍ଦ୍ଦେଶକଙ୍କ ମୁଖମଣ୍ଡଳ ନାଲି ପଡ଼ିଯାଇଥାଏ ।

 

“ରେ ମାଆ ! ଏମିତିକା ସଂଳାପ ଏ ଚଳଚ୍ଚିତ୍ରରେ ମୋଟେ ନାହିଁ ! ଏଇଟା ‘ସ୍ଵାମୀ’ ଚିତ୍ର-। ତୋ ସାମନାରେ ଯିଏ ଅଛନ୍ତି ସେ ତୋ ସ୍ଵାମୀ—ଭାଇ ନୁହନ୍ତି !” ନିର୍ଦ୍ଦେଶକ କହିଲେ ।

 

“ଆରେ ପାସୋରିଗଲି ସାର୍—ହଁ, ଠିକ୍ ମନେପଡ଼ିଲା !” କହି ନାୟକଙ୍କ ପଟେ ବୁଲିଗଲେ ନାୟିକା । କାଳୀଙ୍କ ମୁହଁପରି ମୁହଁଟାକୁ କରିଦେଲେ । ଶୀଘ୍ର ତାଙ୍କପଟେ ହାତ ଦେଖାଇ ଚିତ୍କାର କଲେ,”ହେ ଶୁଣୁଛ ! ରେଶନ୍ ଚାଉଳ ଯଦି ଆଣିବନା, ଦୁହିଁଙ୍କୁ ହୋଟେଲ୍ କୁ ହିଁ ଯିବାକୁପଡ଼ିବ ।”

 

“ଏକ୍‌ଦମ୍ ଠିକ୍ଅଛି, ସୁଟ୍ ।” ନିର୍ଦ୍ଦେଶକ କହିଲେ ଚିତ୍ରଟିର ସେହି ପ୍ରେମ ଦୃଶ୍ୟର ସୁଟିଂ ଆରମ୍ଭ ହୋଇଗଲା ।

 

ଆମ ପାଖରେ ବସିଥିବା ଭାରତୀଙ୍କ ସେକ୍ରେଟାରୀ କହିଲେ । ‘‘ଏହିକ୍ଷଣି ସେ ‘ଭଉଣୀ’ ଚଳଚ୍ଚିତ୍ରର ସୁଟିଂରେ ଯୋଗଦେଇ ଆସିଲେ—ଭୁଲରେ ତାର ସଂଳାପ କିଛି କହିପକେଇଲେ ।”

 

ସୁଟିଂ ସରିବା ପରେ ଖୁବ୍ ବ୍ୟସ୍ତହୋଇ ଆମ ନିକଟକୁ ଆସିଗଲେ ନିର୍ଦ୍ଦେଶକ ମହାଶୟ-। କହିଲେ—‘‘ଏମିତି ବହୁତ ପରିଶ୍ରମ କରିବାକୁ ପଡ଼େ ଆମକୁ । ଯିଏ ଗୀତବୋଲି ଜାଣେନା ତା’ ଦ୍ଵାରା ଗୀତ ବୋଲେଇ, ଯିଏ ନାଚି ଜାଣେନା ତା’କୁ ନଚେଇ, ଯିଏ କହିପାରେନା ତା’ଦ୍ଵାରା କୁହାଇ ଚଳଚ୍ଚିତ୍ର ପ୍ରସ୍ତୁତ କରୁଛୁଁ । ଅଭିନୟ କରିବାପାଇଁ ଯେଉଁମାନେ ଆସନ୍ତି, ତାରକା ହେବା ଉଦ୍ଦେଶ୍ୟରେ ଆମ କଥା ମାନି ଠିକ୍ ଚଳନ୍ତି; ପରେ ଦିନେ ହଠାତ୍ ତାରକା ବନିଯାଇ ଉଚ୍ଚ ଆକାଶକୁ ଉଠିଯାନ୍ତି ।”

 

“ତାରକାଜଗତକୁ ସେମାନେ ଯିବା ପୂର୍ବରୁ ଆପଣମାନେ ସେମାନଙ୍କୁ ମୋକ୍ଷ–ଜଗତକୁ ନ ପଠେଇ ରହିଲେ ତ ?” —ନାୟିକାଙ୍କ ସେକ୍ରେଟାରୀ କହିଲେ ।

 

ତା’ ପରଦିନ ସଂଧ୍ୟାବେଳ । ସମୁଦ୍ରକୂଳକୁ ଯିବାପାଇଁ ଠିକ୍‍ହେଲା । ଲୁଗାପଟା ପିନ୍ଧି ପ୍ରସ୍ତୁତ ହୋଇ କୋଠରିର ଦୁଆରବନ୍ଧ ନିକଟରେ ଠିଆ ହୋଇଥାଏ ଲଳିତା । ମୁହଁ ଧୋଇବା ପାଇଁ ଗାଧୁଆଘରକୁ ଯାଇଥାନ୍ତି ନାରାୟଣସ୍ଵାମୀ ।

 

ବାରଣ୍ଡାରେ ଠିଆହୋଇଥାଏ ମୋର ଜଣେ ହୋଟେଲ୍‌ବାସୀ ବନ୍ଧୁ ଲଳିତାକୁ ସେଠି ଠିଆହେବା ଲକ୍ଷ୍ୟ କରିନପାରି ପଚାରିଥିଲେ ମୋତେ—“ଆପଣଙ୍କ ସ୍ତ୍ରୀ ଆସିଛନ୍ତି ବୋଧହୁଏ !”

 

ମୋତେ ଲାଗିଲା ତାଙ୍କର ପ୍ରଶ୍ନଟି ମୋତେ ବିଦ୍ଧ କରିଛି ।

 

ବ୍ୟତିବ୍ୟସ୍ତ ହୋଇ କହିପକେଇଲି—”ନା, ମୋ ସ୍ତ୍ରୀ ନୁହନ୍ତି...”

 

“କ୍ଷମା କରନ୍ତୁ”—କହି ଖୁବ୍ ଶୀଘ୍ର ସେଠାରୁ ସେ ଚାଲିଗଲେ ।

 

ଲଳିତା ମୋତେ ସେତେବେଳେ ଲକ୍ଷ୍ୟ କରୁଥିଲା । ବୁଲିପଡ଼ି ତାକୁ ମୁଁ ଦେଖିବା ପରେ ମଧ୍ୟ ସେ ମଠ ତଳକୁ କରିନଥିଲା । ତେଣୁ ମୋତେ ହିଁ ମଥା ପୋତିବାକୁ ପଡ଼ିଥିଲା ।

 

ନାରାୟଣସ୍ଵାମୀଙ୍କୁ କହିଲି—“ମୋର ମୁଣ୍ଡ ବିନ୍ଧୁଛି । ଦୟାକରି ଆପଣ ଦି’ଜଣ ସମୁଦ୍ରକୂଳକୁ ଯାଇଆସନ୍ତୁ । ମୁଁ ଟିକିଏ ବିଶ୍ରାମ ନିଏ ।”

 

“ସମୁଦ୍ର କୂଳର ସେହି ପବନରେ ମୁଣ୍ଡବିନ୍ଧା କୁଆଡ଼େ ଉଡ଼ିଯିବ ।”

 

“କ୍ଷମା କରିବେ—ଭାବୁଛି ବିଛଣା ପକେଇ ଶୋଇଯିବି ।”

 

“ତାହାହେଲେ ଆମେ ମଧ୍ୟ ଯିବୁନାହିଁ—ସମସ୍ତେ ଶୋଇପଡିବା !” ନାରାୟଣସ୍ଵାମୀ କହିଲେ ।

 

ତାଙ୍କର ସେହି ମମତାକୁ ବେଖାତିର କରିପାରିନଥିଲି । ସମୁଦ୍ର କୂଳକୁ ବାହାରିଲୁ । ଟ୍ରୀପ୍ଲିକ୍ଲେନ ଦେଇ କାର୍ ଛୁଟିଥାଏ । କ୍ଷିପ୍ରଗତିରେ ଆସିଥିବା ସାମନା ଟ୍ରାମ୍ ଗାଡ଼ିରୁ କିଏ ଜଣେ ଡାକିବା ଶୁଣିପାରିଲି । ବୁଲି ଚାହିଁଲି । ଟ୍ରାମ୍‌ର ଦରଜପାଖ ଲୁହାରଡ଼୍‌କୁ ଗୋଟିଏ ହାତରେ ଧରି ଝୁଲିରହି ଅନ୍ୟ ହାତ ହଲାଉଥିଲା ସେଦୁରାମ ।

 

ସନ୍ଧ୍ୟା ସମୟ ତ—ସମୁଦ୍ର କୂଳ ଭାରି ମଜା ଲାଗୁଥାଏ । ଜନଗହଳି ନଥିବା ଏକ ଜାଗାକୁ ଆମେ ଚାଲିଲୁ । ଦକ୍ଷିଣପଟେ ଧୀବରମାନେ ବସବାସ କରିବା ଜାଗାରେ ଯାଇ ପହଞ୍ଚିଲୁ-। କୂଳ ନିକଟରେ ଗୋଟାଏ ବଡ଼ ଡଙ୍ଗା ପଡ଼ିରହିଥାଏ । ତା’ ଆଢ଼ୁଆଳରେ ଆମେ ସବୁ ଯାଇ ବସିଲୁ ।

 

“ଜଣାଶୁଣା ଲୋକଙ୍କଠାରୁ ଲୁଚି ଦୂରରେ ରହିବା ଅଭିପ୍ରାୟ କେବଳେ ମୋ’ଠାରେ ହିଁ ଅଛି ବୋଲି ଭାବିଥିଲି; କିନ୍ତୁ ଦେଖୁଛି ମୋ ଅପେକ୍ଷା ଆପଣ ତ ଆଉ ଟିକିଏ ଆଗୁଆ ଅଛନ୍ତି ।” ନାରାୟଣସ୍ଵାମୀ କହିଲେ ।

 

ତଉଲିଆଟାକୁ ବିଛେଇ ଆରାମରେ ଗଡ଼ିପଡ଼ିଲେ ସେ ।

 

“ଏଡ଼େବଡ଼ ଜନସମାଗମରେ କେତକ ନିଶ୍ଚୟ ଆମକୁ ଦେଖିପାରିବେ । ଆମେ ଯେଉଁ ଶାନ୍ତ ପରିବେଶ ଖୋଜି ଆସିଲେ, ତାହା କ’ଣ ପ୍ରକୃତରେ ପାଇପାରିବା ?” —ପଚାରିଲା ଲଳିତା-

 

କିଛି ସମୟ ପରେ ନାରାୟଣସ୍ଵାମୀଙ୍କୁ ନିଦ ହୋଇଗଲା । ଗତ କାଲି ରାତିରେ ବହୁତ ଡେରିଯାଏ ସେ ଚେଇଁରହିଥିଲେ । ଭାରି କ୍ଳାନ୍ତ ହୋଇପଡ଼ିଥାନ୍ତି । ପୁଣି ଆଜି ଭୋର୍‌ରୁ ଦୁହେଁ ଉଠିଛନ୍ତି । ଲଳିତା ତାଙ୍କ ସହିତ ମାର୍କେଟକୁ ଯାଇ କାର୍ ଭରା ବିଭିନ୍ନ ଜିନିଷ କିଣି ଆଣିଥିଲା ।

 

“ସେଦୁରାମ ଭାଇଙ୍କୁ ରାସ୍ତାରେ ଦେଖିଲେ ?”ପଚାରିଲା ।

 

“ଦେଖିଲି ।”

 

“କି କାମରେ ସେ ଏଠାକୁ ଆସିଛନ୍ତି କେଜାଣି ।”

 

“ଜାଣେନାହିଁ ।”

 

ଗୋଟାଏ ଟୋକା ସେହି ମାସର ‘ସ୍ଵର୍ଣ୍ଣପଦ୍ମ’ ବିକ୍ରି କରୁଥାଏ । ସେଦିନ ଥିଲା ରବିବାର ସେଥିପାଇଁ ଡାକଯୋଗେ ମୋ ନିଜ କପି ଆସିନଥାଏ । ରେଳଗାଡ଼ିରେ ଯାହା କିଛି ଆସିଥିଲା, କେବଳ ବିକ୍ରି ନିମନ୍ତେ । ତାକୁ ଡାକି ତା’ଠୁଁ ଖଣ୍ଡିଏ କିଣିଲା ଲଳିତା । ଖୋଲି ପଢ଼ିବାକୁ ଆରମ୍ଭ କଲା ।

 

“ଏହି ସଂଖ୍ୟା ପାଇଁ ମଧ୍ୟ ଆପଣ ଲେଖିଛନ୍ତି ତ ?”

 

ମୋ ଗପଟିକୁ ପଢ଼ିବାକୁ ଲାଗିଲା ସେ । ରହି ରହି ମଝିରେ ମଝିରେ କିଛି ଭାବୁଥାଏ । ମୁଁ ଲକ୍ଷ୍ୟ କରୁଥିଲି ସମୁଦ୍ର ଢେଉ ଏବଂ ତା ଉପରେ ଭାସମାନ ଛୋଟ ଛୋଟ ଡଙ୍ଗାଗୁଡ଼ିକୁ । ମାଡ୍ରାସ୍‍ରେ ମୋର ଏକମାସ ରହଣି ଭିତରେ କେବଳ ସେଦିନ ହିଁ ସମୁଦ୍ର କୂଳକୁ ଯିବା ସମ୍ଭବ ହୋଇଥିଲା । ପ୍ରତିଦିନ ସନ୍ଧ୍ୟାରେ କିଏ ନା କିଏ ଗପସପ କରିବା ପାଇଁ ଆସିଥାନ୍ତି ଷ୍ଟୁଡ଼ିଓକୁ । ଯେଉଁଦିନ ବା କେହି ଆସୁନଥିଲେ ସେଦିନ ନିର୍ଦ୍ଦେଶକଙ୍କ ସହିତ ସିନେମା ଦେଖିବାକୁ ଚାଲିଯାଉଥିଲି । ସେଥିପାଇଁ ସେଦିନ ଜେଲ୍‍ରୁ ମୁକ୍ତି ପାଇଥିବା କଇଦୀଟିଏ ଭଳି ମୁକ୍ତ ଅନୁଭବ କରୁଥିଲି । ଛାତ୍ରାବସ୍ଥାରେ ଏଠି ଥିଲାବେଳେ ଏହି ସମୁଦ୍ର କୂଳରେ କେତେ କଳ୍ପନାର ସୌଧ ଗଢ଼ିଥିଲି ଜାଣନ୍ତି ?

 

“ଆପଣଙ୍କର ସେହି ସଙ୍ଗିନୀ ତା’ର ବାହାଘରବେଳେ କ’ଣ କହିଥିଲା ?” —ଲଳିତା ପଚାରିଲା ।

 

“କେଉଁ ସଙ୍ଗିନୀ ? ଗପରେ ଲେଖିଥିବା ସଙ୍ଗିନୀ ତ ?”

 

“ହଁ ଗପର ସଙ୍ଗିନୀ, ଆପଣ ଲେଖିଥିବା ଗପ ସମ୍ପର୍କରେ ମୁଁ ଟିକିଏ ଜାଣେ ।”

 

ଜଣେ ଯେତେସବୁ ଗଳ୍ପ ଲେଖେ, ସବୁଥିରେ ତା’ ଜୀବନରେ ଘଟିଯାଇଥିବା ଘଟଣାବଳୀ ନରହିପାରେ । ଅନେକ ପାଠକ ଏଭଳି ଭୁଲ୍‍ ବୁଝିଥା’ନ୍ତି—ଏଭଳି ଭୁଲ କଳ୍ପନା କରିଥା’ନ୍ତି । ଏ ପ୍ରକାର ଘଟଣା ସମ୍ପର୍କରେ ଲେଖକଙ୍କ ଅପେକ୍ଷା ପାଠକଙ୍କ କଳ୍ପନା ଅଧିକ ତୀବ୍ର ହୋଇଉଠେ ।

 

“ସେହି ଝିଅଟା କ’ଣ କହିଥିଲା ? —ସବୁଦିନପାଇଁ ଛୁଆହୋଇ ରହିଗଲେ କିମିତି ହୁଅନ୍ତା, ନା—ତୁ କାହିଁକି ଛୋଟ ପିଲାହୋଇ ରହିଛୁ, ଦୁରେଇ ? —ବୋଲି ପଚାରିଥିଲା ।” ଲଳିତା ପଚାରିଲା ।

 

ମୁଁ ନିରୁତ୍ତର ରହିଲି ।

 

ପୁଣି ସେ କହିଲା—“ଯଦି ସେଇଆ ହୋଇଥାନ୍ତା ତେବେ ଆପଣ ଦୁହେଁ ବର୍ତ୍ତମାନ ସ୍ଵାମୀ ସ୍ତ୍ରୀ ରୂପେ ରହିଥାନ୍ତେ !”

 

“ନା, ଦିନେ ସୁଦ୍ଧା ତାକୁ ବହାହେବା ପାଇଁ ମୁଁ ଇଚ୍ଛା କରିନଥିଲି ।”

 

“ଗୋଟାଏ କଥା ଆପଣଙ୍କୁ ପଚାରିପାରିବି ?”

 

“କ’ଣ ?”

 

“ଦୁଇଟା ପୁଅପିଲା ଯେପରି ସାଙ୍ଗସାଥୀ ହେଇ ରହନ୍ତି କିମ୍ବା ଦୁଇଟା ଝିଅ ଯେପରି ମିଳିମିଶି ଚଳନ୍ତି, ଜଣେ ଯୁବକ ଓ ଜଣେ ଯୁବତୀ ସେପରି ଚଳିବା ସମ୍ଭବ କି ?”

 

“ସମ୍ଭବ”

 

‘‘ସତେ ?”

 

“ସମ୍ଭବ ବୋଲି ହିଁ ଭାବୁଛି ।”

 

ସେ ଦୀର୍ଘ ନିଃଶ୍ୱାସ ଛାଡ଼ିଲା ।

 

“ମୁଁ ମଧ୍ୟ ସେଇଆ ଇଚ୍ଛାକରେ; କିନ୍ତୁ...”

 

ସେତିକିବେଳେ ତା’ ମୁଁହକୁ ଚାହିଁବାପାଇଁ ମୋର ଧୈର୍ଯ୍ୟ ନଥାଏ । ପରେ ସେ କ’ଣ ଯେ କହିପକେଇବ ଭାବି ଚମକିପଡ଼ିଲି । ଅଧାରେ କିନ୍ତୁ ତା’ କଥା ବନ୍ଦ ହେଇଥିଲା ।

 

ଅଭିଳାଷ ଏବଂ ଭାବନା ମଧ୍ୟରେ କେତେ ଯେ ପ୍ରଭେଦ ରହିଛି ! କେବଳ ‘ଇଚ୍ଛାକରେ’ ବୋଲି କହି ଯଦି ବନ୍ଦକରିଥାନ୍ତା, ତେବେ କେତେ ବଢ଼ିଆ ନ ହେଇଥା’ନ୍ତା ? “କିନ୍ତୁ ...” କହି ଅଧାରେ ଅଟକିଗଲା । କାହିଁକି ଏହି ‘କିନ୍ତୁ’ ?

 

କେହି କିଛି ନକହି ଚୁପ୍‌ଚାପ୍ ରହୁଥାଉଁ । ଆସ୍ତେ ଆସ୍ତେ ସମୁଦ୍ର କୂଳ ଅନ୍ଧକାର ହୋଇଆସିଲା । ଅନୁଭବ କଲି ସତେ ଯେମିତି ସେହି ଅନ୍ଧକାର ମୋ ଭିତରେ ବ୍ୟାପିଗଲାଣି । ହଁ, ଏହାକୁ ହିଁ ଅନ୍ଧକାର ବୋଲି କୁହାଯିବା ଉଚିତ । କିନ୍ତୁ ମୋ ବିବେକ ଏହାକୁ ଅନ୍ଧକାର ବୋଲି ଗ୍ରହଣ କଲାଣି କି ? ସମୁଦ୍ରର ଗଭୀରତମ ପ୍ରଦେଶରେ ବୁଡ଼ି ଯାଉଁ ଯାଉଁ ଜୀବନ ପ୍ରତି ଲୋଭଯୋଗୁଁ ଯେଁଉ ଭୟଙ୍କର ଅନୁଭୂତି ଜାଗ୍ରତ ହୁଏ ସେଭଳି ଏକ ଜଟିଳ ପରିସ୍ଥିତି ଭିତରେ ରହି ମୋ ହୃଦୟ ଛଟପଟ ହେଉଥାଏ । ହୁଏତ ଲଳିତାର ସେହି ସରୁ ସରୁ ଦୁଇଟି ଆଖିର ସମୁଦ୍ର ମଧ୍ୟରେ ବୁଡ଼ିରହି ହୃଦୟ ମୋର ଛଟପଟ ହେଉଥିଲା କି କ’ଣ ।

 

“ଫେରିବା ?” —ପଚାରିଲା ।

 

“ହଁ”

 

ବନ୍ଧୁ ନାରାୟଣସ୍ୱାମୀ ମଧ୍ୟ ନିଦରୁ ଉଠିଲେ । ତିନିହେଁ କାର୍ ଅଭିମୁଖେ ଚାଲିଲୁ ।

 

ତ୍ରିଚିନ୍ନାପଲ୍ଲୀକୁ ଫେରିଆସି ପନ୍ଦର ଦିନରୁ ଅଧିକା ହୋଇସାରିଥାଏ । ଆସିବା ପରଠୁଁ ଥରଟିଏ ସୁଦ୍ଧା ବନ୍ଧୁଙ୍କ ଘରକୁ ଯାଇନଥିଲି । ପାଞ୍ଚ ଛଅ ଥର ଖଣ୍ଡେ ବହାରିଥିବି—କିନ୍ତୁ କାହିଁକି କେଜାଣି ବିବେକ ମାନୁନଥାଏ । ଥରେ ତାଙ୍କ ବଙ୍ଗଳା ଫାଟକ ପର୍ଯ୍ୟନ୍ତ ଯାଇଥିଲି; କିନ୍ତୁ ଭିତରକୁ ନଯାଇ ଫେରିଆସି ଅନ୍ୟତ୍ର ଚାଲିଯାଇଥିଲି । ଯେତେବେଳେ ବିବେକ କହୁଥାଏ ଯିବାପାଇଁ, ଗୋଡ଼ ଦୁଇଟା ମନାକରୁଥାନ୍ତି; ଏବଂ ଗୋଡ଼ ଦୁଇଟା ଯେତେବେଳେ ପ୍ରସ୍ତୁତ ହେଇ ଉଠନ୍ତି ବିବେକ ମନାକରୁଥାଏ । ପ୍ରତିଦିନ ମାନସିକ ଅଶାନ୍ତି ଲାଗିରହିଥାଏ । ଭାରି କଷ୍ଟ ଲାଗୁଥାଏ । ‘ନ ଯାଇ ଯଦି ଏମିତି ରହିଯାନ୍ତି’—ଏହା ଯେ ମୋର ଗୋଟାଏ କେତେବଡ଼ ଦୁର୍ବଳ ଧାରଣା—ପ୍ରତି ମୁହୂର୍ତ୍ତରେ ଭାବିବାକୁ ଲାଗିଲି । ତା’ ସଙ୍ଗେ ସଙ୍ଗେ ସେହି ଭାବନାରେ ମଧ୍ୟ ସ୍ଥାନ ପାଇଥିଲା ମୋର ବିଗତ ଦିନର ସବୁ ଘଟଣା । ନ ଯାଇ କ’ଣ ରହିପାରିବି ? ନଯିବା କ’ଣ ଉଚିତ ? ନ ଯାଇ ରହିବା କ’ଣ ନିହାତି ଦରକାର ?

 

“ଆମ ଅଞ୍ଚଳରେ ଆପଣ ଆଉ ଦେଖାଯାଉନାହାନ୍ତି ଯେ ! ହଠାତ୍ ଏମିତି ପରିବର୍ତ୍ତନ କାହିଁକି ?” —କହି କହି ଦିନେ ସନ୍ଧ୍ୟାରେ ଆସି ପହଞ୍ଚିଲେ ନାରାୟଣସ୍ଵାମୀ ।

 

“ମାଡ୍ରାସ ଚାଲିଯିବାରୁ ଅନେକ କାମ ବାକି ରହିଥିଲା । ଆଉ ତା ସହିତ ଅଫିସ କାମ, ଫୁରୁସତ୍ ମିଳୁନି ।”

 

“ପୁରୁଣା କାମସବୁ କ’ଣ ଆଜି ସୁଦ୍ଧା ବାକିଅଛି ?”

 

“ସରିଲାଣି; ଗୋଟିଏ ଛୋଟ ଉପନ୍ୟାସର ଲେଖା ଆରମ୍ଭକରିଛି ।”

 

“କେବଳ ସକାଳ ସମୟରେ ପରା ଆପଣ ଲେଖାଲେଖି କରନ୍ତି ? ସନ୍ଧ୍ୟାବେଳେ ମାନସିକ ତଥା ଶାରୀରିକ ବିଶ୍ରାମ ଦରକାର କରନ୍ତି ନାହିଁ ନା କ’ଣ ?”

 

“ଦରକାର କରେ ।”

 

“ପ୍ରତ୍ୟହ ସନ୍ଧ୍ୟାରେ ତ ଆପଣ ସେଠାକୁ ଆସିପାରନ୍ତେ ।”

 

“ହଁ...”

 

“ନିଶ୍ଚୟ ଆସିବେ ! କାଲିଠାରୁ ମୁଁ ଆପଣଙ୍କୁ ସେଠି ଯେମିତି ଦେଖିପାରିବି ।”

 

ସେ ଉଠି ଚାଲିଗଲେ । ତାଙ୍କୁ ଯାହାସବୁ କହିଲି ସେଥିରୁ କେବଳ ଗୋଟିଏ କଥା ହିଁ ସତ । ନୂଆ ଉପନ୍ୟାସଟିଏ ଲେଖା ଆରମ୍ଭ କରିଥାଏ । ମାଡ୍ରାସ୍‍ର ସମୁଦ୍ରକୂଳ ଅନୁଭୂତି ମୋତେ ଏହି ଉତ୍ସାହ ପ୍ରଦାନ କରିଥିଲା । ଉପନ୍ୟାସ ଲେଖା ସମ୍ପୁର୍ଣ୍ଣ ହୋଇସାରିବା ପରେ ପତ୍ରିକାରେ ଧାରାବାହିକ ଭାବେ ଛପେଇବା ମୋର ଉଦ୍ଦେଶ୍ୟ । ବର୍ତ୍ତମାନ ସୁଦ୍ଧା ଦୁଇଟି ଅଧ୍ୟାୟ ହିଁ ସରିଛି ।

 

ପ୍ରତିଦିନ ସନ୍ଧ୍ୟା ସମୟଟା ମୋତେ ଗୋଟାଏ ଯୁଗଭଳି ମନେହୁଏ । ଏଣେ ସ୍ଵାମୀନାଥ ମଧ୍ୟ ଆଜିକାଲି ମୋ ସହିତ ବିଶେଷ ମିଳାମିଶା କରେନାହିଁ । କାରଣ ସମୟ ଅତିବାହିତ କରିବା ନିମନ୍ତେ ବର୍ତ୍ତମାନ ସେ ପାଇସାରିଛି କାନ୍ତାକୁ । ମାଡ୍ରାସରୁ ମୁଁ ଲେଖି ପଠେଇଥିବା ଚିଠି ଜରିଆରେ ସେମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଉଭେଇଯାଇଥାଏ । ବର୍ତ୍ତମାନ ଉଭୟେ ଟିକିଏ ସୁଦ୍ଧା ବିଶ୍ରାମ ନ ନେଇ ଖୁସି ଗପସପ କରନ୍ତି, ମଉଜମଜଲିସ୍ କରନ୍ତି । ପରସ୍ପର ସହିତ ସାମୟିକ ଅଭିମାନ କରି ସମୟର ସଦ୍‍ବ୍ୟବହାର କରନ୍ତି । ବିବାହାପଥେ ହସ୍ତ ପ୍ରସାରଣ କରି ଚାଲିଥାଏ ସେମାନେଙ୍କ ପ୍ରେମ–ପ୍ରେମ !

ପ୍ରେମ ସମ୍ପର୍କୀୟ ଯେତେ ସ୍ମୃତି ମନେପଡ଼େ, ମୁଁ ବେଦନାରେ ଜଳିପୋଡ଼ି ଛଟପଟ ହୁଏ-। କେବଳ ଏହି ସ୍ମୃତି ଯଦି ମୋର ମନେପଡ଼ନ୍ତା...ହଁ, ମୁଁ ମୋ ବନ୍ଧୁଙ୍କ ଘରକୁ ବିନା ଦ୍ଵିଧାରେ ଯାଇପାରନ୍ତି ।

ମାଡ୍ରାସ୍ ଯିବା ପୂର୍ବରୁ ମାତ୍ର ସେହି ଗୋଟାଏ ଦିନପାଇଁ ମୁଁ ଯଦି ସେଠାକୁ ଯାଇନଥାନ୍ତି, ଯଦି ସେଦିନ ତା’ର ଜନ୍ମଦିନ ଉତ୍ସବରେ ଯୋଗ ଦେଇନଥାନ୍ତି, ଯଦି ସେ ସେହି ପୋଷାକରେ ସେମିତି ଆଶାଭରା ଚାହାଣିରେ ଚାହିଁ ମୋତେ ପାଛୋଟି ନେଇନଥାନ୍ତା, ତେବେ ଯେତେଥର ହେଲେ ବି ଅକୁଣ୍ଠିତ ଚିତ୍ତରେ ସେଠାରେ ଯାଇପାରିଥାନ୍ତି; କିନ୍ତୁ କାହିଁକି ସେଦିନ ଦ୍ଵାରମୁହଁରେ ଠିଆହୋଇ ସେହି ଭଙ୍ଗୀରେ ମନକୁ ମୋର ଛୁଇଁଲାଭଳି ‘ଆସନ୍ତୁ’ କହି ଡାକିଥିଲା ଲଳିତା ? କାହିଁକି ମୁହୂର୍ତ୍ତକ ପାଇଁ ସେଠି ଠିଆହୋଇ ରହିଥିଲା ? —ସତେ ଯେମିତି ଭିତରକୁ ଯିବାପାଇଁ ଅନୁମତି ନଦେବା ତାର ଇଚ୍ଛା । ତା’ପରେ ମାଡ୍ରାସ୍ ସମୁଦ୍ରକୂଳରେ ସେହି ଭୟଙ୍କର ସନ୍ଧ୍ୟା ସମୟରେ ଜଣେ ଯୁବକ ଓ ଯୁବତୀ ମିଳିମିଶି ସାଙ୍ଗସାଥୀ ରୂପେ ରହିବାରେ ସନ୍ଦେହ ରଖି ତାହା କେତେଦୂର ସମ୍ଭବ ବୋଲି କାହିଁକି ପ୍ରଶ୍ନ କରିଥିଲା ? ହେ ଭଗବାନ ! ମୁଁ ହିଁ କେବଳ ସାଧାରଣ ସ୍ନେହ, ମମତା ଅନାବିଳ ବନ୍ଧୁତାକୁ ବ୍ୟାଖ୍ୟା କରି ବୁଝେଇବାକୁ ଯାଉଛି ନା କ’ଣ ? ଧୂଳିକଣାକୁ ପର୍ବତାକାର ଏବଂ ବୁନ୍ଦାଏ ଜଳକୁ ସମୁଦ୍ରାକାର କରୁଥିବା ମୋର ଏହି ମନର ଏସବୁ କ’ଣ ଭାବନାରାଶି ? ମୁଁ କାହିଁକି କଳ୍ପନାରାଜ୍ୟରେ ବିଚରଣ କରି ସ୍ଵପ୍ନ ଦେଖିବାକୁ ଜନ୍ମଲାଭ କଲି-?

ମୋର ସେଠାକୁ ନଯିବାପାଇଁ ଆଉ ଗୋଟାଏ ବଡ଼ କାରଣ ମଧ୍ୟ ଥିଲା । ‘ସତ୍ୟଘଟଣା’ମାନ ପ୍ରକାଶ କରୁଥିବା ଏକ ତାମିଲ୍ ପତ୍ରିକାରେ ସେଦୁରାମ ଗୋଟାଏ କ୍ଷୁଦ୍ରଗଳ୍ପ ଲେଖିଥିଲା । ଡାକରେ ଦିନେ ମୋ ନାମରେ ଗଳ୍ପଟି ପ୍ରକାଶ ପାଇଥିବା ସଂଖ୍ୟାଟି ଆସି ପହଞ୍ଚିଲା । ଖୋଲିଲି । ଗଳ୍ପରେ ଅଙ୍କାଯାଇଥିବା ବ୍ୟଙ୍ଗଚିତ୍ର ମୋତେ ବିଚଳିତ କରିଦେଇଥିଲା । ସେଥିରେ ଦେଖିଲି—ମୁଁ ମାଡ୍ରାସ୍‌ରେ ରହିଥିବା ହୋଟେଲର ଚିତ୍ର; ସମୁଦ୍ରକୂଳରେ ଆମେ ଯାଇ ବସିଥିବା ସ୍ଥାନ, ନାରାୟଣ ସ୍ଵାମୀଙ୍କ କାର୍ ଭଳି ଗାଡ଼ିଟିଏ ଏବଂ ଆହୁରି କେତେଗୁଡ଼ିଏ । ଚିତ୍ରରେ ସମୁଦ୍ରକୂଳରେ ଦୁଇଜଣ ଯୁବକ ଯୁବତୀ ମଧ୍ୟ ବସିଥାନ୍ତି । ଗଳ୍ପଟିକୁ ପଢ଼ିଲି । ‘ଏହା ଜଣେ ପତ୍ରିକା ସମ୍ପାଦକଙ୍କ ବ୍ୟକ୍ତିଗତ ଜୀବନର ଏକଦିନର କାହାଣୀ’ ବୋଲି ଲେଖାଯାଇ ଗଳ୍ପଟିକୁ ଶେଷ କରାଯାଇଥିଲା । ‘ଖୁବ୍ ଭଦ୍ର ବୋଲି ଦେଖେଇ ହେଉଥିବା ଯେତେକ ନିଷ୍ଠୁର ପ୍ରକୃତିର ଲୋକ ଅଛନ୍ତି, ସେମାନଙ୍କ ପ୍ରକୃତ ଜୀବନର ରୂପରେଖ ବରାବର ଚିତ୍ରଣ କରି ଆଜିଠୁଁ ଆମପାଇଁ ଗଳ୍ପ ଲେଖିବେ ଲେଖକ ଶ୍ରୀ ସେଦୁରାମ’—ବୋଲି ସେହି ପତ୍ରିକାର ସମ୍ପାଦକ ମଧ୍ୟ ଲେଖିଥାନ୍ତି ।

ଗଳ୍ପଟିକୁ ଆଜିପର୍ଯ୍ୟନ୍ତ ନପଢ଼ି ରହିନଥିବେ ନାରାୟଣସ୍ଵାମୀ । ଗଳ୍ପଟି ସିଧାସଳଖ ମୋ ନିକଟକୁ ଯେଉଁ ସେଦୁରାମ ପଠେଇ ପାରିଲା, ତାଙ୍କ ନିକଟକୁ ପଠେଇବାକୁ ମୋଟେ ଭୁଲିନଥିବ । ଗଳ୍ପଟି ପଢ଼ିସାରିବା ପରେ କେଉଁ ମୁହଁରେ ତାଙ୍କୁ ଯାଇ ସାକ୍ଷାତ କରନ୍ତି ? କିମିତି ଯାଇ ତା’ଙ୍କ ଫାଟକ ନିକଟରେ ପହଞ୍ଚନ୍ତି ? ଅନିମନ୍ତ୍ରିତ ଅତିଥି ହେବା ମୁଁ ଚାହିଁନଥିଲି ।

କିନ୍ତୁ ନାରାୟଣସ୍ଵାମୀ ଯେତେବେଳେ ନିଜେ ଆସି ମୋତେ ଡାକିଲେ, ମୁଁ ସବୁକଥା ଭୁଲିଗଲି । ତାଙ୍କ ମୁହଁରେ ସ୍ନେହ ଓ ମମତା ବ୍ୟତୀତ ଅନ୍ୟ କୌଣସି ସନ୍ଦେହର ଚିହ୍ନ ଦେଖିବାକୁ ମିଳିନଥିଲା । କଥା ଦେଇସାରିଥିବା ହେତୁ ତା’ ଆରଦିନ ସନ୍ଧ୍ୟାରେ ତାଙ୍କ ଘରକୁ ବାହାରିଲି ।

ନାରାୟଣସ୍ଵାମୀ ଏକୁଟିଆ ବଗିଚା ଚାରିପଟେ ବୁଲି ଦେଖୁଥାନ୍ତି । ବଗିଚା ଖୁବ୍ ପ୍ରଶସ୍ତ ହେଇଥିବା ହେତୁ ତାଙ୍କ ସହିତ ତା’ ଭିତରେ ବୁଲିବା ପାଇଁ ବେଶ୍ ଭଲଲାଗେ । ବଡ଼ ବଡ଼ ଗଛର ଛାଇରେ ଛାଇରେ ଚାଲିଲୁ । ରାସ୍ତାସାରା ଧଳା ନିମ୍ବଫୁଲ ଝରିପଡ଼ିଥିଲା । ବଗିଚା ଭିତରେ ହିଁ ସାନ୍ଧ୍ୟ ଭ୍ରମଣ ସାରିଦେଇ ଗଛତଳେ ଥିବା ସିମେଣ୍ଟ ବେଞ୍ଚରେ ଯାଇ ବସିଲୁ । ସେଠି ଟେବୁଲ୍ ଉପରେ ଜଳଖିଆ ପ୍ରସ୍ତୁତ କରି ରଖାହେଇଥିଲା—ହାଲୁଆ, ମିଠା, ଶାଗଭଜା, ଫଳ ଇତ୍ୟାଦି ।

 

ଫ୍ଲାସ୍କରେ କଫି ଆଣି ଲଳିତା ଆସି ଆମ ପାଖରେ ବସିଲା । ପଚାରିଲା—“ଏତେଦିନ ହେଇଗଲାଣି—ଆପଣ ଏଆଡ଼େ ମୋଟେ ଆସିଲେନାହିଁ ?”

 

ମଥାଟେକି ଲଳିତାକୁ ଚାହିଁଲି । ଲଳିତା ତ ସିଏ ! ଚେହେରା ପୂରା ବଦଳିଯାଇଥିଲା । ସତେ ଯେମିତି ଦଶ ବାରଦିନ କାଳ ରୋଗ-ଶଯ୍ୟାଗତ ହୋଇ ନିକଟରେ ଆରୋଗ୍ୟ ଲାଭ କରିଛି-। ମୁଣ୍ଡ କୁଣ୍ଡେଇନଥିଲା । ଫିକାରଙ୍ଗର ଶାଢ଼ୀ ବ୍ଲାଉଜ୍ ପିନ୍ଧିଥିଲା । ଖ୍ୟାତନାମା ନାରାୟଣସ୍ଵାମୀଙ୍କ ସହଧର୍ମିଣୀ ଭଳି ସେଦିନ ମୋଟେ ଦେଖାଯାଉନଥିଲା ସେ । ତା’ର ଏହି ବେଶଭୂଷାକୁ ମୁଁ ପ୍ରଥମେ ପ୍ରଥମେ ଦେଖିଥିବା ତାର ସରଳ ନିରାଡ଼ମ୍ବର ବେଶଭୂଷା ବୋଲି କୁହାଯାଇନପାରେ । ଚେହେରାକୁ ତା’ର ପୂଝାରୀର ଚେହେରା ଭଳି କରିଦେଇଥିଲା । ମୁହଁଟା ଟିକିଏ ଫୁଲିଥିଲା । ଆଖି ଦୁଇଟା ଅଳ୍ପ ନାଲି ପଡ଼ିଯାଇଥିଲା ।

 

ମୁଁ ପୁଣିଥରେ ତାକୁ ଲକ୍ଷ୍ୟକଲି । ମୋତେ କିନ୍ତୁ ସେ ଦେଖି ନଦେଖି ଫ୍ଲାସ୍କରୁ କଫି ବାହାରକରି କପ୍‌ରେ ଢାଳୁଥିଲା ।

 

ହାଲୁଆ କିମିତି ଲାଗୁଛି ଦୁରେଇ ବାବୁ ? ଆପଣ ଆଜି ଆସିବେ ବୋଲି ଲଳିତାକୁ କହିଥିଲି । ଯେଉଁ ଜିନିଷରେ ତା’ ହାତ ବାଜେ ତା’ର ସ୍ଵାଦୁ ସ୍ଵତନ୍ତ୍ର ହୋଇଉଠେ, ନୁହେଁ-?”-–ନାରାୟଣସ୍ଵାମୀ କହି ହସିଲେ ।

 

“ତାହାହେଲେ, ପୁଣି ବହୁତ ଦିନପରେ ହିଁ ଆସିବି—ତେବେଯାଇ ଏମିତିକା ହାଲୁଆ ମିଳିବ !”

 

“ନା ନା, ପ୍ରତିଦିନ ଆସନ୍ତୁ—ପ୍ରତିଦିନ ଏମିତିକା ହାଲୁଆ ତିଆର କରିବା ପାଇଁ କହିବି-।”

 

ଲଳିତା ସାମାନ୍ୟ ମୁରୁକି ହସିଲା ।

 

ସେଦିନ ଲଳିତା ମୋ ସହିତ ମୁହଁଖୋଲି କଥା ହୋଇନଥିଲା । ତା ପରେ ପରେ କିଛି ଦିନ ସେମିତି ହିଁ କଟିଗଲା । ଆମ ଦି’ଜଣଙ୍କ ଖୋଲାଖୋଲି ଗପସପରେ କିମିତି କେଜାଣି ଏକ ପରଦା ପଡ଼ିଗଲା । କିନ୍ତୁ ପରଦାର ଅନ୍ତରାଳରେ ବିଶ୍ଵରୂପ ନେଇସାରିଥିବା ତା’ର ମମତାପୂର୍ଣ୍ଣ କାର୍ଯ୍ୟକଳାପ ବରାବର ମୁଁ ଦେଖିବାକୁ ପାଉଥାଏ । ତା’ର ମନ ପରିବର୍ତ୍ତନ ହେଇଥିବା ଜାଣି, ତାଙ୍କ ଘରକୁ ମୁଁ କାଳେ ନଯିବି—ସେଥିପାଇଁ ମୋତେ ସେ ଅପେକ୍ଷାକୃତ ଅଧିକା ସ୍ନେହ ପ୍ରଦର୍ଶନ କରିବାକୁ ଲାଗିଲା । ପ୍ରତ୍ୟେକ ଦିନ କିନ୍ତୁ ଫେରିବାବେଳେ ବାହାନାକରି ତା’ ପରଦିନ ପାଇଁ କିଛିନା କିଛି ଗୋଟାଏ କାମ କହିଦେଇଥାଏ । ‘ଭଲ ଉପନ୍ୟାସ କେଇଖଣ୍ଡ କାଲିକି ଆଣିବେ’ କିମ୍ବା ‘କାଲିକି ପତ୍ରିକା ଆଣିବାକୁ ଯେମିତି ଭୁଲିନଯାଆନ୍ତି !’ —ଏମିତି କିଛି ଗୋଟାଏ ଅଳି ରଖି କିଛି ଗୋଟାଏ କାମକହି ପଠାଇ ଦିଏ ମୋତେ । ପଢ଼ିବାପାଇଁ ତାଙ୍କ ପାଠାଗାରରେ ନଥିବା ବହି ନାହିଁ–ତାଙ୍କ ଘରକୁ ନ ଆସୁଥିବା ପତ୍ରିକା ନାହିଁ । ତା ଛଡ଼ା ସେ ଯଦି ଇଚ୍ଛାକରନ୍ତା ତା’ସ୍ଵାମୀ ପରମୂହୁର୍ତ୍ତରେ ସାରା ଗୋଟାଏ ବହି ଦୋକାନ କିଣିଆଣିପାରନ୍ତେ ।

 

ଲଳିତା ଆଜିକାଲି ଜାଣିଶୁଣି ମୁଣ୍ଡ କୁଣ୍ଡାଏ ନାହିଁ । ଜାଣିଶୁଣି ଭଲ ଶାଢ଼ି ପିନ୍ଧେନାହିଁ । ଜାଣିଶୁଣି ନିଜକୁ ସନ୍ନ୍ୟାସିନୀ ଭଳି ସଜାଏ । ଏହାର ଉଦ୍ଦେଶ୍ୟ ? ସେ କ’ଣ ଭାବୁଥିଲା, ମୁଁ ମୋଟେ କିଛି ଜାଣେନାହିଁ ?

 

ସେ ତା’ ନିଜ ମାନସିକ ଉତ୍ତେଜନା ଓ ଏହାର ପ୍ରତିକ୍ରିୟା ଜାଣିପାରିଲା । ଥରେ ଦି’ଥର ତା’ ହୃଦୟକୁ ମୋ ସାମନାରେ ମୁକୁଳାଇ ସାରିଥାଏ । ତାର ଜନ୍ମଦିନ ତିଥିରେ ତାକୁ ହତ୍ୟା କରିଥିବା ଭାବସମୂହକୁ ଆଜି ସେ ନିଜେ ହତ୍ୟା କରିବାକୁ ଚେଷ୍ଟାକରୁଛି । ମାଡ୍ରାସ ସମୁଦ୍ରକୂଳରେ ସେଦିନ ସନ୍ଧ୍ୟାରେ ତାକୁ ଠକିଥିବା ଭାବନାରାଶିକୁ ଓଲଟି ସେ ଆଜି ଠକିବାକୁ ଚେଷ୍ଟାକରୁଛି । ତା ଅନ୍ତରରେ କ୍ରମାଗତଭାବେ ଦେଖା ଦେଇଥିବା ଏହି ମାନସିକ ଦ୍ଵନ୍ଦ୍ଵ, ବରାବର ଟକମକ ଫୁଟିଉଠୁଥିବା ମୁଁ ଜାଣିପାରିଲି । କିନ୍ତୁ ତାକୁ ଥଣ୍ଡା କରିବାନିମନ୍ତେ ମୋର କ’ଣ ଯତ୍ନନେବା ଉଚିତ ଥିଲା ? ଯଦି ବା ନେଇଥାନ୍ତି, ସଫଳତା ହାସଲ କରିପାରିଥାନ୍ତି ତ ? ମୁଁ କିନ୍ତୁ କାହିଁକି ଚେଷ୍ଟା କରିନଥିଲି ?

 

କାହିଁକି ଜାଣନ୍ତି ?

 

ମୁଁ ସେହି ସହର ପରିତ୍ୟାଗ କରି କିଛି ମାସପାଇଁ ଅନ୍ୟତ୍ର ଚାଲିଯାଇ ପାରିଥାନ୍ତି । ପତ୍ରିକା ସଂକ୍ରାନ୍ତ କାର୍ଯ୍ୟ ତୁଲେଇବା ପାଇଁ ପ୍ରେସ୍‌ରେ ମୋର ପ୍ରତ୍ୟକ୍ଷ ଉପସ୍ଥିତି ସେତେ ଆବଶ୍ୟକ ନାହିଁ । ମୁଁ ମୋ ନିଜ ଗାଁରେ ରହି ମଧ୍ୟ ଲେଖା ପଠେଇପାରନ୍ତି । କିମ୍ବା ଅନ୍ୟତ୍ର ନଯାଇ ଖାସ୍ ଏଠି ରହି ମଧ୍ୟ କିଛି ଗୋଟାଏ କାରଣ ଦର୍ଶାଇ ତାଙ୍କ ଘରକୁ ଯିବା ସଂପୂର୍ଣ୍ଣ ବନ୍ଦ କରିପାରିଥାନ୍ତି । କିନ୍ତୁ ମୁଁ କୌଣସିଟା କରିନଥିଲି ।

 

କାହିଁକି ଜାଣନ୍ତି ?

 

ତାହା ମୁଁ ବର୍ତ୍ତମାନ ଆପଣମାନଙ୍କୁ କହିବାକୁ ଯାଉନାହିଁ । କହିବାପାଇଁ ଉପଯୁକ୍ତ ସମୟ ମଧ୍ୟ ଆସି ପହଞ୍ଚିନାହିଁ । ହୁଏତ ତାହା ମୋଟେ ନଆସିପାରେ ମଧ୍ୟ । ଅନ୍ତରରେ ଯାହା ଯାହା ସବୁ କଳ୍ପନା କରି ରଖିଛି, ସେ ସବୁକୁ କ’ଣ ଅନ୍ୟ ସମ୍ମୁଖରେ ପ୍ରକାଶ କରିହେବ ? ପରବର୍ତ୍ତୀ କାଳରେ ମୋର ସେହି କଳ୍ପନା ସବୁ ଭୁଲ ବୋଲି କହି ଏହି ସମାଜ ଅଣ୍ଟାଭିଡ଼ି ମୋର କୁତ୍ସାରଟନା କରିବନାହିଁ ?

 

ଗୋଟାଏ କଥା କିନ୍ତୁ କହିବାକୁ ଯାଉଛି । ‘ସ୍ନେହ’ ଭଳି ଏକ ସୁନ୍ଦର ପଦରେ ନିଷ୍ଠୁରତା ନିହିତ । ଇତିହାସ କ’ଣ କହେନି ଯେ ‘ସ୍ନେହ’ ଭଳି ଏକ ଅପୂର୍ବ ପଦାର୍ଥକୁ କେନ୍ଦ୍ରକରି ପୃଥିବୀପୃଷ୍ଠରେ ସହସ୍ର ସହସ୍ର ମଜାଗପ ସୃଷ୍ଟି ହୋଇପାରିଛି ? କିନ୍ତୁ ସେଗୁଡ଼ିକର ମଧୁର ପରିସମାପ୍ତିର ପରିସର ମଧ୍ୟରେ ସ୍ଥାନ ପାଇଥିବା ରକ୍ତର ଲୁହ, ହୃଦୟର ଜ୍ଵାଳା, ଅପ୍ରକାଶ୍ୟ ଯନ୍ତ୍ରଣା ସମ୍ପର୍କରେ କାହିଁକି କେହି ଚିନ୍ତା କରନ୍ତିନାହିଁ ?’ ‘ସ୍ନେହ’ ପାଇଁ ଦେଖାଦେଇଥିବା ଦୁଃଖସମୂହ ତଥା ସ୍ନେହପାଇଁ ଘଟିଯାଇଥିବା ହତ୍ୟା ଓ ଲୁଣ୍ଠନର ଦୃଷ୍ଟାନ୍ତ ବହୁତ ବେଶି । ସ୍ନେହ ଓ ମମତା ପାଇଁ କେତେ ଲୋକଙ୍କ ଜୀବନ ଯେ ଧ୍ଵଂସ ଅଭିମୁଖୀ ହୁଏ ତାହା କ’ଣ କଳନା କରିହେବ ? ସ୍ନେହ ହିଁ ଶିବ—ଏହି ଦର୍ଶନକୁ ମୁଁ କେବଳ ଗୋଟିଏ ଦୃଷ୍ଟିକୋଣରୁ ଗ୍ରହଣ କରୁଛି । ସ୍ନେହ–ମମତାର ପ୍ରତୀକ ସ୍ଵୟଂ ଶିବ କୌଣସି କଥାକୁ ତିଳାର୍ଦ୍ଧେ ଭ୍ରୂକ୍ଷେପ ନକରି ମୃତ୍ୟୁର ଚିରସ୍ଥାୟୀ ଆଶ୍ରୟ ସ୍ଥଳ ଶ୍ମଶାନ ବକ୍ଷରେ ଖୁବ୍ ଆନନ୍ଦ ସହକାରେ ତାଣ୍ଡବ ନୃତ୍ୟରେ ନିମଜ୍ଜିତ ଥା’ନ୍ତି—ନୁହେଁ ? ମୁଁ ସେ ପ୍ରକାର ଦୟାହୀନ ସ୍ନେହପ୍ରତି ମୋର ଏହି ପାଗଳ ହୃଦୟର ଅନ୍ତରତମ ପ୍ରଦେଶରୁ ଅଭିଶାପ ଦିଏ ।

 

ସେଦିନ ଥିଲା ରବିବାର—ଅପରାହ୍‌ଣ ତିନିଟା । ବାରଣ୍ଡାରେ ବସି ପାଠକମାନଙ୍କଠାରୁ ପାଇଥିବା ଚିଠିଗୁଡ଼ିକ ପଢ଼ୁଥିଲି । ନାରାୟଣସ୍ଵାମୀଙ୍କ କାର ସେହିପାଖ ଦେଇ ଗଲା । ସେ ମୋତେ ଲକ୍ଷ୍ୟକଲେ । କାର ଅଟକିଲା । ଓହ୍ଲାଇ ଆସିଲେ । ଉଭୟେ ଗପିବା ଆରମ୍ଭ କଲୁଁ । ପୃଥୀବୀର ବିଭିନ୍ନ ବିଷୟ ନେଇ ଆଲୋଚନା ହେଲା । ଅଫିସ୍ ପିଅନ ଜାନକୀ ତାଙ୍କ ପାଖରେ ଥଣ୍ଡା ପାଣି ଆଣି ଥୋଇଲା । ଭିତରୁ ଛୋଟ ପଙ୍ଖାଟିଏ ଆଣି ବଢ଼େଇଦେଲି ତାଙ୍କ ହାତକୁ । ଅଧିକ ଉତ୍ସାହର ସହିତ ସେ ଗପିବାକୁ ଲାଗିଲେ ।

 

“ଗୋଟାଏ କଥା ପଚାରିବି—ଅବଶ୍ୟ ଅତି ସାଧାରଣ କଥା—ଅନ୍ୟଥା ଭାବିବେ ନାହିଁ-।”

 

“ବିନା ସଙ୍କୋଚରେ ପଚାରନ୍ତୁ—ମୋତେ ଆପଣ ଯେକୌଣସି କଥା ପଚାରିପାରନ୍ତି ।”

 

“କଳାପ୍ରେମୀମାନେ ସହଜରେ ଭାବପ୍ରବଣ ହୋଇଯାନ୍ତି । ସେଥିପାଇଁ ମାନବ ସଂସ୍କୃତିରୁ ପଥଚ୍ୟୁତ ହେବାନିମନ୍ତେ ସେମାନଙ୍କୁ ବେଶି ସମୟ ଲାଗେନାହିଁ ବୋଲି ଲୋକେ ଯାହାକହନ୍ତି—ଆପଣ କ’ଣ କହୁଛନ୍ତି ?”

 

“ଫୁଲ ଚାରିପଟେ ଭ୍ରମର ଗୁଣୁ ଗୁଣୁ ଶବ୍ଦ କରେ ବୋଲି ଏହା ଫୁଲର ଦୋଷ ନୁହେଁ । ମହୁ ଚାରିପଟେ ମାଛି ରୁଣ୍ଡହୋଇ ବସନ୍ତି ବୋଲି ଏହାକୁ ମହୁର ଦୋଷ ବୋଲି କୁହାଯାଇ ପାରେନା । କଳାକାରମାନଙ୍କ ସ୍ଥାନରେ—ଯଦି କଳା କ’ଣ—ଏହି ଧାରଣାବିହୀନ ଲୋକେ ରହନ୍ତି, ତେବେ ସେମାନଙ୍କ ଗତିବିଧି କି ଆକାର ଧାରଣ କରିବ ଲକ୍ଷ୍ୟ କରିବାର କଥା । ମନୁଷ୍ୟତା ତଥା ମାନବ ସଂସ୍କୃତିର ଦୁଇଟି ମୌଳିକ ଅଂଶ ଚରିତ୍ର ଏବଂ ଶୃଙ୍ଖଳା—ଏହା ମୁଁ କଦାଚିତ୍‍ ଅସ୍ଵୀକାର କରିପାରିବିନାହିଁ; କିନ୍ତୁ କଳାକାରମାନଙ୍କୁ ଅବମାନନା କରିବା ଦୋଷାବହ ବୋଲି କହୁଛି । ଭଲମନ୍ଦ ବିବେଚନା କରିବାପାଇଁ ସେମାନଙ୍କର ବିବେକ ରହିଥାଏ । ଶାରୀରିକ ବଳ ଅପେକ୍ଷା ମାନସିକ ବଳ ଉପରେ ନିର୍ଭରକରି ସେମାନେ ଜୀବନ ଧାରଣ କରିଥାନ୍ତି ।”

 

ସେ ଦୀର୍ଘନିଃଶ୍ଵାସ ଛାଡ଼ିଲେ । “ଶରୀର, ମନ ଏବଂ ଆତ୍ମା...” ବୋଲି କ୍ଷୀଣ ସ୍ଵରରେ ନିଜକୁ ନିଜେ କହିଲେ ।

 

“କଳାକାରର ଆଧ୍ୟାତ୍ମିକ ଚିନ୍ତାଧାରା ନଥିଲେ ମଧ୍ୟ, ଯେଉଁମାନେ କେବଳ ଶାରୀରିକ ସୌନ୍ଦର୍ଯ୍ୟ ପ୍ରତି ଲାଳସା ରଖି ଜୀବନ ଧାରଣ କରନ୍ତି, ସେମାନଙ୍କଠାରୁ ସେ ଅଲଗା ।”

 

“ଶାରୀରିକ ଆବଶ୍ୟକତାକୁ ଅନୁଭବ ନକରି, କେବଳ ମାନସିକ ଅନୁଭୂତିକୁ ନେଇ ମନୁଷ୍ୟ କ’ଣ ବଞ୍ଚିପାରିବ ?”

 

ପ୍ରଶ୍ନଟି ଶୁଣି ମୁଁ ଚମକିପଡ଼ିଲି । ଅନ୍ୟ କେହି ଯଦି ପଚାରିଥାନ୍ତେ ତେବେ କିଛି ନଭାବି ନଚିନ୍ତି ଉତ୍ତର ଦେଇଦିଅନ୍ତି । ନାରାୟଣସ୍ଵାମୀ ନିଜେ ମୋତେ ଏହି ପ୍ରଶ୍ନ ପଚାରିଥିଲେ ! ମୁଣ୍ଡଭିତରଟା ଟଣକିଲା । ମୁହୂର୍ତ୍ତକ ମଧ୍ୟରେ ଆକାଶ ପାତାଳ ଭାବିଗଲି । ସେଦୁରାମ ତାଙ୍କ ସମ୍ପର୍କରେ ଯାହା ଯାହା ସବୁ କହିଥିଲା ସେସବୁ ଭାବିଲି । ମୁଣ୍ଡ ଅଧିକା ଟଣକିଲା । ମାତ୍ର ମନର ସମ୍ପର୍କ କୁ ନେଇ କ’ଣ ଜୀବନଧାରଣ କରିହେବ ?

 

“ବହୁତ ଭାବିଲି ଯେ !” —ସେ କହିଲେ ।

 

“ବଞ୍ଚିପାରିବ ନାହିଁ । କେତେଜଣ ପାରିପାର୍ଶ୍ୱିକ ଅବସ୍ଥାଯୋଗୁଁ ନିର୍ଯାତିତ ହୋଇ ଜୀବନ ଧାରଣ କରନ୍ତି—ଆଉ କେତେଜଣ ଆଦର୍ଶବାଦୀ ହୋଇ ନିଜ ଆତ୍ମାକୁ କଷ୍ଟ ଦେଇଥାନ୍ତି ।”

 

“ଅବସ୍ଥାର ନିର୍ଯାତନା...ହୁଁ । ବେଳେବେଳେ ଅବସ୍ଥାର ନିର୍ଯାତନା ଦଣ୍ଡର ଭୂମିକା ଗ୍ରହଣ କରିଥାଏ ।

 

ମୁଁ କିନ୍ତୁ ବୁଝିପାରିଲି ନାହିଁ । ତେବେ ତାଙ୍କ ସ୍ୱର କହିଦେଉଥାଏ ସେ କେତେଦୂର ବିଚଳିତ ।

 

ଦୁରେଇ ବାବୁ’ କହି ଭାବପ୍ରବଣ ହୋଇ ସେ ମୋର ଦୁଇ ହାତକୁ ଧରିପକାଇଲେ । ତାଙ୍କ ମୁହଁରେ ଦୁଃଖର ଛାୟା ଘୋଟିରହିଥିଲା ।

 

“ଆପଣଙ୍କୁ ମୁଁ ଥରେ ସୁଦ୍ଧା ଭୁଲ ବୁଝିନାହିଁ ଦୁରେଇ ବାବୁ ! ମୋତେ ବି ଆପଣ ଭୁଲ ବୁଝିବେ ନାହିଁ ତ ?”

 

ମୋର ହୃତ୍‌ସ୍ପନ୍ଦନ ଦ୍ଵିଗୁଣିତ ହେବାକୁ ଲାଗିଲା । ଛଳଛଳ ଚକ୍ଷୁରେ ତାଙ୍କୁ ଭଲ ରୂପେ ଲକ୍ଷକଲି । ତାଙ୍କ କଥା ବିଜୁଳି ବେଗରେ ମୋ କାନରେ ପଡ଼ି ପୁଣି ଯେ କେତେବେଳେ ଲୀନ ହୋଇଗଲା, ଜାଣିପାରିଲି ନାହିଁ । ମୋତେ ଏବଂ ଲଳିତାକୁ କେନ୍ଦ୍ରକରି ସେଦୁରାମ ଲେଖିଥିବା ସେହି ଗଳ୍ପ ତାଙ୍କୁ କେତେ ବେଶି ପ୍ରଭାବିତ କରିଥିଲା—ତାହା ମୁଁ ଅନୁମାନ କରିପାରିଲି ।

 

ତାଙ୍କ ସମ୍ପର୍କରେ ମୋର ସବୁ ସ୍ମୃତି ଚକ୍ଷୁ ସମ୍ମୁଖରେ ନାଚିବାକୁ ଲାଗିଲା । ତଥାପି ମୁଁ ତାଙ୍କୁ ପୂରା ଠିକ୍ ବୁଝିପାରିନଥାଏ । ପ୍ରଥମ ସାକ୍ଷାତରେ ତାଙ୍କ ଚାଲିଚଳନ, ପରେ ପରେ ତାଙ୍କ ସାଧୁତା, ପ୍ରେମ, ବିବାହ, ବହିପଢ଼ାରେ ଅସୀମ ସ୍ପୃହା, କଳାପ୍ରତି ପ୍ରଗାଢ଼ ମମତା—ସବୁ ଅବୋଧ୍ୟ ସମସ୍ୟା ଭଳି ମନେହେଲା । ଲେଖକମାନେ ସେମାନଙ୍କ ଗଳ୍ପର ଆମୂଳଚୂଳ ବିଭିନ୍ନ ଚରିତ୍ର ମାଧ୍ୟମରେ ମନୁଷ୍ୟର ନିର୍ଦ୍ଦିଷ୍ଟ ଗୁଣାବଳୀକୁ ପ୍ରକାଶ କରିଥାନ୍ତି; ମୁଁ ସେ ପ୍ରକାର ସାହିତ୍ୟକୁ ବିଶ୍ଵାସ କରିବି ନା ଏହି ମୋ ସମ୍ମୁଖରେ ଦେଖୁଥିବା ବିଭିନ୍ନ ଚରିତ୍ର ସନ୍ନିବିଷ୍ଟ ଏହି ସ୍ନେହ-ମମତାଭରା ନାରାୟଣସ୍ଵାମୀଙ୍କ ବାସ୍ତବ ଜୀବନକୁ ବିଶ୍ଵାସ କରିବି ? କିଛି ସମୟ ବିତିଲା ।

 

“ଆଜି ରବିବାର—ଘରଆଡ଼େ ଆସନ୍ତୁ । ଯଦି ଭଲ ସିନେମା ପଡ଼ିଥାଏ ଯିବା—ନଚେତ୍ ଘରେ ହିଁ ଆରାମରେ ବସି ଗପସପ କରିବା ।”

 

ମୁଁ ଟିକିଏ କୁଣ୍ଠିତ ହେଲି ।

 

“କ’ଣ ଭାବୁଛନ୍ତି ?”

 

“କିଛି ନୁହଁ; ମୁଁ ଆପଣଙ୍କ ଘରକୁ ନଯାଇ ରହିବାହେତୁ ଆପଣଙ୍କୁ ବହୁତ ଖରାପ ଲାଗୁଥିବ ସତ, କିନ୍ତୁ ମୋତେ କ୍ଷମାକରନ୍ତୁ—କୁଆଡ଼େ ଯିବିନାହିଁ ।” ତାଙ୍କୁ ସିଧାସଳଖ ଚାହିଁନପାରି ସରମରେ ମୁଣ୍ଡ ପୋତି ଏଇତକ କହିଦେଲି ।

 

ସେ ହସିଲେ । ଉଠି ଠିଆହେଲେ । ମୋ ହାତଧରି କହିଲେ, “ଉଠନ୍ତୁ ଦୁରେଇ ବାବୁ–କାପୁରୁଷଙ୍କ ଭଳି କହିବା ଉଚିତ୍ ନୁହେଁ । ଯିଏ ବଞ୍ଚିରହିବା ଜାଣେନାହିଁ ତା’ପାଇଁ ଏ ଦୁନିଆ କୁମ୍ଭୀର-କ୍ରନ୍ଦନ କରିଥାଏ । ଜୀବନ ଧରି ବଞ୍ଚିରହିବା ପାଇଁ ଯା’ର ଅକୁଣ୍ଠ ସ୍ପୃହା, ତା ରାସ୍ତାରେ ଦୁନିଆ ପ୍ରତିବନ୍ଧକ ହୋଇ ଉଭାହୁଏ । ଯେଉଁମାନେ ଆମର କୁତ୍ସାରଟନା କରନ୍ତି, ସେମାନଙ୍କୁ ଭୟକଲେ ତିଷ୍ଠିବା ଅସମ୍ଭବ ହୋଇପଡ଼େ ।

 

ମୁଁ ତାଙ୍କ ସହିତ ଉଠିଲି । କବାଟ ଖୋଲି କାର୍ ରେ ବସିଲୁ । ସେତିକିବେଳେ ଆରପଟୁ ସ୍ଵାମୀନାଥ ଏବଂ କାନ୍ତା ଆସୁଥିଲେ । ଉଭୟେ ମୋ ଉପରେ ତୀକ୍ଷ୍‌ଣ ନିକ୍ଷେପକରି ଭିତରକୁ ପ୍ରବେଶକଲେ ।

 

ପ୍ରତ୍ୟେକଙ୍କ ଜୀବନରେ ଏମିତି ଏକ ଦିନ କିମ୍ବା ମୁହୂର୍ତ୍ତ ଆସିଥାଏ ଯାହାକି ଅଭୁଲା ହୋଇ ରହିଯାଏ । ହୁଏତ ତାହା ମଧୁମୟ ହୋଇପାରେ—ନତୁବା ବିଷାଦଭରା ହେଇପାରେ । ଆଜିର ଏହିଦିନ ମୋ କଲିଜାକୁ ଟିକିଟିକି କରି କାଟିଛି; ମନ–ପ୍ରାଣକୁ ଶୋଷି ନେଇଛି—ମୋତେ ହନ୍ତସନ୍ତ କରିଛି ।

 

ଅଫିସରୁ ମୋତେ ଡାକିଆଣି, “ଉପର ମହଲାରେ ଯାଇ ବସନ୍ତୁ—ପାଞ୍ଚମିନିଟ୍‌ରେ ଆସୁଛି” କହି ନାରାୟଣସ୍ଵାମୀ ଘରଭିତରକୁ ଗଲେ । ସହରରେ କି କି ଭଲ ସିନେମା ପଡ଼ିଛି ଫୋନ୍‌ରେ ବୁଝିବାପାଇଁ ଡ୍ରାଇଭରକୁ କହିଲେ ।

 

ଉପରମହଲାକୁ ଯିବାପାଇଁ ସିଡ଼ି ଚଢ଼ିଲି । ଅଧା ପର୍ଯ୍ୟନ୍ତ ଯାଇସାରିବା ପରେ ଉପର ମହଲାରୁ ଶୁଣିବାକୁ ପାଇଲି ଲଳିତାର ରାଗମିସା ସ୍ଵର । ଅଉ ଉପରକୁ ଯାଇପାରିଲି ନାହିଁ । ସେହିଠାରେ ଠିଆହୋଇ ମନଧ୍ୟାନ ଦେଇ ଶୁଣିଲି । ଲଳିତା ସ୍ଵରର ଜବାବ୍‌ରୂପେ ଅନ୍ୟଏକ ସ୍ଵର ମଧ୍ୟ ଶୁଣିବାକୁ ମିଳିଲା ତାହା ଥିଲା ସେଦୁରାମର ସ୍ଵର ।

 

ସେ ଲଳିତାକୁ ଯାହା କହିଥିଲା ସେ ସବୁ କ’ଣ କଥନୀୟ । ସେଠାରେ ଆଉ ଠିଆହୋଇ ରହିବାପାଇଁ ଇଚ୍ଛା ହେଲାନାହିଁ । ଏକା ନିଃଶ୍ୱାସକେ ଦୌଡ଼ିଆସି କାହାରିକୁ ଦେଖାନଦେଇ ସିଧାସଳଖ ମୋ କୋଠରିକୁ ଫେରିଯିବାକୁ ଭାବିଲି; କିନ୍ତୁ ସେହି ମୁହୂର୍ତ୍ତ—ସେଠାରୁ ଫେରି ଆସିବା ମୁହୂର୍ତ୍ତ ନୁହେଁ । ସେଠାରେ ଛିଡ଼ାହୋଇ ରହିବା ନିହାତି ଦରକାର ମଣିଲି । ଯଦିବା ଦରକାର ହୁଏ ସେହି ସେଦୁରାମକୁ ସେଠାରେ ଟିକି ଟିକି...

 

ହାତ ଦୁଇଟା ମୋର ଥରିବାକୁ ଲାଗିଲା । ଦେହ ସାରା ଥରିବାକୁ ଲଗିଲା । ପାହାଚର କଡ଼େ କଡ଼େ ଯାଇଥିବା କାଠବାଡ଼ାକୁ ଖୁବ୍ ଜୋର୍‌ରେ ଧରି ରହିଲି । ଉପରକୁ ଚଢ଼ିଲି ନାହିଁ କିମ୍ବା ତଳକୁ ଓହ୍ଲାଇଲି ନାହିଁ ।

 

“ହଁ ! ତୋତେ ମୁଁ ଭଲରେ ଭଲରେ କହୁଛି; ଯା, ଏଠୁ ବାହାରକୁ ଚାଲିଯା !”

 

“ଲଳିତା !”

 

“ଚାଲିଯା !”

 

“ଯଦି ନ ଯାଏ !”

 

“ଚାଲ୍‌ବେ ବାହାରକୁ !”

 

“କ’ଣ—‘ଚାଲ୍‌ବେ’ କହିଲୁ !”

 

“ହଁ”

 

“ମୁଁ ତୋତେ ପିତା ଲାଗୁଛି—କିନ୍ତୁ ସେହି ଦୁରେଇ...ଜଣେ ନାମଜାଦା ସଂପାଦକ ନା-!”

 

ଗାଲରେ ଖୁବ୍ ବଡ଼ ଏକ ଚାପୁଡ଼ା ବସିବା ଶବ୍ଦ ଶୁଭିଲା । ସେଦୁରାମ ହସିଲା ।

 

“ଅନ୍ୟ ଗାଲରେ ମଧ୍ୟ ଚାପୁଡ଼ା ମାର୍ ଲଳିତା !”

 

“ପଶୁ !”

 

ଦୁରେଇ ମଣିଷ–ଆଉ ମୁଁ ପଶୁ ନା ?”

 

“ହଁ; ଯା ବେ ବାହାରକୁ ! ତାଙ୍କୁ ଡାକିବି ?”

 

ସେ ପୁଣି ନିଷ୍ଠୁର ଭାବେ ହସିଲା ।

 

“ତୋ ସ୍ୱାମୀ ତ ? ସେ ସବୁକଥା ଜାଣନ୍ତି ! କିଏ ଜଣେ ବାରବୁଲା ଅପେକ୍ଷା ମୋ ସହିତ ମିଳାମିଶା କରିବା—ମାଉସୀ ମନା କରିବେନାହିଁ ।”

 

ମୋ ମଥା ଘୂରିବାକୁ ଲାଗିଲା । ତଳେ ନ ପଡ଼ିବାପାଇଁ, କାଠଧାରକୁ ଭିଡ଼ିଧରିଲି । ତାହାହେଲେ ତା’ ମାଉସୀଙ୍କ ଜ୍ଞାତସାରରେ ସେ ଏଠାକୁ ଆସିଛି । କେଉଁ ଝିଅ ଏ କଥାକୁ ସ୍ଵପ୍ନରେ ଅବା ଗ୍ରହଣକରନ୍ତା ?

 

ତାପରେ ଆଉ କିଛି ପାଟିତୁଣ୍ଡ ଶୁଭିଲା ନାହିଁ । କିଛି ଗୋଟାଏ ଜିନିଷ ଧରି ଲଳିତା ସେଦୁରାମ ଉପରକୁ ଫୋପାଡ଼ିବା ଶୁଭିଲା । ପରେ କଂସା ବାସନ, ଗିନା ପ୍ରଭୃତିର ଝଣ ଝଣ ଶବ୍‌ଦ । ସେହି କୋଠରି ଭିତରେ ସତେ ଯେମିତି ଭୂମିକମ୍ପ ହେଉଥିଲା । ଠିକ୍ ତା’ ପର ମୁହୂର୍ତ୍ତରେ ଗାଲ ଆଉଁସି ଆଉଁସି ତଳକୁ ଓହ୍ଲାଇଆସିଲା ସେଦୁରାମ । ମୋତେ ଦେଖିବାକ୍ଷଣି ରାଗ ଜର୍ଜରିତ ହୋଇଉଠିଲା । କହିଲା—“ସମ୍ପାଦକ ମହାଶୟ ଆସନ୍ତୁ ! ଆପଣଙ୍କ ଅପେକ୍ଷାରେ ସେ ଥିଲାବେଳେ ମୁଁ ଆସି ପହଞ୍ଚିଗଲି । ଶୀଘ୍ର ଆସନ୍ତୁ—ସେ ଏକୁଟିଆ ଅଛି ।”

 

ମୁଁ ଆରପଟକୁ ମୁହଁ ବୁଲେଇ ଦେଖେତ ଲଳିତା କୋଠାଉପର ଦରଜା ନିକଟରେ ଠିଆହୋଇଛି ! ହାତରେ ତାର ଛାଞ୍ଚୁଣୀ, କାଳିକାଙ୍କ ଭଳି ରାଗରେ ଥରୁଥାଏ । ମୋତେ ଦେଖିମଧ୍ୟ ତା’ ରାଗ କମିନଥିଲା । ତେବେ ହାତରୁ କିନ୍ତୁ ଛାଞ୍ଚୁଣୀଟା ଖସିପଡ଼ିଥିଲା ।

 

“ଆପଣ କାହିଁକି ଆସିଛନ୍ତି ?”

 

ମୁଁ ନିରୁତ୍ତର ।

 

“ବାଃ, ଭାରି ବଢ଼ିଆ ଅଭିନୟ ତ ! କି ସୁନ୍ଦର ଅଭିନୟ ନ କରୁଛୁ ସତେ ! ସେ କାହିଁକି ଏଠାକୁ ଆସିଛନ୍ତି ତୁ ଜାଣିନୁ ଲଳିତା ? —ପରିହାସ କରି ପଚାରିଲା ସେଦୁରାମ ।

 

“ସେ ବର୍ତ୍ତମାନ ଘରେ ନାହାନ୍ତି—ଯାନ୍ତୁ ପରେ ଆସିବେ ।” ଲଳିତା କହିଲା ।

 

“ସେ ନାହାନ୍ତି ବୋଲି ର ଆସିଛନ୍ତି !” —ସେଦୁରାମ ଉତ୍ତରଦେଲା ।

 

ମୁଁ କିଛି ବୁଝିପାରିଲି ନାହିଁ । ମଥା ଘୁରାଇବା ଦ୍ଵିଗୁଣିତ ହେଲା । ‘ସେ ବର୍ତ୍ତମାନ ଘରେ ନାହାନ୍ତି—ଯା’ନ୍ତୁ ପରେ ଆସିବେ ।’ —ମୋତେ ଏମିତିକା ପରିସ୍ଥିତିରେ ଏଠି ଦେଖିବାକୁ ପାଇ ସିନା ଲଳିତା ଏଭଳି କହିପକେଇଲା ! କିନ୍ତୁ ସତରେ କ’ଣ ସେ ଏହା କହିଲା; ବାହାରକୁ ଚାଲିଯିବା ପାଇଁ ଦୁରେଇ କୁ ଏମିତି କହିପାରିଲା ? ତା’ ପୁଣି ସେଦୁରାମ ସମ୍ମୁଖରେ ? ମୁଁ ନିଜକୁ ବିଶ୍ୱାସ କରିପାରିଲି ନାହିଁ । ଲଳିତାକୁ ମଧ୍ୟ ବିଶ୍ୱାସ କରିପାରିଲି ନାହିଁ । ଆଶ୍ଚର୍ଯ୍ୟ ହୋଇ ତାକୁ ଚାହିଁ ରହିଲି-

 

ଦୁରେଇ ବାବୁ ! ଆପଣଙ୍କୁ ହିଁ କହୁଛି ।” —ପୁଣି କହିଲା ।

 

ତା’ ପରେ କ’ଣ କ’ଣ ଘଟିଗଲା ମୁଁ ଜାଣେନାହିଁ । କିମିତି ଆସି ମୋ କୋଠରିରେ ଯେ ପହଞ୍ଚିଲି, ତା’ ମଧ୍ୟ ବର୍ଣ୍ଣନା କରିପାରିବିନାହିଁ । ପ୍ରତ୍ୟେକ ମଣିଷକୁ ଏମିତିକା ପରିସ୍ଥିତିରେ ତା’ ନିଜ ଅଜାଣତରେ ଏକ ଶକ୍ତି ରାସ୍ତା ଦେଖେଇବାରେ ସାହାଯ୍ୟ କରିଥାଏ । ସେହି ଶକ୍ତି ହିଁ ମୋତେ ନିରାପଦରେ ଆଣି ପହୁଞ୍ଚାଇ ଦେଇଥିବ ।

 

ସେଦିନ ରାତିରେ ଶୋଇବା ପରେ ଅନେକ ଦୁଃସ୍ଵପ୍ନ ଦେଖିଲି—ଏପରିକି ଛାଇନିଦରେ ମଧ୍ୟ, ଘଞ୍ଚ ଅରଣ୍ୟରେ ଗୋଟାଏ ବାଘ ମୋ ପଛେ ପଛେ ଦୌଡ଼ିଆସି ଆକ୍ରମଣ କଲାଭଳି—ମାଡ୍ରାସ୍ ସହରର କୌଣସି ଏକ ଜନଗହଳି ରାସ୍ତାରେ ମୋ ଉପରଦେଇ କାର୍ ଚାଲିଗଲାଭଳି—ଉଚ୍ଚ ଆକାଶରେ ଅଶ୍ରୟହୀନ ହୋଇ ଉଡ଼ି ଉଡ଼ି ଭ୍ରମଣ କଲାଭଳି, ଇତ୍ୟାଦି ଇତ୍ୟାଦି ।

 

ତା’ ପରଦିନ ଅଭ୍ୟାସ ଅନୁସାରେ ପ୍ରତ୍ୟୁଷରୁ ଉଠିପାରିନଥିଲି । ଦେହରେ ମାଡ଼ ହୋଇଥିଲା ପରି ଶରୀର ତମାମ୍ ବ୍ୟଥା ଅନୁଭବ କଲି । ତା’ ସାଙ୍ଗକୁ ଅସହ୍ୟ ମୁଣ୍ଡବ୍ୟଥା । ଆଠଟା ବାଜିବା ପରେ ଜାନକୀରାମକୁ କଫିପାଇଁ ପଠେଇଲି । ବିଛଣା କିନ୍ତୁ ଛାଡ଼ିନଥାଏ—ସେମିତି ପଡ଼ିରହିଥାଏ । ବିଛଣାରେ ପଡ଼ିରହିବାକୁ ହିଁ ଭଲଲାଗୁଥିଲା ।

 

ଆଜିକାଲି ସ୍ଵାମୀନାଥ ଆଉ ମୋ ସହିତ ରହେନାହିଁ, ପ୍ରେସ୍ ଆରପଟେ ଥିବା ଅନ୍ୟ ଏକ କୋଠରିରେ ଅଲଗା ରହେ । ପୂର୍ବଭଳି ମୋ ସହିତ ତା’ର ବେଶି ଦେଖାସାକ୍ଷାତ ହୁଏନାହିଁ । କିନ୍ତୁ ଠିକ୍ ଏହି ମୁହୂର୍ତ୍ତରେ ତା’ ବିଷୟ ନେଇ ଭାବୁଥିବାବେଳେ ସେ ଆସି ପହଞ୍ଚିଗଲା ।

 

“ଏତେବେଳଯାଏ ଉଠିନାହୁଁ ? କ’ଣ ଦେହ ଖରାପ ଅଛି ?”

 

“କିଛି ହେଇନି ।” ମୋଡ଼ିଭାଙ୍ଗି ହୋଇ କହିଲି ।

 

“କାହିଁକି କେଜାଣି ଭଲ ଦେଖାଯାଉନୁ ।” କହି କପାଳରେ ମୋର ହାତମାରି ଦେଖି କହିଲା—“ତୋ ସ୍ଵାସ୍ଥ୍ୟ ତ ଭଲନାହିଁ; ମନ ମଧ୍ୟ ସେମିତି ଜଣାପଡ଼ୁଛି ।”

ମୁଁ ହସିବାକୁ ଚେଷ୍ଟାକଲି ।

“ଦୁରେଇ”

“କଅଣ ?”

“ମୋ କଥାରେ ଟିକିଏ ଗୁରୁତ୍ଵ ଦେ । ଯଥାଶୀଘ୍ର ବହାହେଇପଡ଼ । ମୁଁ ଆଉ କାନ୍ତା ଯାବତୀୟ ବନ୍ଦୋବସ୍ତ କରିଦେବୁ ।”

“ତମ ଦୁହିଁଙ୍କ ବାହାଘର ପ୍ରଥମେ ହେଉ ।”

“ଆମ ବାହାଘର ତ ଠିକ୍ ହୋଇସାରିଲାଣି । ତା’ ପୂର୍ବରୁ ତୋ ବାହାଘର ମଧ୍ୟ ନିଶ୍ଚିତ ହେବା ଦରକାର ବୋଲି ଭାବୁଛି । କେବଳ ଆମେ ଦିହେଁ ନୋହୁଁ—କାନ୍ତାର ବାପା ମଧ୍ୟ ତୋ ବିଷୟ ନେଇ ଭାରି ଚିନ୍ତିତ ।”

“ତମ ସମସ୍ତଙ୍କୁ ମୋର ଧନ୍ୟବାଦ । ନିକଟ ଭବିଷ୍ୟତରେ ମୁଁ ବାହା ହେଉନାହିଁ । ମୁଁ ଏମିତି ରହିଲେ ତମମାନଙ୍କର କି ଅସୁବିଧା ହେଉଛି ଶୁଣେ ?”

“କେହି ଜଣକର ଅସୁବିଧା ହଉଛି ବୋଲି ତ କହୁଛି ।”

“ଦୟାକରି ତୁ ଏଥିରେ ଆଉ ମୁଣ୍ଡ ଖେଳାନା ।”

“ତୁ ଅତି ଭଲ ବୋଲି ଭାବିଥିଲି—କିନ୍ତୁ ତୁ ଅଭଦ୍ର, ଦ୍ରୋହୀ, ଧୂର୍ତ୍ତ !”

“ହଁ, ମୁଁ ସେଇୟା ହୋଇପାରେ । ତୋ ମୁହଁରୁ ଏହା ଶୁଣି ଖୁବ୍ ଆନନ୍ଦିତ ।”

“ତୋ ସମ୍ପର୍କରେ ଜାଣିପାରି ପୂରା ସହର ବର୍ତ୍ତମାନ ହସୁଛି । ଦୁରେଇ, ମୁଁ ଆଉ କାନରେ ଶୁଣିପାରୁନାହିଁ । ଏମିତି ଯଦି ଆଉ କିଛିଦିନ ଚାଲେ, ତେବେ ପୂରା ତାମିଲ୍‌ନାଡୁ ମଧ୍ୟ ହସିବ ।”

“ହସୁ ।”

“ତୁ ଅନ୍ୟର ଜୀବନ ସହିତ ଖେଳୁଛୁ । ଗୋଟାଏ ଅଭିଜାତ ପରିବାରକୁ ଚୁର୍‌ମାର୍ କରିବାକୁ ଯାଉଛୁ । ତୋ ମାନ ସମ୍ମାନ ଉପରେ ତ ଆଞ୍ଚ ଆସିବ, ଛାଡ଼େ—ଜଣେ ଭଦ୍ର ବ୍ୟକ୍ତିଙ୍କର ଯଶଖ୍ୟାତି, ଜଣେ ଯୁବତୀ ଝିଅର ଚରିତ୍ର...ଦୁରେଇ ତୁ ମଣିଷ ତ—ମଣିଷତ୍ୱ କ’ଣ ଭୁଲିଗଲୁଣି ?”

 

ମୁଁ ଅନ୍ୟପଟେ ମୁହଁ ବୁଲେଇ ଶୋଇରହିଲି । ଗତକାଲିର ଯେଉଁ ମାନସିକ ଅଶାନ୍ତି, ତାହା ଯଥେଷ୍ଟ ନୁହେଁ ବୋଲି ଏଠି ଇଏ ମୋତେ ତୀକ୍ଷ୍‌ଣ ଛୁଞ୍ଚିରେ ଫୋଡ଼ିବାରେ ଲାଗିଛି ମୋତେ–ମନେହେଲା ।

 

“ଏତେ ଦିନର ପରିଶ୍ରମରେ ପାଇଥିବା ଯଶଖ୍ୟାତି ସବୁ ନଷ୍ଟ ହେବାକୁ ଯାଉଛି ଦୁରେଇ-! ଭବିଷ୍ୟତ ପାଇଁ ତୁ ଚିନ୍ତା କରୁନାହୁଁ ନା କ’ଣ ? ତୁ ବର୍ତ୍ତମାନ ଗଭୀର ଖାତରେ ପଡ଼ିଯାଇଛୁ । ଲୋକେ ଯେମିତି ତୋତେ ଘୃଣା କରିବେ ସେହି ରାସ୍ତାରେ ପାଦ ଦେଇଛୁ ।”

 

କହିଲି—“ତୁ ମଧ୍ୟ ମୋତେ ସଂଦେହ କରୁଛୁ ? ମୋତେ ବଡ଼ ଅଶ୍ଚର୍ଯ୍ୟ ଲାଗୁଛି ।”

 

“ରାମକୃଷ୍ଣ ପରମହଂସଙ୍କ ସେହି ଭକ୍ତି ହିଁ ସତ୍ୟ—ଯେତେ ଉଚ୍ଚରେ ଉଡ଼ିଲେ ସୁଦ୍ଧା ଛଞ୍ଚାଣ କୁଆଡେ଼ ତଳେ ଥିବା ମଇଳା କୁଢ଼ରୁ ମୃତ ମୂଷା ଇତ୍ୟାଦିକୁ ଖୋଜିଥାଏ ।” —କହିଦେଇ ବାହାରକୁ ଚାଲିଗଲା ସ୍ଵାମୀନାଥ ।

 

ମୁଁ ଟିକିଏ ଆଶ୍ୱସ୍ତି ଲାଭକଲି । ରାଗି ଫେରି ଯାଇଥିବା ହେତୁ ଏତେଶୀଘ୍ର ପୁଣି ସେ ଫେରିବନାହିଁ ବୋଲି ଭାବିଥିଲି । କିନ୍ତୁ ଅଧଘଣ୍ଟା ମଧ୍ୟରେ ପୁଣି ବାହୁଡ଼ିଆସିଲା । ତା’ ସହିତ ଆଉ ତିନିଜଣ ଭିତରକୁ ତରବରରେ ପଶିଆସିଲେ—କାନ୍ତା, ତା ବାପା ଆଉ ସେମାନଙ୍କ ପରିବାରର ଡାକ୍ତର ।

 

“କ’ଣ ହେଇଛି ?” ଡାକ୍ତର ପଚାରିଲେ ।

 

“କିଛି ନୁହେଁ ।”

 

ସ୍ଵାମୀନାଥ ମୋତେ ଦେଖି ଆଖିରେ ଠାରୁଥାଏ ।

 

ଦେହରୁ ସାର୍ଟ ଖୋଲିବା ପାଇଁ ଡାକ୍ତର କହିଲେ; ଆଖି ଦୁଇଟାକୁ ଆଙ୍ଗୁଠିରେ ଖୋଲି ଦେଖିଲେ । ଖୁବ୍ ଗମ୍ଭୀରଭାବେ ପରୀକ୍ଷା ନିରୀକ୍ଷା କଲେ । କହିଲେ—“ଆପଣଙ୍କ ମୁଣ୍ଡ ଘୂରୁଥିବ–ଜିଭ ପିତାଳିଆ ଲାଗୁଥିବ—ପେଟ ଗୋଳିଘାଣ୍ଟି ହୋଇ ବାନ୍ତି ମଧ୍ୟ ଲାଗୁଥିବ ।”

 

ସେ ଯାହା ଯାହା କହିଗଲେ ସେଥିରୁ ଗୋଟାଏ ବି ଅସୁବିଧା ମୋର ନଥିଲା । ସେ ପଚାରିଥିଲେ ସତ—ହେଲେ ମୁଁ କିନ୍ତୁ ପାଟି ନ ଖୋଲି ସେମିତି ରହିଥାଏ । ‘ନା’—ବୋଲି ମଧ୍ୟ କହିନଥିଲି । ସେ ହେଉଛନ୍ତି ରାମଲିଙ୍ଗମ୍‌ବାବୁଙ୍କ ପରିବାରର ଡାକ୍ତର । ସେଥିରେ ପୁଣି ରାମଲିଙ୍ଗମ୍‌ବାବୁ ନିଜେ ପାଖରେ ଠିଆହୋଇଥାନ୍ତି । ପ୍ରକୃତ ଘଟଣା କିପରି ବା ବର୍ଣ୍ଣନା କରନ୍ତି ?

 

“ମୁଣ୍ଡ ଉପରେ ବେଶି ଚାପ ଦଉଛନ୍ତି ! ଟିକିଏ ବିଶ୍ରାମ ଦରକାର । ଦିନ ଦୁଇଟାରେ ସବୁ ଠିକ୍ ହୋଇଯିବ । ଔଷଧ ପଠଉଛି । ସଜପଖାଳ କମଳା ପ୍ରଭୃତି ଖାଇପାରନ୍ତି-।”-–କହିଲେ-

 

ଗାଳ୍ପିକ ଏବଂ ମାନସିକ ବିକୃତି ଲୋକଙ୍କ ମଧ୍ୟରେ ଥିବା ସଂପର୍କକୁ ମାତ୍ର ସେ ଠିକ୍ ବୁଝିପାରିଥିଲେ । ସେଥିପାଇଁ ମୁଁ ସନ୍ତୁଷ୍ଟ । ସେହି ମାନସିକବିକୃତି କାଳେ ମୋତେ ଆକ୍ରମଣ କରିବ ବୋଲି ମୁଁ ଭୟ କରୁଥିଲି । ସମସ୍ତେ ବାହାରିଗଲେ । ଲେଖା ଚାଲିଥିବା ଉପନ୍ୟାସ ମୋ ସମ୍ମୁଖରେ ଥିଲା । ହୋଟେଲରୁ ଜାନକୀରାମ ହାତରେ ଇଡ଼୍‌ଲି ଆଉ କଫି ମଗେଇ ଖାଇଲି । ଡାକ୍ତରବାବୁ ପଠେଇଥିବା ଔଷଧ ଏବଂ କାନ୍ତା ଘରୁ ଆସିଥିବା ପଖାଳକୁ ବାହାରେ ଫୋପାଡ଼ି ଦେବା ନିମନ୍ତେ ନିର୍ଦ୍ଦେଶ ଦେଲି ତାକୁ । ଗେଟ୍‌ରେ ଜାନକୀକୁ ବସେଇ ଉପନ୍ୟାସ ଲେଖା ଆରମ୍ଭକଲି ।

 

ଲେଖା ଆରମ୍ଭ କରିବାକ୍ଷଣି ମାନସିକ ଦୁଶ୍ଚିନ୍ତା, ଜ୍ଵାଳା, ସ୍ମୃତିଜନିତ ଦୁଃଖ ଯାତନା—ସବୁ କୁଆଡ଼େ ଉଭେଇଗଲା, ନିଜକୁ ଭୁଲିଗଲି । ବାଧାବିଘ୍ନକୁ ପାଶୋରି ପକେଇ ଅପେକ୍ଷାକୃତ ଅଧିକ ବେଗରେ ଲେଖନୀ ଚାଳନାକଲି । ନୂଆ କଳ୍ପନା କରି କିଛି ନୂତନତ୍ୱକୁ ଉପନ୍ୟାସରେ ସ୍ଥାନଦେବା ନିମନ୍ତେ ପରିଶ୍ରମ କରିବା ଦରକାର ପଡ଼ିଲା ନାହିଁ । ସବୁ ଏହି କେତେଟା ମାସ ଭିତରେ ଘଟିଯାଇଥିବା ଘଟଣାବଳୀ ମାତ୍ର ।

 

ସଂଧ୍ୟାରେ ଡାକ୍ତରବାବୁ ଆସିଲେ । ମୋ ସମ୍ପର୍କରେ ସ୍ଵାମୀନାଥ ତାଙ୍କୁ ବ୍ୟକ୍ତିଗତ ଭାବେ କିଛି କହିଥିବା ଭଳି ମୋର ଧାରଣା ହେଲା । ମୋ କଲ୍ୟାଣ କାମନା କରି ବିଭିନ୍ନ ଦିଗରୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରି ଧୀରେ ଧୀରେ ବିବାହ ବିଷୟ ଉଠେଇଲେ ।

 

“ଶୀଘ୍ର ବାହାହୋଇ ପଡ଼ନ୍ତୁ—ତା ପରେ ହିଁ ବୁଝିପାରିବେ ଜଣେ ପୁରୁଷପାଇଁ ଜଣେ ସ୍ତ୍ରୀର ସାହାଯ୍ୟ କେତେଦୂର ଦରକାର ।”

 

“ଅବଶ୍ୟ ସତ । କିନ୍ତୁ ପରେ ପରେ ଜଣେ ସ୍ତ୍ରୀର ସେହି ସାହାଯ୍ୟରେ ଜଣେ ପୁରୁଷ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଥାଏ—ତାହା ମଧ୍ୟ ଜାଣିହେବ ।”

 

“ଦୁଃଖ, କଷ୍ଟ ଏବଂ ଅସୁବିଧାର ସମ୍ମୁଖୀନ ନହେଲେ ସୁଖ, ଶାନ୍ତି, ସୁବିଧା ମିଳେନା ସାର୍ ! ଶୀଘ୍ର ଭୋଜିର ବ୍ୟବସ୍ଥା କରନ୍ତୁ ।” —ଡାକ୍ତରବାବୁ କହିଲେ ।

 

ତିନିଦିନ ବିତିଗଲା । ଉପନ୍ୟାସଟି ଅଧା ଶେଷ ହୋଇସାରିଥାଏ । ଚତୁର୍ଥ ଦିନ ନାରାୟଣସ୍ଵାମୀଙ୍କ ଡ୍ରାଇଭର ଆସି ପହଞ୍ଚିଲା । କହିଲା—“ଆପଣଙ୍କୁ ଡାକିଆଣିବା ପାଇଁ ବାବୁ କହିଛନ୍ତି ।” ମୁଁ ଯେଉଁ ଡାକରାକୁ ଆଗରୁ ଆଶା କରୁଥିଲି ତାହା ଏତେଦିନ ପରେ ବିଳମ୍ବରେ କିପରି ପହଞ୍ଚିଲା ଭାବି ବିସ୍ମିତ ହେଲି । ଭାବିଥିଲି ନାରାୟଣସ୍ଵାମୀ ନିଜେଆସି ଏଠି ପହଞ୍ଚିଯିବେ ।

 

“ବାବୁ ଡକେଇଛନ୍ତି ?”

 

“ବାବୁ ଡକେଇଛନ୍ତି ବୋଲି କହିବା ପାଇଁ ମା’ କହିଛନ୍ତି ।”

 

“ବହୁତ କାମ ଅଛି—ଆଉ ଦିନେ ଯିବିବୋଲି କହ ।”

 

“ଶୀଘ୍ର ଫେରିଆସିବେ ବୋଲି ମଧ୍ୟ କହିଛନ୍ତି ।”

 

“ଆଜି ସମୟ ନାହିଁ ।”

 

ସେ ଚାଲିଗଲା ।

 

ତା’ ଆର ଦିନ ଡାକରେ ଲଳିତାଠାରୁ ଚିଠିଆସି ପହଞ୍ଚିଲା । ଏହା ମୋ ନିକଟକୁ ତା’ର ପ୍ରଥମ ଚିଠି ।

 

ସମ୍ମାନାସ୍ପଦ ଦୁରେଇବାବୁ,

 

ତାଙ୍କ ସ୍ଵାସ୍ଥ୍ୟ ଭଲନାହିଁ । ଆପଣଙ୍କୁ ଦେଖିବା ନିମନ୍ତେ ସେ ଇଚ୍ଛାପ୍ରକାଶ କରୁଛନ୍ତି । ଦୟାକରି ଆଜି ଆସନ୍ତୁ । ମୋର ମଧ୍ୟ ଆପଣଙ୍କ ସହିତ କଥାହେବା ଦରକାର ଅଛି ।

 

ଇତି

ଲଳିତା ।

 

ଚିଠିଟିକୁ ବହୁତଥର ପଢ଼ିଲି । ପ୍ରଥମ ବାକ୍ୟ ମୋତେ ବିଶେଷ ଯନ୍ତ୍ରଣା ଦେଇଥିଲା । ନାରାୟଣସ୍ଵାମୀଙ୍କ ସ୍ଵାସ୍ଥ୍ୟ ଯଦି ସୁସ୍ଥ ଥା’ନ୍ତା ତେବେ ଏଠାକୁ ନଆସି କଦାପି ରହନ୍ତେ ନାହିଁ । ସେଦିନ ତାଙ୍କ ଘରେ ଯେଉଁ ଅଘଟଣ ଘଟିଗଲା, ତାରି ଯୋଗୁଁ ହୁଏତ ସେ ଏମିତି ହଠାତ୍ ଅସୁସ୍ଥ ହୋଇପଡ଼ିଲେ ।

 

ଚିଠିର ଶେଷ ବାକ୍ୟ ପାଇଁ ମୋତେ ବହୁତ ଚିନ୍ତା କରିବାକୁ ପଡ଼ିଲା—“ମୋର ମଧ୍ୟ ଆପଣଙ୍କ ସହିତ କଥାବାର୍ତ୍ତା ହେବା ଦରକାର ଅଛି ।” —କେଉଁ ସାହସରେ ସେ ଏହା ଲେଖିପାରିଲା ? ମୋ ସହିତ କଥାହେବା କି ଦରକାର ? କେଉଁ ମୁହଁରେ ମୋ ସହିତ କଥା ହୋଇପାରିବ ? କଥା ହେବାପାଇଁ ସେ ଆଉ ରଖିଛି କ’ଣ ? ତା’ ଛଳନାର ବାୟୁରେ ଉଡ଼ି ବୁଲୁଥିବା ଧୂଳିକଣା ବୋଲି ମୋତେ ସେ ଭାବିନେଇଛି ବୋଧହୁଏ !

 

ପେନ୍ଥାଏ ଫୁଲ ଦକ୍ଷିଣା ପବନରେ ହସି ହସି ଲୋଟି ପଡ଼ୁଥିବା ବେଳେ ସେହି ମନୋହର ଦୃଶ୍ୟକୁ ଦେଖି ଯେପରି ଉପଭୋଗ କରିଛି ସେହିପରି ସୁନ୍ଦରୀ ଝିଅଙ୍କ ହାଲୁକା ଛଳନାତ୍ମକ ଚୋରା ବ୍ୟବହାର ତଥା ଭାବଭଙ୍ଗୀକୁ ମଧ୍ୟ ବେଶ୍ ଉପଭୋଗ କରିଛି । କିନ୍ତୁ ସେହି ଛଳନାର ଆଧାରରେ ସ୍ନେହମମତା ଯଦି ନରହେ ଏବଂ ଓଲଟି ଏହା ପ୍ରତାରଣା ଏବଂ ଶଠଟା ଦିଗରେ ଯଦି ଗତିକରେ ତାକୁ ଜଣେ କିପରି ବା ଉପଭୋଗ କରିପାରିବ ? ସ୍ନେହମମତା ବିବେଚନାକୁ ନନେଇ, କେବଳ ନିଜର ତଥାକଥିତ ମସ୍ତିଷ୍କର ନିର୍ଦ୍ଦେଶରେ ବଞ୍ଚିରହିବା ସ୍ପୃହାକୁ ଠୁଳ କରିଥିବା ଜଣେ କୃତଘ୍ନ ଏବଂ ମିଥ୍ୟାପୂର୍ଣ୍ଣ ଛଳନାତ୍ମକ ଦକ୍ଷତାରେ ପୁରୁଷଙ୍କୁ ବିଭୋର କରିପାରୁଥିବା ଜଣେ ଷୋଡ଼ଶୀ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ । ଏମିତି ଗୁଡ଼ାଏ ଅନାବନା ଭାବିବସିବା ଯୋଗୁଁ ଆଗରୁ ଦାରୁଣ ଯନ୍ତ୍ରଣାରେ ଆଘାତପ୍ରାପ୍ତ ମୋ ମନ ଗହନର ନିଆଁ କୁହୁଳିବାକୁ ଲଗିଲା ।

 

ଏଭଳି ପରିସ୍ଥିତିରେ ଯାଇ ନାରାୟଣସ୍ୱାମୀଙ୍କୁ ନ ଦେଖିବା ମାନବିକତାର ପରିଚୟ ଦେବନାହିଁ । ତାଙ୍କୁ ମୁଁ ବେଶ୍ ଭଲକରି ଜାଣେ । ସେ ଖୁବ୍ ଭଦ୍ର—ଅତି ଉତ୍ତମ । ଅନ୍ୟୂନପକ୍ଷେ ମଣିଷ ବାଧ୍ୟହୋଇ ଯେଉଁ ଭୁଲ୍ କରିଥାଏ ତାକୁ ବାଦ୍‍ଦେଲେ ସେ ଅନ୍ୟ କିଛିରେ ଜଡ଼ିତ ନୁହନ୍ତି । ଏହି ପୃଥିବୀରେ ଭୁଲଭଟକା ନ କରିବା କିଏ ଅଛି ?

 

ଲଳିତାକୁ ଯଦି ସେଠାରେ ଦେଖିବାକୁ ନ ପାଆନ୍ତି, ତେବେ ମୁଁ ଅକ୍ଳେଶରେ ସେଠାକୁ ଯାଇପାରନ୍ତି ।

 

ମୋ ବିବେକ କହିଲା—“ତୁ ଡାକ୍ତର ନୋହୁଁ । ପ୍ରଖ୍ୟାତ ଡାକ୍ତରମାନଙ୍କୁ ସେ ଘରକୁ ନେଇ ନିଜ ଚିକିତ୍ସା କରାଇପାରିବେ । ତୁ ସେଠାକୁ ଯାଇ କେବଳ ଦେଖିଲେ କିଛି ଲାଭ ହେବନି । ତୁ ଯଦି ଯାଉ...ଯଦି ଯାଉ, ତେବେ ଲଳିତା ପାଇଁ କେବଳ । ଆଜି ପର୍ଯ୍ୟନ୍ତ ତୁ ନିଜକୁ ଠକି ଠକି ଆସିଛୁ । ଲଳିତାପାଇଁ ହିଁ ତୁ ସେଠାକୁ ଯାଉଥିଲୁ । ଆଜିଠୁଁ ଆଉ ନିଜକୁ ନିଜେ ଠକେନା ।”

 

ଚିଠିଟାକୁ ଲୋଚାକୋଚା କରି ଅଦରକାରୀ କାଗଜ ପାଇଁ ଉଦ୍ଦିଷ୍ଟ ବାସ୍କେଟ୍ ଭିତରକୁ ଫିଙ୍ଗିଦେଲି । କବାଟରେ କିଏ ବାଡ଼େଇବା ଶବ୍ଦ ଶୁଭିଲା । ସହ ସଂପାଦକ ଶଙ୍କରବାବୁ ଭିତରକୁ ଆସିଲେ । ପତ୍ରିକା ସଂପର୍କରେ କଥାବାର୍ତ୍ତା କଲୁ । ସେ ଖୁବ୍ ଭଦ୍ରୋଚିତ ବ୍ୟବହାର ଦେଖାନ୍ତି । ସବୁବେଳେ ହସି ହସି କହନ୍ତି । ତାଙ୍କ କଥାରୁ ମୁଁ ପାଏ ଶାନ୍ତି ।

 

ସେଦିନର ସନ୍ଧ୍ୟା ସମୟ । ଅନ୍ୟ କୌଣସିଦିନ ଏଭଳି ଧାରଣା ମୋର ଜନ୍ମିନଥିଲା–‘ଏଥରକ ଯେକୌଣସି ଝିଅକୁ ଖୁବ୍‍ ଶୀଘ୍ର ବାହା ହୋଇପଡ଼ିଲେ ହୁଅନ୍ତା ।’ ଲୋକଙ୍କ ମତାନୁସାରେ ‘ବାହାହେବା’ ଏକ ଜୁଆଖେଳ । ସାରା ଜୀବନରେ ଥରେ ମାତ୍ର ଖେଳିବାର ଜୁଆଖେଳ ଏହା । ବିଜୟ କିମ୍ବା ପରାଜୟ ଯାହା ହେଉନା କାହିଁକି ଅନ୍ୟୋନ୍ୟପାୟ ହୋଇ ଏହାକୁ ହିଁ ଗ୍ରହଣ କରିବାକୁ ପଡ଼ିବ—‘ଯେକୌଣସି ଏକ ଝିଅ—ଅସୁନ୍ଦରୀ ହୋଇଥାଉ, ଅଶିକ୍ଷିତା ହୋଇଥାଉ, ଶିଷ୍ଟତା କ’ଣ ଜାଣିନଥାଉ—ସେ ଯେମିତି ହୋଇଥାଉ ପଛେ ଖାସ୍ ଝିଅଟାଏ ବୋଲି ତାକୁ ବାହାହୋଇ ପଡ଼ିଲେ ଯଥେଷ୍ଟ । ଉଚ୍ଚ ଶିକ୍ଷିତା ମୋର ଦରକାର ନାହଁ । ମୋ ଗଳ୍ପ ପଢ଼ି ତା’ର ବିଚଳିତ ହେବା ଦରକାର ନାହିଁ । ସେ ଏହି ଲଳିତା ପରି ହିଁ ଛଳନାତ୍ମକ ହୋଇଥାଇପାରେ ।

ବହୁତ ଦିନ ତଳେ ଯାଇଥିବା କାବେରୀକୂଳକୁ ଆଜି ପୁଣି ସାଇକଲ୍‌ରେ ଗଲି । ନଦୀ ବାଲିରେ ତଉଲିଆ ବିଛେଇ ଗଡ଼ିଲି । ବିଗତ ଦିନର କେତେକ ଘଟଣା ମୋର ମନେପଡ଼ିଲା । ଦିନେ ମୋତେ ଲଳିତା ପଚାରିଥିଲା—“ଆପଣଙ୍କ ଗଳ୍ପ ଗୁଡ଼ିକୁ ପଢ଼ିବା ପରେ ମୋର ଧାରଣା ଜନ୍ମିଥିଲା ଯେ ଆପଣ ନିଶ୍ଚୟ ଜଣେ ବୃଦ୍ଧ ହୋଇଥିବେ ।”

“ପ୍ରେମମୂଳକ ଗଳ୍ପ ଗୁଡ଼ିକୁ ପଢ଼ିବାପରେ ମଧ୍ୟ ଏ ଧାରଣା ଜାତହୋଇଥିଲା ?”

“ହଁ, ଆଜିକାଲି ବୟସ୍କମାନେ ହିଁ ଜାଣନ୍ତି—ପ୍ରେମର ମୂଲ୍ୟ କେତେ ।” —କହିଦେଇ ତତ୍‌କ୍ଷଣାତ ଗୁରୁତର ଅପରାଧଟିଏ କରିଦେଲା ଭଳି ଜିଭ କାମୁଡ଼ିଥିଲା । ମୁଁ ବୁଝିପାରିଲି—ବୟସ୍କ ନାରାୟଣସ୍ୱାମୀ ପ୍ରେମର ମୂଲ୍ୟ ଅତି ବେଶି ବୋଲି ଭାବନ୍ତି ।

ଆଗରୁ କୌଣସି ପ୍ରସଙ୍ଗରେ କହିରଖିଛି ଯେ ଝିଅମାନଙ୍କୁ ଚିହ୍ନିବାରେ ମୁଁ ଭାରି ଅଡ଼ୁଆ ଅନୁଭବ କରେ । ସେଥିରେ ପୁଣି ଏହି ଲଳିତା ହେଉଛି ଅଡ଼ୁଆମାନଙ୍କ ମଧ୍ୟରେ ସବୁଠୁ ବଡ଼ ଅଡ଼ୁଆ ।

କାବେରୀକୂଳରୁ ଫେରି କୋଠରିରେ ପଶି ବତି ଜଳେଇଲି ।

“ବାବୁଆଣୀ ଆସି ଆପଣଙ୍କୁ ଖୋଜି ଫେରିଗଲେ ।” ଜାନକୀରାମ କହିଲା ।

“କେଉଁ ବାବୁଆଣୀ ?”

“ଲଳିତା ଦେବୀ ।”

“କ’ଣ କହିଛି ?”

“କାଲି ସକାଳେ ତାଙ୍କ ଘରକୁ ଯିବାପାଇଁ ।”

ସେଦିନ ରାତିରେ ମୋତେ ମୋଟେ ନିଦ ହୋଇନଥିଲା ।

ରାତିରେ ନିଦ ନହେବା ଯେ କେତେ ଯନ୍ତ୍ରଣାଦାୟକ ତାହା ମୁଁ ସେଦିନ ହିଁ ହୃଦୟଙ୍ଗମ କରିପାରିଥିଲି । ମନେହେଲା—ରାତ୍ର ଯେମିତି ପାହିବ ଆଉ ମୋଟେ ନଶୋଇ ବାହାରକୁ କୁଆଡ଼େ ଟିକିଏ ବୁଲିବାପାଇଁ ବାହାରିପଡ଼ନ୍ତି । ଲଳିତାକୁ ସାକ୍ଷାତ କରିବାକୁ ମୁଁ ଆଦୌ ଇଚ୍ଛା କରୁନଥିଲି । ବିଭିନ୍ନ ଭାବନା ମଧ୍ୟରେ ସଂଘର୍ଷ ଚଳେଇ କ୍ଳାନ୍ତ ହୋଇସାରିବାପରେ ମୁଁ ଏକ ନିଷ୍ପତ୍ତିରେ ପହଞ୍ଚିଲି–ଆସନ୍ତାକାଲି ତାକୁ ସାକ୍ଷାତ କରିବା ଉଚିତ । ଆଜି ପର୍ଯ୍ୟନ୍ତ ତା’ ସହିତ ମିଳାମିଶା କରିଥିବା ଯୋଗୁଁ ସବୁ ଦୋଷାଦୋଷକୁ ଭୁଲିଯାଇ, ସବୁ ସ୍ନେହ ମମତାକୁ ଭୁଲିଯାଇ, ତା’ ପ୍ରତି ପ୍ରତିଶୋଧ ନେବା ବର୍ତ୍ତମାନ ଦରକାର । ଘରୁ ବାହାରକୁ ଚାଲିଯାଅ ବୋଲି ଯିଏ ମୋତେ କହିଥିଲା, ତାକୁ ଏହି ଘରୁ...

ସକାଳେ ଗାଧୋଇବା ପରେ ଲୁଗା ବଦଳଉଛି—ବାହାର କବାଟ ଖୋଲିଗଲା ଆପେ ଆପେ । ଦେଖିଲି—ଭିତରକୁ ଆସିବାକୁ କୁଣ୍ଠାବୋଧ କରି ଲଳିତା ଠିଆହୋଇରହିଛି ଦ୍ଵାରମୁହଁରେ-। ତାକୁ ଦେଖି ନଦେଖିବାର ଅଭିନୟ କଲି । ମୋ ନିଜ କାମରେ ମୁଁ ବ୍ୟସ୍ତ ରହିଥିବା ଛଳନାକଲି । ପାଖ ଚୌକିରେ ବସି ପତ୍ରିକାଟିର ପୃଷ୍ଠା ଓଲଟାଇବାରେ ଲାଗିଲି ।

 

‘ଆସନ୍ତୁ’ ବୋଲି ମଧ୍ୟ କହିନଥିଲି; ସେ କିନ୍ତୁ ଭିତରକୁ ଆସିଥିଲା । ‘ବସନ୍ତୁ’ କହି ସତ୍କାର କରିନଥିଲି—ସେ ବସିଥିଲା । ଲୁହ ଗଡ଼େଇବା ସ୍ତ୍ରୀମାନଙ୍କର ଶେଷ ଅସ୍ତ୍ର ବୋଲି ଯେଉଁ ପ୍ରବାଦ ଅଛି, ତାକୁ ସେ ନିଜର ପହିଲା ଅସ୍ତ୍ରରୂପେ ବ୍ୟବହାର କଲା । ଅପଲକ ନେତ୍ରରେ ମୋତେ ସେ ଚାହିଁ ରହିଥାଏ । ଶ୍ରାବଣର ବର୍ଷାଭଳି ଆଖିରୁ ତାର ଝରୁଥିଲା ଅଜସ୍ର ଲୁହ ।

 

“ସେ ଅତ୍ୟନ୍ତ ଅସୁସ୍ଥ ହୋଇ ପଡ଼ିଛନ୍ତି—ଆପଣଙ୍କୁ ଦେଖିବା ତାଙ୍କର ଏକାନ୍ତ ଇଚ୍ଛା ।”

 

“ମୁଁ ତ ଚିକିତ୍ସା କରିବା ଜାଣେନାହିଁ—ଡାକ୍ତର ନୁହେଁ !”

 

“ଆପଣଙ୍କଠାରେ ଦୟା ବିକଳ ନାହିଁ ? ଆପଣ ଆସିଲେ ସେ ଭଲ ହୋଇଯିବେ ବୋଲି କହୁଛନ୍ତି—ମୁଁ ମଧ୍ୟ ସେଇଆ ଭାବୁଛି ।”

 

“ମୁଁ ମଧ୍ୟ ସେଇଆ ଭାବୁଛି”—ବୋଲି କହିବାପରେ ମୁଁ ନିଜକୁ ଭୁଲିଗଲି ।

 

“ସେ ଯଦି ଭାବିଥାନ୍ତେ ତେବେ ତାହା ଭୁଲ୍‍ ବୋଲି କହିପାରନ୍ତି ନାହିଁ । କିନ୍ତୁ ଆପଣ କିମିତି ଭାବିପାରିଲେ ? ଭାବିବାପାଇଁ ଆପଣଙ୍କର ହୃଦୟ ଅଛି ? ସମ୍ମାନ ଦେବା ଆପଣ ଶିଖିଛନ୍ତି-?-–ଆପଣ ଅଯଥାରେ କାହିଁକି ଏଠାକୁ ଆସିଛନ୍ତି ?”

 

“ଦୁରେଇବାବୁ...”

 

ଦୁଇଦିନ ପାଇଁ ମୁଁ ପାଗଳ ହୋଇଯାଇଥିଲି । ମୋ ଅନ୍ତରରେ ପ୍ରଚଣ୍ଡ ରାଗ ଜମିରହିଥିଲା । ଲଳିତାକୁ ଦେଖିବାକ୍ଷଣି ତାହା ଉଛୁଳିବାକୁ ଲାଗିଲା । ଭଲମନ୍ଦ ବିଚାର କରିବା ନିମନ୍ତେ ସମୟ ନଥିଲା । ପ୍ରତିଶୋଧ ନେବା ମନୋବୃତ୍ତି ମୋତେ ପୂରା ଗ୍ରାସି ସାରିଥିଲା ।

 

“ମୁଁ ଜଣେ ଯୁବକ—ଆପଣ ଜଣେ ଯୁବତୀ ! ମୁଁ ଚରିତ୍ରହୀନ—ଆପଣ ଅସହାୟା ସ୍ତ୍ରୀ-। ମୁଁ ଅବିବାହିତ—ଆପଣ ବିବାହିତା ! ଏକୁଟିଆ କାହିଁକି ମୋ କୋଠରିକୁ ଆପଣ ଆସିଛନ୍ତି-? ମୋ ଚରିତ୍ର ସମ୍ପର୍କରେ ଜାଣିସାରିବା ପରେ ମଧ୍ୟ କିପରି ଏଠାକୁ ଆସିପାରିଲେ-!”

 

“ମୋତେ କ୍ଷମା କରିବେନାହିଁ, ଦୁରେଇବାବୁ ?” କହି କଇଁ କଇଁ କାନ୍ଦିବାକୁ ଲାଗିଲା ।

 

“ପ୍ରଥମ କଥା ଆପଣ ମନେରଖନ୍ତୁ—ମୁଁ ଆପଣଙ୍କୁ ପ୍ରେମ କରେନାହିଁ । ଆପଣଙ୍କ ସୌନ୍ଦର୍ଯ୍ୟରେ କିମ୍ବା ଯୌବନରେ କିମ୍ବା ମନରେ ମୋ ମନକୁ ଢଳିବାକୁ ଦେଇନାହିଁ । ଆପଣଙ୍କଠାରୁ କୌଣସି ଜିନିଷ କେବେ ଆଶା କରିନାହିଁ—କରେନାହିଁ ମଧ୍ୟ ।”

 

“ଦୁରେଇବାବୁ ! ସ୍ନେହମମତାରେ ଆପଣଙ୍କର ବିଶ୍ଵାସ ନାହିଁ ?”

 

“ଅଛି—ସ୍ନେହ ମମତା ମାନେ ଜୀବନକୁ ଲୋପ କରୁଥିବା ‘ଯମ’ ଅର୍ଥରେ ।”

 

“ସେଦିନ ମୁଁ ମୋ ନିଜ ଆୟତ୍ତାଧୀନ ନଥିଲି । ମୋ ରାଗ ସୀମା ଟପି ସାରିଥିଲା । ସେଦୁରାମ ଲାଗି ମୁଁ ସେଦିନ ଡାହାଣୀର ରୂପ ଧରିବାକୁ ବାଧ୍ୟହୋଇଥିଲି । ମୋ ଜୀବନର କୌଣସି ଏକ ସ୍ତରରେ କିଛି ଗୋଟାଏ ଦୋଷ ରହିଯାଇଛି ବୋଲି ସେଦିନ ହିଁ ପ୍ରଥମଥର ପାଇଁ ଚିନ୍ତା କଲି । ମୋ ଭିତରେ ସେହି ଦୋଷରୁ ଜାତ ଦୁର୍ବଳତା ସହିତ ସେଦୁରାମ ଖେଳିବାକୁ ବସିଲା । ରାଗର ନିଆଁ ମୋ ହୃଦୟ ଭିତରେ ଜଳୁଥିଲା । ସେହି ନିଆଁ ଯୋଗୁଁ ଆପଣଙ୍କ ସ୍ନେହ ମମତାକୁ ଦେଖି ହେଲାନାହିଁ । ମୋତେ ଆପଣ ବିଶ୍ଵାସ କରିବେ ନାହିଁ ?”

 

“ଯେତିକି ବିଶ୍ଵାସ କରିଛି ସେତିକି ଯଥେଷ୍ଟ—ଆପଣ ଦୟାକରି ଏଠାରୁ ଚାଲିଯାନ୍ତୁ । ରାଗିବା କେବଳ ଆପଣଙ୍କ ବ୍ୟକ୍ତିଗତ ଅଧିକାର ନୁହେଁ—ମୁଁ ମଧ୍ୟ ମଣିଷର ସବୁ ଗୁଣର ଦାସ ।”

 

“ଦୁରେଇବାବୁ...ମୁଁ...ମୋତେ ଆପଣ ବୁଝିପାରିଲେ ନାହିଁ ?”

 

“ଆପଣଙ୍କୁ ମୁଁ ଜାଣେ ।”

 

“ଜାଣନ୍ତି ?” ଆଖିର ଲୁହ ଭିତରେ ପଚାରିଲା ।

 

Unknown

“ସେଥିପାଇଁ ମୁଁ କହୁଛି—ଏଣିକି ଆମର ପରସ୍ପର ସହିତ ମିଳାମିଶା ନକରିବା ହିଁ ଉଭୟଙ୍କ ପାଇଁ ଉତ୍ତମ । ମୁଁ ଅବିବାହିତା । ଆପଣ ମୋ ବନ୍ଧୁ ପତ୍ନୀ, ଆମ ଭିତରେ ସ୍ନେହ ମମତାର ପ୍ରକୃତ ଉଦ୍ଦେଶ୍ୟ ତିଷ୍ଠି ନପାରେ । ଏମିତିକା ଏକ ପରିସ୍ଥିତି ଉପୁଜି ସାରିବା ପରେ ଆପଣଙ୍କୁ ମୋର ଜଣେ ସଙ୍ଗିନୀରୂପେ ଗ୍ରହଣ କରି ମିଳାମିଶା କରିବା ମୋ ପକ୍ଷେ ସମ୍ଭବ ନୁହେଁ-।”

 

“ସେ ଆପଣଙ୍କୁ ଦେଖିବା ନିମନ୍ତେ ଭାରି ଆତୁର । ସେଦିନ ଆପଣ ଘରୁ ବାହାରକୁ ଚାଲିଯିବା ପରେ, ସେ ଆପଣଙ୍କ ଅନ୍ୱେଷଣରେ ବାହାରିଲେ । କିନ୍ତୁ ତରବର ହୋଇ ଚାଲି ପାହାଚରୁ ଖସି ତଳେ ପଡ଼ିଗଲେ । ଆଜିପର୍ଯ୍ୟନ୍ତ ଉଠିପାରି ନାହାନ୍ତି ।”

 

ମୋ ଅନ୍ୱେଷଣରେ ଆସି ତଳେ ପଡ଼ିଗଲେ ବୋଲି ଶୁଣିବା ପରେ ମୋର ରାଗ କ୍ରୋଧ ସବୁ ଦବିଗଲା । ଦୌଡ଼ିଯାଇ ତାଙ୍କୁ ଦେଖିବାକୁ ଇଚ୍ଛାହେଲା । ତାଙ୍କ ନିକଟରେ ମୁଁ ଭୁଲ କରିଥିବା ହେତୁ ଓ ଆଗରୁ ଯାଇ ଦେଖିନଥିବା ହେତୁ କ୍ଷମା ମାଗିବା ପାଇଁ ଠିକ୍ କଲି । ମୋପାଇଁ ଆଜି ସେ ଶଯ୍ୟାଗତ ? ତାଙ୍କର ଏ ଅବସ୍ଥା ପାଇଁ ମୁଁ ଦାୟୀ ?

 

“କେବଳ ସେ ନୁହଁନ୍ତି—ମୁଁ ମଧ୍ୟ ଆପଣଙ୍କୁ ନଦେଖି ରହିପାରିଲି ନାହିଁ । ଏହି ଦୁଇ ତିନିଦିନ ହେଲା ଦୁରେଇବାବୁ !”

 

ନାରାୟଣସ୍ଵାମୀଙ୍କ ପାଇଁ ସିନା ହୃଦୟ ମୋର ଥିଲା କୋମଳ—କିନ୍ତୁ ଲଳିତା ପାଇଁ ତାହା ତରଳିବାକୁ ଲାଗିଲା ।

 

ସେ ଟେବୁଲ ଉପରେ ମୁଣ୍ଡରେ ହାତଦେଇ ମୁଣ୍ଡକୁ ନୁଆଁଇ ରଖିଥାଏ । କଳାକାଠ ପଡ଼ିଯାଇଥାଏ । ଦୁଃଖରେ ଭାଙ୍ଗି ପଡ଼ିଥାଏ । ମାନସିକ ଯନ୍ତ୍ରଣା ଯୋଗୁଁ ତା ଦେହସାରା ଥରିବାକୁ ଲଗିଲା । ତା’ର ଏହି ବିଷର୍ଣ୍ଣ ଚେହେରା ଦେଖିବା ଅସହ୍ୟ ବୋଧକଲି । ଝିଅହୋଇ ଜନ୍ମହେବା ପାପ ବୋଲି କହନ୍ତି । ତାହା ନିରାଟ ସତକଥା । ସେଥିରେ ପୁଣି ତାମିଲ୍‌ନାଡୁରେ ଝିଅହୋଇ ଜନ୍ମ ହେବା ମହାପାପ—ଏହି ଦୁଇମିନିଟ୍ ଭିତରେ କୋମଳମତି ଲଳିତା ମନରେ କି କଷ୍ଟ ନଦେଲି ସତେ !

 

ଦୀର୍ଘନିଃଶ୍ୱାସ ଛାଡ଼ି ମଥା ଉପରକୁ କଲା ଲଳିତା । ଛଳଛଳ ଆଖି ଦୁଇଟାକୁ ତା’ର ପୋଛିଲା । ପଚାରିଲା—“ଆସିବେ, ଯିବା ?” ମୁଁ ନୀରବ ରହି ତା’ ପଛେ ପଛେ ଚାଲିଲି । ଫାଟକ ନିକଟରେ ତାଙ୍କ କାର୍‍ କୁ ଦେଖିବାକୁ ପାଇନଥିଲି ।

 

“ଡ୍ରାଇଭର ଆସିବା ଡେରିହେବାରୁ ମୁଁ ଚାଲି ଚାଲି ଆସିଗଲି ।”

 

ପାଦରେ ଚାଲି ଚାଲି ଯିବା ବ୍ୟତୀତ ଆଉ ଅନ୍ୟ ଉପାୟ ନଥିଲା । ଉଭୟେ ପାଖାପାଖି ରାସ୍ତାରେ ଚାଲିଲୁ । ଉଭୟଙ୍କୁ ଏକା ସାଙ୍ଗରେ ଯିବାଦେଖି ଲୋକେ ଯେ କ’ଣ ଭାବିବେ–ଚିନ୍ତା କରିବା ନିମନ୍ତେ ମୁଁ ଅବକାଶ ପାଇନଥିଲି ।

 

ବାଗିଚାପାଖର ଗୋଟାଏ ବଡ଼ କୋଠରିରେ ନାରାୟଣସ୍ଵାମୀ ଶୋଇ ରହିଥିଲେ । ସ୍ଵାସ୍ଥ୍ୟ ପ୍ରାୟ ଅଧାଅଧି ଝଡ଼ି ଯାଇଥାଏ । ମୋତେ ଦେଖିବାକ୍ଷଣି ଆନନ୍ଦରେ ଗଦ୍‌ଗଦ ହୋଇ ନୀରବରେ ସ୍ଵାଗତ ଜଣେଇଲେ । ତାଙ୍କ ଆଣ୍ଠୁରେ ପଟି ଦିଆଯାଇଥିଲା ! ନିକଟସ୍ଥ ଚୌକିରେ ବସିବାପାଇଁ ହାତଠାରି କହିଲେ ।

 

“ଆଜି ହିଁ ଆପଣଙ୍କ ସ୍ଵାସ୍ଥ୍ୟ ସଂପର୍କରେ ଜାଣିବାକୁ ପାଇଲି । ମୁଁ ଆସି ନପାରିଥିବା ଯୋଗୁଁ କ୍ଷମା ମାଗୁଛି ।”

 

“ପରବାୟୁ ନାହିଁ ।” —କହି ଟିକିଏ ହସିଲେ ।

 

“ଦୁଇଦିନ ହେଲା ଅଳ୍ପ ଭଲଲାଗୁଛି । ତା’ ପୂର୍ବରୁ ଗୋଡ଼ର ଅବସ୍ଥା ସାଙ୍ଘାତିକ ଥିଲା । ଡାକ୍ତର କହୁଛନ୍ତି—ନିଶ୍ଚୟ ଭଲହୋଇଯିବ ।”

 

ମୁଁ କିଛି ନକହି ଚୁପ୍ ରହିଥାଏ ।

 

“ଆପଣଙ୍କୁ ଦେଖିବାକ୍ଷଣି ମୋର ସବୁ ଯନ୍ତ୍ରଣା କୁଆଡ଼େ ଉଭେଇଗଲା । ଭାବୁଛି ଅତିଶୀଘ୍ର ପୂର୍ବଭଳି ଚାଲବୁଲ କରିପାରିବି ।”

 

“ମୋ ଲାଗି ଆପଣଙ୍କର ଏତେ ଅସୁବିଧା ହେଲା । ଅଥଚ ମୁଁ ମୋଟେ ଜାଣିପାରିଲି ନାହିଁ ।” ଏତିକି କହିଲାବେଳେ ମୋ ଗଳା ବାଷ୍ପରୁଦ୍ଧ ହୋଇ ଆସୁଥିଲା ।

 

“ମୋ ପାଇଁ ଏହା ମୋଟେ କଷ୍ଟକର ନୁହେଁ । ଦୁଃଖକଷ୍ଟରୁ ଯେଉଁ ସୁଖଶାନ୍ତି ମିଳେ ତାହା ଅନ୍ୟ କୌଣସିଥିରେ ନାହିଁ । ଲଳିତା ମୋର ଯେଉଁ ପ୍ରକାର ସେବା ଶୁଶ୍ରୂଷା କରୁଛି ତାହା ଦେଖି ମୁଁ ଅତିଶୟ ବିସ୍ମିତ । ସତରେ, ମୁଁ ପାହାଚରୁ ଖସିପଡ଼ିବା ଦିନଠୁଁ ସେ ଖାଇବା ଶୋଇବା ପୂରାପୂରି ଭୁଲିଯାଇଛି ।”

 

ସେ ଯାହା କହିଲେ ତାହା ନିରାଟ ସତ୍ୟ ବୋଲି ଲଳିତାକୁ ଦେଖିଲେ ତା’ ଚେହେରାରୁ ଜଣାପଡ଼ୁଥାଏ । ମନେହେଲା—ଆଉ ଦୁଇଟା ଦିନ ଯଦି ସେ ଏମିତି କଟାଏ ତେବେ ଏହି ଘରେ ଅନ୍ୟ ଏକ ରୋଗୀ ନିମନ୍ତେ ବିଛଣାର ବ୍ୟବସ୍ଥା କରିବା ଅବଶ୍ୟମ୍ଭାବୀ ହୋଇପଡ଼ିବ ।

 

ନାରାୟଣସ୍ୱାମୀ ପୁଣି କହିଲେ—“ଦୁରେଇବାବୁ ! ଏହି ଯେ—ଆପଣଙ୍କ ଚକ୍ଷୁରେ ମୋ ପାଇଁ ଲୋତକ ମୁଁ ଦେଖିପାରୁଛି, ସେଥରେ ମୋର ଆନନ୍ଦ—ନୁହେଁ ?”

 

ଭାବବିହ୍ଵଳ ହୋଇ ସେ ଯାହା କହିଗଲେ ସେଥିରୁ ତାଙ୍କର ନିର୍ମଳ ହୃଦୟର ସଙ୍କେତ ପାଇ ପାରିଥିଲି । ଅନ୍ୟ ପାର୍ଶ୍ଵକୁ ମୁହଁ ବୁଲେଇ ଲୁହ ପୋଛିଲି ।

 

“ଏହି ମାସର ସବୁକାମ ଗତକାଲି ହିଁ ଶେଷହେଲା । ଏଥର ଆପଣଙ୍କ ନିକଟରେ ମୁଁ ସବୁବଳେ ରହିବି । ଲଳିତାଦେବୀ ଆପଣଙ୍କର ଯାହା ସେବା କରନ୍ତି, ସେଥିରୁ କିଛି କରିବା ପାଇଁ ମୋତେ ଯଦି ସୁଯୋଗ ମିଳେ ତେବେ ତାହା ହିଁ ମୋର ଯଥେଷ୍ଟ ହେବ ।”

 

“ଆପଣଙ୍କୁ ଯଥେଷ୍ଟ କାମ ଦେଉଛି—ବରାବର ମୋ ନିକଟରେ ବସି ଗପିବେ—ଏହାହିଁ ମୋର ମୁଖ୍ୟ ଅଭିଳାଷ ।”

 

ତା’ ପରେ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍‌ଣ ତାଙ୍କ ଘରେ ହିଁ କଟେଇଥିଲି । ଅଫିସ୍ କାମ ଯାହାକିଛି ଥାଏ, ସାରିଦେଇ ମଧ୍ୟାହ୍ନ ଭୋଜନ ପରେ ପରେ ପୁଣି ତାଙ୍କ ଘରକୁ ଚାଲିଯାଉଥାଏ । ସେଠୁ ଫେରୁ ଫେରୁ ରାତ୍ର । କୋଠରିକୁ ମୋର ଫେରିବା ପର୍ଯ୍ୟନ୍ତ ତାଙ୍କ ବିଛଣା ନିକଟରେ କିମ୍ବା ତାଙ୍କ ପୁସ୍ତକାଗାରରେ ବସି ସମୟ କଟାଉଥିଲି ।

 

ଏହି ସପ୍ତାହକ ମଧ୍ୟରେ ଲଳିତାର ତା’ ସ୍ଵାମୀଙ୍କ ପ୍ରତି ବ୍ୟବହାର, ତାର ଚାଲିଚଳନ ଦେଖି ମୁଁ ଏକବାରକେ ସ୍ତମ୍ଭୀଭୂତ । ତାଙ୍କର ସେବା ଶୁଶ୍ରୂଷା କରିବାପାଇଁ ଅନ୍ୟ କାହାକୁ ସେ ସୁଯୋଗ ଦେଉନଥାଏ । ମୁଁ ଯଦି କିଛି ଗୋଟାଏ ଛୋଟକାଟିଆ କାମ କରିବାକୁ ବାହାରେ ତେବେ ବି ସେ ତା’ର ପ୍ରତିରୋଧକରେ । ନିଜସ୍ଵାମୀ ପାଟି ଖୋଲି କିଛି କହିବା ପୂର୍ବରୁ ସେ ତାଙ୍କର ଆବଶ୍ୟକତା କ’ଣ ଠଉରେଇପାରି ତାହା କରିସାରିଥାଏ । ସେ ଚାହୁଁଥିଲା—ତା ସ୍ଵାମୀ ମୋଟେ ପରିଶ୍ରମ ନ କରନ୍ତୁ; ସର୍ବଦା ପ୍ରଫୁଲ୍ଲ ରହନ୍ତୁ । ସେଥିପାଇଁ ଯାହା ଯାହା ଦରକାର, ଆଗରୁ ସତର୍କ ହୋଇ ସବୁ ଯୋଗାଡ଼ କରିଦେଉଥାଏ । ଡାକ୍ତରଖାନାଗୁଡ଼ିକରେ ସଢ଼ୁଥିବା ରୋଗୀଙ୍କ ବିଛଣା ନିକଟରେ ଲଳିତାପରି ଜଣେ ଜଣେ ସେବିକା ଯଦି ଥାନ୍ତେ !

 

ନାରାୟଣସ୍ଵାମୀଙ୍କ ସ୍ଵାସ୍ଥ୍ୟ ପ୍ରତି ବରାବର ନଜର ରଖିବା ସଙ୍ଗେ ସଙ୍ଗେ ଆଜିକାଲି ନିଜ ପ୍ରତି ମଧ୍ୟ ଟିକିଏ ଦୃଷ୍ଟି ଦେଇ କିଛି ଭୁଲ କରିନଥିଲା ଲଳିତା । ପ୍ରତ୍ୟହ ମୁଣ୍ଡ କୁଣ୍ଡାଏ—ବେଣୀ ପକାଏ, ଫୁଲପିନ୍ଧେ । ବଗିଚାରେ ଫୁଟିଥିବା ଅଧାରୁ ଅଧିକ ଫୁଲ ତା’ ମୁଣ୍ଡରେ । ପ୍ରତ୍ୟହ ଶାଢ଼ି ବଦଳାଏ । ପ୍ରତି ଓଳି ଭିନ୍ନ ଭିନ୍ନ ରଙ୍ଗର ବ୍ଲାଉଜ୍ । ଏତେ ବଡ଼ ଘରେ ଏକୁଟିଆ ଏ ପ୍ରାନ୍ତରୁ ସେ ପ୍ରାନ୍ତ ବୁଲି ବୁଲି ହର୍ଷୋତ୍‌ଫୁଲ୍ଲ ଚିତ୍ତରେ ସେ ସବୁ କାମ କରିଯାଉଥାଏ । ତା’ ଚକ୍ଷୁ କୋଣରେ ଲାଖିରହିଥାଏ ସ୍ନେହ ଓ ମମତା । ବାରମ୍ବାର ନାରାୟଣସ୍ଵାମୀଙ୍କ ନିକଟକୁ ଆସି—କ’ଣ ଦରକାର, ପଚରା ଉଚୁରା କରେ ।

 

ୟା’ରି ଭିତରେ ସେ କିନ୍ତୁ ମୋର ଖୁବ୍ ନିକଟତର ହୋଇଆସିଲା । ଆଜିକାଲି ସେ ତା’ ମାମୁ, ମାଈଁ ଚାକରବାକର ପ୍ରଭୃତିଙ୍କୁ ମୋଟେ ଭ୍ରୂକ୍ଷେପ କରେନାହିଁ । ତା’ର ଏଭଳି ବ୍ୟବହାରରେ ଆଶ୍ଚର୍ଯ୍ୟ ନହୋଇ ମୁଁ ରହିପାରିନଥିଲି । ଏହା ବ୍ୟତୀତ, ଭାବିଷ୍ୟତରେ କିଛି ଅସୁବିଧାଜନକ ପରିସ୍ଥିତି ଉପୂଜିପାରେ ବୋଲି ମଧ୍ୟ ଆଶଙ୍କା କରିଥିଲି ।

 

ଦିନେ କହେ—‘ଖାଇବାପରେ ହିଁ ଯିବେ—ଆଜି ନଖାଇ ଯିବେନି ।’

 

ଆଉଦିନେ କହେ—ଆପଣ ବେଶିଥର କଫି ପିଅନ୍ତି ପରା.... ଆମ କଫି ଆପଣଙ୍କୁ ଭଲ ଲାଗୁନାହିଁ ନା କ’ଣ ?

 

କାନ୍ତା ଅଗରୁ ମୋ ସଂପର୍କରେ ଲଳିତାକୁ ବହୁତ କିଛି କହିଥିଲା । ଲଳିତା ମଧ୍ୟ କାନ୍ତାଠାରୁ ଜାଣିବାକୁ ଚାହିଁଥିଲା—ମୋର ରୁଚି କ’ଣ ଓ ଅରୁଚି କ’ଣ । କହିବାକୁ ଗଲେ, ନାରାୟଣସ୍ୱାମୀଙ୍କ ପରେ ମୋତେ ସେ ଘରର ଦ୍ଵିତୀୟ ରୋଗୀ ରୂପେ ଗଣନା କରି ମୋ ପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ, ଭୁଲିନଥିଲା ଲଳିତା ।

 

ମାଡ୍ରାସରୁ ସଦ୍ୟପ୍ରକାଶିତ ମୋର ଏକ ଉପନ୍ୟାସ ନାରାୟଣସ୍ୱାମୀଙ୍କ ଆଲମାରିରେ ଦେଖିବାକୁ ପାଇଲି । ପ୍ରକାଶପାଇ ଏକ ସପ୍ତାହ ମଧ୍ୟ ହୋଇନଥାଏ । ମାତ୍ର ଦୁଇଦିନତଳେ ବହି କତେଖଣ୍ଡ ମୋ ନିକଟରେ ପହଞ୍ଚିଥିଲା । ନାରାୟଣସ୍ୱାମୀ ସଂପୂର୍ଣ୍ଣ ଆରୋଗ୍ୟଲାଭ କଲାପରେ ସେଥିରୁ ଖଣ୍ଡିଏ ତାଙ୍କୁ ଉପହାର ଦେବାକୁ ମନସ୍ଥ କରିଥିଲି । କିନ୍ତୁ ଏହା ମଧ୍ୟରେ ସେ ବିଛଣାରୁ ଉଠିବା ପୂର୍ବରୁ ତାଙ୍କ ଘରକୁ କିମିତି କେଜାଣି ବହିଟି ଆସିଯାଇଛି !

 

ବହିଟିକୁ ଖୋଲି ଦେଖିଲି । ଲଳିତା ତାହା ପଢ଼ି ଚିହ୍ନ ଦେଇଥାଏ । ସେ ଯେତେ ବହି ପଢ଼େ, ସେଗୁଡ଼ିକରୁ ଯେଉଁ ଧାଡ଼ିଗୁଡ଼ିକ ତା’ର ପସନ୍ଦ ହୁଏ, ତଳେ ପେନ୍‌ସିଲରେ ଗାର ଟାଣିଦିଏ । ଏଥିରେ ମଧ୍ୟ କେତେକ ପୃଷ୍ଠାରେ ପେନ୍‌ସିଲ୍ ଟଣା ଗାର ଦେଖିବାକୁ ପାଇଥିଲି ।

 

ଅନେକ ମାସ ତଳେ ଲେଖିଥିବା ଏହି ଉପନ୍ୟାସ ବର୍ତ୍ତମାନ ପୁଣି ଥରେ ଓଲଟାଇ ପଢ଼ିଲି । କେତେଟା ବାକ୍ୟ ତଳେ ଟଣାଯାଇଥିବା ରେଖା ଅପେକ୍ଷାକୃତ ମୋଟା ଥିଲା । ମୋ ପାଇଁ ମଧ୍ୟ ସେହି ବାକ୍ୟଗୁଡ଼ିକର ଅର୍ଥ ନୂଆ ମନେହେଲା । ଲେଖିଲାବେଳେ କି ମତ ପୋଷଣକରି ଲେଖିଥିଲି କେଜାଣି ? କିନ୍ତୁ ଆଜି...

 

“ମୋ ହୃଦୟ ଥିଲା ସ୍ୱଚ୍ଛ ଶୁଭ୍ର—ଭିଣାତୂଳା ପରି ହାଲୁକା ଏବଂ ନିର୍ମଳ । ଦିନେ ମୋ ଅଜ୍ଞାତରେ ସେଥିରେ ଦେଖା ଦେଇଥିଲା ଅଣୁଆକାରରେ ଅଗ୍ନିସ୍ଫୁଲିଙ୍ଗ । ବହୁଦିନ ପର୍ଯ୍ୟନ୍ତ ମୁଁ ତାହା ମୋଟେ ଲକ୍ଷ୍ୟ କରିପାରିନଥିଲି; ତେଣୁ ତାହା ନିର୍ବାପିତ ହେବା ଉଚିତ ନଥିଲା ?...ଓଃ ! ବର୍ତ୍ତମାନ କିନ୍ତୁ ସେ ଭିଣାତୂଳାର ଅଗ୍ନିସ୍ଫୁଲିଙ୍ଗ ଅଗ୍ନିଶିଖାରେ ପରିଣତ ହୋଇ ଲେଲିହାନଜିହ୍ଵାରେ ପ୍ରଜ୍ଜ୍ୱଳିତ ହେଉଛି ‘ମୁଁ ଆଉ କରନ୍ତି କ’ଣ ?”

 

ମନେହେଲା, ମୋ ନିଜ ଲେଖା ମୋତେ ହତ୍ୟା କରିବ । ଲେଖା ସ୍ରୋତର କେଉଁ ପ୍ରସଙ୍ଗରେ, କେଉଁ ସଂକ୍ରାନ୍ତରେ ଏହା ଲେଖିଥିଲି ବର୍ତ୍ତମାନ ମୋର ଖିଆଲ ପଡ଼ୁନାହିଁ ।

 

ତେବେ ଲଳିତା । ସେ ଗୁଡ଼ିକୁ ଯେମିତି ରେଖାଙ୍କିତ କରିଛି ତାହା ଭାବିଲାବେଳକୁ ମୁଁ ଚମକିଉଠୁଛି । ସେ ଏହି ଲେଖାରୁ ପାଉଥିବା ଚିନ୍ତାଧାରାକୁ କେନ୍ଦ୍ରକରି ମୋ ଉପରେ ପ୍ରତିଶୋଧ ନେବା ନିମନ୍ତେ ଉପାୟ ପାଞ୍ଚୁନାହିଁ ତ ? ତା’ପରି ଝିଅ ଏ ଧରାରେ ଜନ୍ମନେବା ଠିକ୍ ନୁହେଁ—କେବଳ କଳ୍ପନାରାଜ୍ୟରେ ସେ ଜନ୍ମନେଇପାରିବ !

 

କବାଟ ଆର ପଟୁ ଲଳିତାର ଛାଇ ଦିଶିଲା । ସେ ଆସୁଥିଲା ବୋଧହୁଏ । ଜାଣିଶୁଣି ଉପନ୍ୟାସଟିର ଅନ୍ୟ ପୃଷ୍ଠା ଓଲଟାଇଲି ।

“ଆପଣଙ୍କ ଗଳ୍ପ ଆପଣ ନିଜେ ପଢ଼ୁଛନ୍ତି ?”

“ନା, ମୁଁ ଲେଖୁଥିବା ଅବସ୍ଥାରେ ବହିଟିର ମୁଦ୍ରଣ କିପରି ସମ୍ଭବ ହୋଇପାରିଲା ଏବଂ ଆପଣଙ୍କ ନିକଟରେ କିପରି ଆସି ପହଞ୍ଚି ପାରିଲା—ଏହା ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲି ।”

“ବାସ୍, ଏତିକି ତ ! ଆପଣ ଗଳ୍ପ ଲେଖିବାକୁ ଆରମ୍ଭ କରିବା ପୂର୍ବରୁ କେଉଁ ବିଷୟରେ ଲେଖିବାକୁ ଯା’ନ୍ତି, ତାହା ମୁଁ ଜାଣିପାରେ ।”

ସ୍ମୃତିରାଜ୍ୟରେ ସ୍ମୃତିରୂପେ ରହି ସଞ୍ଚରଣ କରୁଥିବା ଏହି ମାୟାବିନୀକୁ କ’ଣ ବୋଲି ଉତ୍ତର ଦିଅନ୍ତି ?

“ଆପଣଙ୍କ ଉପନ୍ୟାସର ସପ୍ତମ ପୃଷ୍ଠା ବାହାରକରି ଦେଖନ୍ତୁ—ସେଥିରେ ଆପଣ କ’ଣ ଲେଖିଛନ୍ତି ଜାଣନ୍ତି ?”

ସପ୍ତମ ପୃଷ୍ଠା ବାହାରକରି ପଢ଼ିଲି । ସେଥିରେ ଗଳ୍ପର ନାୟିକାଙ୍କ ପୋଷାକ ପରିଚ୍ଛଦର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଥିଲା—“ସେ ପିନ୍ଧିଥିଲା ନକ୍ଷତ୍ରମାଳିନୀ ଆକାଶୀ ବର୍ଣ୍ଣର ପାଟଶାଢ଼ି । ଧଡ଼ି ତାର ଥିଲା ପ୍ରତ୍ୟୁଷର ସଦ୍ୟ ପ୍ରସ୍ଫୁଟିତ ଗୋଲାପଫୁଲର ରଙ୍ଗ । ଘନ କୃଷ୍ଣ ବର୍ଣ୍ଣର ବ୍ଲାଉଜ୍...”

ଲଳିତା ହସିଲା । ସେ ହସିବା ପରେ ହିଁ ମୁଁ ତା ଅର୍ଥ ବୁଝିପାରିଥିଲି । ସେ ପିନ୍ଧିଥିବା ଶାଢ଼ି ପ୍ରତି ଲକ୍ଷ୍ୟକଲି—ଉପନ୍ୟାସଟିରେ ବର୍ଣ୍ଣନା କରିଥିବା ଠିକ୍ ସେହି ଗୋଲାପରଙ୍ଗର ଧଡ଼ି—ଠିକ୍ ସେହି ଘନ କୃଷ୍ଣବର୍ଣ୍ଣର ବ୍ଲାଉଜ...କି ଆଶ୍ଚର୍ଯ୍ୟ !

“ଗତକାଲି ହିଁ ଏସବୁ କିଣିଲି ।”

“ଆପଣଙ୍କୁ ସାଦା ଶାଢ଼ି ସୁନ୍ଦର ମାନେ—ମୁଁ ମଧ୍ୟ ସେଇଆ ଇଚ୍ଛାକରେ ।”

“ମିଛ କଥା ।”

“ମିଛ ଏବଂ ସତକୁ ବିଶ୍ଳେଷଣ କରିବା ଅବସ୍ଥାରେ ଆପଣ ନାହାନ୍ତି ଯେ !”

“କାହିଁକି ନାହିଁ ?” —ବୋଲି ମିଛିମିଛିକା ରାଗରେ କହିପକେଇ ଶୀଘ୍ର ବାହାରକୁ ଚାଲିଗଲା ।

ଠିକ୍ ଏତିକିବେଳେ ବାରିପଟ ଦରଜା ନିକଟରେ ନାରାୟଣସ୍ୱାମୀ ଦେଖାଗଲେ । ଗତ କାଲିଠାରୁ ଆସ୍ତେ ଆସ୍ତେ ଉଠି ଚାଲ ବୁଲ କରିପାରୁଛନ୍ତି;—ଯଦି ଆମ ଦୁହିଁଙ୍କ କଥୋପକଥନ ସେ ଶୁଣିଥା’ନ୍ତି...

ସେହି ମାସ ଶେଷ ହେଲା । ସ୍ଵାମୀନାଥ କାନ୍ତାକୁ ବାହାହୋଇ ତା’ ସହିତ ନିଜ ଗ୍ରାମକୁ ଚାଲିଗଲା । ସେଦିନର ଘଟଣା ପରେ ସେଦୁରାମ ନାରାୟଣସ୍ଵାମୀଙ୍କ ଘରେ ଆଉ ମୁହଁ ମାଡ଼ିନାହିଁ-। ସେ ବର୍ତ୍ତମାନ କେଉଁଠି–କେହି ଜାଣନ୍ତି ନାହିଁ; କିନ୍ତୁ ତା’ ଠାରୁ ମୁଁ ବରାବର ଚିଠି ପାଏ–ଚିଠି ଜରିଆରେ ମୋତେ ସେ ଉପଦେଶ ଦିଏ—ଭୟ ଦେଖାଏ—ଥଟ୍ଟା ପରିହାସ କରେ ।

ଏତିକିରେ ସେ ଚୁପ୍ ରହିନଥିଲା ଭଲ୍ଲୁର୍ ସହରରୁ ପ୍ରକାଶପାଉଥିବା ‘ପୁରୁଷ’ ନାମକ ଏକ ପତ୍ରିକାରେ ମୋ ନାମ ବାହାରିଥିଲା । ପତ୍ରିକାର ସମ୍ପାଦକ ମୋ ଚାଲିଚଳନ, ଗତିବିଧିକୁ କେନ୍ଦ୍ରକରି ମୋତେ ସମାଲୋଚନା କରିଥିଲେ । ଅତିଶୀଘ୍ର ଆଗାମୀ ସଂଖ୍ୟାରେ ମୁଁ ଯେଉଁ ଗୌରବୋଜ୍ଜ୍ୱଳ ପରିବାର ସହିତ ଜଡ଼ିତ, ସେହି ପରିବାର ସଂକ୍ରାନ୍ତରେ କାହାଣୀ ପ୍ରକାଶ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଉଲ୍ଲେଖ କରିଥିଲେ । ସେଦୁରାମ ବ୍ୟତିରେକେ ମୋତେ ଏଭଳି ଏକ ‘ସାହାଯ୍ୟ’ ଆଉ କିଏ ବା କରନ୍ତା ?

 

ତ୍ରିଚିନ୍ନାପଲ୍ଲୀ ସହରର ରାଜଦାଣ୍ତରେ ପୂର୍ବଭଳି ଆଉ ମୁଣ୍ଡଟେକି ଚାଲିପାରିଲି ନାହିଁ । ମୋତେ ଯେଉଁମାନେ ଲକ୍ଷ୍ୟକରନ୍ତି ମୋ ପଛରେ ସେମାନେ ବ୍ୟଙ୍ଗ ବିଦ୍ରୂପ କରି ହସନ୍ତି । ଜଣେ ଲେଖକ ହିସାବରେ ମୋତେ ଅନେକେ ଜାଣିଥାନ୍ତି । ପତ୍ରିକାର ସଂପାଦକ ଥିବାରୁ ଅନେକ ସାଂସ୍କୃତିକ ଉତ୍ସବରେ ମୋତେ ଭାଗନେବାକୁ ପଡ଼ୁଥିଲା । ଲୋକଙ୍କ ଦୃଷ୍ଟିକୋଣରେ ମୁଁ ଥିଲି ଖୁବ୍ ଗଣ୍ୟମାନ୍ୟ । ମାନସମ୍ମାନ ଖୁବ୍ ଥିଲା । ଅଶେଷ ବ୍ୟଗ୍ରତାର ସହିତ ମୋତେ ଯେତେବେଳେ ସେମାନେ ଚାହିଁ ରହୁଥାନ୍ତି ମୁଁ ନିଜକୁ ଗର୍ବାନ୍ୱିତ ମନେକରୁଥିଲି । ମୋର ଲେଖା ଏବଂ ତଜ୍ଜନିତ ସମ୍ମାନ ମୋତେ ଅନେକ କ୍ଷେତ୍ରରେ ଅସୀମ ଆନନ୍ଦ ପ୍ରଦାନ କରିଥିଲା । କିନ୍ତୁ ଆଜି ?

 

ବର୍ତ୍ତମାନ ମୋର ସେହି ପୂର୍ବ ଗୌରବ ତଥାପୂର୍ବ ପାହ୍ୟା ଦେଖିବାକୁ ସ୍ୱପ୍ନ । ମୋତେ ଘେରି ରହିଛି ଆକ୍ରମଣାତ୍ମକ ବାକ୍ୟବାଣ, ସମାଲୋଚନା, ଥଟ୍ଟା ପରିହାସ । ମୁଁ ସାହି ଭିତର ଦେଇ ଯିବା ନିମନ୍ତେ ଆଉ ଇଚ୍ଛା କଲିନାହିଁ । ମନେହେଲା, ସବୁବେଳେ ମୋ କୋଠରିଟାରେ ପଡ଼ିରହିଲେ ହିଁ ତଥାକଥିତ ମାନସିକ ଶାନ୍ତି ମିଳିବା ସମ୍ଭବ ହୋଇପାରେ ।

 

ମୋ କଥା ଛାଡ଼ନ୍ତୁ—ମୋ ବନ୍ଧୁ ନାରାୟଣସ୍ୱାମୀ—ମୋତେ ସେ ନିଜର ସ୍ନେହ ଦେଇ ଯେଉଁ ତଥାକଥିତ ଅପରାଧ କରି ପକେଇଥିଲେ, ମୋ ପ୍ରତି ମମତା ପ୍ରଦର୍ଶନ କରି ଯେଉଁ ତଥାକଥିତ ପାପଟିଏ କରି ବସିଥିଲେ, ସେଥି ନିମନ୍ତେ ଆଜି ସେ ସମାଜର ତଳିଆ ତଥା ସଂକୀର୍ଣ୍ଣମନାଙ୍କଦ୍ୱାରା ସମାଲୋଚିତ । ଚାରିଆଡ଼େ ତାଙ୍କର କୁତ୍ସାରଟନା । ଦିନକୁ ଦିନ ଅପବାଦର ନିଆଁ ଜଳିବାକୁ ଲାଗିଲା । କିନ୍ତୁ ସେହି ନିଆଁକୁ ଜଳେଇବାପାଇଁ ଦାୟୀ କିଏ ? ସେଦୁରାମ ? ମୁଁ ? ନା, ‘... ... ...’ ତାଙ୍କର ନାମ ଏଠି ଉଲ୍ଲେଖ କରିବାକୁ ମୋ ହାତ ଥରୁଛି ।

 

ମୋର ମଧ୍ୟ ସେଥିରେ କେତେକାଂଶ ଭାଗରହିଛି, ଏହା ମୁଁ ଭଲିଯିବାକୁ ଚେଷ୍ଟାକରିବା ଉଚିତ ହେବନାହିଁ । ଦୁର୍ଭାଗ୍ୟବଶତଃ, ପ୍ରଥମେ ପ୍ରଥମେ ମୁଁ କାହିଁକି ସେଠାକୁ ଯିବାଆସିବା କଲି ? ସେ କାହିଁକି ଉତ୍ସାହର ସହିତ ମୋତେ ସତ୍କାର କରୁଥିଲେ ? କାହିଁକି ଲଳିତା ସହିତ ପରିଚୟ କରେଇଦେଇ ତା’ ସହିତ ଅବାଧ ମିଳାମିଶା କରିବା ନିମନ୍ତେ ସୁଯୋଗ ଦେଇଥିଲେ ? ସେ ମୋ ବାନ୍ଧବୀ ତ ? ଗାଁ ଲୋକଙ୍କ ନିନ୍ଦାବାଣୀରେ କ’ଣ ଟିକିଏ ହେଲେ ସତ୍ୟତାର ସନ୍ଧାନ ମିଳିବ ନାହିଁ-?

 

ମୁଁ ଏବଂ ଲଳିତା ତା’ କୋଠରିରେ ଏକୁଟିଆ ବସିଥାଉ । ଆମ ଉଭୟଙ୍କ ମଧ୍ୟରେ ଆଗରୁ ଉଲ୍ଲେଖ କରିଥିବା ସେହି ଭଲ୍ଲୁର ସହରରୁ ପ୍ରକାଶିତ ପତ୍ରିକା ‘ପୁରୁଷ’ ପଡ଼ିରହିଥିଲା । ଲଳିତାର ଚକ୍ଷୁକୋଣରେ ଜକେଇ ଆସୁଥିଲା ଲୁହ ।

 

“ଲଳିତା, ମୁଁ ବମ୍ବେ ଯିବାପାଇଁ ଠିକ୍‍ କରିଛି ।”

 

“କି କାମରେ ଯିବେ ?”

 

“ସେମିତି କିଛି ବଡ଼ କାମ ନାହିଁ; ତେବେ ମୋର ଜଣେ ଲେଖକ ବନ୍ଧୁ ସେଠାରେ ରହନ୍ତି-। ବହୁ ଦିନରୁ ସେଠାକୁ ଯିବାକୁ ମୋତେ ନିମନ୍ତ୍ରଣ କରିଥିଲେ । ବମ୍ୱେ ଯାଇ ସେଠାରୁ ତାଙ୍କୁ ସାଥୀକରି ଉତ୍ତର–ଭାରତରେ କିଛିମାସ ପରିଭ୍ରମଣ କରିବା ମନସ୍ଥ କରିଛି ।”

 

“କେତେଦିନ ପରେ ଫେରିବେ ?”

 

“ପାଞ୍ଚ ଛଅମାସ ହୋଇଯାଇପାରେ ।”

 

ମୋତେ ସେ ବୁଝିପାରିଥିଲା । ମୁଁ କାହିଁକି ଯେ ବମ୍ବେ ଯିବା ନିମନ୍ତେ କହିଥିଲି, ତାର କାରଣ ସେ ଜାଣିପାରିଥିଲା ।

 

“ଆପଣଙ୍କୁ ଏ ପରିଶ୍ରମ କରିବାକୁ ଦେବିନାହିଁ ! ଖୁବ୍ ଶୀଘ୍ର ଆମେ ହିଁ ବମ୍ୱେ ଚାଲିଯାଉଛୁ । ସବୁଦିନ ପାଇଁ ସେଠାରେ ରହିଯିବାକୁ ଠିକ୍‌କରି ସାରିଛୁ ।”

 

“ନା ଲଳିତା, ଦରକାର ନାହିଁ । ମୋ ପାଇଁ ଆପଣମାନେ କିଛି କରିବା ଦରକାର ନାହିଁ-।”

 

“ଆପଣଙ୍କୁ ମୁଁ ଯେତିକି ଯନ୍ତ୍ରଣା ଦେଇଛି, ଯଥେଷ୍ଟ । ଆପଣଙ୍କ ସୁନାମରେ କଳଙ୍କ ବୋଳିଛି । ଆପଣ ହିଁ ଏ ଦେଶର ପ୍ରକୃତ ସନ୍ତାନ ।”

 

“ନା ଲଳିତା, ମୋର ହିଁ ଦୋଷ ହୋଇଛି; ମୁଁ ଘୃଣ୍ୟ ।”

 

“କେଉଁଟା ଦୋଷ, କେଉଁଟା ଦୋଷ ନୁହେଁ, ଆପଣ କିମ୍ଵା ମୁଁ ଠିକ୍ କରିପାରିବା ନାହିଁ । ଗୋଟାଏ କଥା କିନ୍ତୁ ମୁଁ ଅନୁରୋଧ କରୁଛି—ଦୟାକରି ବର୍ତ୍ତମାନ ଆପଣ ବମ୍ୱେ ଯା’ନ୍ତୁନାହିଁ । ବର୍ମାକୁ ଚାଲିଯିବା ପାଇଁ ଶେଷ ନିଷ୍ପତ୍ତି ଆମେ ନେଇସାରିଛୁ । ଅନ୍ତତଃ ଆମେ ଯିବା ପର୍ଯ୍ୟନ୍ତ ଆପଣ ତ୍ରିଚିନ୍ନାପଲ୍ଲୀରେ ହିଁ ରହନ୍ତୁ ।”

 

ଆମ କଥା ଶୁଣୁଥିଲେ କି କ’ଣ—ଠିକ୍ ଏତିକିବେଳେ ଭିତରକୁ ଆସିଲେ ନାରାୟଣସ୍ୱାମୀ । ହସି ହସି କହିଲେ—“ଆମର ବର୍ମା ଚାଲିଯିବା ଉଚିତ୍ ବୋଲି ଲଳିତା ନିଷ୍ପତ୍ତି କରିସାରିଛି; ତେବେ ଗୋଟାଏ ସଂଶୋଧନ ସହିତ ତା ନିଷ୍ପତ୍ତିକୁ ମୁଁ ଗ୍ରହଣ କରିଛି ।”

 

ମାନସିକ ଅଶାନ୍ତିରେ ଭାଙ୍ଗି ପଡ଼ିବା ପରିବର୍ତ୍ତେ ସେ କାହିଁକି ଯେ ଏମିତି ଟିକିଏ ପରିହାସ କରି କହିଲେ, ବୁଝିପାରିଲି ନାହିଁ । ଦୁଃଖ ଯନ୍ତ୍ରଣାର ସୀମାରେଖା ଭିତରେ ହିଁ ରହି ତାହା ଭୁଲିଯିବା ନିମନ୍ତେ ସେ କ’ଣ ଏମିତି ହସିଥିଲେ ? ନା, ତାକୁ ପ୍ରକାଶନକରି ଲୁଚେଇବା ନିମନ୍ତେ ?

 

“ବର୍ମା ସରକାରଙ୍କ ଅଧୀନରେ ମୋ ଭାଇ ଇଞ୍ଜିନିୟର ଅଛି । ଲଳିତା ସହିତ ମୋର ବାହାଘର ହୋଇଥିବା ସମ୍ବାଦ ସେ ଜାଣେନାହିଁ । ଜଣେଇବା ଉଚିତ୍ ନୁହେଁ ବୋଲି—ଆଜି ପର୍ଯ୍ୟନ୍ତ ନ ଜଣେଇ ରହିଥିଲି । ସେଠାକୁ ଚାଲିଯିବା ନିମନ୍ତେ ବାରମ୍ବାର ମୋ ନିକଟକୁ ସେ ଲେଖେ । ଉଭୟେ ଅଚାନକ ସେଠି ପହଞ୍ଚି ତାକୁ ବିସ୍ମିତ କରେଇଦେବୁ ।”

 

“ଆପଣଙ୍କ ସଂଶୋଧନ ସମ୍ପର୍କରେ କହିଲେନି ଯେ !”

 

“ବର୍ମା ଯିବାପୂର୍ବରୁ ମାଡ୍ରାସରେ ମାସଟିଏ ରହିବାକୁ ଚାହେଁ । ଏହା ହିଁ ସେହି ସଂଶୋଧନ । ସଂଶୋଧନ ଅନୁଯାୟୀ ମାଡ୍ରାସ୍‍ର ଟ୍ରିପ୍ଲିକେନ୍‌ରେ ଭଡ଼ା ଘରଟିଏ ଠିକ୍ କରିସାରିଛି । ଏହି ସପ୍ତାହ ଶେଷସୁଦ୍ଧା ଯାତ୍ରାରମ୍ଭ କରୁଛୁ ।”

 

“ସେଠାରୁ ସିଧା ବର୍ମା ଚାଲିଯିବୁ ।” —ଲଳିତା କହିଲା ।

 

“ପ୍ରକୃତରେ ଯାଇସାରିବା ପରେ ମାଡ୍ରାସ ସମୁଦ୍ରକୂଳର ସୁଲୁସୁଲିଆ ପବନ ଆଉ କ’ଣ ଉପଭୋଗ କରିହେବ ? ସେଥିପାଇଁ ତ ସମୁଦ୍ରକୂଳରେ ଘରଟି ଠିକ୍ କରିଛି ।”

 

ତା’ ପରେ ସେଠାରେ ରହିବା ନିମନ୍ତେ ମୋତେଆଉ ଭଲ ଲାଗିଲାନାହିଁ । ହଠାତ୍ ମଧ୍ୟ ଉଠିଆସିବା ନିମନ୍ତେ ବିବେକ କହୁନଥାଏ । ସେମାନଙ୍କର ଏ ପ୍ରକାର ନିଷ୍ପତ୍ତି ମୋ ଶିରେ ଶିରେ ଭେଦି କଷ୍ଟଦେବାକୁ ଲାଗିଲା । ଭୟ ଲାଗିଲା, କାଳେ ମୋର ଏହି ମାନସିକ ଦୁର୍ବଳତାକୁ ସେମାନେ ଠଉରେଇ ନେବେ ବୋଲି । ତଥାପି ମୁଖଭଙ୍ଗୀରୁ ମୋର ଅନ୍ତରକୁ ଦେଖିପାରିଥିଲେ ସେମାନେ ।

 

“ହଠାତ୍ ଏମିତି କାହିଁକି ଦେଖାଯାଉଛନ୍ତି ?” ନାରାୟଣସ୍ଵାମୀ ପଚାରିଲେ ।

 

କହିଲି—“ସେ କିଛି ନୁହେଁ; ମୁଣ୍ଡଟା ଟିକିଏ ବିନ୍ଧୁଛି ।”

 

“ସ୍ଵାସ୍ଥ୍ୟ ପ୍ରତି ବରାବର ଦୃଷ୍ଟି ଦେଉଥିବେ । ଆପଣଙ୍କର କଥା କଥାକେ ମୁଣ୍ଡବ୍ୟଥା ହଉଛି ।”

 

“କ୍ଷମା କରିବେ—ମୁଁ ଆସୁଛି ।” — କହି ସେମାନଙ୍କଠାରୁ ଉତ୍ତର ନିମନ୍ତେ ଅପେକ୍ଷା ନକରି ଶୀଘ୍ର ଉଠିଲି । ଉପର ମହଲାରୁ ସିଡ଼ିଦେଇ ତଳକୁ ଓହ୍ଲାଉଥିବା ବେଳେ ‘ଦୁରେଇବାବୁ’ ବୋଲି ସେ ଡାକିବା ଶୁଣିଲି । ମୁଁ କିନ୍ତୁ ଶୁଣି ନଶୁଣିଲା ଭଳି ଛଳନାକରି କ୍ଷୀପ୍ରଗତିରେ ବାହାରକୁ ଚାଲିଲି । ଆଉ କେବେହେଁ ଏଠାକୁ ପୁଣିଥରେ ଆସିବା କଥାନୁହେଁ । ଏହି ସପ୍ତାହକ ପାଇଁ ଯଦି ନ ଆସି ସେମାନଙ୍କୁ ନଦେଖି ରହିଯାଏ ତେବେ ଜୀବନ ତମାମ ମୋର ଏଠାକୁ ଆସିବା ପ୍ରଶ୍ନ ଉଠୁନାହିଁ । ପ୍ରଥମେ ମାଡ୍ରାସ, ତା’ ପରେ ବର୍ମା, ତା’ ପରେ ଫେରି ନଆସିପାରିବା ଅନ୍ୟ ଏକ ଜଗତ୍...

 

ମିଳନ ବୋଲି ଯଦି କିଛି ନଥାନ୍ତା ତେବେ ବିରହବେଦନାକୁ କିଏ ବା ଅନୁଭବ କରିପାରନ୍ତା ? ତା’ ହେଲେ ଲଳିତା କ’ଣ ସତରେ ଚାଲିଯିବ ?

 

ଲଳିତା ଚାଲିଯିବ—ଦିବାରାତ୍ର ଏହି ଚିନ୍ତା ମୋତେ ଅସ୍ତବ୍ୟସ୍ତ କରିବାକୁ ଲାଗିଲା । ସମୟ ମୋଟେ କଟିଲାନାହିଁ । ପ୍ରତ୍ୟେକ ଦିନ ଗୋଟାଏ ଗୋଟାଏ ଯୁଗଭଳି ମନେହେଲା । ଏତେଶୀଘ୍ର ସେମାନେ ନଯାନ୍ତୁ—ଏହା ମୋର ଆନ୍ତରିକ ଅଭିଳାଷ । ଦାରୁଣ ଯନ୍ତ୍ରଣା ଅନୁଭବ କରୁଥିବା ଜଣେ ପାପୀ, ତା’ ଶରୀରରେ ହୃତ୍‍ସ୍ପନ୍ଦନ କ୍ରିୟା ସଂଘଟିତ ହେଉଥିବା ପର୍ଯ୍ୟନ୍ତ ସେ ତାହା ଅନୁଭବ କରିପାରିବ ତ ? ପ୍ରାଣବାୟୁଟିକକ ଉଡ଼ିଗଲା ପରେ ଶରୀର ଯଦି କିଛି ଯନ୍ତ୍ରଣା ପାଏ, ତା’ ପାଇଁ ସେ ବ୍ୟସ୍ତ ହେବାର ପ୍ରଶ୍ନ ଉଠୁନାହିଁ ।

 

ସେଦିନ ଥିଲା ସେମାନଙ୍କ ମାଡ୍ରାସକୁ ଯିବା ଦିନ । ଖୁବ୍ ଶୀଘ୍ର ତାଙ୍କ ଘରକୁ ଯିବାପାଇଁ ଡ୍ରାଇଭର ହାତରେ ଚିଠି ଖଣ୍ଡିଏ ପଥେଇଥିଲେ ନାରାୟଣସ୍ଵାମୀ । ବାହାରିଲି । ବନ୍ଧୁଙ୍କ ଘରେ ସମସ୍ତେ କାର୍ଯ୍ୟବ୍ୟସ୍ତ ଜଣାପଡ଼ୁଥିଲେ । ଚାକରମାନେ ଏଣେତେଣେ ଦୌଡ଼ଦୌଡ଼ି କରି ଟ୍ରକ୍ ଉପରେ ଜିନିଷ ଲଦୁଥାନ୍ତି । ଲଳିତାର ମାଇଁ ଏପଟ ସେପଟ ବୁଲି ବୁଲି ସ୍ଵଭାବବଶତଃ ଚାକରମାନଙ୍କ ଉପରେ ଆଦେଶ ଜାରିକରୁଥାନ୍ତି । ତାଙ୍କ ସ୍ଵାମୀ ରାମେୟାଙ୍କ ମୁଖମଣ୍ଡଳରେ କିନ୍ତୁ ପ୍ରଫୁଲ୍ଲତା ନଥିଲା ।

 

ନାରାୟଣସ୍ଵାମୀ ଭିତରେ ବୋଧହୁଏ ବ୍ୟସ୍ତଥଲେ । ତାଙ୍କ ପାଇଁ ମୁଁ ବାହାର କକ୍ଷରେ ଅପେକ୍ଷା କରିଥାଏ । ଶୁନ୍ୟ ହେବାକୁ ଯାଉଥିବା ସେହି ଗୃହଟିକୁ ଦେଖିବାକ୍ଷଣି ମୋ ମନ ଭିତରେ ନାରାୟଣସ୍ଵାମୀର ସବୁ କଥା ଜାଗ୍ରତ ହେଲା । ଲଳିତାର ମାମୁମାଈଁ ସେଠି ରହିବେ । ଅନ୍ୟ କିଏ ରହନ୍ତୁ ବା ନ ରହନ୍ତୁ ଯାଏ—ଆସେ କେତେ ? —ଲଳିତା ତ ଆଉ ରହିବ ନାହିଁ !

 

କକ୍ଷର କବାଟ ଖୋଲିଲା । ଲଳିତା ଭିତରକୁ ଆସିଲା । ମୋ ସମ୍ମୁଖରେ ଥିବା ଟେବୁଲ୍ ଧରି ଚୁପ୍‍ଚାପ୍ ଠିଆରହି ମୋତେ ହିଁ ଚାହିଁରହିଲା ।

 

“ଏଇ ଚାରିଦିନ ଭିତରେ ଆପଣଙ୍କୁ ମୋଟେ ଚିହ୍ନି ହଉନାହିଁ । ଆପଣ ବହୁତ ଝଡ଼ି ଯାଇଛନ୍ତି । ଆପଣଙ୍କର କ’ଣ ହୋଇଛି ?”—ସେ ପଚାରିଲେ ।

 

“ଠିକ୍ ଏହିପ୍ରଶ୍ନ ଆପଣଙ୍କୁ ମୁଁ ପଚାରିପାରିବି ତ ?”

 

ସେ କିଛି ଉତ୍ତର ଦେଇନଥିଲା । ମୋତେ ଚାହିଁନପାରି ତଳକୁ ମଥା ପୋତିଦେଲା । ହସିବା ନିମନ୍ତେ ଚେଷ୍ଟାକଲା ।

 

ଏକମିନିଟ୍ ବିତିଗଲା ।

 

“ଆପଣ କାହିଁକି ନିଜକୁ ଏମିତି କ୍ଷୟ କରିଦେଉଛନ୍ତି—ମୁଁ ବୁଝିପାରୁନାହିଁ ।” —ପଚାରିଲା ଲଳିତା ।

 

“ବୁଝିପାରିନାହାନ୍ତି...ଭଲହୋଇଛି । ଆଉ ମାତ୍ର ଏକ ଘଣ୍ଟା ପାଇଁ ଏମିତି ଯଦି ନବୁଝି ନରହନ୍ତି, ତା’ପରେ କେବେହେଁ ବୁଝିବାର ଆବଶ୍ୟକତା ରହିବନାହିଁ । ଆପଣଙ୍କ ଯାତ୍ରାରମ୍ଭ ସମୟ ପାଖେଇଆସିଲାଣି କି ନା ?”

 

“ଯାତ୍ରାରମ୍ଭ ସମୟ...” କହି ସେ ଦୀର୍ଘଶ୍ଵାସ ଛାଡ଼ିଲା । “ବିଚ୍ଛେଦର ମୁହୂର୍ତ୍ତ ଆସି ପହଞ୍ଚିଗଲା । ଆପଣଙ୍କୁ ଶେଷଥର ପାଇଁ କହିବା ନିମନ୍ତେ ହିଁ ଆସିଥିଲି । ମୁଁ ଆସେ ।”

 

‘ଯାଇ ଆସନ୍ତୁ’ ବୋଲି କହିବା ନିମନ୍ତେ ଚେଷ୍ଟାକଲି—କିନ୍ତୁ ଗଳାରେ ହିଁ ତାହା ରୋକିଗଲା । ତାକୁ ମୋର ଏ ଅବସ୍ଥା ଜାଣିବାକୁ ନଦେବା ପାଇଁ କିଛି ନକହି ଚୁପ୍ ରହିଲି ।

 

“ମୁଁ ଯାଇ ଆସେ ।” —କହିଲା ଆଉ ଥରେ । “ସେଦିନ ରାଗିଯାଇ ମୋ କୋଠରିରେ ଯାହା ଆପଣଙ୍କୁ କହିଦେଇଥିଲି ସବୁ ଭୁଲିଯିବେ । ଆପଣଙ୍କ ମନରେ ମୁଁ ବହୁତ ଆଘାତ ଦେଇଛି । ସ୍ନେହ ଏବଂ ମମତା ଯୋଗୁ ହିଁ ମୁଁ ରାଗିଗଲି । ମୋତେ କ୍ଷମା କରନ୍ତୁ ।”

 

“ଆପଣ ହିଁ ମୋତେ କ୍ଷମା କରିବା ଉଚିତ । ଅକ୍ଷମଣୀୟ ଅପରାଧ ମୁଁ କରିଛି ।”

 

ଟିକିଏ ରହି ପଚାରିଲା—‘‘ମୋର ଗୋଟାଏ ଅନୁରୋଧ ରକ୍ଷା କରିପାରିବେ ?”

 

“କଅଣ ?”

 

“ବର୍ମା ଯିବା ପୂର୍ବରୁ ତ ମାଡ୍ରାସ୍‍ ରେ ଏକମାସ ରହିବୁ । ତା’ରି ଭିତରେ ଆପଣ ନିଶ୍ଚୟ ମାଡ୍ରାସ୍‍ ଆସିବେ । ଚିଠି ଲେଖିବା ପାଇଁ ମଧ୍ୟ ମୁଁ ତାଙ୍କୁ କହିବି ।”

 

“ନା ଦରକାର ନାହିଁ ।”

 

“ଥରୁଟିଏ ଆସନ୍ତୁ—ମାତ୍ର ଦିନକ ପାଇଁ...”

 

“ନା, ଆଉ ଆମର ମିଳନ ହିଁ ଅନାବଶ୍ୟକ ।”

 

“ଦୁରେଇବାବୁ !”

 

“... ... ...”

 

“ଆପଣଙ୍କ ସହିତ ପୁଣିଥରେ ସାକ୍ଷାତ ନକରି ମୁଁ ବର୍ମା ଯାଇପାରିବି ନାହିଁ । ଜାହାଜରେ ସମୁଦ୍ର ଅତିକ୍ରମ କରି ତ ବର୍ମା ଯିବାକୁ ହେବ । ସମୁଦ୍ର ଜଳ ଆପଣଙ୍କ ଅପେକ୍ଷା ଅଧିକା ଦୟାଶୀଳ-। ଯାହାକୁ ହେଉନା କାହିଁକି ସାକ୍ଷାତ କରିବା ନିମନ୍ତେ ସେ ମନାକରେନାହିଁ ।”

 

ଘରର ଛାତ ଭୁଷୁଡ଼ି ମୋ ମୁଣ୍ଡ ଉପରେ ପଡ଼ିଲାଭଳି ମନେହେଲା ।

 

ଅଶ୍ରୁଳ ନୟନରେ ସେ ପ୍ରଣତି ଜଣେଇଲା ।

 

“ଯାଇ ଆସନ୍ତୁ”—ବୋଲି କହିଲି ।

 

ସେ ବାହାରକୁ ଚାଲିଗଲା । ନାରାୟଣସ୍ଵାମୀ ଠିକ୍ ଏତିକିବେଳେ ଭିତରକୁ ଆସିଲେ । ସମ୍ମୁଖରେ ବସି ମୋ ଭବିଷ୍ୟତ କର୍ମପନ୍ଥା ସମ୍ପର୍କରେ କିଛି ଉପଦେଶ ଦେଲେ । ବରାବର ପତ୍ରାଳାପ କରିବା ପାଇଁ କହିଲେ । ଟିକିଏ ପରେ ଆସିଲା ଫଳ ଏବଂ କଫି । ସଦ୍‌ବ୍ୟବହାର କଲୁଁ-

 

ମୋତେ ସସ୍ନେହ ଆଲିଙ୍ଗନ କଲେ ନାରାୟଣସ୍ୱାମୀ । ବାହାରେ କାର୍ ଠିଆହୋଇଥାଏ-। ଆଗରୁ ଯାଇ ଲଳିତା କାର୍ ଭିତରେ ବସିଥିଲା । ନାରାୟଣସ୍ଵାମୀ ତା’ ପାର୍ଶ୍ଵସ୍ଥ ସିଟ୍‌ରେ ବସିବା ପରେ କାର୍ ଭିତରେ ବସିଥିଲା । ନାରାୟଣସ୍ୱାମୀ ତା’ ପାର୍ଶ୍ୱସ୍ଥ ସିଟରେ ବସିବା ପରେ କାର୍‍ ଗତିଶୀଳ ହେବାକୁ ଲାଗିଲା ।

 

କାର୍ ଚାଲିଗଲା । ରାସ୍ତାରେ ଧୂଳି ଉଡ଼େଇ ମୋ ଚକ୍ଷୁ ଏବଂ ଭାବନା ମଧ୍ୟରେ ଏକ ପରଦା ପକେଇ ଅତିଶୀଘ୍ର ଅଦୃଶ୍ୟ ହୋଇଗଲା । ମୂର୍ତ୍ତିଭଳି ମୁଁ ସେଠି ଠିଆହୋଇରହିଲି । କେତେ ସମୟ ପାଇଁ ଠିଆହୋଇଥିଲି ଜାଣେନାହିଁ । ତେବେ ମୋତେ ଦେଖି ଲଳିତାର ମାଇଁ ନାକରେ ଆଙ୍ଗୁଠି ଗେଞ୍ଜି ହସିଥିବା ମୁହୂର୍ତ୍ତ ପର୍ଯ୍ୟନ୍ତ ତଥା ସେହି ଘରର ଚାକର ବାକର ମୋତେ ଲକ୍ଷ୍ୟକରି ଥଟ୍ଟାପରିହାସ କରିଥିବା ମୁହୂର୍ତ୍ତ ପର୍ଯ୍ୟନ୍ତ ଠିଆହୋଇଥିଲି ବୋଧହୁଏ ।

 

ସେମାନେ ଚାଲିଗଲେ—ଲଳିତା ଚାଲିଗଲା । ବର୍ତ୍ତମାନ ମୁଁ ମୋ ହୃଦୟ ଖୋଲି ଦେଖେଇଦେବାକୁ ଚାହେଁ । ସେ ତ ଆଉ ଏଠାରେ ନାହିଁ । ଅତଏବ ଯେଉଁ ରହସ୍ୟ ସବୁ ଅପ୍ରକାଶ୍ୟ କରି ରଖିଥିଲି; ତାହା ଆପଣମାନଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଯାଉଛି । କେବଳ ସେ କାହିଁକି—ତାହା ମୁଁ ମଧ୍ୟ ନ ଜାଣିପାରିଥିବା ସତ୍ୟ ଅଟେ । ଆଜି ସୁଦ୍ଧା ସମସ୍ତଙ୍କଠାରେ ଗୋପନ ରଖିଥିଲି । ବର୍ତ୍ତମାନ ତାହା ପ୍ରକାଶ ନକରି ରହିପାରୁନାହିଁ । ହୃଦୟ ଭିତରେ ଭାବନାର ଜ୍ଵାଳାଜନିତ ଏଇ ଅସହ୍ୟ ବିସ୍ଫୋରଣ ଘଟିଯିବା ଭଳି ମନେହେଉଛି । ସୁତରାଂ ବିସ୍ଫୋରଣ ପୂର୍ବରୁ ହିଁ ଆପଣମାନଙ୍କ ହୃହୟକୁ ମୋର ଖୋଲି ଦେଖାଉଅଛି ।

 

ମୁଁ ତାକୁ ଭଲପାଇଥିଲି... ତା’ର ସୋନ୍ଦର୍ଯ୍ୟ ପାଇଁ ନୁହେଁ । ତା’ ଅପେକ୍ଷା ଅନେକ ସୁନ୍ଦରୀ ଝିଅଙ୍କୁ ମୁଁ ପାଇପାରନ୍ତି । ତା’ ଶିକ୍ଷାପାଇଁ ନୁହେଁ... ପାଠୋଇ ଝିଅଙ୍କୁ ମୁଁ ପସନ୍ଦ କରେନାହିଁ-। ତା’ ଧନସମ୍ପତ୍ତି ପାଇଁ ନୁହେଁ, ଧନସମ୍ପତ୍ତି ଝିଅଙ୍କ ଜରିଆରେ ପାଇବା ନିମନ୍ତେ ଆଶା ପୋଷଣ କରିଥିବା କାପୁରୁଷ ମୁଁ ନୁହେଁ ।

 

ମୁଁ ତାକୁ ଭଲପାଇଥିଲି—ମମତାଭରା ତା’ର ହୃଦୟ ପାଇଁ, ତା’ହୃଦୟରେ ମୁଁ ଦେଖିଥିବା ଶୋକ-ପରିପକ୍ଵ–ସୌନ୍ଦର୍ଯ୍ୟ ପାଇଁ, ତା’ ହୃଦୟରେ ସେ ଠୁଳକରି ରଖିଥିବା କଳାତ୍ମକ ସ୍ୱାଦୁ ଯାହା ଚାଖିଲେ ଜାତ ହୁଏ ଅକ୍ଷୟ ସ୍ପୃହା, ସେହି ସ୍ଵାଦୁ ପାଇଁ ତା ଆଖି ଦୁଇଟିର ଦୁଃଖମିଶ୍ରିତ ବ୍ୟାକୁଳତା ଥିଲା ମୋ କଳ୍ପନାର ଉତ୍ସ । ଭୂପୃଷ୍ଠରେ, ଆକାଶର ମନ୍ଦ ମଳୟରେ, କିମ୍ୱା ସମୁଦ୍ରର ଅସୀମତାରେ ଦେଖିପାରିନଥିବା ସ୍ଵପ୍ନ ସମୂହକୁ ମୁଁ ଦେଖିବାକୁ ପାଇଥିଲି ତା’ର ସେହି ଆଖି ଦୁଇଟିରେ । କିପରି ବଞ୍ଚିରହିବାକୁ ହେବ ହୃଦୟଙ୍ଗମକରି, ବଞ୍ଚିବା ପାଇଁ ଯଥେଷ୍ଟ ଆଶା ଉତ୍ସାହ ପୋଷଣକରି ଅଥଚ ବଞ୍ଚିନପାରି ସେ ଯେଉଁ ଶାନ୍ତିପୂର୍ଣ୍ଣ ସଙ୍ଘର୍ଷ ଚଳେଇଥାଏ, ତାହାହିଁ ମୋ ହୃଦୟର ସମସ୍ତ ସ୍ନେହ–ମମତାକୁ ଟାଣିନେଇଥିଲା ।

 

ସେ ଥିଲା ମୋ ବନ୍ଧୁ ପତ୍ନୀ । ପତ୍ନୀ କହିଲେ ସେମାନଙ୍କ ସ୍ଥାନ ଯେ କେତେ ଉଚ୍ଚରେ ଏବଂ ସେମାନଙ୍କୁ କି ପ୍ରକାର ମାନସମ୍ମାନ ଦେବା ଉଚିତ, ତାହା ମୁଁ ଜାଣେ । ବନ୍ଧୁ ନାରାୟଣସ୍ଵାମୀଙ୍କ ସମ୍ପର୍କରେ ବେଶିକିଛି ଜାଣିଥିଲି । ଜଣେ ସାଧାରଣ ମଣିଷରୂପେ ମୋର ଅନେକ ଭୁଲ୍‍ଭଟକା ରହିଥାଇପାରେ । କିନ୍ତୁ ଗୋଟାଏ କଥା କହିରଖୁଛି: ଅନ୍ୟର କ୍ଷତିକରିବା ମନୋଭାବ ମୋର ନାହିଁ । ଏପରିକି ଯେଉଁମାନେ ମୋର ଶତ୍ରୁ ସେମାନଙ୍କର ମଧ୍ୟ ଅନିଷ୍ଟ କରିବା ନିମନ୍ତେ କେବେହେଁ ଚିନ୍ତା କରିନାହିଁ । ତେବେ କ’ଣ ନାରାୟଣସ୍ଵାମୀଙ୍କ ଜୀବନକୁ ମୁଁ ନଷ୍ଟ କରିଦେଇପାରନ୍ତି ? ଏହା କଳ୍ପନା କରିବା ହିଁ ଅସହ୍ୟ ବୋଧହେଉଛି ।

 

ମୋତେ ଆପଣମାନେ ବୁଝିପାରୁଛନ୍ତି ତ ? ମୁଁ ଆପଣମାନଙ୍କର କରୁଣାର ପାତ୍ର ହେବାକୁ ଚାହେଁ ନାହିଁ । କିନ୍ତୁ ଜଣେ ବ୍ୟକ୍ତିର କାର୍ଯ୍ୟକଳାପ ଦୋଷଯୁକ୍ତ ବୋଲି ନିଷ୍ପତ୍ତି ନେବା ପୂର୍ବରୁ ଅନେକଥର ଚିନ୍ତାକରି ଦେଖନ୍ତୁ । ଆପଣ ନିଜେ କିମ୍ବା ଆପଣଙ୍କର ଅନ୍ୟ କେହି ବନ୍ଧୁ ଯଦି ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହୋଇଥାଆନ୍ତେ, ତେବେ କ’ଣ କରନ୍ତେ ଟିକିଏ ଭାବି ଦେଖନ୍ତୁ ? ଅରଣ୍ୟରେ ତପସ୍ୟା କରିବାରେ ମୋର ବିଶ୍ଵାସ ନାହିଁ । ବହୁକାଳ ତପସ୍ୟା କରିବା ସତ୍ତ୍ୱେ ମୁହୂର୍ତ୍ତକ ମଧ୍ୟରେ ବିଶ୍ଵାମିତ୍ରଙ୍କ ତପସ୍ୟା କିପରି ବ୍ୟର୍ଥ ହୋଇଥିଲା ତାହା ମୁଁ ଜାଣେ । ସ୍ମୃତିକୁ ଜଳାଞ୍ଜଳି ଦେବା ମୋ ଲକ୍ଷଣ ନୁହେଁ । ସ୍ମୃତି ହିଁ ଜୀବନ । କଳ୍ପନା ହିଁ ମୋର କର୍ମ । ବର୍ତ୍ତମାନ ସେ ଏଠାରେ ଆଉ ରହୁନଥିବା ଯୋଗୁଁ, ମୋ’ଠାରୁ ସବୁଦିନ ପାଇଁ ବିଚ୍ଛିନ୍ନ ହୋଇଯିବା ଯୋଗୁଁ, ତଥା ଭବିଷ୍ୟତରେ ତା’ ସହିତ ମୋର ସାକ୍ଷାତର ପ୍ରଶ୍ନ କେବେହେଁ ନ ଉଠୁଥିବା ଯୋଗୁଁ ମୁଁ ଆପଣମାନଙ୍କ ଠାରେ ଏହା କହିପାରୁଛି—ମୁଁ ତାକୁ ଭଲପାଇଥିଲି । କୌଣସି ଝିଅକୁ ଭଲପାଇବା ଉଚିତ ନୁହେଁ ବୋଲି ଆମର ଚତୁର୍ଦ୍ଦିଗରେ ଘେରି ରହିଥିବା ଏହି ଦୁନିଆ, ଶାସ୍ତ୍ରୀୟ ଉପଦେଶାବଳୀ ତଥା ନାଗରିକତାବୋଧ ଉପରେ ଭିତ୍ତିକରି ବାଧାବିଘ୍ନର ଏକ ସୁଦୃଢ଼ ପାଚେରି ସୃଷ୍ଟି କରିଛି ସତ, ତଥାପି ମୁଁ ତାକୁ ଭଲପାଇଥିଲି—ଖୁବ୍‌ ଭଲପାଇଥିଲି ।

 

ଦୁଇଦିନ ବିତିଲା ।

 

ଅପେକ୍ଷାକୃତ ଅଧିକ ବେଗରେ ଉପନ୍ୟାସ ଲେଖା ବଢ଼ିଚାଲିଥାଏ । ଏହାର ଲେଖା ଯଦି ଆରମ୍ଭ କରିନଥାନ୍ତି ତେବେ ବର୍ତ୍ତମାନ ମୁଁ କେଉଁ ଅବସ୍ଥାରେ ଯେ ଥାଆନ୍ତି ଭାବି ପାରୁନାହିଁ । ଦୁଃଖ, ଯନ୍ତ୍ରଣା, ଲୁହ ସବୁକୁ ଭୁଲିଯାଏ ମୁଁ କେବଳ ଏହି ଉପନ୍ୟାସ ଲେଖାରେ ନିଜକୁ ନିୟୋଜିତ କରି ଲେଖିବା ସମୟରେ ମୋ ମନରେ ଅନ୍ୟ କୌଣସି ଚିନ୍ତା ସ୍ଥାନ ପାଏନାହିଁ । ସେ ଦିନର ସେହି ସନ୍ଧ୍ୟା ରାତ୍ରି ଆସନ୍ନ ପ୍ରାୟ—ସମୁଦ୍ରକୂଳରେ ମୁଁ ଏବଂ ଲଳିତା ବସି ପରସ୍ପରକୁ ଚାହିଁରହି ଏହି ଦୁନିଆକୁ ପୂରା ଭୁଲିଯାଇଥିଲୁ । ବାସ୍ତବିକ ସେହି ପରିସ୍ଥିତି ଏବଂ ପରିବେଷ୍ଟନୀ ମୋତେ ଏହି ଉପନ୍ୟାସ ଲେଖିବା ନିମନ୍ତେ ଅକୁଣ୍ଠପ୍ରେରଣା ଯୋଗାଇଛି ।

 

ଜାନକୀରାମ ଗାଲରେ ହାତଦେଇ କୋଠରି ବାହାରେ ବସିଥିଲା । ଏତେ କମ୍‌ ବୟସରୁ ତା’ଭଳି ଜଣେ ସାଧୁ ସଚ୍ଚୋଟ ଏବଂ କର୍ମନିଷ୍ଠ ବାଳକକୁ ଅଫିସ ପିଅନ ରୂପେ ପାଇଥିଲି-। ଏହା ମୋର ସୌଭାଗ୍ୟ, ମୋତେ କେତେବେଳେ କି ପ୍ରକାର ସାହାଯ୍ୟ ଦରକାର ତାହା ସେ ଭଲଭାବେ ଜାଣିଥାଏ । ମୋ ନିଜ ବ୍ୟକ୍ତିଗତ ବିଷୟ ନେଇ ମୁଁ କେବେହେଁ ଦୃଷ୍ଟି ଦିଏନାହିଁ ବୋଲି ଜାଣିସାରିବା ପରେ ଏହି ଦାୟିତ୍ଵଟି ସମ୍ପୂର୍ଣ୍ଣଭାବେ ସେ ହିଁ ମୁଣ୍ଡେଇ ନେଇଥିଲା ।

 

ଘଡ଼ି ଦେଖିଲି, ନଅଟା ବାଜିସାରିଥାଏ । ଦଶଟାରେ ଅଫିସ । ଲେଖୁଥିବା ଉପନ୍ୟାସର ଏକ ଅଧ୍ୟାୟ ସାରିଦେଇ ସେଦିନର ଖବରକାଗଜ ଓଲଟାଇଲି ।

 

“ସାର୍‌ ଆସୁଛନ୍ତି ।” —ଜାନକୀରାମ କହିଲା ।

 

“ଡାକିଆଣେ ।” କହି ନିଜେ ତାଙ୍କୁ ପାଛୋଟି ଆଣିବାକୁ ଉଠିଲି ।

 

ପ୍ରେସ ମାଲିକ ରାମଲିଙ୍ଗମ୍‌ବାବୁ ନୀରବରେ ଭିତରକୁ ପ୍ରବେଶକଲେ । ତାଙ୍କ ମୁଖମଣ୍ଡଳ କିମିତିକା ଦେଖାଯାଉଥାଏ । ଗଭୀର ଚିନ୍ତାମଗ୍ନ ଥିଲାଭଳି ମନେହେଲା । ମୋ ପ୍ରତି ଦୃଷ୍ଟି ନିକ୍ଷେପ ନକରି ସିଧାସଳଖ ଯାଇ ଚୌକିରେ ବସିଲେ । ମୁଣ୍ଡକୁ ତଳକୁ କରି କହିଲେ–“ଆପଣଙ୍କ ସହିତ କିଛି ବିଷୟ ନେଇ ବ୍ୟକ୍ତିଗତଭାବେ କଥାବାର୍ତ୍ତା କରିବାକୁ ଚାହେଁ ।”

 

ଜାନକୀରାମ ବାହାରକୁ ଚାଲିଗଲା । ମୁଁ ତାଙ୍କ ସମ୍ମୁଖରେ ବସିଲି । ହାତରେ ତାଙ୍କର ଥିଲା ପତ୍ରିକା ଏବଂ କେତେଟା ଚିଠି । ସେଗୁଡ଼ିକୁ ଲକ୍ଷ୍ୟକଲି । କିମିତି କେଜାଣି ସେ ଆସିଥିବା ଉଦ୍ଦେଶ୍ୟକୁ ଠଉରେଇପାରିଥିଲି ।

 

“ଏସବୁ ଟିକିଏ ପଢ଼ି ଦେଖନ୍ତୁ...” କହି ମୋତେ ବଢ଼େଇଦେଲେ ସେଗୁଡ଼ିକୁ । ଖୋଲି ଦେଖିଲି । ସେଦୁରାମର ହସ୍ତାକ୍ଷର ତାହା । ବିଭିନ୍ନ ଶୈଳୀରେ ଲେଖାହୋଇଥିଲା । ଚିଠି ଶେଷରେ ଅନ୍ୟମାନଙ୍କ ନାମ ଉଲ୍ଲେଖ ଥିଲା । ତା’ ବ୍ୟତୀତ ତାମିଲନାଡ଼ୁର ନିକଟ ଅତୀତରେ ଆତ୍ମପ୍ରକାଶ କରିଥିବା ‘ସତ୍ୟଘଟଣା’ ନାମକ ପତ୍ରିକାରୁ ଦୁଇଖଣ୍ଡ ଏବଂ ମୋତେ ଚୁମ୍ବକରେ ସମାଲୋଚନା କରିଥିବା ‘ପୁରୁଷ’ ପତ୍ରିକା ଉପରେ ଆଖି ବୁଲେଇ ତାଙ୍କୁ ଫେରେଇଦେଲି ।

 

ସେ ଆରମ୍ଭ କଲେ—“ଯେଉଁମାନେ ଚରିତ୍ରହୀନ, ସେମାନେ ଏ ଦେଶମାଟିରେ ଉପଦେଶ ଦେଇ କେବେ ଉନ୍ନତି କରିପାରିବେ ନାହିଁ । ଯେଉଁମାନେ ଅଭଦ୍ର, ସେମାନେ ଜ୍ଞାନୀରୂପେ ପରିଗଣିତ ହୋଇପାରିବେ ନାହିଁ । ମଣିଷର ଦକ୍ଷତା ଏବଂ ଗୁଣାବଳୀକୁ ସ୍ଵତନ୍ତ୍ର ଭାବେ ପର୍ଯ୍ୟବେକ୍ଷଣ କରିବା ହେଉଛି ପାଶ୍ଚାତ୍ୟ ସଭ୍ୟତା, ପାଶ୍ଚାତ୍ୟ ଢଙ୍ଗ । ତାମିଲନାଡ଼ୁର ନରନାରୀ ସେମିତି ନୁହନ୍ତି । ସାଧାରଣ ଜୀବନଯାପନ ପ୍ରଣାଳୀ ସଙ୍ଗେ ସଙ୍ଗେ ଯିଏ ନିଜର ବ୍ୟକ୍ତିଗତ ଜୀବନଯାପନ ପ୍ରଣାଳୀକୁ ଉଚ୍ଚସ୍ତରୀୟ କରିପାରିଛି, ତାକୁ ହିଁ ଉଚିତ ସମ୍ମାନ ଦିଆଯାଏ ।”

 

“ଠିକ୍ କଥା”—ବୋଲି ଧୀରସ୍ତିର ଭାବେ କହିଲି ।

 

ମୁଁ ବର୍ତ୍ତମାନ ଆପଣଙ୍କ ପ୍ରସଙ୍ଗରେ ହିଁ କହୁଛି । ଆପଣ ଗୋଟାଏ ନାଁ-ଡାକ ଥିବା ପତ୍ରିକାର ସମ୍ପାଦକ । ହଜାର ହଜାର ପାଠକ ଆପଣଙ୍କ ଗଳ୍ପ ପଢ଼ି ଉପଭୋଗ କରନ୍ତି । ମଣିଷ ହିସାବରେ ସେମାନେ ଆପଣଙ୍କୁ ସମ୍ମାନ ଦେବା ଉଚିତ ନୁହେଁ କି ?

 

ମୁଁ ପାଟି ନ ଖୋଲି ସେମିତି ବସିଥାଏ ।

 

“କଣ କହୁଛନ୍ତି ?” —ପୁଣି ପଚାରିଲେ ।

 

“ମୋର କିଛି କହିବାର ନାହିଁ, ଆପଣ ହିଁ କୁହନ୍ତୁ ।”

 

“କିଛି ନାହିଁ ? ବୟସରେ ଛୋଟ ହେଲେ ବି ଦାୟିତ୍ଵସମ୍ପନ୍ନ ଲୋକ ବୋଲି ଭାବିଥିଲି ।”

 

“ମୋର ବର୍ତ୍ତମାନ କ’ଣ କରିବା ଦରକାର, କୁହନ୍ତୁ ।”

 

“ଆପଣଙ୍କର ଭବିଷ୍ୟତ କଲ୍ୟାଣ ଦୃଷ୍ଟିରୁ ଓ ମୋ ଅନୁଷ୍ଠାନର ମାନସମ୍ମାନର ଦୃଷ୍ଟିରୁ ସେହି ପରିବାର ସହିତ ଆପଣ ସମ୍ପର୍କ ଛିନ୍ନ କରିବା ଦରକାର ।”

 

ମୁଁ ରାଗରେ ଜର୍ଜ୍ଜରିତ ହେଲି । ନାରାୟଣସ୍ଵାମୀଙ୍କ ପରିବାର ଏ ସହର ଛାଡ଼ି ଚାଲିଯିବା ସେ ଜାଣିନଥାନ୍ତି । ମୁଁ ମଧ୍ୟ ତାଙ୍କୁ ଏହା ଜଣେଇନଥିଲି ।

 

“ଯଦି ଚ୍ଛିନ୍ନ ନ କରେ ?” —ପଚାରିଲି ।

 

“ବିଚାର କରନ୍ତୁ ! ଉତ୍ତେଜିତ ହୋଇ କହିଦେବାରେ ପ୍ରୟୋଜନ କ’ଣ ? ଯେଉଁମାନେ ଉତ୍ତେଜିତ ହୁଅନ୍ତି, ସେମାନଙ୍କ ଜୀବନ କେବଳ କ୍ଷଣକପାଇଁ ।”

 

“ମୁଁ କୌଣସି ଭୁଲ କରିନାହିଁ, ଆପଣ ବିଶ୍ୱାସ କରୁଛନ୍ତି ତ ?”

 

ମୋର ବିଶ୍ୱାସ କରିବା ନ କରିବା ଅଲଗା, ଏ ଦୁନିଆଁ ତ ବିଶ୍ୱାସ କରିବା ଦରକାର !”

 

“ଦୁନିଆ ପାଇଁ ମୁଁ ବ୍ୟସ୍ତ ନୁହେଁ ।”

 

“ମୁଁ କିନ୍ତୁ ବ୍ୟସ୍ତ; କାରଣ ପଇସା ଦେଇ ଦୁନିଆ ମୋ ପତ୍ରିକା କିଣେ । ମୁଁ ହେଉଛି ପତ୍ରିକାର ମାଲିକ ।”

 

“ତେବେ ?”

 

“ପତ୍ରିକା—କିମ୍ବା ଆପଣଙ୍କ ପ୍ରେମିକା ।”

 

‘ମୋ ପ୍ରେମିକା’ ବୋଲି ସେ ଯେଉଁ ଢଙ୍ଗରେ ଉଚ୍ଚାରଣ କରିଥିଲେ, ସେଥିରେ ମୁଁ ବିସ୍ମିତ ହୋଇପଡ଼ିଲି । ଶାନ୍ତଶିଷ୍ଟ ସ୍ଵରରେ ମୁଁ ମଧ୍ୟ କହିନଥିଲି ।

 

“ଆପଣଙ୍କ ପତ୍ରିକାର ଦାୟିତ୍ଵ ମୋ’ଠାରୁ ଫେରେଇ ନେଇପାରନ୍ତି ।”

 

ବସିଥିବା ଚୌକିଟିକୁ ଗୋଟିଏ କରକୁ ଠେଲିଦେଇ ଉଠିଲେ ସେ । କହିଲେ—

 

“ହଠାତ୍ ଏପରି କହିପକେଇଲେ ଯେ ! ଧୀରସ୍ଥିରଭାବେ ଭାବିଚିନ୍ତି ଏକ ସପ୍ତାହ ମଧ୍ୟରେ କୁହନ୍ତୁ ।”

 

“ସେତେବେଳେ ମଧ୍ୟ ଏଇଆ ହିଁ କହିବି ।”

 

“ଦୁରେଇବାବୁ ! ମୁଁ ଆପଣଙ୍କୁ ଜଣେ ଭଲପିଲା ବୋଲି ଭାବିଥିଲି ।”

 

“ଚରିତ୍ରହୀନ, ଅଭଦ୍ର ଯିଏ ସେ ଭଲ କୁଆଡ଼େ ହୋଇପାରିବ ?”

 

ପ୍ରଥମେ ପରୋକ୍ଷରେ ମୋତେ ଯାହା ସେ କହିଥିଲେ ମୁଁ ତାକୁ ଓଲଟାଇ କହିପକେଇଲି । ସେ ଅସ୍ତବ୍ୟସ୍ତ ହୋଇଗଲେ । ତାଙ୍କର ସମସ୍ତ ଶରୀର ଥରିବାକୁ ଲାଗିଲା ।

 

ଆଛା, ଠିକ୍ ଅଛି.....ଆଜି ହିଁ ହିସାବକିତାବ ଠିକ୍‌ଠାକ୍ କରିଦିଅନ୍ତୁ ।” — ରାମଲିଙ୍ଗମବାବୁ କହିଦେଇ ବାହାରକୁ ଚାଲିଗଲେ ।

 

ରାମଲିଙ୍ଗମ୍‌ବାବୁଙ୍କ ଭଳି ଜଣେ ଅଭିଜ୍ଞ ଲୋକ ଯଦି ଚତୁରତାର ସହିତ କଥା କହି ଜାଣନ୍ତି—ତେବେ ଏହା କିଛି ବଡ଼କଥା ନୁହେଁ । ଆଜିକାଲି ତ ପାଠ ପଢ଼ିବାକୁ ଆରମ୍ଭ କରିଥିବା ପିଲାଏ ମଧ୍ୟ ବିଜ୍ଞଲୋକଙ୍କ ଉକ୍ତିଗୁଡ଼ିକୁ ଅବିକଳ ଆବୃତ୍ତି କରିପାରୁଛନ୍ତି । ଆଗରୁ ମୋତେ ଭୟ ଦେଖାଇ ଏ ଦୁନିଆ ସମ୍ପର୍କରେ କହିଥିବା ନାରାୟଣସ୍ଵାମୀଙ୍କ ଉକ୍ତି ମୋର ମନେପଡ଼ିଗଲା–“ଜୀବନ ଧରି ବଞ୍ଚିରହିବା ଯିଏ ଜାଣେନାହିଁ, ତା’ ପାଇଁ ଏ ଦୁନିଆ କରିଥାଏ କୁମ୍ଭୀରକ୍ରନ୍ଦନ; କିନ୍ତୁ ଜୀବନ ଧରି ବଞ୍ଚିରହିବାରେ ଯା’ର ଅକୁଣ୍ଠସ୍ପୃହା, ତା’ ରାସ୍ତାରେ ଦୁନିଆ ପ୍ରତିବନ୍ଧକ ହୋଇ ଠିଆହୁଏ-।”

 

ସେ ଆଣିଥିବା ପତ୍ରିକା ଏବଂ ଚିଠିଗୁଡ଼ିକ ଟେବୁଲ୍‍ ଉପରେ ମୋ ସମ୍ମୁଖରେ ପଡ଼ିରହିଥିଲା । ସେଗୁଡ଼ାକୁ କ’ଣ ପତ୍ରିକା କୁହାଯିବା ଉଚିତ୍ ? ତାମିଲ୍ ଭାଷୀଙ୍କ ମାନସମ୍ମାନ ଯେ ଏମିତି ହିଁ ବିପନ୍ନ ହେଉଛି—ଏହା କେହି ବି ଚିନ୍ତା କରୁନାହାନ୍ତି । ପାଞ୍ଚ ବର୍ଷ ତଳେ ଜଣେ ତାମିଲ୍‌ନାଡ଼ୁ ଛାଡ଼ି ବାହାରକୁ ଚାଲିଯାଇ ପୁଣି ଆଜି ଫେରିଆସି, ଯେକୌଣସି ସହରର ଗୋଟାଏ ସାହିରେ ଥିବା କେବିନ୍ ଦୋକାନ ସମ୍ମୁଖରେ ଠିଆହେଲେ ଯଥେଷ୍ଟ । ପ୍ରକାଶ ପାଇ ଦୋକାନରେ ଝୁଲୁଥିବା ବହିଗୁଡ଼ିକର ବାହ୍ୟ ଚେହେରାରୁ ସେ ଜାଣିପାରିବ ଯେ ତାମିଲ୍‌ନାଡ଼ୁରେ ଅଶ୍ଳୀଳ ଲେଖା କିପରି ଖୁବ୍‍ ଜୋରସୋରରେ ଆଗେଇଚାଲିଛି ।

 

ଦିନ ବାରଟାରେ ଅଫିସ୍ ମ୍ୟାନେଜର ମୋ ଟେବୁଲ୍‍ ଉପରେ ଦରମା ଥୋଇ ହିସାବପତ୍ର ଦେଖେଇଲେ । ସହସମ୍ପାଦକ ଶଙ୍କରବାବୁଙ୍କୁ ଡକେଇ ଅସଂପୂର୍ଣ୍ଣ ରହିଥିବା ଅଫିସ କାମଗୁଡ଼ିକର ଏକ ବିବରଣୀ ଦେଲି । ସେଦିନ ରାତ୍ରିଗାଡ଼ିରେ ହିଁ ବମ୍ବେ ଚାଲିଯିବି ବୋଲି ମଧ୍ୟ କହିଲି । ପ୍ରେସ୍‌କର୍ମଚାରୀମାନେ ସେଦିନ କୌଣସି କାମରେ ମନ ଦେଇପାରିନଥିଲେ । ବାରମ୍ବାର ମୋ ନିକଟକୁ ଆସି ମୋତେ ଦେଖାସାକ୍ଷାତ କରିଯାଉଥାନ୍ତି । ଦୁଇ ତିନି ଜଣ ଲେଖାଏଁ ଦଳ ଦଳ ହୋଇ କଥାବାର୍ତ୍ତା କରୁଥାନ୍ତି । ପରିଶେଷରେ ସେଦିନ ସନ୍ଧ୍ୟାରେ ଆୟୋଜିତ ବିଦାୟକାଳୀନ ଶୋକପୂର୍ଣ୍ଣ ଭୋଜିସଭା ସାଙ୍ଗରେ ପ୍ରେସ୍ ସହିତ ମୋର ସମ୍ପର୍କ ସୁମଧୁରଭାବେ ଛିନ୍ନହେଲା ।

 

କୋଠରିରେ ମୁଁ ଏବଂ ଜାନକୀରାମ ହିଁ ଥିଲୁ । ସେ ମୋ ବିଛଣାପତ୍ର ବନ୍ଧାବନ୍ଧି କରୁଥିଲା । କୋଠରି ଭିତରେ ଥିବା ମୋର ସମସ୍ତ ଜିନିଷ ବାକ୍‌ସ ଭିତରେ ରଖାସରିଥାଏ । ମୁଁ ବାହାରିବା ପାଇଁ ପ୍ରସ୍ତୁତହେଲି ।

 

ଚାକିରି ଛାଡ଼ି ଚାଲିଯିବା ଅପେକ୍ଷା ତା’ ମାଧ୍ୟମରେ ଯେଉଁମାନଙ୍କ ସଂସ୍ପର୍ଶରେ ମୁଁ ଆସିଥିଲି, ସେମାନଙ୍କୁ ଛାଡ଼ିଯିବା ହେତୁ ବହୁତ କଷ୍ଟ ଅନୁଭବ କଲି । ସହସମ୍ପାଦକ ଶଙ୍କର ବାବୁଙ୍କର ମୋ ପ୍ରତି ଥିବା ସ୍ନେହ ଶ୍ରଦ୍ଧା ଏବଂ ଜାନକୀରାମ ମୋ ପାଇଁ କରିଥିବା ସେବା କଦାପି ଭୁଲିପାରିବି ନାହିଁ । ମୁଁ ଚାକିରି ଛାଡ଼ି ଚାଲିଯାଉଥିବା ସମ୍ବାଦ ପାଇବା ପରମୁହୂର୍ତ୍ତରୁ ଜାନକୀରାମର ମୁହଁରୁ ସରସତା ମରିଯାଇଥାଏ । ବାରମ୍ବାର ମୋତେ ଚାହିଁ ଦୀର୍ଘନିଃଶ୍ଵାସ ଛାଡ଼ୁଥାଏ ସେ । ଯନ୍ତ୍ରଭଳି ଉଦାସୀନ ଭାବେ କାମ କିନ୍ତୁ କରିଚାଲିଥାଏ । ତା’ ପାଇଁ ମୁଁ କିଣିଆଣିଥିବା ନୂଆ ପୋଷାକ ଗ୍ରହଣ କରିବାକୁ ସେ ମୋଟେ ରାଜିନଥିଲା । ମୁଁ ବାଧ୍ୟକରିବା ପରେ ଅନିଚ୍ଛାସତ୍ତ୍ଵେ ନେବାକୁ ରାଜିହୋଇଥିଲା ।

 

ଏହା ପୂର୍ବରୁ ହିଁ ମୁଁ ବମ୍ୱେ ଯିବା ନିମନ୍ତେ ଇଚ୍ଛା କରିଥିଲି । ସେହି ବନ୍ଧୁଙ୍କ ସହିତ ସାକ୍ଷାତ କରିବାର ଏ ସୁଯୋଗଟିକୁ ହରେଇବସିଲେ ଭବିଷ୍ୟତରେ ଆଉ ମିଳିନପାରେ । ସେଠାକୁ ଯାଇ ତାଙ୍କ ସହିତ ଶାନ୍ତିରେ କିଛି ସପ୍ତାହ କଟେଇବା ଇଚ୍ଛାକଲି । ସେଠାରେ ତାଙ୍କ ବ୍ୟତୀତ ଅନ୍ୟ କେହି ମୋତେ ଜାଣନ୍ତିନାହିଁ । ସେଦୁରାମର ଚିଠିପତ୍ର ଏବଂ ପ୍ରବନ୍ଧ ମୋ ଅନ୍ୱେଷଣରେ ସେଠାକୁ ଯାଇପାରିବନାହିଁ । ବମ୍ୱେ ସହରର ବାତାବରଣ ତଥା ସେଠାକାର ଜୀବନଧାରାଣ ପ୍ରଣାଳୀ ଯୋଗୁଁ ଏବଂ ବନ୍ଧୁଙ୍କ ସାହଚର୍ଯ୍ୟରେ ହୁଏତ ଏଠାକାର ଗ୍ଲାନି ମୁଁ ଭୁଲିଯାଇପାରେ ।

 

ଯାହାହେଉ ସୌଭାଗ୍ୟକୁ ଏତିକିବେଳକୁ ସ୍ଵାମୀନାଥ ତ୍ରିଚିନ୍ନାପଲ୍ଲୀରେ ନାହିଁ । କାନ୍ତା ସହିତ ନିଜ ଗାଁକୁ ଯିବା ଦଶପନ୍ଦର ଦିନ ହେବଣି । ବର୍ତ୍ତମାନ ସୁଦ୍ଧା ସେଇଠି ହିଁ ଅଛି । ତା’ର ଅନୁପସ୍ଥିତି ଯୋଗୁଁ ମୁଁ ବିଶେଷ ଖୁସି । ସେ ଯଦି ଏଠାରେ ଥାଆନ୍ତା, ତେବେ ମୋର ଏବଂ ତା’ ଶ୍ୱଶୁରଙ୍କ ମଧ୍ୟରେ ଉପୁଜିଥିବା ମନୋମାଳିନ୍ୟ, ହୁଏତ ତାକୁ ଖୁବ୍ ଅସୁବିଧାରେ ପକେଇଥା’ନ୍ତା । ବନ୍ଧୁ ପାଇଁ ସେ କ’ଣ ସୁପାରିସ୍ କରନ୍ତା ନାହିଁ ? କିମ୍ବା ଶ୍ୱଶୁରଙ୍କ ଉକ୍ତିରେ ସତ୍ୟାସତ୍ୟ ରହିଛି ବୋଲି ବିଶ୍ଵାସ କରି ତାଙ୍କ ପକ୍ଷନେଇ ମୋତେ ସଂଶୋଧନ କରିବା ନିମନ୍ତେ ଅଗ୍ରସର ହୁଅନ୍ତା ନାହିଁ ?

 

ରାତ୍ର ସାଢ଼େ ନଅ । ଗାଡ଼ିରେ ଉଠିଲା । ବିଦାୟ ଦେବା ନିମନ୍ତେ ପ୍ରେସ୍‌ର ସମସ୍ତ କର୍ମଚାରୀ ବନ୍ଧୁ ଆସିଥିଲେ । ଜାନକୀରାମ ଭୋ ଭୋ ହୋଇ କାନ୍ଦୁଥିଲା । ତା’ ସମ୍ପର୍କରେ ଶଙ୍କରବାବୁଙ୍କୁ ବ୍ୟକ୍ତିଗତ ଭାବେ କହିଲି । ବାସ୍ତବିକ ଏତେ କମ୍ ବୟସରୁ ତା’ ହୃଦୟରେ କି ତୀବ୍ର ମମତା ଜାଗ୍ରତ ହୋଇନଥିଲା ସତେ !

 

ଗାଡ଼ି ଷ୍ଟେସନ ଛାଡ଼ିଲା । ବନ୍ଧୁମାନେ ଦୃଷ୍ଟିର ଆଢ଼ୁଆଳରେ ରହିଗଲେ । କିଛି ମାସ ପାଇଁ ମୋତେ ଆଶ୍ରୟ ଦେଇଥିବା ସେହି ତ୍ରିଚିନ୍ନାପଲ୍ଲୀ ସହରର ରାତ୍ରକାଳୀନ ଦୃଶ୍ୟକୁ ରେଳଗାଡ଼ିରୁ ଭଲକରି ଦେଖିନେଲି । ସହର ମଧ୍ୟସ୍ଥଳୀର ସେହି ବିଶାଳ ‘ରକ୍‌ଫୋର୍ଟ’ ପାହାଡ଼ ଗମ୍ଭୀରଭାବେ ବିଶ୍ରାମରତ ଏକ ବିରାଟ ଷଣ୍ଢଟିଏ ଭଳି ଦେଖାଯାଉଥିଲା । ସେଥିରୁ ଉଦ୍ଭାସିତ ବିଦ୍ୟୁତ୍‌ ବତିର ଆଲୁଅ ଭାରି ଚିତ୍ତାକର୍ଷକ । ମୁଁ ସେହି ବିଶାଳ ଶିଳାର ପାହାଚ ଉପରେ ବସି କେତେ ଦିନର ସଂଧ୍ୟା ସମୟ ଆରାମରେ କଟେଇପାରିଥିଲି । ମୁଁ, ନାରାୟଣସ୍ଵାମୀ ଏବଂ ଲଳିତା ଫୋର୍ଟର ସବାଉପରକୁ ଯାଇ ସହର ଚତୁର୍ଦ୍ଦିଗର ସାନ୍ଧ୍ୟକାଳୀନ ଦୃଶ୍ୟ ଉପଭୋଗ କରି କେତେଟା ସଂଧ୍ୟା କଟେଇଥିଲୁ । ବାସ୍ତବିକ୍, କି ଚମତ୍କାର ସେ ଦୃଶ୍ୟ ! କି ମନୋହର ସତେ !

 

ଗାଡ଼ି କ୍ଷିପ୍ରଗତିରେ ଯିବାକୁ ଆରମ୍ଭ କଲା । ମୁଁ ବସିଥିବା ପ୍ରଥମ ଶ୍ରେଣୀ ଡବାରେ ମୋ ବ୍ୟତୀତ ଅନ୍ୟ କେହି ନଥିଲେ । ଝରକା ପାଖରେ ବସି କେତେ କ’ଣ ଭାବିବାକୁ ଲାଗିଲି । ଆକାରବିହୀନ ଭାବନାରାଶି, କାର୍ଯ୍ୟରେ ପରିଣତ କରାନଯାଇପାରିବା ଯୋଜନାସମୂହ ତଥା ପାଗଳାମିପୂର୍ଣ୍ଣ ଲକ୍ଷ୍ୟ—ଏସବୁ ଏକଜୁଟ ହୋଇ ମୋତେ ବିବ୍ରତ କରିଦେଇଥିଲେ । ନିଦ ଆସୁନଥିଲା ।

 

ରାତ୍ରି—ସମୟ ଦୁଇଟା । ଭିଲିପୁର ଷ୍ଟେସନ୍‌ରେ ଗାଡ଼ି ଆସି ଅଟକିଲା; ତଥାପି ମୋତେ ନିଦ ଲାଗିନଥାଏ । ସିଟ୍‌ରେ ଆଉଜି, ବିଛଣାରେ ଗଡ଼ି, ଶୋଇବା ପାଇଁ ବହୁ ଚେଷ୍ଟାକଲି, ହେଲେ ପାରିଲିନାହିଁ । ପରିଶେଷରେ ବିଛଣାକୁ ଉଠେଇ ବନ୍ଧାବନ୍ଧି କରି ବାକ୍‌ସ ଉପରେ ଥୋଇଲି ଏବଂ ଉପନ୍ୟାସଟିର ପାଣ୍ଡୁଲିପି ବାହାରକରି ପଢ଼ିଲି ।

 

ଗାଡ଼ି ଭିଲିପୁର ଷ୍ଟେସନ ଛାଡ଼ିଲା । ତରତର ହୋଇ ଜଣେ ଯାତ୍ରୀ ଭିତରକୁ ପଶିଆସିଲେ; ହାତରେ ଖଣ୍ଡିଏ ଖବରକାଗଜ ମାତ୍ର । ତା’ ବ୍ୟତୀତ ଜିନିଷପତ୍ର ବୋଲି ତାଙ୍କର କିଛି ନଥାଏ । ସେ ଯେଉଁ ‘ସେଣ୍ଟ’ ବ୍ୟବହାର କରିଥିଲେ, ତା’ ସୁଗନ୍ଧରେ ଡବାଟି ଚହଟିଉଠୁଥିଲା । ତୁହାଇ ତୁହାଇ ତାଙ୍କର ସେହି ଧଳାଡ଼ିବା ଖୋଲି ସେଥିରୁ ନାସ ବାହାରକରି ନାକରେ ଦେଉଥାନ୍ତି । ନାସ ତାଙ୍କ ନାକଭିତରକୁ ପଶୁଥିଲା କି ନା କହିପାରିବି ନାହିଁ—ତେବେ ମୋତେ କିନ୍ତୁ ଅସ୍ତବ୍ୟସ୍ତ କରିପକାଉଥିଲା ।

 

ମୋ ଅଜ୍ଞାତରେ ମୋତେ କେତେବେଳେ ନିଦ ହୋଇଗଲା । ସେହି ନିଦରେ ଦେଖିଲି କେବଳ ସ୍ୱପ୍ନ...ସ୍ୱପ୍ନ ଆଉ ସ୍ୱପ୍ନ...

 

କେତେଟା ବାଜିଛି କେଜାଣି, ଜାଣେନା ।

 

‘ସାର୍ ଟିକେଟ୍ !’

 

ଗାଡ଼ି ମାଡ୍ରାସ୍‍–ସହର–ଷ୍ଟେସନ୍‌ ତାମ୍ଵାରମ ଛାଡ଼ିଥାଏ । ରାତି ପାହିଆସୁଥିଲା । ପାଖରେ ଠିଆହୋଇଥିଲେ ଟିକଟ–ଯାଞ୍ଚକାରୀ ଅଫିସର । ବୋଧହୁଏ ମୋତେ ଉଠେଇବା ନିମନ୍ତେ କିଛି ସମୟ ଚେଷ୍ଟାକରିଥିଲେ । ନିଦ ପୁରା ଭାଜିନଥାଏ । ନିଦବାଉଳାରେ ସାର୍ଟପକେଟରେ ହାତ ପୂରେଇ ଦରାଣ୍ଡିଲି–ମନିପର୍ସ ପାଇଲିନାହିଁ । ହଠାତ୍‌ ନିଦ ଭାଜିଗଲା । ଚଟ୍‌କିନା ଉଠିବସିଲି । ହାତବନ୍ଧା ଘଡ଼ିଟି ମଧ୍ୟ ହାତରେ ନଥିଲା । ବାକ୍‌ସ, ବିଛଣାପତ୍ର, କଲମ କୌଣସିଟା ଦେଖିବାକୁ ପାଇନଥିଲି । ବ୍ୟତିବ୍ୟସ୍ତ ହୋଇ ଚାରିଆଡ଼େ ଖୋଜିଲି ।

 

ଡବା ଭିତରେ ଆମ ଉଭୟଙ୍କ ବ୍ୟତୀତ ଆଉ କିଛି ଦେଖିବାକୁ ପାଇନଥିଲି । ମୋ ଉପନ୍ୟାସ ପାଣ୍ଡୁଲିପି କିନ୍ତୁ ତଳେ ଖସିପଡ଼ିଥିଲା ।

 

ଉପନ୍ୟାସଟି ଦେଖିସାରିବା ପରେ ମୋତେ ଲାଗିଲା ମୋର କୌଣସି ଜିନିଷ ଚୋରି ହୋଇନାହିଁ । ତାକୁ ତଳୁ ଉଠେଇ ଝାଡ଼ିଝୁଡ଼ି କରି ରଖିଲି । ଅନ୍ୟ ଜିନିଷସବୁ ଚୋରି ନ ଯାଇ, କେବଳ ଯଦି ଉପନ୍ୟାସଟି ଚୋରି ହୋଇଥାନ୍ତା... ?

 

“କେଉଁଠିକି ଟିକଟ୍ କରିଥିଲେ ?” ଟିକଟ୍-ଯାଞ୍ଚକାରୀ ଅଫିସର୍ ଜଣକ ପଚାରିଲେ ।

 

“ବମ୍ବେ ।”

 

“ମନିପର୍ସ ହଜେଇଦେଲେ କି ?”

 

ବିନାଟିକଟ୍‌ରେ ଯାତ୍ରା କରୁଥିବା ଦୋଷୀକୁ ପଚାରିବା ଢଙ୍ଗରେ ସେ ମୋତେ ପଚାରିଥିଲେ । ମୋ କଥାରେ ତାଙ୍କର ବିଶ୍ଵାସ ନ ଜନ୍ମିବା ଅତି ସ୍ଵାଭାବିକ କଥା । ଭଦ୍ରଖୋଳପିନ୍ଧା କେତେ ଠକଙ୍କ ସଂସ୍ପର୍ଶରେ ସେ ଆସିନଥିବେ !

 

“କେବଳ ଟିକଟ୍ ନୁହେଁ—ବିଛଣାପତ୍ର, ସବୁ କିଛି ଚୋରିହୋଇଛି ।” —କହିଲି । ଭିଲିପୁର ଷ୍ଟେସନ୍‌ରେ ବଗି ଭିତରକୁ ଉଠିଆସିଥିବା ସେହି ଯାତ୍ରୀ ଏବଂ ତା’ ଚାଲିଚଳନ ବର୍ଣ୍ଣନାକଲି । ମୋ ଉପରେ ତାଙ୍କର ବିଶ୍ୱାସ ଜନ୍ମିଲା ।

 

“ମାଡ୍ରାସ୍‌ରେ ପୋଲିସ୍ କର୍ତ୍ତୃପକ୍ଷଙ୍କୁ ଜଣେଇଦେବା ।” ବୋଲି ସେ କହିଥିଲେ । କପର୍ଦ୍ଦକଶୂନ୍ୟ ହୋଇସାରିଥିବା ଯୋଗୁଁ କିଛି ନ କହି ସେମିତି ବସିରହିଲି । ‘ମାଡ୍ରାସ୍‌ଇଗ୍‌ମୋର’ ଷ୍ଟେସନ୍‌ରେ ଗାଡ଼ି ଆସି ପହଞ୍ଚିଲା । ତଳକୁ ଓହ୍ଲାଇଲି । ରେଲ୍‌ୱେ ପୋଲିସ୍ ଇନ୍‌ସପକ୍ଟର୍ ସବୁ ଘଟଣାର ଏକ ବିବରଣୀ ମୋ’ଠାରୁ ଲେଖିନେଲେ । ଠିକ୍ ଏପରି ଅନ୍ୟ ଏକ ଚୋରି ଘଟଣା ନିକଟ ଅତୀତରେ ଘଟିଥିଲା କୁଆଡ଼େ । ଯଥାଶୀଘ୍ର ସମ୍ଭବ ଘଟଣାଟିର ଅନୁସଂଧାନ କରି ଜିନିଷପତ୍ର ପାଇଲେ ଫେରେଇଦେବେ ବୋଲି ପ୍ରତିଶ୍ରୁତି ଦେଲେ । ମାଡ୍ରାସ୍‌ ସହରର ‘ମାଇଲାପୁର୍’ ଅଞ୍ଚଳରେ ରହୁଥିବା ମୋର ଜଣେ ବନ୍ଧୁଙ୍କ ଘରେ ମୁଁ ଦୁଇଦିନ ରହିବି ବୋଲି କହି ତାଙ୍କୁ ସେହି ଠିକଣା ଦେଲି ।

 

ସକାଳ ଆଠଘଣ୍ଟା । ଯାହା ହେଉ, ମୋତେ ଷ୍ଟେସନ୍ ବାହାରକୁ ଛାଡ଼ିଦେଲେ । ପାଖରେ ଥିବା ପାଣିକଳକୁ ଯାଇ ଦାନ୍ତ ଘଷିଲି । କିନ୍ତୁ କଫି ପିଇନାହିଁ । କଫି ପାଇଁ ପୁଣି ପଇସା ତ ଦରକାର ।

 

‘ଇଗ୍‌ମୋର’ ଷ୍ଟେସନ୍ ସମ୍ମୁଖରେ ଥିବା କେବିନ୍ ଦୋକାନଗୁଡ଼ିକ ଏକ ଧାଡ଼ିରେ ଥାନ୍ତି । ପ୍ଲାଟ୍‌ଫର୍ମରୁ ବାହାରି ଦୋକାନଗୁଡ଼ିକ ପାଖରେ ଖୁବ୍ ସଙ୍କୋଚର ସହିତ ଫୁଟ୍‌ପାଥ୍‌ରେ ଚାଲିଲି । ପଛରୁ କେହିଜଣେ ମୋ ନାଁ ଧରି ଚିତ୍କାର କରିବା ଅନୁଭବ କଲି । ବୁଲି ପଛକୁ ଚାହିଁଲି । ଜଣେ ରିକ୍‌ସାବାଲା ଦମକାଏ ବିଡ଼ି ଟାଣି ଧୂଆଁ ଛାଡ଼ି ତା’ ପାଖରେ ଠିଆହୋଇଥିବା ଆଉ ଜଣେ ରିକ୍‌ସାବାଲାକୁ କେବିନ୍‌ରେ ମରାଯାଇଥିବା ପୋଷ୍ଟରଗୁଡ଼ାକୁ ଦେଖାଉଥିଲା । ମୁଁ ମଧ୍ୟ ସେହି ବିଜ୍ଞାପନଟା ଦେଖିଲି । କେତେ ଲୋକ ଯେ ମୋତେ ଠେଲିପେଲି ଚାଲିଯାଉଥା’ନ୍ତି ତା’ ହିସାବ କିଏ ରଖିବ ? ମୁଁ କିନ୍ତୁ ଅନ୍ୟତ୍ର ନଯାଇ ସେହି ଜାଗାରେ ହିଁ ଠିଆହୋଇରହିଲି ।

 

ମୋର ନାମ ସେହି ପୋଷ୍ଟରରେ ବଡ଼ ବଡ଼ ଅକ୍ଷରରେ ଛପାଯାଇଥାଏ । ଆଗରୁ ମୋତେ ସତର୍କ ବାଣୀ ଶୁଣେଇଥିବା ‘ପୁରୁଷ’ ପତ୍ରିକାର ପୋଷ୍ଟର ଏହା ।

 

ଏହା ପୂର୍ବରୁ ଅନେକ ଥର ମୋ ନାମ ପୋଷ୍ଟର୍‌‌ରେ ବାହାରିବା ଦେଖିଛି । ସେଥିସକାଶେ ମୁଁ ନିଜକୁ ଗର୍ବାନ୍ଵିତ ମନେକରୁଥିଲି । ଅନ୍ୟମାନେ ତାକୁ ପଢ଼ି, ମୁଁ ସେମାନଙ୍କ ଗହଣରେ ଠିଆହୋଇଥିଲେ ସୁଦ୍ଧା ମୋତେ ଚିହ୍ନି ନପାରି, ଗଳ୍ପଗୁଡ଼ିକ ପାଇଁ ମୋର ଅଜସ୍ର ପ୍ରଶଂସା କରୁଥିଲେ । ସେତେବେଳେ ମୋତେ କେତେ ଖୁସି ଲାଗୁଥିଲା ଜାଣନ୍ତି ?

 

କିନ୍ତୁ ଆଜି ? ମୋ ନିଜ ନାମ ହିଁ ମୋତେ ପାଗଳ କରିବାକୁ ବସିଛି । ସତେ କ’ଣ ମୋର ପ୍ରଶଂସାଗାନ କରିବା ସକାଶେ ଏ ପୋଷ୍ଟରଗୁଡ଼ିକରେ ମୋ ନାମ ଛପାହୋଇଛି ? ସତେ କ’ଣ ମୋତେ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏଗୁଡ଼ିକ ଟଙ୍ଗାହୋଇଛି ? ହେ ଭଗବାନ୍ ! କେବଳ ସେହି ଗୋଟାଏ କେବିନ୍‌ରେ କାହିଁକି—ସେ ଧାଡ଼ିରେ ଯେତେ କେବିନ୍ ଦୋକାନ ଥିଲା, ସବୁଥିରେ ସେହି ଏକା ବିଜ୍ଞାପନର ପୋଷ୍ଟର୍ । ମୁଁ ଯେତେ ଲୋକଙ୍କୁ ଦେଖୁଥାଏ, ପ୍ରତ୍ୟେକ ସେହି ପତ୍ରିକାରୁ ଖଣ୍ଡିଏ କିଣି ମୋ ନାଁଟିକୁ ପଢ଼ି ହସି ହସି ଫେରୁଥାନ୍ତି ।

 

ଏକ ପତ୍ରିକାର ସମ୍ପାଦକ—ଦୁରେଇବାବୁଙ୍କ ନକଲି ରୂପ—ରୁଚିକର କଥାବସ୍ତୁ—ଲେଖକଙ୍କ ଉପଭୋଗ୍ୟ ନିଜ କଥା ।

 

ମାଇଲାପୁର ଅଞ୍ଚଳରେ ରହୁଥିବା ବନ୍ଧୁଙ୍କ ଘରେ ତାଲା ପଡ଼ିଥିଲା । ପଡ଼ୋଶୀଙ୍କୁ ପଚାରି ବୁଝିଲି, ମାଡ୍ରାସ୍ ଛାଡ଼ି ଏକ ସପ୍ତାହ ଖଣ୍ଡେ ହେବ କୁଆଡ଼େ ସପରିବାର ଯାଇଛନ୍ତି । କେବେ ଯେ ଫେରିବେ ସେ ତାହା ଜାଣନ୍ତି ନାହିଁ । ତାଙ୍କ ମୁହଁରୁ ଏହା ଶୁଣିବାକ୍ଷଣି ଦୁଃଖର ଚାପାରେ ଭାରାକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗକରୁଥିବା ମୋ ମୁଣ୍ଡ ଉପରୁ ଖପୁରି ଉଡ଼ିଗଲା ଭଳି ମନେହେଲା-। ତାଲା ପଡ଼ିଥିବା ସେହି କବାଟରେ ଆଉଜି କିଛିସମୟ ବିଶ୍ରାମ ନେଲି । ହାତ ଗୋଡ଼ ଏପରିକି ଦେହସାରା ଦରଜ । ଆଉ ମାତ୍ର ଗୋଟିଏ ପାହୁଣ୍ଡ ଆଗେଇବା ପାଇଁ ମଧ୍ୟ ଅସମର୍ଥ ମଣିଲି । ବନ୍ଧୁଙ୍କ ଘର ଆଗରେ ଆଉ ଉଚ୍ଚ ପିଣ୍ଡା । ଏକ ସପ୍ତାହବ୍ୟାପୀ ଝାଡ଼ୁ ନଦେବା ଫଳରେ ତାହା ମଇଳା ହୋଇପଡ଼ିଥିଲା । ତା’ ଉପରେ ସେମିତି ଗଡ଼ିପଡ଼ିଲି । ବହୁତ ସମୟ ପର୍ଯ୍ୟନ୍ତ ପଡ଼ିରହିଲି । ହୁଏତ ଇଗ୍‌ମୋର ଷ୍ଟେସନରୁ ମାଇଲାପୁର୍ ପର୍ଯ୍ୟନ୍ତ ଖାଲି ପେଟରେ ଭୋକିଲା ଅବସ୍ଥାରେ ଚାଲି ଚାଲି ଆସିଥିବା ଯୋଗୁ କିମ୍ବା ପୂର୍ବରାତ୍ରର ନିଦ୍ରାହୀନ କ୍ଳାନ୍ତ ରେଳଯାତ୍ରା ଯୋଗୁଁ କିମ୍ବା ସେହି ପତ୍ରିକାର ପୋଷ୍ଟର୍ ଦେଖି ବିବ୍ରତ ହୋଇଯାଇଥିବା ଯୋଗୁଁ କି କ’ଣ—ମୋ ଦିହରେ ତାତି ଫୁଟିଉଠୁଥିଲା ।

 

ମାଡ୍ରାସ୍‍ ସହରରେ ମୋର ଆଉ କେତେଜଣ ପରିଚିତ ବନ୍ଧୁ ଥିଲେ; କିନ୍ତୁ ଏଭଳି ପରିସ୍ଥିତିରେ ମୁଁ ସେମାନଙ୍କୁ ଦେଖାକରିବା ଚାହିଁ ନଥିଲି । ସେମାନଙ୍କ ଘରକୁ କାର୍‌ରେ ଗଲେ ହିଁ ଜଗୁଆଳ ମସ୍ତବଡ଼ ସଲାମ୍‌ଟିଏ ମାରି ଲୁହାଫାଟକ ଖୋଲିବ; କିନ୍ତୁ ଏ ଅବସ୍ଥାରେ ଯାଇ ଓଲଟି ସଲାମ୍ ମାରିଲେ ମଧ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବନାହିଁ । ଯଦିବା ସୌଭାଗ୍ୟବଶତଃ ମିଳିଯାଏ, ତେବେ ବନ୍ଧୁମାନେ ହୃଦୟଖୋଲା କଥାବାର୍ତ୍ତା କରିବେନାହିଁ ।

 

ଆଜି ମୁଁ ପତ୍ରିକାର ସମ୍ପାଦକ ଦୁରେଇବାବୁ ନୁହେଁ; କପର୍ଦ୍ଦକଶୂନ୍ୟ ଗରିବ ଦୁରେଇ। ଖ୍ୟାତନାମା ଲେଖକ ଶ୍ରୀ ଦୁରେଇରାଜ୍‌ ନୁହେଁ—ମାନସମ୍ମାନ ହରେଇଥିବା ବାରବୁଲା କଳାକାର । ଆଜି ଲୋକେ ଆନନ୍ଦରେ ମୋ ସହିତ କଥାହୋଇ ମୋତେ ଅତିଥିରୂପେ ଗ୍ରହଣ କରିବାକୁ କେହି ଅଗ୍ରସର ହେବେନାହିଁ । ମୋ ପ୍ରଶଂସା କେହି ଗାନ କରିବେ ନାହିଁ । ମୋର ଏହି ଅବସ୍ଥାରେ ଯେତେବେଳେ ମାଡ୍ରାସ୍‍ ସହରର ପ୍ରତ୍ୟେକ ଗଳିକନ୍ଦିରେ ମୋ ବିଷୟରେ ହିଁ ଚର୍ଚ୍ଚା ଚାଲିଛି, କେଉଁ ବନ୍ଧୁଙ୍କ ନିକଟକୁ ମୁଁ ବା ଯାଇପାରିବି ? ଧନସମ୍ପତ୍ତି ଏବଂ ମାନସମ୍ମାନ ଯା’ର ଅଛି ତା’ ପାଇଁ ସିନା ମାଡ୍ରାସ୍‍ ସହର ଉପଭୋଗ୍ୟ; କିନ୍ତୁ ଯା’ର କିଛିନାହିଁ ତା’ ପାଇଁ ଏହା ନରକତୁଲ୍ୟ ।

 

ମାତ୍ର ଗୋଟାଏ ଘରକୁ ମୁଁ ଯାଇପାରିବି । ସେହି ଘର ଦିନେ ମୋତେ ନିମନ୍ତ୍ରଣ କରିଥିଲା । ଯେକୌଣସି ମୁହୂର୍ତ୍ତରେ ମୁଁ ସେହି ଘରର ଦରଜା ଖୋଲି ଭିତରକୁ ପ୍ରବେଶ କରିପାରିବି । ପରିସ୍ଥିତି ନିର୍ବିଶେଷରେ ସେହି ଘରର ଦୁଆର ମୋ ପାଇଁ ସର୍ବଦା ଉନ୍ମୁକ୍ତ । ସେହି ଅଞ୍ଚଳର ସମସ୍ତେ ଏକଜୁଟ ହୋଇ ମୋତେ ଘଉଡ଼ିଦେବାକୁ ଚେଷ୍ଟା କଲେ ମଧ୍ୟ, ମାତ୍ର ସେହି ଗୋଟାଏ ଘର ବିନା କୁଣ୍ଠାରେ ମୋତେ ଆଶ୍ରୟ ପ୍ରଦାନ କରିବ । କିନ୍ତୁ ମୁଁ ସେଠାକୁ ଯିବା ଚାହେଁ ନାହିଁ—ମୋଟେ ଚାହେଁ ନାହିଁ । ଭୁଲରେ ସୁଦ୍ଧା ଟ୍ରିପ୍ଲିକେନ୍‌ ଅଞ୍ଚଳରେ ରହୁଥିବା ମୋର ସେହି ବନ୍ଧୁଙ୍କ ଘରକୁ ଯିବାକୁ ଚାହେଁ ନାହିଁ । ମୋ’ରି ଯୋଗୁଁ ସେମାନେ ଯେତିକି ଶାନ୍ତି ପାଇଛନ୍ତି ତାହା ଯଥେଷ୍ଟ ।

 

ସୂର୍ଯ୍ୟକିରଣ ସେହି ଉଚ୍ଚ ପିଣ୍ଡାଟା ଉପରେ ପଡ଼ିଲା । ମୋ ମୁହଁରେ ମଧ୍ୟ ପଡ଼ିଲା । ଅନୁଭବ କଲି ସତେ ଯେପରି ମୋତେ କେହି ଚାପୁଡ଼ା ମାରିଲା । ତା’ପରେ ଆଉ ସେଠାରେ ରହିପାରିନଥିଲି । ଉଠି ମୋର ସମସ୍ତ ଶକ୍ତି ଖଟେଇ ଧୀରେ ଧୀରେ ଚାଲିଲି । ମୁଁ କୁଆଡ଼େ ଯାଉଥିଲି—ମୋତେ ହିଁ ଜଣାପଡ଼ୁ ନଥାଏ; ପାଦ କୁଆଡ଼େ ପଡ଼ୁଥିଲା କେଜାଣି ! ଚପଲ୍ ହୀନ ପାଦଯୋଡ଼ିକ ପିଚୁରାସ୍ତାର ଉତ୍ତାପରେ ଯନ୍ତ୍ରଣା ଭୋଗି ଲକ୍ଷ୍ୟହୀନ ଭାବେ ଚାଲିଥାନ୍ତି ।

 

ଏତେ ଯନ୍ତ୍ରଣାରେ ମଧ୍ୟ ମୁଁ ମୋର ସେହି ଉପନ୍ୟାସକୁ ପାଶୋରି ନଥାଏ । ଖୁବ୍ ହୁସିଆରରେ ଧରିଥାଏ ତାକୁ । ପ୍ରଚଣ୍ଡ ଖରା ଯୋଗୁଁ ମୁଣ୍ଡରୁ ଝାଳ ବହିଚାଲିଥିଲେହେଁ ଉତ୍ତାପରୁ ରକ୍ଷା ପାଇବା ନିମନ୍ତେ ମୁଁ ତାହା ବ୍ୟବହାର କରିନଥିଲି । ମୋ ଜୀବନ ଅପେକ୍ଷା ତାହା ଥିଲା ଅଧିକ ମୂଲ୍ୟବାନ୍‌ । କାହିଁକି ଜାଣନ୍ତି ? — ତାହା ମୋ ନିଜ କଥା–ମୋ ଲଳିତାର କଥା । ଆମ ଉଭୟଙ୍କ ଶରୀର ଦିନେ ମାଟିରେ ମିଶିଗଲେ ସୁଦ୍ଧା, ଯୁଗଯୁଗଧରି ଅକ୍ଷୟ ଅମର ରହିବା ସେହି ମମତା ଓ ସ୍ନେହଭରା କେତେଟା ମଧୁର ମୁହୂର୍ତ୍ତ ସମ୍ପର୍କରେ ମୁଁ ସେଥିରେ ଲେଖିଥିଲି । ସ୍ନେହ-ମମତା କେବେହେଁ ଲୋପ ପାଏନାହିଁ—ଏହା ଯଦି ସତ୍ୟ—ତେବେ ଆମ ସ୍ନେହ-ମମତା ପାଇଁ ଏହା ପ୍ରଯୁଜ୍ୟ ନହେବ ବା କାହିଁକି ?

 

ସେହି ସାହିଟା ମାଇଲାପୁର ଅଞ୍ଚଳର ସମୁଦ୍ରକୂଳ ପର୍ଯ୍ୟନ୍ତ ଲମ୍ବିଥାଏ । ରାସ୍ତାର ଉଭୟ ପାର୍ଶ୍ଵରେ ଗରିବଙ୍କ ତାଳପତ୍ର ଛପର ଘର । ଅଣ୍ଟାରେ ଖଣ୍ଡେ ଲେଖାଏଁ ଚିରା ଗାମୁଛା ଗୁଡ଼େଇହୋଇ ଖରାର ତାପକୁ ଭ୍ରୂକ୍ଷେପ ନକରି ଦୌଡ଼ି ଦୌଡ଼ି ଖେଳୁଥାନ୍ତି ଛୋଟ ଛୋଟ ପିଲାମାନେ । ତିନି ବର୍ଷର ଗୋଟିଏ ପିଲା । ମୋ ସହିତ ଧକ୍‌କା ଖାଇ ତଳେ ପଡ଼ିଗଲା । ଆସ୍ତେ ତାକୁ ଉଠେଇଲି । ଦେହରୁ ତା’ର ଧୂଳି ଝାଡ଼ିଦେଲି । ସେ ଭୀତତ୍ରସ୍ତ ହୋଇ ମୋତେ ଚାହିଁରହିଥିଲା-। ତାକୁ କୁଣ୍ଢେଇ ଧରି ନେବାକୁ ଇଚ୍ଛା ହେଲା । ଭାବିଲି,—ଜଣେ ଗରିବ ହୋଇସାରିବାପରେ ଯାଇ କେବଳ ସେ ଗରିବଙ୍କ ଶୋଚନୀୟ ଅବସ୍ଥା ଅନୁଧ୍ୟାନ କରିପାରିବ ।

 

ତାକୁ ରାସ୍ତାରେ ଛାଡ଼ି ମୁଁ ଆଗେଇଲି; କିନ୍ତୁ ପାରିଲିନାହିଁ । ନିକଟସ୍ଥ ପାଣିକଳ ଚାରିପଟେ ସାହିର ମାଇପିମାନେ ହଟ୍ଟଗୋଳକରି ଠିଆହୋଇଥିଲେ । ହାତକୁ ମୋର ଆଞ୍ଜୁଳା କରି ପିଇବାପାଣି ଦରକାର ବୋଲି ସୂଚେଇଲି । ପାଟିତୁଣ୍ଡ ବନ୍ଦହେଲା । ମୋତେ ସେମାନେ ବାଟ ଛାଡ଼ିଦେଲେ । କଳପାଣିରେ ମୁହଁ ଧୋଇ ପେଟପୂରା ପାଣି ପିଇଲି ।

 

ଦଶପାହୁଣ୍ଡ ଦୂରରେ ଛୋଟ ନଡ଼ିଆ ବଗିଚାଟିଏ ଯାଇ ଛାଇତଳେ ପୁଣି ଶୋଇଲି । ସେହିପରି ପଡ଼ିରହିଥିବା ଅବସ୍ଥାରେ ପ୍ରଥମେ ପ୍ରଥମେ ମୃତ୍ୟୁ ସମ୍ପର୍କରେ କିଛି ଚିନ୍ତା ମୁଣ୍ଡ ଭିତରକୁ ଅନୁପ୍ରବେଶ କଲା । ଆଜିର ଏହି ସଭ୍ୟ ଯୁଗରେ, ସାହିର ଉଭୟ ପାର୍ଶ୍ଵରେ, ଶୋଇଥିବା ଅବସ୍ଥାରେ ହିଁ ଅନେକେ ମୃତ୍ୟୁବରଣ କରିଥିବା ଦୃଶ୍ୟ ଦେଖିଛି । ଅନାହାର ମୃତ୍ୟୁ ଏ ଦେଶର ଅତି ମାମୁଲି ଘଟଣା ।

 

ସେହି ନଡ଼ିଆ ବଗିଚା ମୋ ଭଳିଆ ଆଉ କେତେକ ଦୁଃଖୀରଙ୍କୀଙ୍କୁ ମଧ୍ୟ ଆଶ୍ରୟ ଦେଇଥିଲା । ଛୋଟା, ଅନ୍ଧ, ରୋଗୀ ପ୍ରଭୃତି ଜାତିର ଭିକାରୀଙ୍କ ପରିବାରକୁ ସେଠାରେ ଦେଖିବାକୁ ପାଇଥିଲି । କେତେକ ତଳେ ଶୋଇରହିଥିଲେ । ଆଉ କେତେକ ବସିରହି ଅଶ୍ଳୀଳ ଭାଷାରେ ପରସ୍ପରକୁ ଗାଳି କରୁଥିଲେ । ଆଉ କେତେକ ଗଛଛାଇ ତଳେ ବସି ପଥରବସା ଚୁଲିରେ ପେଜ ଫୁଟାଉଥିଲେ ।

 

ମାଡ୍ରାସ ସହରରେ ‘ପ୍ୟାରିସ୍ କର୍ଣ୍ଣର’ ଅଞ୍ଚଳରେ ଥିବା କୋଠାବାଡ଼ି ସମ୍ପର୍କରେ ଭାବିଲି; ମାମ୍ବଳମ୍ ଓ ଆଡ଼ିୟାର୍ ଅଞ୍ଚଳସ୍ଥ ବଙ୍ଗଳା ସମ୍ପର୍କରେ ଭାବିଲି; ସହରର ରାଜପଥରେ ଗୋଟାକ ପରେ ଗୋଟାଏ ଗଡ଼ିଚାଲିଥିବା ନୂଆ ନୂଆ କାର ଏବଂ ତା’ରି ଭିତରେ ବସି ଗତିକରୁଥିବା ଲୋକଙ୍କ ସମ୍ପର୍କରେ ଭାବିଲି—ଏମିତିକା ମାଡ୍ରାସ୍ ସହରର ବାସିନ୍ଦାଙ୍କ ମଧ୍ୟରେ ଅଛନ୍ତି ତାମିଲ୍‌ନାଡ଼ୁକୁ ଶାସନକରୁଥିବା ନେତୃବର୍ଗ ଏବଂ ସେମାନଙ୍କ ସହିତ ହଜାର ହଜାର ଭିକ୍ଷୁକ ମଧ୍ୟ ।

 

ମନୁଷ୍ୟର ଭୋକ ଦୁଇପ୍ରକାର । ପେଟର ଭୋକ ପାଇଁ ଅନ୍ନ; ମନ ଏବଂ ହୃଦୟର ଭୋକ ପାଇଁ ଆବଶ୍ୟକ ପ୍ରଣୟ । କିନ୍ତୁ ଯିଏ ପେଟଭୋକରେ ଭୋକିଲା ନୁହେଁ, ସେ ହିଁ ମନ ଏବଂ ହୃଦୟର ଭୋକ କ’ଣ ହୃଦୟଙ୍ଗମ କରିପାରିବ । ମୋ ପେଟ ବର୍ତ୍ତମାନ ଭୋକିଲା । ପାକସ୍ଥଳୀର ଅନ୍ତରତମ ପ୍ରଦେଶରେ କିଏ ଗୋଟାଏ ମାଂସପେଶୀକୁ ଧରି ମୋଡ଼ିମକଚି ଦେଲାଭଳି ଅନୁଭବ କଲି । ଭୋକ—ଭୋକ—କେବଳ ଭୋକ ! ମୋ ଚତୁର୍ଦ୍ଦିଗରେ କେବଳ ଭୋକିଲାଙ୍କ ଦୁନିଆ !

 

ମୁଁ ମନେ ମନେ ପ୍ରଣୟକୁ ବହୁତ ଅଭିଶାପ ଦେଲି । ପ୍ରଣୟ ! ଏହା ଧନିକ ଶ୍ରେଣୀଙ୍କ ବଙ୍ଗଳାରେ ସୀମାବଦ୍ଧ ମାୟାମୋହିନୀ; ଗରିବଙ୍କ ଅଲଭ୍ୟ ଫଳ; ସ୍ଵପ୍ନ ମାତ୍ର; ମରୀଚିକାର ଜଳ; ମନରେ ନିଶା–ସୃଷ୍ଟିକାରୀ ମଦିରା !

 

ଏହି ଭୋକିଲା ମୁହୂର୍ତ୍ତରେ ମତେ ଯଦି ରକ୍ଷାମିଳିଯାଏ ତେବେ ମୁଁ ମୋର ଚିନ୍ତାଧାରା ଏବଂ କାର୍ଯ୍ୟକଳାପକୁ ଭୋକ ବିରୁଦ୍ଧରେ ବ୍ୟବହାର କରିବା ନିମନ୍ତେ ନିଷ୍ପତି ନେଲି । ଭୋକ, ଉପବାସ, ଅନାହାର ଯେ କ’ଣ ଯେଉଁମାନେ ଉପଲବ୍‌ଧି କରିନାହାନ୍ତି, ସେମାନଙ୍କ ସକାଶେ ପ୍ରଣୟ ଗଳ୍ପ ଭଳି ଅମର ସାହିତ୍ୟ ସୃଷ୍ଟି କରିବା ଅପେକ୍ଷା, ଅନ୍ୟୂନ ପକ୍ଷେ ଜଣେ ଭୋକିଲାକୁ ଯଦି ମୁଁ ବଞ୍ଚେଇଦେଇ ପାରିଲି, ତେବେ ଏହା ହିଁ ମୋ ଜିବଦ୍ଦଶାରେ ଗ୍ରହଣୀୟ । କିନ୍ତୁ ମୋ ଭିତରେ ଯେଉଁ ଭୋକର ନିଆଁ ଦାଉଦାଉ ହୋଇ ଜଳିଉଠୁଥିଲା ତାହା ଯେ ମୋତେ ପୁଣି ଜୀବନଦାନ କରିବ, ଏ ବିଶ୍ୱାସ ମୋର ନଥିଲା । ଭୋକଶୋଷ ବିରୁଦ୍ଧରେ ଯିଏ ସଂଘର୍ଷ କରି ଚାଲିଥାଏ, ସେ ଯଦି ତା’ ଶିକାର ହୁଏ, ତେବେ ସେ (ଭୋକ ଶୋଷ) ସଂଘର୍ଷକାରୀର ପ୍ରତିଶୋଧ ନ ନେଲେ କ’ଣ ସହଜେ ଛାଡ଼ିଦେବ ?

 

ନଡ଼ିଆ ଗଛଗୁଡ଼ାକର ଛାଇ ଲମ୍ବିଲା । ଭିକାରିମାନଙ୍କ ଗହଳି ଆସ୍ତେ ଆସ୍ତେ କମିବାକୁ ଆରମ୍ଭ କଲା । ମୁଁ ମଧ୍ୟ ଆସ୍ତେ ଉଠି ଲକ୍ଷ୍ୟହୀନ ଭାବେ ଚାଲିବା ଆରମ୍ଭ କଲି । ବେଶି ଦୂରକୁ ଯାଇନଥାଏ । ସମୁଦ୍ରକୂଳ ପର୍ଯ୍ୟନ୍ତ ସାହିଟା ଲମ୍ବିଥିଲା । ସେହି ସମୁଦ୍ରକୂଳ—ତାହା କେଉଁ ସମୁଦ୍ରକୂଳ ଜାଣନ୍ତି ? —ଏହି ଯେ ସେହି ପୁରୁଣା ଡଙ୍ଗା—ଏହି ଯେ ସେହି ନିର୍ଜନ ସ୍ଥାନ—ଏହି ଯେ ସେହି ଡଙ୍ଗାର ଛାଇତଳ ପରିଚିତ ବାଲିସ୍ତୁପ—ମୁଁ, ମୋ ବନ୍ଧୁ ଓ ଲଳିତା ଯେଉଁଠାରେ ଦିନେ ବସିଥିଲୁ—ସେହି ଅପାଶୋରା ଜାଗା ।

 

ମୋ ପେଟ ଭୋକଶୋଷ ପାଶୋରିପକେଇଲା । ଗୋଡ଼ଯୋଡ଼ିକ ଅଧିକ ବେଗରେ ଗତିଶୀଳହେଲେ । ଓଟମାନଙ୍କ ପରି ବାଲିରେ ଚାଲିବାକୁ ଲାଗିଲି । ମୋ ପାଦ ତଳେ ପଡ଼ିବା ମୁଁ ଅନୁଭବ କରିପାରୁନଥାଏ । ମୋ ଆନନ୍ଦର ସୀମାରେଖା ଏକ ଆକାରବିହୀନ ଶୂନ୍ୟ ଅଞ୍ଚଳରେ ରହି, ତାର ଦୁଇହାତରେ ମୋତେ ଧରି ଆଲିଙ୍ଗନ କରିବାପାଇଁ ନିମନ୍ତ୍ରଣ କରିଥିଲା । ସମୁଦ୍ରର ଉଛୁଳା ଢେଉମାନେ ଚିତ୍କାର କରି ସସ୍ନେହ ସ୍ଵାଗତ ଜଣେଇଥିଲେ ମୋତେ ।

 

ଦୌଡ଼ି ଦୌଡ଼ି ଆସୁଥିବା ଯୋଗୁଁ ପାଦଦୁଇଟି ବାଲୁକାସ୍ତରରେ ଛନ୍ଦି ହୋଇପଡ଼ିଲା । ସେହି ଡଙ୍ଗାଟା ତଳେ ମୁହଁମାଡ଼ି କଚାଡ଼ିହୋଇ ପଡ଼ିଲି । ହାତରେ ଭିଡ଼ି ଧରିଥିବା ଉପନ୍ୟାସଟି ଖସିପଡ଼ି ସମୁଦ୍ରର ପାଣିଆଡ଼କୁ ଉଡ଼ିଯାଉଥିବା ଦେଖିବାକ୍ଷଣି ଶୀଘ୍ର ଉଠିପଡ଼ି ହାମୁଡ଼ି ହାମୁଡ଼ି ଯାଇ ତାକୁ ଧରିଲି । ସମୁଦ୍ର ଇଚ୍ଛାକଲେ ମୋତେ ଗ୍ରାସ କରିଦେଇପାରେ—ହେଲେ ମୋ ଉପନ୍ୟାସକୁ ନୁହେଁ । ଖୁବ୍ ହୁସିଆରରେ ମୋ ଛାତିତଳେ ସାଇତି ରଖିଲି ସେଇଟି ।

 

ସମୟ ଗଡ଼ି ଚାଲିଥାଏ ।

 

ସ୍ଵପ୍ନ ଦେଖିଥିଲି, କି ବାସ୍ତବ ଥିଲା, କି ମୋ କଳ୍ପନା ମୋତେ ବ୍ୟଙ୍ଗବିଦ୍ରୂପ କରିଥିଲା ବର୍ତ୍ତମାନ ସ୍ପଷ୍ଟରୂପେ ମୋର ଖିଆଲ ପଡ଼ୁନାହିଁ । ସେଦୁରାମର ନେତୃତ୍ୱରେ ଦଶବାରଜଣ ଗୁଣ୍ଡା ମୋତେ ଲକ୍ଷ୍ୟକରି ଆସିଥିଲେ । ପ୍ରତେକଙ୍କ ହାତରେ ଥିଲା ମୋ ସମ୍ପର୍କରେ ପ୍ରକାଶ ପାଇଥିବା ପତ୍ରିକା ‘ସତ୍ୟ–ଦୂତ’ ରୁ ଖଣ୍ଡିଏ ଲେଖାଏଁ । ସମସ୍ତେ ମୋତେ ଘେରିବସି ବିଡ଼ି ଟାଣିବାକୁ ଲାଗିଲେ-। ମୋର ନିନ୍ଦା ଗାନକରି ଅଟ୍ଟହାସ୍ୟ କରିଉଠିଲେ ।

 

“ତାକୁ ଖୋଜି ଖୋଜି ଏଠାକୁ ଆସିଲେ ?”—ସେଦୁରାମ ପଚାରିଥିଲା ।

 

“ନା, ତା ନୁହେଁ—ସମ୍ପାଦକ ମହାଶୟ ସମୁଦ୍ରକୁ ଖୋଜି ଖୋଜି ଆସି ଏଠାରେ ପହଞ୍ଚିଛନ୍ତି ।” —କହିଲା ସେମାନଙ୍କ ମଧ୍ୟରୁ ଜଣେ ।

 

ପୁଣି ସମସ୍ତେ ହସିଉଠିଲେ । ମୋର ହାତ ଦୁଇଟାକୁ ଧରି ଟାଣି ଟାଣି ମୋତେ ସମୁଦ୍ର ଭିତରକୁ ଠେଲିଦେଲେ । ମୁଁ ଢେଉ ଉପରେ ଭାସିବାକୁ ଲାଗିଲି ଖୁବ୍ ଅସ୍ଥିର ଲାଗିଲା । ପରିଶେଷରେ ସମୁଦ୍ର ଭିତରେ ବୁଡ଼ିଗଲି । ଖୁବ୍ ଗଭୀରକୁ ଚାଲିଗଲି । ମୁକ୍ତା ଏବଂ ପୋହଳା ସମୁଦ୍ରର ଯେଉଁ ଆଧାରରେ ମିଳେ ସେଠାରେ ଯାଇ ପହଞ୍ଚିଲି । ଅଥଚ ମୁକ୍ତା ଏବଂ ପୋହଳା ଅପେକ୍ଷା ଢେର୍ ବେଶି ମୂଲ୍ୟବାନ୍ ସେହି ମୋ ଉପନ୍ୟାସ । ଟିକିଏ ସୁଦ୍ଧା ଓଦା ନ ହୋଇ ହାତରେ ମୋର ରହିଥାଏ ।

 

ମୁଁ ସମୁଦ୍ରର ଗଭୀରତମ ପ୍ରଦେଶକୁ ଚାଲିଯାଇଥିବା ବେଳେ, ସମୁଦ୍ରର ଏହି ଅଂଶକୁ ଯିବା ନିମନ୍ତେ ଇଚ୍ଛା ପ୍ରକାଶକରି କହିଥିବା ଜଣେ ନାରୀର ଉକ୍ତି ମୋ ସ୍ମୃତିମଧ୍ୟକୁ ଆସିଲା–‘ଆପଣ ମୋତେ ଥରେ ସୁଦ୍ଧା ଯଦି ସାକ୍ଷାତ ନ କରନ୍ତି, ତେବେ କ’ଣ ଭାବିଛନ୍ତି—ସମୁଦ୍ରଜଳ ମଧ୍ୟ ମୋତେ ସାକ୍ଷାତ କରିବନାହିଁ ? ଆପଣଙ୍କ ଅପେକ୍ଷା ସମୁଦ୍ରଜଳ ଅଧିକ ଦୟାଶୀଳ’—ବୋଲି କହିଥିବା ଲଳିତା...

 

ସେ ସେଠାରେ ପହଞ୍ଚିବାପୂର୍ବରୁ ମୁଁ ହିଁ ଆଗ ସେଠାରେ ପହଞ୍ଚିଗଲି । ତା’ ପାଇଁ ପ୍ରତ୍ୟେକ ଦିନ, ପ୍ରତ୍ୟେକ ମିନିଟ, ପ୍ରତ୍ୟେକ ମୁହୂର୍ତ୍ତ ମୁଁ ପ୍ରତୀକ୍ଷା କରିବି । ପ୍ରଣୟିନୀ ପାଇଁ ପ୍ରତୀକ୍ଷାରେ ରହିବାରେ ଯେଉଁ ଆନନ୍ଦ, ଦୁନିଆର ଅନ୍ୟ କେଉଁଥିରେ ତାହା ମିଳିପାରିବ ? ତା’ ସକାଶେ ମୁଁ ମୁକ୍ତାର ମାଳା ଗୁନ୍ଥି ରଖିବି । ପୋହଳାର ମାଳା ତିଆର କରିବି । ସେ ଏଠାରେ ପହଞ୍ଚିସାରିବା ପରେ ଉଭୟେ ତିମିମାଛ ପିଠିରେ ବସି ସମୁଦ୍ରରେ ବିହାର କରିବୁ । ଆମକୁ ଏଠାରେ କେହି ଭର୍ତ୍ସନା କରିବେନାହିଁ, କେହି ସମାଲୋଚନା କରିବେନାହିଁ, ଘୃଣା କରିବେ ନାହିଁ । ମୁଁ ସ୍ୱାମୀ, ସେ ହେବ ମୋ ସ୍ତ୍ରୀ ।

 

ଛାତ୍ରାବସ୍ଥାରେ ଭୂତପ୍ରେତ ଏବଂ ସେମାନଙ୍କ ସଂସାର ସମ୍ପର୍କରେ ଚର୍ଚ୍ଚା କରିବାରେ ମୋର ଟିକିଏ ଆଗ୍ରହ ଥିଲା । ମୃତବ୍ୟକ୍ତିଙ୍କ ପ୍ରେତାତ୍ମା ସମ୍ପର୍କରେ ମଧ୍ୟ ମୋର ଟିକିଏ ଧାରଣା ଥିଲା-। ସେଥିପାଇଁ ପୁନର୍ଜନ୍ମରେ ମୋର ବିଶ୍ୱାସ କମିନଥାଏ । ସମୁଦ୍ର-ସମ୍ରାଟଙ୍କ ଏହି ବିଶାଳ ସମୁଦ୍ର-ସାମ୍ରାଜ୍ୟରେ ଆମେ ପରସ୍ପରକୁ ନିଶ୍ଚୟ ଦିନେ ସାକ୍ଷାତ କରିବୁ—ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ହଠାତ୍ ମୋ ଅନ୍ତରରେ ଏକ କାମନା ଜାଗ୍ରତ ହେଲା । ଏଠାକୁ ଆସିବାକୁ ସେ ଆଉ କିଛି ଅଧିକା ଦିନ ନେଇପାରେ । ଇତିମଧ୍ୟରେ ମୋ ନିକଟରେ ଥିବା ଉପନ୍ୟାସଟିର ଶେଷ ଅଂଶ ଲେଖିସାରି, ଯେକୌଣସି ଉପାୟରେ ହେଉନା କାହିଁକି, ଏହା ତାର ଯେମିତି ହସ୍ତଗତ ହୁଏ ପ୍ରୟାସ କରିବି । ସେ ଏହାକୁ ଗ୍ରହଣ କରିବ । ହଜାର ହଜାର ବହି ମୁଦ୍ରଣ କରି ଆମ ଉଭୟଙ୍କୁ ଯେଉଁମାନେ ଭର୍ତ୍ସନା କରିଛନ୍ତି—ସେମାନଙ୍କ ହସ୍ତରେ ଅର୍ପଣ କରିବ ସେ । ପଢ଼ିସାରି ଆମ ପାଇଁ ସେମାନେ ଦୀର୍ଘନିଃଶ୍ଵାସ ଛାଡ଼ିବେ । ଆମ ପ୍ରତି ପ୍ରୟୋଗ କରିଥିବା କଟୁବାକ୍ୟମାନ ସ୍ମରଣ କରି ଲୁହ ଗଡ଼େଇବେ । ଆମ ପ୍ରତି ସେମାନଙ୍କ ଧାରଣା ଏମିତି ପରିବର୍ତ୍ତନ ହୋଇଆସିଲାବେଳକୁ ସେମାନଙ୍କ ଗହଣରେ ଆମେ ଆଉ ନଥିବୁ ।

 

ସମୁଦ୍ରର ତଳକୁ ତଳକୁ ଯାଉଥିବା ଦେଖି ଠିକ୍ ଏତିକିବେଳେ ମୋତେ ଲକ୍ଷ୍ୟକରି ଏକ ବିରାଟ ତିମିମାଛ ଆସି ପହଞ୍ଚିଲା । ମୋତେ ସେ ବୋହିନେବା ନିମନ୍ତେ ଆସିନଥିଲା—ଆସିଥିଲା ଗ୍ରାସ କରିବା ନିମନ୍ତେ । ସମୁଦ୍ର ପରିବର୍ତ୍ତେ ତାର ଉଦରସ୍ଥ ହେଲି ମୁଁ ।

 

ଏହା ଉପନ୍ୟାସର ଶେଷ ଅଧ୍ୟାୟ । ଏହାକୁ ଲେଖିବା ପୂର୍ବରୁ ଯାହାସବୁ ଘଟଣା ଘଟିଥିଲା, ସେତେବେଳେ ମୁଁ ସଂଜ୍ଞାହୀନ ଅବସ୍ଥାରେ । ଦୁଇଦିନ ପରେ ଲଳିତା ମୋ ଆଗରେ ସବୁକଥା ଟିକିନିଖି ବର୍ଣ୍ଣନା କରି କହିଥିଲା । ତା’ଠାରୁ ଶୁଣିବା ପରେ ହିଁ ଏହି ପୃଷ୍ଠାଗୁଡ଼ିକର ବିଷୟବସ୍ତୁ ଲେଖୁଛି ।

 

ପ୍ରଥମ କରି ଦୁଇଟୋପା ଗରମ ଲୁହ ମୋ କପାଳ ଉପରେ ପଡ଼ିଲା—ପରେ ପରେ କ୍ରମାଗତଭାବେ ପଡ଼ିବାକୁ ଲାଗିଲା । ମୋତେ ସେହି ଉଷୁମ ଅଶ୍ରୁର ମୁକ୍ତାମାଳା ଯେଉଁ ସୁଖ ପ୍ରଦାନ କରିଥିଲା, ତାହା ବର୍ଣ୍ଣନାତୀତ । ଚକ୍ଷୁ ଖୋଲିବାର ଆବଶ୍ୟକତାକୁ ମୋଟେ ଉପଲବ୍‌ଧି ନକରି ସେହି ସୁଖକୁ ମୁଁ ଉପଭୋଗ କରୁଥିଲି ।

 

“ଦୁରେଇବାବୁ ! ଦୁରେଇବାବୁ !” —ମୋ କାନର ଖୁବ୍ ନିକଟରେ ଏହା ଶୁଣିବାକୁ ପାଇଥିଲି ।

 

ଆଖି ଖୋଲିଲି । ମୋ ମୁହଁ ପାଖରେ ମୁହଁକୁ ରଖି ମୋ ଆଖିରେ ଆଖି ମିଳାଇ ଲୁହରେ ମୋତେ ବୁଡ଼ାଇସାରିଥାଏ ଲଳିତା । ହଁ...ହଁ, ଲଳିତା !

 

“ଲଳିତା, ମୁଁ ମରିବା ଆଗରୁ ତୁ ମରିଗଲୁ ନା କ’ଣ ? ତୁ କିମିତି ଏଠାକୁ ଆସିଲୁ ?”

 

ଆଶ୍ଚର୍ଯ୍ୟ ହୋଇ ସେ ମୋତେ ଚାହିଁଥିଲା ।

 

“ମୋତେ ଆପଣ ‘ତୁ’ ବୋଲି ସମ୍ବୋଧନ କଲେ ଯେ ! ଦିନେ ସୁଦ୍ଧା ଆପଣ ଏମିତି ଡାକି ନଥିଲେ ତ ?

 

“କହ ଲଳିତା, ତୁ କେତେବେଳେ ମରିଗଲୁ ? ଆଗେ ତୁ ଆଖିରୁ ଲୁହ ପୋଛେ—ନା, ମୁଁ ନିଜେ ପୋଛିଦେବି ?”

 

“ନା, ମୁଁ ହିଁ ପୋଛୁଚି ।”

 

ସେ ଟିକିଏ ଘୁଞ୍ଚି ବସିଲା । ଶାଢ଼ି କାନିରେ ତା’ର ଲୁହ ପୋଛିଲା । ମୋତେ ହସ ମାଡ଼ିଲା ।

 

“ଆଉ ଆମର ଦରକାର ନାହିଁ ସେହି ପୃଥିବୀର ସଭ୍ୟତା, ସାମାଜିକ କଟକଣା, ଚାଲିଚଳନ । ଆଜି ମୁଁ ଏବଂ ତୁ ଅଲଗା ଅଲଗା ନୋହୁଁ । ଆମ ପାଇଁ ସେହି ପୃଥିବୀ ଆଜି ମୃତ । ଆମେ ନୂତନ ଯୁଗର ନୂତନ ପ୍ରାଣୀ ଲଳିତା ! କାହିଁକି ଏମିତି ଚାହୁଁଛୁ ?”

 

“ହେ ଭଗବାନ ! ପୁଣି ସେହି ମୂର୍ଚ୍ଛା !” କହି ବିବ୍ରତ ହୋଇପଡ଼ିଲା ଲଳିତା । ପରେ ମୋତେ କହିଲା—“ବେଶି କଥାବାର୍ତ୍ତା କରନ୍ତୁ ନା, ଆପଣଙ୍କୁ ମୁଁ ଅନୁରୋଧ କରି କହୁଛି—ଚୁପ୍ ରହନ୍ତୁ ।”

 

“ମୂର୍ଚ୍ଛା ! ସମୁଦ୍ର ଭିତରେ ବୁଡ଼ି ତିମି ମାଛର ପେଟ ଭିତରକୁ ଚାଲିଯିବା ପରେ ମୂର୍ଚ୍ଛା କିପରି ସମ୍ଭବ ?”

 

“ଟିକିଏ ଚୁପ୍ ରହନ୍ତୁ ।” —ପୁଣି କାକୁତି-ମିନତି ହୋଇ କହିଲା । ଉଠିଯାଇ କାଚ ଗିଲାସଟିଏରେ ଲାଲ ରକ୍ତବର୍ଣ୍ଣର କିଛି ପାନୀୟ ଆଣିଲା । ତାକୁ ପିଇଲି । ତାହା ଏତେ ପିତାଳିଆ ଥିଲା ଯେ ପେଟ ଭିତରଟା ଘାଣ୍ଟିଚକଟି ହୋଇଗଲା । ପିତାଳିଆ ହେଲେ କ’ଣ ହେଲା—ଲୁଣିଆ ହେଲେ କ’ଣ ହେଲା—ଲଳିତା ଯଦି ତାହା ନିଜ ହାତରେ ଦିଅନ୍ତା, ତେବେ ହଜାରେ ଗିଲାସ ବିଷପାନ କରିବାପାଇଁ ମଧ୍ୟ ପ୍ରସ୍ତୁତ ହୁଅନ୍ତି ।

 

ଗିଲାସଟିକୁ ତଳେ ଥୋଇଦେଇ ମୋତେ ବହୁତ ସମୟ ନିରେଖି ଚାହିଁଲା—ସଦ୍ୟ ଜନ୍ମ କରିଥିବା ଟିକି ଛୁଆକୁ ଯେମିତି ତା’ ମା’ ଲକ୍ଷେ ଆଶା ନେଇ ଚାହିଁରହେ—ଠିକ୍ ସେହି ଚାହାଁଣିରେ-। ମୁହଁରେ ଭରିଥିଲା ଭାବନାରାଶି । ଦୀର୍ଘ ନିଃଶ୍ୱାସ ପକାଇଲା । ଓଠଯୋଡ଼ିକ ତାର ଥରିବାକୁ ଲାଗିଲା ।

 

ସେ ଦେଇଥିବା ପାନୀୟ ମୋ ଭିତରେ କିଛି ପରିବର୍ତ୍ତନ ଆଣିଥିଲା ବୋଧହୁଏ । ଆଖି ଯୋଡ଼ିକୁ ପୂରା ଖୋଲି ପାରିଥିଲା । ମୋ ଦେହସାରା ବିଜୁଳି ଖେଳିଗଲା ଭଳି ମନେହେଲା । ଚାରିଆଡ଼େ ନିରୀକ୍ଷଣ କଲି । ତାହା ଥିଲା ଗୋଟିଏ ପ୍ରଶସ୍ତ କୋଠରି । ଅନେକ ବିଜୁଳିବତି; ମୋ ମୁଣ୍ଡ ଉପରେ ପଙ୍ଖାଟିଏ ଘୂରୁଥିଲା । ମୁଁ ଗୋଟିଏ ଖଟିଆରେ ପଡ଼ିରହିଥିଲି । ଉପରେ ମୋର ଏକ କମ୍ବଳ ଢାଙ୍କି ଦିଆଯାଇଥାଏ । ଟିକିଏ ଗରମବୋଧ କରିବା ଯୋଗୁଁ ତାକୁ ମୁଁ ବାହାରକରି ଫୋପାଡ଼ି ଦେଲି । ତାହା ଦେଖି ଲଳିତା ଆନନ୍ଦରେ ବିଭୋର ହୋଇଉଠିଲା । କହିଲା—“ଆଉ ଆପଣଙ୍କର କିଛି ଅସୁବିଧା ହେବନି—ସବୁ ଠିକ୍ ହୋଇଗଲା ।”

 

ମୁଁ ଅଳ୍ପ କିଛି ବୁଝିପାରିଲି । କିନ୍ତୁ ପୁରା ଘଟଣା କ’ଣ ବୁଝିପାରିନଥିଲି ।

 

ସେ କହିବାକୁ ଲାଗିଲା—“ଆପଣ ସମୁଦ୍ରକୂଳରେ ପଡ଼ିରହିଥିଲେ; ଦିହରେ ଜ୍ଵର ଥିଲା-। ସୌଭାଗ୍ୟକୁ ଆମେ ଦୁହେଁ ସେଇଆଡ଼େ ଯାଇଥିଲୁ । ଆପଣ ବର୍ତ୍ତମାନ ଆମ ଘରେ ହିଁ ଅଛନ୍ତି-।”

 

“ତାହେଲେ ମୋତେ କ୍ଷମା ଦିଅନ୍ତୁ ଲଳିତା ଦେବୀ...ମୁଁ ଆପଣଙ୍କୁ ‘ତୁ’ ବୋଲି ସମ୍ବୋଧନ କରିଛି ! ନା, ନା, ଆପଣ...ଲଳିତା ଦେବି !”

 

“ନା, ମୋର ଦରକାର ନାହିଁ—ମୋତେ ‘ତୁ’ ବୋଲି ହିଁ ସମ୍ବୋଧନ କରନ୍ତୁ । ଆପଣ ସେମିତି ସମ୍ବୋଧନ କଲେ ମୋତେ କେତେ ଖୁସି ଲାଗେ ଜାଣନ୍ତି ? କେତେ କ’ଣ ସବୁ କହିପକେଇଲେ ଆପଣ !”

 

ମୁଁ ନୀରବ ରହିଲି—ସେ ମଧ୍ୟ ।

 

ଫୋନ୍ ଘଣ୍ଟି ଟ୍ରିଂ ଟ୍ରିଂ ବାଜିଲା । ଶୀଘ୍ର ଯାଇ ରିସିଭର ଧରିଲା ସେ । “ସାର୍ ? ଡାକ୍ତରବାବୁ ତ ? —ଅବସ୍ଥା ଟିକିଏ ଭଲଅଛି ସାର୍ ! ଆପଣଙ୍କ କହିବା ଅନୁସାରେ ଦେହସାରା ଥରଟିଏ ଝାଳ ବହିଗଲା । ଔଷଧ ଦେଲି । ବର୍ତ୍ତମାନ ଠିକ୍ କଥାବାର୍ତ୍ତା କରୁଛନ୍ତି । ଖାଇବା ପାଇଁ ଭାତ ଦିଆଯିବ କି ? ଆଚ୍ଛା ଠିକ୍ ଅଛି । ବହୁତ ଧନ୍ୟବାଦ । ରିସିଭର୍‌କୁ ଯଥାସ୍ଥାନରେ ଥୋଇଲା ଲଳିତା ।

 

“କିଏ ସେ ବାବୁଜଣକ ?”—ପଚାରିଲି ।

 

“ଡାକ୍ତରବାବୁ, ଆପଣଙ୍କୁ ସମୁଦ୍ରକୂଳରୁ ଉଠେଇ ଆଣିବାବେଳେ, ତାଙ୍କୁ ମଧ୍ୟ ସାଥିରେ ଆଣିଥିଲୁ । ଏଠାରେ ସେ ଆପଣଙ୍କୁ ପ୍ରାୟ ଘଣ୍ଟାଏକାଳ ପରୀକ୍ଷା–ନିରୀକ୍ଷା କଲେ । ମାନସିକ ଅଶାନ୍ତି ଯୋଗୁଁ ଜର ହୋଇଛି—ଚଞ୍ଚଳ ଭଲ ହୋଇଯିବେ ବୋଲି କହିଛନ୍ତି । କିନ୍ତୁ ଭଲ ହୋଇସାରିବା ପରେ ମଧ୍ୟ ଶାନ୍ତିରେ ଏଠାରେ କିଛିଦିନ ଆମ ସହିତ ରହିବା ଦରକାର—ଏହା ଡାକ୍ତରଙ୍କ ପରାମର୍ଶ ।”

 

“ତା’ କିନ୍ତୁ ହୋଇପାରିବନି, ଆସନ୍ତା କାଲି ହିଁ ବମ୍ବେ ଯିବାକୁ ବାହାରିଛି ।”

 

“ତା’ କିନ୍ତୁ ହୋଇପାରିବନି, ଆମେ ଦିହେଁ ଆପଣଙ୍କୁ ଯିବାକୁ ଦେବୁନି ।”

 

ଏତିକିବେଳେ ଯାଇ ସେମାନେ ଦି’ଜଣ ବୋଲି ମୋର ଖିଆଲ ପଡ଼ିଲା । ବର୍ତ୍ତମାନ ସୁଦ୍ଧା ଲଳିତା ବିଷୟରେ ହିଁ ମୋ ସ୍ମୃତି ସୀମାବଦ୍ଧ ଥିଲା । ଏହିକ୍ଷଣି ନାରାୟଣସ୍ଵାମୀ ମଧ୍ୟ ମୋ ସ୍ମୃତିକୁ ଆସିଲେ ।

 

ମୁଁ ପଚାରିଲି—“ସେ କାହାନ୍ତି ? ମୁଁ ତାଙ୍କୁ ପୂରା ପାଶୋରି ପକେଇଥିଲି ।”

 

“ଆପଣ ଚକ୍ଷୁ ଖୋଲି ଚାହିଁବା ଟିକିଏ ପୂର୍ବରୁ ସେ ଉପରମହଲାକୁ ଚାଲିଗଲେ । ଏପର୍ଯ୍ୟନ୍ତ ଆପଣଙ୍କ ପାଖରେ ହିଁ ବସିଥିଲେ । ଆପଣଙ୍କ ପ୍ରତି ନଜର ରଖିବା ପାଇଁ କହିଯାଇଛନ୍ତି-। ତାଙ୍କୁ ଡାକିବି ?”

 

“ନା, ସେ ଶୁଅନ୍ତୁ—ସକାଳେ ସାକ୍ଷାତ କରିବି ।”

 

ଲଳିତା ଯାଇ ରୁଟି ଏବଂ ଗରମ ଦୁଧ ଆଣିଲା । କମଳା ଛଡ଼େଇ ପ୍ଲେଟ୍‌ରେ ରଖିଲା । ପୂର୍ବଦିନ ରାତିରୁ କିଛି ନଖାଇ ଭୋକିଲା ଥିବା ଯୋଗୁଁ ସେ ସବୁକୁ ଖୁବ୍ ରୁଚିର ସହିତ ଖାଇଦେଲି । ଏତିକିବେଳେ ଗତ କାଲି ମଧ୍ୟାହ୍ନରେ ନଡ଼ିଆଗଛ ଛାଇରେ ଭୋକରେ କଲବଲ ହୋଇ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ଦୃଶ୍ୟ ମୋର ମନେପଡ଼ିଲା ।

 

ମୋ ଖାଇବାର ଢଙ୍ଗ ଦେଖି ସେ ଟିକିଏ ମୁରୁକି ହସିଥିଲା । ଖାଇସାରିବା ପରେ ପଚାରିଥିଲା, “ନିଦମାଡ଼ୁଛି ?”

 

“ନା”

 

“କାହିଁକି ?”

 

“ଆପଣ ଏଠି ଅଛନ୍ତି ବୋଲି !— ଆଖି ବନ୍ଦକରି ଯଦି ଶୋଇଯାଏ, ତେବେ ଆପଣଙ୍କୁ କିମିତି ଦେଖିପାରିବି ?”

 

“ମୁଁ କିନ୍ତୁ ଆପଣଙ୍କ ପରି ନୁହେଁ । ନିଦରେ ଶୋଇଯିବା ପରେ ମଧ୍ୟ, ଯାହାକୁ ଚାହେଁ ତାକୁ ସପନରେ ଦେଖେ ।”

 

ସେ ଏମିତି କହିଲାବେଳେ ମୋ ବେଦନା ବଢ଼ିବାକୁ ଲାଗିଲା । ଜୀବନଟା ହିଁ ତା ପାଇଁ ଏକ ସ୍ଵପ୍ନ । ତାର ଅଭିଳଷିତ ସୁଖଶାନ୍ତିକୁ ସ୍ଵପ୍ନରେ ଦେଖିବା ବ୍ୟତୀତ ବାସ୍ତବରେ କେବେ ହେଁ ଚରିତାର୍ଥ କରିପାରିବ ନାହିଁ ।

 

“ଆପଣଙ୍କ ଆଦେଶାନୁଯାୟୀ ବର୍ମା ଯିବା ପୂର୍ବରୁ ଆପଣଙ୍କୁ ସାକ୍ଷାତ କଲି । ସମୁଦ୍ର ଜଳକୁ ଆଉ କିଛି ଅସୁବିଧାରେ ପକେଇବେ ନାହିଁ ତ !”

 

“ଆପଣ ମୋତେ ସାକ୍ଷାତ କରିବାପାଇଁ ତ ଆସିନଥିଲେ—ବରଂ ମୁଁ ଆପଣଙ୍କୁ ଖୋଜି ଆଣିଛି ।”

 

“ଯାହାହେଉ ଆମେ ପରସ୍ପରକୁ ସାକ୍ଷାତ କରିପାରିଲେ—ଭଗବାନ ହିଁ ବଡ଼ ।”

 

“ଏଠି ଆପଣଙ୍କୁ ଏକସପ୍ତାହ ରହିବାକୁ ହେବ, ଡାକ୍ତରବାବୁ କହିଛନ୍ତି ।”

“କ୍ଷମା କରିବେ—ଭୋର ଛଅଟା ପୁର୍ବରୁ ବାହାରିପଡ଼ିବି । ଛଅଟା ବାଜିବା ପରେ ଏକମିନଟ୍ ସୁଦ୍ଧା ଡେରି କରିପାରିବି ନାହିଁ ।”

ମୋତେ ଅଟକେଇଦେବା ପାଇଁ ଜିଦ୍‌ଧରି ବହୁତ ବାଧ୍ୟ କରିଥିଲା । ସ୍ୱାସ୍ଥ୍ୟ ପୁଣି ବିଗିଡ଼ିଯିବ ବୋଲି କାରଣ ଦର୍ଶାଇଥିଲା । ତଥାପି ତାର ସେହି ଜିଦ୍‌ଧରି ବସିବା ପଛରେ କିଛ ଗୁଢ଼ ରହସ୍ୟ ଥିବାପରି ମୋତେ ଲାଗିଲାନାହଁ ।

“ଲଳିତା ! ଆଉ ଏକ ସପ୍ତାହ କାହିଁକି, ଏକ ବର୍ଷ ଏଠି ରହିଲେ ମଧ୍ୟ ଆମର ବିଚ୍ଛେଦ ସୁନିଶ୍ଚିତ । ଏକସପ୍ତାହ ପରେ ପରସ୍ଥିତି ଜଟିଳତର ହୋଇପଡ଼ିବ । ସୁତରାଂ ମୋ ନିଷ୍ପତ୍ତିରେ ବାଧା ଦିଅନ୍ତୁନାହିଁ । ବର୍ତ୍ତମାନ ଯେଉଁ ଅମୂଲ୍ୟ ସମୟ ଆମେ ପାଇଛେ, ଟିକିଏ ଖୁସି ଗପସପ କରି କଟେଇଦେବା । ଏହିକ୍ଷଣି କାହିଁକି ସେହି ବିଚ୍ଛେଦ ବେଦନା ?”

“ଠିକ୍ ଅଛି, ଆପଣ ଯେମିତି ଚାହାଁନ୍ତି, ଆପଣ ଗପନ୍ତୁ—ଆଉ ମୁଁ ଶୁଣିବି ।”

ହଠାତ୍ ବିଛଣାରୁ ଉଠିବସିଲି । ଖଟିଆ ଚାରିପଟେ ଆଖି ବୁଲେଇଲି । କୌଣସିଠାରେ ସୁଧା ମୋ ଉପନ୍ୟାସଟିକୁ ଦେଖିପାରିନଥିଲି ।

“ମୋ ପାଣ୍ଡୁ ଲିପି କେଉଁଠି ? ସମୁଦ୍ରକୂଳରେ ରହିଗଲା ନା କ’ଣ ?”

“ଖୁବ୍ ନିରାପଦରେ ଅଛି, ସେ ଉପରକୁ ନେଇଛନ୍ତି ।”

ଟିକିଏ ଆଶ୍ୱାସନା ପାଇଲି ।

ସେହି ରାତିରେ ଘଣ୍ଟା–ଘଣ୍ଟାଧରି ଖୁସି ଗପସପ କରି, ନୀରବ ରହି, ପରସ୍ପର ପ୍ରତି ଦୃଷ୍ଟି ନକ୍ଷେପ କରି, ଦୃଷ୍ଟି ନିକ୍ଷେପ ନକରି, କେତେବେଳେ ହସି, କେତେବେଳେ କାନ୍ଦି ସମୟ ବିତେଇଥିଲୁ । ଯୁବକ–ଯୁବତୀଙ୍କ ଭଳି କମ୍ ବୟସ୍କ–ବୟସ୍କାଙ୍କୁ ରାତ୍ରି କୁଆଡ଼େ ପାଗଳ କରିଦେଇଥାଏ । ଆମେ ମଧ୍ୟ ପାଗଳ ହୋଇଯାଇଥିଲୁ । କିନ୍ତୁ ଆମକୁ ସେହି ରାତ୍ରି କାମାସକ୍ତ କରିନଥିଲା । ସେହି ରାତ୍ରିର ନିର୍ଜନତା ଆମ ଉଭୟଙ୍କୁ ପ୍ରେମାସକ୍ତ କରିବା ନିମନ୍ତେ ଧୈର୍ଯ୍ୟ ଯଦିଓ ଦେଇଥିଲା, ଆମକୁ କଳୁଷିତ କରିବା ନିମନ୍ତେ ସାହସ ତାର ନଥିଲା ।

ନିଦର ଚାପାରେ ଆଖିପତା ନଇଁଆସୁଥାଏ । ସ୍ଵାସ୍ଥ୍ୟର ଅସ୍ୱାଭାବିକ ପରିସ୍ଥିତି ଦୃଷ୍ଟିରୁ ନିଦରେ ଶୋଇଯିବାକୁ ଇଚ୍ଛା କଲି । କେତେବେଳେ ଯେ ମୁଁ ନିଦ୍ରାଦେବୀଙ୍କ କୋଳରେ ଆଶ୍ରୟ ନେଲି, ଜାଣେନାହିଁ ।

କାନ୍ଥଘଡ଼ିରେ ପାଞ୍ଚଟା ବାଜିଲା । ଝରକା ଦେଇ ପୂର୍ବାକାଶକୁ ଚାହିଁଲି । ରାତି ପାହି ଆସୁଥାଏ । ଲଳିତା ଆରାମଚୌକିରେ ବସି ହଁ ଶୋଇପଡ଼ିଥିଲା । ସେ ଉଠିବା ପୁର୍ବରୁ ତା’ ଅଜାଣତରେ ତାର ମୁଖମଣ୍ଡଳର ସୌନ୍ଦର୍ଯ୍ୟ–ପୀୟୁଷକୁ ଆକଣ୍ଠ ପାନ କରିବାକୁ ଇଚ୍ଛା କଲି । ଅଯଥାରେ ଆଖି ବନ୍ଦକରି ଏପରି ଏକ ମନୋମୁଗ୍‌ଧକର ଦୃଶ୍ୟ ଉପଭୋଗ କରିବା ସୁଯୋଗ ହରେଇବା ମୁଁ ଚାହିଁନଥିଲି ।

ସେ ଚକ୍ଷୁ ଖୋଲିଲା । ଖୋଲା ଚକ୍ଷୁଦ୍ୱୟ ମୋତେ ଚାହିଁ ହସିଲେ—ଆହା ! ଆଉ ଟିକିଏ ଶୋଇଥିଲେ କ’ଣ ହୁଅନ୍ତାନି ? ମୋ ଉପଭୋଗ ବାଧାପ୍ରାପ୍ତ ହେଲା । ଆଉ ମୁଁ କେଉଁ ଜନ୍ମରେ ଅବା ତାକୁ ସେମିତି ଅବସ୍ଥାରେ ଦେଖିପାରିବି ?

“ବହୁତ ଆଗରୁ ଉଠିପଡ଼ିଲେ ନା କ’ଣ ?”

“ନା ପାଞ୍ଚମିନିଟ୍ ମଧ୍ୟ ହେବନାହିଁ ।”

“ରହନ୍ତୁ, ପାଞ୍ଚମିନିଟ୍‌ରେ ଆସୁଛି” କହି ଚଟ୍‌କିନା ଆରାମଚୌକିଟାରୁ ଉଠିପଡ଼ି ବାହାରକୁ ଚାଲିଗଲା । ବାହାର ପୂରା ଉଜ୍ଜ୍ଵଳ ହୋଇସାରିଥାଏ । ହାତରେ ବ୍ରସ୍‍ ଏବଂ ଟୁଥ୍‌ପେଷ୍ଟ ଧରି ଆସି “ପାଣି ଗରମ କରାହୋଇଛି—ଗାଧୋଇପଡ଼ନ୍ତୁ ।” କହିଲା ସେ ।

ଗତ କାଲିଠାରୁ ଦେହରେ ମୋର ବସା ବାନ୍ଧିଥିବା ଦରଜ ଦୂର କରିବା ନିମନ୍ତେ ଗରମପାଣିରେ ଗାଧୁଆ ସାରିଲି । ବନ୍ଧୁ ନାରାୟଣସ୍ଵାମୀଙ୍କ ଲୁଙ୍ଗି ତଉଲିଆ ରଖାହୋଇଥିଲା, ପିନ୍ଧିଲି । ଟେବୁଲ ଉପରକୁ କଫି ଆସିଲା; ପିଇଲି । ଅଇନା ସମ୍ମୁଖରେ ଠିଆହୋଇ ମୁଣ୍ଡ କୁଣ୍ଡେଇଲି । କାହିଁକି କେଜାଣି ଆଇନାରେ ମୋ ଚେହେରା ମୋତେ ମଳିନ ଦେଖାଗଲା । ପାନିଆ ଧରି କୁଣ୍ଡାଉଥିବା ବାଁ ହାତ ଥରିବା ଅନୁଭବ କଲି । ଚେହେରା ମଳିନ ଦେଖାଯିବା ପାଇଁ ଅଇନା ଦାୟୀ ନଥିଲା । ଦାୟୀ ଥିଲା ଆଖିରୁ ମୋର ଝରିପଡ଼ିଥିବା ଅଶ୍ରୁ । ରୁମାଲ ବାହାରକରି ପୋଛିଲି । ମୁଁ ଏତେ ଭୀରୁ ହୋଇଯିବି ବୋଲି ଦିନେ ସୁଦ୍ଧା କଳ୍ପନା କରିନଥିଲି । ସତେ କ’ଣ ତାହା ଥିଲା ମୋ ଚକ୍ଷୁର ଅଶ୍ରୁ ?

ଆଇନାରେ ଆଉ ଗୋଟିଏ ପ୍ରତିବିମ୍ବ ଦେଖିବାକୁ ପାଇଲି । ତାହା ଥିଲା ଲଳିତାର । ଲଳିତା ମୋ ନିକଟରେ ଠିଆହୋଇଥିଲା । ଭାବାବେଶ ଅନ୍ତରକୁ ମୋର ପୂରାପୂରି ଖୋଲି ଲଳିତାକୁ ଦେଖେଇ ସାରିଥିଲା । ମୋ ଚକ୍ଷୁରେ ଅଶ୍ରୁ ଦେଖି ଛୋଟ ଛୁଆଙ୍କ ଭଳି ସେ କଇଁକଇଁ କାନ୍ଦିବାରେ ଲାଗିଲା । କେତେ ଯେ ଅଶ୍ରୁ ଝରେଇଥିଲା ତା’ର କଳନା ନାହିଁ ।

ମୁଣ୍ଡ କୁଣ୍ଡାଇସାରି ପଛକୁ ବୁଲିଲି । ମୋତେ ରାସ୍ତା ନ ଦେବା ଉଦ୍ଦେଶ୍ୟରେ ମୋ ସମ୍ମୁଖରେ ଠିଆହୋଇଗଲା ସେ । ତା’ ଓଠ ଥରିବାକୁ ଲାଗିଲା । ପଚାରିଲା—“ଆପଣ କ’ଣ ନିଶ୍ଚୟ ଚାଲିଯିବେ ?”

“ଅନ୍ୟ ଉପାୟ ?”

“ନା, ଆପଣ ରହିଯାନ୍ତୁ ।”

ମୋତେ ଲାଗିଲା, ଆଉ ଯଦି ଏକ ସେକେଣ୍ଡ ତା’ ସମ୍ମୁଖରେ ଠିଆହୋଇ ବିଳମ୍ବ କରେ, ତେବେ ତାହା ମୋର ମୌଳିକ ନୀତି ଉପରେ ଆଞ୍ଚ ଆଣିବ । ମୁଣ୍ଡ ପୋତି କୁଣ୍ଠାର ସହିତ ଟିକିଏ ଠିଆହେଲି ।

“ମୁଁ ଚାଲିଯିବି ଲଳିତା ! ଯିବା ପୂର୍ବରୁ ତାଙ୍କୁ ଥରେ ସାକ୍ଷାତ କରି କଥା ହେବା ଚାହେଁ । ଉଠିଥିବେ ତ ?”

“ଉଠିବା ସମୟ ତ, ଏଇ ଦେଖନ୍ତୁ—ସେହି ବଖରାରେ ସେ ଥିବେ ।” କହି ଉପର ମହଲାର ଏକ ବଖରାକୁ ଆଙ୍ଗୁଠି ସଂକେତରେ ଦେଖେଇଥିଲା ।

ମୁଁ ସିଡ଼ି ଚଢ଼ିଲି । ସେ ମଧ୍ୟ ମୋ ପଛେ ପଛେ ଆସିଲା । ଦରଜା ବନ୍ଦ ଥାଏ, ଖୋଲିଲି-। ଭିତରେ ନାରାୟଣସ୍ୱାମୀ ନଥିଲେ । ବିଛଣା ଗୋଟାସରିଥାଏ । ସେଠାରେ ଥିବା ଗୋଟିଏ ଚୌକିରେ ବସିଲି । ଲଳିତା ତଳକୁ ଯାଇ ତାଙ୍କୁ ଖୋଜି ଫେରିଆସିଲା । ସେ ଭାରି ବିବ୍ରତ ଜଣାପଡ଼ୁଥିଲା । ଭୟମିଶା ବ୍ୟାକୁଳତାର ସହିତ କୋଠରିଟିର ଚାରିପଟେ ଲକ୍ଷ୍ୟକଲା-

“କେଉଁଠି ତ ସେ ଦେଖା ଯାଉନାହାନ୍ତି !” —କହିଲା ।

ମୁଁ କିଛି ବୁଝିପାରିଲି ନାହିଁ । ଉଠିଯାଇ ତାଙ୍କ ଟେବୁଲ୍ ଦେଖିଲି । ତା’ ଉପରେ ମୋ ଉପନ୍ୟାସ ରହିଥିଲା । ତାକୁ ଉଠେଇ ଆଣିବାବେଳେ ସେଥିରୁ ଖଣ୍ଡିଏ ଲଫାପା ଖସି ତଳେ ପଡ଼ିଗଲା । ତା ଦେହରେ ଲେଖାଥିବା ଠିକଣା ଦେଖିଲି—‘ଦୁରେଇ —ଲଳିତା’ ଉଭୟଙ୍କୁ ଲେଖାହୋଇଥିଲା । ୟା’ରି ଭିତରେ ଲଳିତା ଦୌଡ଼ି ଦୌଡ଼ି ଆସି ମୋ ପାଖରେ ଠିଆହେଲା । ଆଖି ତା’ର ଲୋତକପୂର୍ଣ୍ଣ ହୋଇସାରିଥିଲା ।

‘ସ୍ନେହର ସନ୍ତାନଦ୍ୱୟ’—ବୋଲି ଚିଠି ଲେଖା ଆରମ୍ଭ ହୋଇଥିଲା । ଚିଠିଟା ଟିକିଏ ଲମ୍ବା ଥିବା ଯୋଗୁଁ କେବଳ ଶେଷ ଦୁଇଧାଡ଼ି ହିଁ ପଢ଼ିଲି...

“ସେଥିପାଇଁ ମୁଁ ଆଜି ଉଡ଼ାଜାହାଜ ଯୋଗେ ବର୍ମା ଯାତ୍ରା କରୁଛି । ଏହାପୂର୍ବରୁ ହିଁ ପାସ୍‌ପୋର୍ଟର ବନ୍ଦୋବସ୍ତ କରିଥିଲି । ଦୟାକରି ମୋତେ ଖୋଜିବାର ପ୍ରୟାସ କରି ଅଯଥାରେ କୁଆଡ଼େ ଯିବନାହିଁ । ମୋର ସ୍ନେହ ମମତା ତୁମମାନଙ୍କର ଗ୍ରହଣ କରିବା ଉଚିତ । ପୁଣି ଥରେ ତୁମମାନଙ୍କୁ ଅନୁରୋଧ କରୁଛି—ତୁମେମାନେ ମିଳିମିଶି ଏକାତ୍ମା ହୋଇ ଜୀବନଯାପନ କର । ତୁମମାନଙ୍କୁ ମୋର ହାର୍ଦ୍ଦିକ ଆଶୀର୍ବାଦ ।

ଇତି

ନାରାୟଣସ୍ୱାମୀ”

“ପୂରା ଆଉଥରେ ପଢ଼ନ୍ତୁ ।” ଲଳିତା ଥରିଲା କଣ୍ଠରେ କହିଲା ।

“ପଢ଼ିବାପାଇଁ ବର୍ତ୍ତମାନ ସମୟ ନାହିଁ; ଶୀଘ୍ର ବାହାରନ୍ତୁ । ଉଡ଼ାଜାହାଜ ପଡ଼ିଆରେ ଯାଇ ପହଞ୍ଚିଗଲେ ଯେମିତି ହେଉ ତାଙ୍କୁ ଫେରାଇ ଆଣିପାରିବା ।”

କାର୍ ନେଇ ଉଭୟେ ବାହାରିଲୁ । ଚିଠିଟିକୁ ସାର୍ଟ ପକେଟରେ ରଖିଲି । ମୁଣ୍ଡ ବାଳକୁ ଖାଲିହାତରେ ବି ନ ସଜାଡ଼ି ମନମାରି ପଛସିଟ୍‌ରେ ବସିଥାଏ ଲଳିତା । କାର୍ ଅଶୀ ମାଇଲରୁ ଅଧିକା ବେଗରେ ଛୁଟିଥାଏ ।

ଉଡ଼ାଜାହାଜଟିର ଯାତ୍ରାରମ୍ଭ ପାଇଁ ମାତ୍ର ପାଞ୍ଚମିନିଟ୍ ବାକିଥିଲା । ଷ୍ଟେସନ ସୀମା ଭିତରକୁ କାର୍ ଆସିବା ଆଗରୁ ଦେଖିନେଇଥିଲେ ନାରାୟଣସ୍ୱାମୀ । ଆମକୁ ଲକ୍ଷ୍ୟକରି କ୍ଷିପ୍ରଗତିରେ ସେ କାର୍ ପାଖକୁ ଆସିଲେ । କାର୍‌କୁ ଠିଆକଲି । ଦରଜା ଖୋଲି ଦୌଡ଼ି ଦୌଡ଼ି ଯାଇ ଲଳିତା ତାଙ୍କ ପାଦତଳେ ଲୋଟିପଡ଼ିଲା । ପାଦଯୋଡ଼ିକୁ ନଛାଡ଼ି ସେମିତି ଧରିରହିଲା । ଭୂଇଁରୁ ମୋଟେ ଉଠିନଥିଲା ସେ । କାର୍‌ରୁ ଓହ୍ଲାଇ ଆସ୍ତେ ଆସ୍ତେ ତାଙ୍କଆଡ଼କୁ ଗଲି ମୁଁ ।

ନାରାୟଣସ୍ୱାମୀ ଟିକିଏ ବଳପ୍ରୟୋଗ କରି ଲଳିତାକୁ ତଳୁ ଉଠେଇଲେ । କଇଁକଇଁ ହୋଇ ବେଶି କାନ୍ଦିବାକୁ ଲାଗିଲା ଲଳିତା । କହିଲା—“ମୋତେ କ୍ଷମା କର, ମୁଁ ଯାହା ଯାହା କରିଛି ସବୁ ଭୁଲ—ସବୁ ଭୁଲିଯାଅ । ଘରକୁ ଫେରିଆସ ।”

ନାରାୟଣସ୍ୱାମୀ ମୋତେ ଚାହିଁଲେ । ତାଙ୍କୁ ଓଲଟି ଚାହିଁବାପାଇଁ ମୋର ସାହସ ନଥିଲା-

“ଆପଣଙ୍କ ସୁଖମୟ ଜୀବନକୁ ମୁଁ ନଷ୍ଟ କରିଦେଇଛି, ଆଉ ମୋଟେ ଏମିତି ଭୁଲ କରିବିନାହିଁ । ଦୟାକରି ଫେରିଆସନ୍ତୁ ।” ମୁଁ କହିଲି ।

ନାରାୟଣସ୍ୱାମୀ ମୋତେ ଦେଖି ହସିଲେ । ଲଳିତା ପାଖକୁ ଯାଇ, “ପ୍ରଥମେ ତୁ କାନ୍ଦିବା ବନ୍ଦ କର” ବୋଲି କହିଲେ । ଲଳିତା ଲୁହ ପୋଛିଲା ।

“ତୁମ ଦୁଇଜଣଙ୍କ ପାଇଁ ମୁଁ ଏହା କହିରଖୁଛି...ପ୍ରଥମ କଥା ହେଲା—ତମେ କେହି ଭୁଲ କରିନାହଁ ବୋଲି ତମମାନଙ୍କର ହୃଦ୍‌ବୋଧ ହେବା ଦରକାର । ତେବେ ଯାଇ ମୋତେ ତମେମାନେ ବୁଝିପାରିବ । ମୁଁ କହୁଛି; ଭୁଲ ତ ମୋଟେ ହେଇନି—ତେବେ କ୍ଷମା କାହିଁକି ? ଲୁହ କାହିଁକି ?” ନାରାୟଣସ୍ୱାମୀ କହିଲେ ।

“ଯାହା ହୋଇଥାଉନା କାହିଁକି, ତମେ ବର୍ତ୍ତମାନ ଘରକୁ ଚାଲ ।” ଲଳିତା କହିଲା ।

“ମୋ ଚିଠିଟି ତମେମାନେ ପୂରା ପଢ଼ିଛ ତ ? ତାହା ବର୍ତ୍ତମାନ ଅଛି କେଉଁଠି ?” ପଚାରିଲେ । ପକେଟରୁ ବାହାର କରି ଦେଲି ।

“ମୋଟେ ପଢ଼ିନି—ପଢ଼ିବାର ଆବଶ୍ୟକତା ମଧ୍ୟ ନାହିଁ । ତମେ ହିଁ ମୋର ଦରକାର—ତମ ଚିଠି ନୁହେଁ ।” —ଲଳିତା କହିଲା ।

“ମୋ’ ପାଇଁ ଅନ୍ତତଃ ତୁମମାନଙ୍କର ଏହା ପଢ଼ିବା ଉଚିତ । ଏଥିରେ ଯାହା ମୁଁ ଲେଖିଛି, ତାହା ମୋର ଶେଷ ନିଷ୍ପତ୍ତି । ତାକୁ ମୁଁ ପରିବର୍ତ୍ତନ କରିବା ଚାହେଁନା । କାହିଁକି ଜାଣିଛ—ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ଏକ ଉତ୍ତମ କାମ ।”

ଲଳିତା ଚିଠିଟିକୁ ପଢ଼ିଲା, ମୁଁ ମଧ୍ୟ ପଢ଼ିଲି ।

“ଦୁରେଇ ! ଲଳିତା ତମପାଇଁ ହିଁ ଜନ୍ମ ଗ୍ରହଣ କରିଛି । ଏହା ମୁଁ ବହୁତଦିନ ଆଗରୁ ଜାଣିପାରିଛି । ସୁତରାଂ ତମମାନଙ୍କ ହୃଦୟରେ ମମତା ବଢ଼େଇବା ନିମନ୍ତେ ମୁଁ ପଥ ପରିଷ୍କାର କରିଦେଲି ।”

“ଏ ନିଷ୍ପତ୍ତି ନିଅନାହିଁ; ଏଥରକ ମୁଁ ତାଙ୍କୁ ବଡ଼ଭାଇ ରୂପେ ଗ୍ରହଣକରିବି ।”

“ମନର ଭାବକୁ ଇଚ୍ଛା ମୁତାବକ ବଦଳେଇ ହୁଏନି ଲଳିତା ! ଆଜି ଏହାର ଆବଶ୍ୟକତା ମଧ୍ୟ ନାହିଁ । ସେ ତୋର ବଡ଼ଭାଇ ହୋଇ ରହିବା ଅପେକ୍ଷା ମୁଁ ଚାହେଁ—ମୁଁ ତୋର ପିତା ହୋଇ ରହିବି ଏବଂ ସେ ତୋର ସ୍ଵାମୀ ହୋଇ ରୁହନ୍ତୁ । ଏହା ମୋର ବହୁଦିନର ଅଭିଳାଷ । ମୋ ପାଇଁ ଏହା ମନା କରନା ।”

ଏତିକିବେଳେ ଯାତ୍ରାରମ୍ଭ ସମୟ ହେଲାଣି ବୋଲି ଜଣେଇ ତାଙ୍କୁ ଡାକିନେବା ନିମନ୍ତେ ଆସି ପହଞ୍ଚିଲା ଉଡ଼ାଜାହାଜ ର ମହିଳା ସେବିକା ଜଣକ । ନାରାୟଣସ୍ଵାମୀ କାର୍ ରେ ବସିଲେ । ଆମେ ମଧ୍ୟ ସମସ୍ତେ ଉଡ଼ାଜାହାଜ ନିକଟକୁ ଗଲୁ ।

ନାରାୟଣସ୍ଵାମୀ ଅନୁରୋଧ କରି କହିଥିଲେ—ଦୟାକରି ହସି ହସି ତମେ ମାନେ ମୋତେ ବିଦାୟ ଦିଅ, ଏହା ମୁଁ ଚାହେଁ ।”

ଉଚ୍ଚମନୋଭାବାପନ୍ନ ଜଣେ ବିଶିଷ୍ଟ ଭଦ୍ରବ୍ୟକ୍ତି ଙ୍କୁ ନେଇ ଉଡ଼ାଜାହାଜଟି ଉଚ୍ଚ ଆକାଶରେ ଉଡ଼ିଚାଲିଲା । ଆମେ ତାକୁ ଲକ୍ଷ୍ୟକରି ଆକାଶକୁ ଚାହିଁରାହିଲୁ । କ୍ରମେ ଛୋଟ ଛଞ୍ଚାଣଟି ଭଳି ଦେଖାଗଲା ତାହା । ତା’ ପରେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ଚକ୍ଷୁ ଅନ୍ତରାଳରୁ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ଠିଆହୋଇ ଚାହିଁ ରହିଲୁ ଆମେ ଦୁହେଁ । ହାତରେ ମୋର ଥିଲା ସେ ଲେଖିଥିବା ଚିଠି :

“ଶ୍ରଦ୍ଧେୟ ସନ୍ତାନଦ୍ୱୟ,

 

ତୁମେ ଦୁହେଁ ମୋର ଦୁଇଟି ଚକ୍ଷୁ ଭଳି । ସର୍ବପ୍ରଥମେ ତୁମେମାନେ ନିଜନିଜକୁ ନିର୍ଦ୍ଦୋଷ ବୋଲି ହୃଦୟଙ୍ଗମ କର । ତୁମମାନଙ୍କ ପାଇଁ ମୁଁ ଯେଉଁ ପରିବେଷ୍ଟନୀର ବ୍ୟବସ୍ଥା କରିଛି, ସେଥିରେ ତୁମ ଦୁହିଁଙ୍କ ବ୍ୟତୀତ ଅନ୍ୟ କେହି ନିଜକୁ ଖାପ ଖୁଆଇ ଚଳିବା ସମ୍ଭବ ନୁହେଁ । ମୁଁ ତୁମମାନଙ୍କୁ ବାରମ୍ବାର ଲକ୍ଷ୍ୟକରି ଆସିଛି । ତୁମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ହିଁ ସେଭଳି ଲକ୍ଷ୍ୟ କରିଆସୁଥିଲି ।

 

ତୁମେ ଦୁହେଁ ଆନନ୍ଦର ସହିତ ଜୀବନଯାପନ କର—ଏହା ହେଉଛି ମୋର ଅଭିଳାଷ । ତୁମମାନଙ୍କ ସକାଶେ ମୁଁ ନୂତନ ଜୀବନ ସୃଷ୍ଟି କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିସାରିଛି । କାରଣ ତାହା ତୁମର ଜୀବନ । କେମିତି କେଜାଣି ଏହାକୁ ମୁଁ ଛଡ଼େଇ ନେଇଆସିଥିଲି । ତା’ର ପ୍ରାୟଶ୍ଚିତ ସ୍ୱରୂପ ବର୍ତ୍ତମାନ ମୁଁ ତାହା ତୁମ ହସ୍ତରେ ହିଁ ଅର୍ପଣ କରୁଛି ।

 

ତୁମେ ଦୁହେଁ ମିଳିମିଶି ଜୀବନ କଟାଅ—ଏହା ମୋର ସ୍ନେହ-ବୋଳା ଆଦେଶ । କାଣିଚାଏ ବି କୁଣ୍ଠା ପ୍ରକାଶ ନକରି ଏହାକୁ ଗ୍ରହଣକରିବ । ଏହାପାଇଁ ଅନ୍ୟଥା ଚିନ୍ତା କରିବା କିମ୍ବା କୁଣ୍ଠିତ ହେବା କିମ୍ବା ଏହାକୁ ମାନିନନେବା ଏ ପ୍ରତ୍ୟକଟା କାପୁରୁଷତାର ଲକ୍ଷଣ ବୋଲି ମୁଁ କହିବି ।

 

ତୁମ ଚାରିପଟେ ଘେରିରହିଥିବା ନରନାରୀଙ୍କୁ ଭ୍ରୂକ୍ଷେପ କରିବା ଆବଶ୍ୟକତା ତୁମର ନାହିଁ । ଏହି ପୃଥିବୀରେ ଅନେକ ଉତ୍ତମ ଲୋକ ମଧ୍ୟ ଅଛନ୍ତି । ଅନ୍ୟମାନଙ୍କର ବ୍ୟାପାରରେ ହସ୍ତକ୍ଷେପ କରି ସେମାନଙ୍କୁ ଦୁଃଖ ଯନ୍ତ୍ରଣା ଦେବା ହେଲା କେତେ ଜଣଙ୍କ ପ୍ରଧାନ କାମ । ସେମାନଙ୍କୁ ଭ୍ରୂକ୍ଷେପ କଲେ କୌଣସି ଉତ୍ତମ କାମ ସାଧନା କରିହୁଏନା । ଆମର ବଞ୍ଚିରହିବା ଉଚିତ୍—ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିରହିବା ସକାଶେ ସୁଯୋଗ ଦେବା ଉଚିତ୍ । ଏହା ହିଁ ଦୁନିଆର ଏକ ଚିରପ୍ରଚଳିତ ନିୟମ ।

 

ମୋ ସମ୍ପର୍କରେ ତଥା ମୋ କାର୍ଯ୍ୟକଳାପ ସମ୍ପର୍କରେ ଏକ ବିଶଦ ବିବରଣୀ ଦେବାର ଆବଶ୍ୟକତା ମୁଁ ଅନୁଭବ କରେ । ଲଳିତା ପାଣିଗ୍ରହଣ କରିବା ପର୍ଯ୍ୟନ୍ତ ମୋର ଦୃଢ଼ବିଶ୍ଵାସ ଥିଲା ଯେ ତାକୁ ମୁଁ ଯଥେଷ୍ଟ ସୁଖଶାନ୍ତି ପ୍ରଦାନ କରିପାରିବି । ସେ ମଧ୍ୟ ମୋତେ ପତି ରୂପେ ବରଣ କରିବା ନିମନ୍ତେ ଅନିଚ୍ଛା ପ୍ରକାଶ କରିନଥିଲା; କିନ୍ତୁ ବାହାଘର ପରଦିନ ଯେଉଁ କାର୍ ଦୁର୍ଘଟଣା ଘଟିଗଲା, ତାହା ମୋର ସମସ୍ତ ବିଶ୍ୱାସକୁ ଧୂଳିସାତ୍ କରିଦେଲା । ଫଳତଃ ମୁଁ କେତେଦୂର କ୍ଷୁବ୍‌ଧ, ଜଣେ ନିଜକୁ ମୋ ସ୍ଥାନରେ ରଖି ହିଁ ଅନୁଭବ କଲେ ତାହା ସେ ଜାଣିପାରିବ । ମୋ ସକାଶେ ମୁଁ ବ୍ୟସ୍ତ ନୁହେଁ । ଜୀବନର ସମସ୍ତ ସୁଖଶାନ୍ତି ଉପଭୋଗ କରିସାରିଛି... କିନ୍ତୁ ଲଳିତା ? ଆଉ, ତାର ଭବିଷ୍ୟତ ?

 

କୌଣସି ଭୁଲ ଧାରଣାର ବଶବର୍ତ୍ତୀ ହୋଇ ମୋ ସମ୍ପର୍କରେ ଭାବିବା ଉଚିତ୍ ନୁହେଁ । ଲଳିତା ପାଇଁ ମୁଁ ଦୁରେଇବାବୁଙ୍କ ସହିତ ମିଳାମିଶା କରିନଥିଲି । ସର୍ବପ୍ରଥମେ ସାଧାରଣ ବନ୍ଧୁତା ହିଁ ଆଶା କରିଥିଲି; କିନ୍ତୁ ଆଶାତୀତ ଘଟଣା ସବୁ ଘଟିଗଲା । ଦାମ୍ପତ୍ୟ ଜୀବନକୁ ଆମେ ଦୁହେଁ ଯେଉଁ ଉଚ୍ଚାସନ ଦେଇଥାଉଁ, ମୁଁ ତାହା କଦାପି ଭୁଲିନାହିଁ । ପ୍ରେମ ଏବଂ ଶାରୀରିକ ସମ୍ପର୍କ ଅପେକ୍ଷା ଏଥିରେ ଅତୁଳନୀୟ ସ୍ଵାତନ୍ତ୍ର୍ୟ ରହିଛି । ତାହା ରକ୍ଷା କରିବା ନିମନ୍ତେ ହିଁ ମୁଁ ଏହି ନିଷ୍ପତ୍ତି ନେଲି ।

 

ଯାହା ଯାହା ସବୁ ମଣିଷ ଶକ୍ତିର ବହିର୍ଭୂତ, ପ୍ରକୃତି ସେସବୁକୁ ନିଜ ରାସ୍ତାରେ ଚଲେଇଥାଏ । ତୁମମାନଙ୍କ ମିଳାମିଶାର ପ୍ରକୃତ ଉଦ୍ଦେଶ୍ୟ ବହୁତଦିନ ପରେ ଜାଣିପାରିଲି । ଜାଣିବାକ୍ଷଣି ଏକପ୍ରକାର ଚମକ ପାଇଥିଲି ସତ; କିନ୍ତୁ ବହୁତ ଭାବିଚିନ୍ତି ଏହି ସିଦ୍ଧାନ୍ତରେ ଉପନୀତ ହେଲି ଯେ ତୁମମାନଙ୍କର ଏ ପ୍ରକାର ଚାଲି ଚଳନ ଏମିତିକା ଏକ ପରିବେଶରେ ମୋଟେ ଦୋଷଯୁକ୍ତ ନୁହେଁ । ସମ୍ମାନ, ବନ୍ଧନ ତଥା ଚରିତ୍ରର ସୁରକ୍ଷା ନିମିତ୍ତ ତମେମାନେ ଯେଉଁ କଷ୍ଟ ସ୍ଵୀକାର କରିଛ, ମୁଁ କଣ ତାହା ଜାଣେନାହିଁ ଭାବିଛ ? ତମମାନଙ୍କ ଅପେକ୍ଷା ମୁଁ ଅଧିକ ମର୍ମାହତ । ମୁଁ ମଧ୍ୟ ଜଣେ ବୁଦ୍ଧି ବିବେକସମ୍ପନ୍ନ ମଣିଷ ତ !

 

ପବିତ୍ର ଓଢ଼ଣାର ଆଢ଼ୁଆଳରେ ଲଳିତାକୁ ଲୁଚେଇ ଘରକୋଣରେ ବସେଇରଖିବା ମୋର ଅଭିପ୍ରାୟ ନଥିଲା । ତାକୁ ଘରେ ବନ୍ଦୀକରି ମୁଁ ନିଜେ ଜଗୁଆଳ ସାଜିବାକୁ ମୋଟେ ପ୍ରସ୍ତୁତ ନଥିଲି । ଶରୀରକୁ ହୁଏତ ବନ୍ଦୀ କରାଯାଇ ପାରିବ—କିନ୍ତୁ ମନକୁ ?

 

ସେମିତି ନକରି, ବିବାହିତ ଜୀବନର ବଡ଼ିମା ଗାରିମାକୁ ଗାଁଦାଣ୍ଡରେ ଜଣେଇବାର ଏକ ଛଳନା କରି ଘରଭିତରକୁ ସମସ୍ତ ବିଷାକ୍ତ ବାତାବରଣର ଅନୁପ୍ରବେଶକୁ ଅନୁମତିପତ୍ର ଦେଇ ଅଥଚ ସେଗୁଡ଼ିକୁ ଲକ୍ଷ୍ୟ ନକଲା ଭଳି ଏକ ନାଟକ ଖେଳି, ସେଥିରେ ଅଭିନୟ କରିବା କ’ଣ ସୁନ୍ଦର ହୁଅନ୍ତା ? ମୁଁ ଏ ପ୍ରକାର ପ୍ରକୃତିକୁ ବିଶେଷ ଘୃଣାକରେ । ଆଦର୍ଶବାଦ ବୋଲି ଯାହାକୁ କୁହାଯାଏ ତାହା ଦୈନନ୍ଦିନ ଜୀବନ ଯାତ୍ରା ପ୍ରଣାଳୀର ବାସ୍ତବକ୍ଷେତ୍ରରେ ଏକ ମୂଳ ଅଂଶ ହୋଇ ରହିବା ଉଚିତ-। ମୁଁ ଆଦର୍ଶବାଦୀ ନୁହେଁ, କିନ୍ତୁ ବାସ୍ତବତା କ୍ଷେତ୍ରରେ ଥିବା ସତ୍ୟତା ନିମନ୍ତେ ସମାଧାନର ଅନୁସନ୍ଧାନକାରୀ ।

 

ବିବାହ–ବନ୍ଧନ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ସମ୍ପର୍କକୁ ତୁମେ ଦୁହେଁ ଦେଇଆସିଥିବା ସମ୍ମାନ ଏବଂ ତା’ର ସୁରକ୍ଷା ନିମିତ୍ତ ସହ୍ୟ କରିଥିବା ଦୁଃଖ ଯନ୍ତ୍ରଣା ଏପରିକି ପରିଶେଷରେ ତୁମେ ଦର୍ଶେଇଥିବା ତ୍ୟାଗ ମୋ ହୃଦୟକୁ ଆଲୋଡ଼ନ କରିପାରିଛି । ସେହି ବିବାହ ନିମିତ୍ତ ମୁଁ ନିଜକୁ ତିଳେମାତ୍ର ଉପଯୁକ୍ତ ପାତ୍ର ବୋଲି ବିବେଚନା କରିନପାରିବା ଯୋଗୁଁ ସେଥିରୁ ସୁଖଶାନ୍ତି ପାଇବାରୁ ବଞ୍ଚିତ । ମୁଁ ଯାହା କରିଛି, ସେଥିରେ ଅଣୁମାତ୍ର ତ୍ୟାଗ ନାହିଁ । ମୁଁ ନିଜେ ଯେତେବେଳେ ବଞ୍ଚିବା ନିମନ୍ତେ ଅକ୍ଷମ, କିମ୍ବା ସୁଖଶାନ୍ତି ପ୍ରଦାନ କରିବା ନିମନ୍ତେ ଅସମର୍ଥ, ସେତିକିବେଳେ ତୁମକୁ ବଞ୍ଚିବା ପାଇଁ ସୁଯୋଗ ଦେବାରେ କି ନୂତନତା ରହିଛି ? କି ତ୍ୟାଗ ରହିଛି ?

 

ଏଠା ଅପେକ୍ଷା ବର୍ମାରେ ମୁଁ ଅଧିକ ଖୁସିରେ ରହିବି । ମୋ ପାଇଁ ତୁମେ ବ୍ୟସ୍ତ ହେବା ଦରକାର ନାହିଁ । ତୁମ ଜୀବନ ଯଦି ସୁଖଶାନ୍ତିରେ କଟେ, ତେବେ ତାହାହିଁ ମୋର ସୁଖଶାନ୍ତି । ସେଥିରୁ ମୁଁ ପାଇବି ତୃପ୍ତି । ତୁମ ପରିଶ୍ରମରୁ ଯେଉଁ ଅର୍ଥ ଉପାର୍ଜନ କରିବ ତାହା ଏବଂ ମୁଁ ଛାଡ଼ିଆସିଥିବା ଧନସମ୍ପତ୍ତିକୁ ଜୀବନରେ ଯେଉଁମାନେ ଦୁଃଖ-ଯନ୍ତ୍ରଣା ଭୋଗ କରୁଛନ୍ତି ସେମାନଙ୍କୁ ଦେଇ ସାହାଯ୍ୟ କରିବ । ପ୍ରାୟ ମୁଁ ଚିଠି ଲେଖୁଥିବି, ତୁମେ ବି ଉତ୍ତର ଦେଉଥିବ ।

 

ପ୍ରଧାନ କଥା ହେଲା—ଉପନ୍ୟାସଟିର ପାଣ୍ଡୁଲିପି ପଢ଼ିଲି । ତାର ପରିସମାପ୍ତି ବେଶ୍ ଆନନ୍ଦଦାୟକ ହେବା ଦରକାର । ଖୁବ୍‌ଶୀଘ୍ର ତାର ପରିସମାପ୍ତିକୁ ଏକ ସୁନ୍ଦର ଉପସଂହାରର ରୂପରେଖ ଦେଇ ବହିଟିକୁ ପ୍ରକାଶ କରିବା ପରେ ପ୍ରଥମ ବହିଟି ମୋ ନିକଟକୁ ପଠେଇବ । ଆଦର୍ଶବାଦ ଏବଂ ତ୍ୟାଗକୁ ଦୃଷ୍ଟି ସମ୍ମୁଖରେ ରଖି ଝିଅଟିର ଜୀବନ ଉପରେ ପ୍ରତିଶୋଧ ନେଇ ବିୟୋଗାନ୍ତକ ପରିସମାପ୍ତି ଘଟାଇ ଜୀବନ ପ୍ରତି ଆମମାନଙ୍କର ରହିଥିବା ଆସ୍ଥାକୁ ହରେଇବସିବା ଭଳି ଲେଖିବା ଅନୁଚିତ ।

 

ସେଥିପାଇଁ ମୁଁ ଆଜି ବିମାନଯୋଗେ ବର୍ମା ଯାତ୍ରା କରୁଛି । ଏହାପୂର୍ବରୁ ପାସ୍‌ପୋର୍ଟର ବନ୍ଦୋବସ୍ତ କରିଥିଲି । ଦୟାକରି ମୋତେ ଖୋଜିବାର ପ୍ରୟାସ କରି ଅଯଥାରେ କୁଆଡ଼େ ଯିବନି । ମୋର ସ୍ନେହ-ମମତାକୁ ତୁମେମାନେ ଗ୍ରହଣ କରିବା ଉଚିତ । ପୁଣି ଥରେ ତୁମମାନଙ୍କୁ ମୁଁ ଅନୁରୋଧ କରୁଛି—ତୁମେମାନେ ମିଳିମିଶି ଏକାତ୍ମା ହୋଇ ଜୀବନଯାପନ କର । ତୁମ୍ଭମାନଙ୍କୁ ମୋର ହାର୍ଦ୍ଦିକ ଆଶୀର୍ବାଦ ।

 

ଇତି

ନାରାୟଣସ୍ଵାମୀ

 

ବିସ୍ତୀର୍ଣ୍ଣ ଜନଶୂନ୍ୟ ଉଡ଼ାଜାହାଜ ପଡ଼ିଆରେ ମୁଁ ଏବଂ ଲଳିତା ଠିଆହୋଇ ରହିଥିଲୁ । ଏହି ବିଶାଳ ପୃଥିବୀବକ୍ଷରେ କେବଳ ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ଜୀବନ କଟାଇଲେ ସେମାନଙ୍କ ମନରେ ଯେଉଁପ୍ରକାର ଆତଙ୍କ ସୃଷ୍ଟିହୁଅନ୍ତା, ମୋ ମନରେ ଅନୁରୂପ ଆତଙ୍କ ସୃଷ୍ଟିହେଲା । ଆମେ ଦିହେଁ କାର୍ ଅଭିମୁଖେ ଚାଲିଲୁ । କାର୍ ଘରେ ପହଞ୍ଚିବା ପର୍ଯ୍ୟନ୍ତ ଲଳିତାର କଇଁକଇଁ ହୋଇ କାନ୍ଦିବା ବନ୍ଦ ହୋଇନଥିଲା ।

 

ଗୃହର ଉପରମହଲାରେ ତାଙ୍କର ଏକ ବଡ଼ ଫଟୋ ଦେଖିବାକ୍ଷଣି ଅଜ୍ଞାତରେ ସେଠାରେ ମୋ ପାଦଯୋଡ଼ିକ ଅଟକିଗଲା । ଚକ୍ଷୁରୁ ଝରିପଡ଼ିଲା ଅଶ୍ରୁଧାରା । କେତେବେଳୁ କେଜାଣି ଲଳିତା ଆସି ମୋ ପାର୍ଶ୍ଵରେ ଠିଆହୋଇଥିଲା ମୁଁ ଜାଣେନାହିଁ । ଚକ୍ଷୁଯୋଡ଼ିକରୁ ତାର ବହିପଡ଼ୁଥିଲା ଶ୍ରାବଣୀ ଅଶ୍ରୁ । ତାକୁ ନ ପୋଛି ଯୋଡ଼ହସ୍ତରେ ଫଟୋକୁ ଚାହିଁରହିଥିଲା ସେ । ବହୁତ ସମୟ ବିତିବା ପରେ ମୁଁ ଏହା ଜାଣିପାରିଲି ।

 

ଅନୁଭବ କଲି, କେଉଁ ଏକ ଇଲାକାରୁ ନାରାୟଣସ୍ଵାମୀଙ୍କ ସେହି ସ୍ନେହବୋଳା କରଦ୍ୱୟ ଆସି ମୁହଁରୁ ମୋର ଅଶ୍ରୁ ପୋଛି କହିଗଲେ—‘ବର୍ତ୍ତମାନ ଲଳିତା ତୁମର ବାନ୍ଧବୀ କେବଳ ନୁହେଁ, ସହଧର୍ମିଣୀ ମଧ୍ୟ ।”

 

ମୋ କରଦ୍ୱୟ ଲଳିତାର ଅଶ୍ରୁ ପୋଛିବାପାଇଁ ତତ୍ପର ହୋଇଉଠିଲେ ।

Image